ରାସ୍ତାକଡ଼ର ଖାଦ୍ୟ ଷ୍ଟଲ ମାଲିକଙ୍କ ପାଖରୁ ସଫଳ ଉଦ୍ୟୋଗ ପାଇଁ ଆଠୋଟି ଗୁରୁମନ୍ତ୍ର
Tuesday January 05, 2016,
3 min Read
ବାଙ୍ଗାଲୋରରେ ସ୍ଥାନୀୟ ଖାଦ୍ୟ ଖୋଜିବା ଓ ଖାଇବାର ରୁଚି ମତେ ଏମିତି କିଛି ଲୋକଙ୍କ ସହ ପରିଚୟ କରାଇଥିଲା ଯାହା ମୋ ଚିନ୍ତାଧାରା ଓ ଉଦ୍ୟୋଗ ପ୍ରତି ଥିବା ଭାବନାକୁ ଏକ ନୂଆ ମୋଡ ଦେଇଥିଲା। ସେହି ଲୋକମାନଙ୍କ ସୃଜନଶୀଳତା, ନୂଆ କିଛି କରିପାରିବାର ଦକ୍ଷତା ଓ ବ୍ୟବସାୟିକ ଚିନ୍ତାଧାରା ମତେ ପ୍ରଭାବିତ କରିଥିଲା। ସେମାନଙ୍କ ଭିତରେ ଏମିତି କିଛି ଚା ଦୋକାନୀ ବି ଥିଲେ ଯେଉଁମାନଙ୍କ ପାଖକୁ ବହୁ ବଡ ବଡ ରାଜନୈତିକ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଆସୁଥିଲେ। ଆଉ ଏମିତି କିଛି ପେଷାଦାର ଶେଫ ବି ଥିଲେ ଯେଉଁ ମାନେ ନିଜ ରାନ୍ଧଣା ପାଇଁ ସୁପରିଚିତ ଥିଲେ। ସେମାନଙ୍କ ଠାରୁ ମୁଁ ପାଇ ଥିବା କିଛି ଗୁରୁମନ୍ତ୍ର ଭିତରୁ ପ୍ରମୁଖ ଗୁଡିକ ହେଲା:
1. ଦୁନିଆ ନୁହେଁ, ତୁମେ ହିଁ ସ୍ଥିର କରିବ ତୁମେ କଣ କରିବ
ଡାନିଏଲ ଡିସୋଜା ହେଉଛନ୍ତି ଶାରୋନ ଟି ଷ୍ଟଲର ମାଲିକ। ତାଙ୍କ ଚା ଦୋକାନଟି ଅନ୍ୟମାନଙ୍କ ଠାରୁ ନିଆରା। କେମିତି? ବଡ ବଡ ହୋଟେଲ ରେ ମିଳୁଥିବା ଅଧିକ ଦାମ ଓ ଭିନ୍ନ ଭିନ୍ନ ସ୍ଵାଦର ଚା’ର ମଜା ତାଙ୍କ ରାସ୍ତାକଡ ଦୋକାନରେ ବି ମିଳେ। ସହରର ବଡ ବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ଭିଡ଼ ଜମେ ତାଙ୍କ ଦୋକାନରେ। ଅନେକ ମଜାଦାର ସ୍ଵାଦର ଚା ମଜା ତାଙ୍କ ଦୋକାନରେ ଗ୍ରାହକ ମାନେ ଉଠେଇ ପାରନ୍ତି। ଡାନିଏଲଙ୍କ ମତରେ ନୂଆ କିଛି କରିବାର ଚେଷ୍ଟା କରିବା ଉଚିତ। ସଫଳତା ବା ବିଫଳତା ପରର କଥା।
2. ଯାହା ଅନ୍ୟମାନେ ଭାବି ନାହାନ୍ତି ତାହା କର, ଆଉ ଏହାକୁ ନିରନ୍ତର କରିବାର ପ୍ରୟାସ କର
ଚିରାଚରିତ ଢଙ୍ଗରୁ ଟିକିଏ ନିଆରା କରିବା ଅନେକ ସମୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ସହ ସଫଳତାର ବାଟ ମଧ୍ୟ ଖୋଲିଥାଏ। ଆମେ ସାଧାରଣତଃ ମୋମୋ ଷ୍ଟଲ ମାନଙ୍କରେ ଧଳା ରଙ୍ଗର ମୋମୋ ହିଁ ଦେଖିଥାଉ। ବାଙ୍ଗାଲୋରର ଜଣେ ବ୍ୟବସାୟୀ ଏହଠୁ କିଛି ଅଲଗା କରିପାରିଛନ୍ତି। ଧନିଆ ପତ୍ର, କ୍ୟାରଟ ଓ ବିଟ ରସ ପ୍ରୟୋଗ କରି ସେ ତାଙ୍କ ଦୋକାନରେ ବିକୁଛନ୍ତି ଭିନ୍ନଭିନ୍ନ ରଙ୍ଗର ମୋମୋ।
3. ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ
ଶୁଣ୍ଡଲ ହେଉଛି ଦକ୍ଷିଣ ଭାରତର ଗୋଟିଏ ପ୍ରସିଦ୍ଧ ଚଟପଟା ଖାଦ୍ୟ। ଏହା ବୁଟରୁ ତିଆରି ହୁଏ। ଆଉ ଏହାକୁ ଗରମ ଗରମ ଖାଇବାରେ ହିଁ ମଜା ଥାଏ। ହେଲେ ଆର୍ଦ୍ରତା ଓ ଗରମ, ଉଭୟକୁ ଠିକ ଭାବେ ନିୟନ୍ତ୍ରଣରେ ରଖିବା କଷ୍ଟକର। ଏଥିପାଇଁ ଜଣେ ଶୁଣ୍ଡଲ ବିକ୍ରେତା ଆପଣେଇଛନ୍ତି ଗୋଟିଏ ଅଭିନବ ଉପାୟ। ନିଜ ଶୁଣ୍ଡଲ ଠେଲାର ତଳେ ଗୋଟିଏ ଷ୍ଟୋଭ ରଖିତା ଉପରେ ପାଣି ଗରମ କରନ୍ତି ଆଉ ଏହି ଗରମ ପାଣିର ବାମ୍ଫରେ ଶୁଣ୍ଡଲ ଉଭୟ ଗରମ ଓ ଆଦ୍ର ରୁହେ।
4. ଅଳ୍ପ କିସମ ହେଲେ ସ୍ଵାଦ ଅନୁପମ
ବାଙ୍ଗାଲୋରର ଗାନ୍ଧୀ ବଜାରରେ ଥିବା ପକୁଡି ଦୋକାନଟି ଭାରି ପ୍ରସିଦ୍ଧ। ଏଠାରେ ଆଳୁ, କଞ୍ଚା କଦଳୀ ଓ କ୍ୟାପସିକମର ପକୁଡି ମିଳେ। ତା' ସାଙ୍ଗକୁ ପକୁଡିର ଦାମ ବଜାର ଦାମର ଅଧା। ଦୋକାନର ମାଲିକ ପ୍ରବୀଣଙ୍କ ମତରେ ସେ କେବେ ବି ଖାଦ୍ୟର ଗୁଣବତ୍ତାରେ କମ କରି ନାହାନ୍ତି। ପକୁଡି ତିଆରି କରିବା ପାଇଁ ସେ ତାଜା ପରିବା କିଣନ୍ତି ଓ ଗୋଟିଏ ମାପର ପକୁଡି ହିଁ ତିଆରି କରନ୍ତି। ଏହା ହିଁ ତାଙ୍କ ଦୋକାନର ଲୋକପ୍ରିୟତାର କାରଣ।
5. ଖାଦ୍ୟ ସହ ହସ ବି ପରଷ
ରବିଙ୍କର କୋବି ଷ୍ଟଲ ଆଗରେ ସବୁବେଳେ ଭିଡ ଥାଏ। ଆଉ ଏହି ଭିଡରେ ଭିନ୍ନ ଭିନ୍ନ ଗ୍ରହକଙ୍କୁ ସନ୍ତୁଷ୍ଟ କରିବା ନିଶ୍ଚିତ ଭାବେ କଠିନ। ମାତ୍ର, ସମସ୍ତ ବ୍ୟସ୍ତତା ସତ୍ତ୍ୱେ, ରବିଙ୍କ ମୁହଁରେ ସବୁବେଳେ ହସ ଲାଖି ରହିଥାଏ। ଆଉ ଏହି ହସ ହିଁ ଗ୍ରାହକଙ୍କୁ ବାରବାର ତାଙ୍କ ଦୋକାନକୁ ଟାଣି ଆଣେ।
6. କାମ ପୁରୁଣା ଉପାୟ ନୂଆ
ଆପଣ ଯଦି ଭାବୁଥିବେ ଯେ ଭିନ୍ନ ଭିନ୍ନ ପ୍ରକାରର ପିଜ୍ଜା ଓ ସୁପ କେବଳ ବଡ ବଡ ଦୋକାନରେ ହିଁ ମିଳୁଥିବ ତାହାଲେ ଭଲ୍ଲାରମାତିଙ୍କ ଦୋକାନକୁ ଥରେ ଯାଆନ୍ତୁ। ଆପଣଙ୍କ ଧାରଣା ଭୁଲ ବୋଲି ପ୍ରମାଣିତ ହେବ। ଭିନ୍ନ ଭିନ୍ନ ପ୍ରକାରର ପିଜ୍ଜା ଓ ସୁପ ଆପଣ ଏଠି ଉଚିତ ଦରରେ ପାଇ ପାରିବେ।
7. ଭିନ୍ନ କିଛି କର ଓ ସେଥିରେ ନିଜର ନିପୁଣତା ଦେଖାଅ
ଜଣେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ଭାବେ ରେବତୀ ଅନୁଭବ କରି ପାରିଥିଲେ ଯେ ରାସ୍ତା କଡର ଖାଦ୍ୟ ଷ୍ଟଲ ମାନେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସେତେ ଅଧିକ ଯତ୍ନଶୀଳ ନୁହନ୍ତି। ଏହାର ସମାଧାନ ପାଇଁ ସେ ଚେଷ୍ଟା କରିଥିଲେ। ତାଙ୍କ ଷ୍ଟଲରେ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଅନୁକୂଳ ଖାଦ୍ୟ ମିଳି ଥାଏ।
8. ଗ୍ରାହକଙ୍କ ପସନ୍ଦକୁ ପ୍ରାଥମିକତା
ଗ୍ରାହକର ପସନ୍ଦ କୁ ପ୍ରାଥମିକତା ଦେଲେ ଗ୍ରହକଙ୍କ ସହ ଗୋଟିଏ ଅନ୍ତରଙ୍ଗ ବନ୍ଧନ ତିଆରି କରି ହୁଏ। ଗୋଆର ଅନେକ ଖାଦ୍ୟ ଷ୍ଟଲ ମାଲିକ ଗ୍ରାହକର ପସନ୍ଦ କୁ ପ୍ରାଥମିକତା ଦେଇଥାନ୍ତି। ଦୋକାନ ଖୋଲିବା ସମୟ ଠାରୁ ଆରମ୍ଭ କରି ବ୍ୟବସାୟ ବଢାଇବା ପର୍ଯ୍ୟନ୍ତ ସବୁଥିରେ ସେମାନଙ୍କ ପାଇଁ ଗ୍ରାହକର ସୁବିଧା ହିଁ ପ୍ରାଥମିକତା।
ମୂଳ ଲେଖା - ମହିମା କାପୁର
ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ
ମହିମା କାପୁର Talking Streetର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ।