ଦୁର୍ଘଟଣା କମାଇବ ସଡକ ସୁରକ୍ଷା ସଚେତନତା, ସବୁ ବର୍ଗର ଲୋକେ ସାମିଲ

ଦୁର୍ଘଟଣା କମାଇବ ସଡକ ସୁରକ୍ଷା ସଚେତନତା, ସବୁ ବର୍ଗର ଲୋକେ ସାମିଲ

Friday March 11, 2016,

3 min Read

image


ବର୍ତ୍ତମାନ ଗାଡି ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ସଡକ ସୁରକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି | କିଛି ବର୍ଷ ପୂର୍ବେ ସଡକ ସୁରକ୍ଷାକୁ ନେଇ ଏତେ ସତେଚନତା ସୃଷ୍ଟି କରିବାକୁ ପଡିବ ବୋଲି ଅନେକଙ୍କର ଧାରଣା ନଥିଲା | କିନ୍ତୁ ଏବେ ରାସ୍ତାରେ ଏତେ ଭିଡ ଓ ଜଟିଳତା ସୃଷ୍ଟି ହୋଇଛି ଯେ ସଡକ ସୁରକ୍ଷା ପ୍ରତି ନିଜକୁ ସଚେତନ ହେବାକୁ ପଡିବ | ତେଣୁ ଅନେକ ସଂଗଠନ ସାରା ଦେଶରେ ଏ ଦିଗରେ କାମ କରୁଛନ୍ତି | ସେମାନେ ଲୋକଙ୍କୁ ସଡକ ସୁରକ୍ଷାର ବିଭିନ୍ନ ବିଷୟରେ ସଚେତନତା କରାଉଛନ୍ତି | ଗାଡି ଚାଳକମାନଙ୍କୁ ମଧ୍ୟ ନିୟମିତ ଭାବେ ଏଭଳି ସୁରକ୍ଷାର ବାର୍ତ୍ତା ଦିଆଯାଉଛି |

image


ନିକଟରେ ପୁରୀରେ ପୁଲିସ୍ ଓ ବିଭିନ୍ନ ସଂଗଠନ ପକ୍ଷରୁ ଏଭଳି ଏକ ସଡକ ସୁରକ୍ଷା ସଚେତନତା ଅଭିଯାନ ଶୋଭାଯାତ୍ରା ହୋଇଛି | ଶ୍ରୀ ମନ୍ଦିର ସିଂହଦ୍ୱାର ଠାରୁ ଏହି ଶୋଭାଯାତ୍ରା ବାହାରିଥିଲା | ଏଥିରେ ଶ୍ରୀ କ୍ଷେତ୍ର ଟ୍ରକ ମାଲିକ ସଂଘ, ଘରୋଇ ବସ୍ ମାଲିକ ସଂଘ, ଅଟୋଚାଳକ ସଂଘ ଓ ପୁରୀ ଇଂଜିନିୟରିଂ ସ୍କୁଲର ରୋଟ୍ରାକ୍ଟ କ୍ଲବ ପ୍ରମୁଖ ଯୋଗ ଦେଇଥିଲେ | ଏହି ଶୋଭାଯାତ୍ରାରେ ସବୁ ବର୍ଗର ଲୋକଙ୍କୁ ଦେଖିବାକୁ ମିଳିଥିଲା | ପୁଲିସ୍ ଅଧିକାରୀ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, କଳାକାର, ସିନେ ଅଭିନେତା ସମସ୍ତେ ଏଥିରେ ସାମିଲ ହୋଇ ସଡକ ସୁରକ୍ଷାର ବାର୍ତ୍ତା ଦେଇଥିଲେ |

ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ପର୍ଯ୍ୟନ୍ତ ଆସିଥିଲା | ସେଠାରେ ଏକ ସଚେତନତା ସଭା ହୋଇଥିଲା |

ଏହି ଅବସରରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ କହିଛନ୍ତି,

ସଡକ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ ହେବାକୁ ପଡିବ | ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣ ହରାଇବା ସହିତ ଅନେକ ଅକର୍ମଣ୍ୟ ହୋଇ ଯାଉଛନ୍ତି | ତେଣୁ ଆମକୁ ଏଦିଗରେ ଗୁରୁତର ସହ କାମ କରିବାକୁ ହେବ | ଦୁର୍ଘଟଣାକୁ ଏଡାଇବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା |

ଗାଡି ସଂଖ୍ୟା ଦିନକୁ ଦିନ ବଢୁଛି | ଜିଲ୍ଲାରେ ୨୦୧୩ରେ ୪୭୬ଟି ଦୁର୍ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଥିଲା | ସେହିଭଳି ୨୦୧୪ରେ ୪୬୭ଟି ଦୁର୍ଘଟଣା ହୋଇଥିଲା | ଯେଉଁଥିରେ ୧୩୭ ଜଣ ପ୍ରାଣ ହରାଇଥିଲେ | ୨୦୧୫ ମସିହାରେ ୪୯୫ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୫୫ ଜଣ ମରିଛନ୍ତି | ଦୁର୍ଘଟଣାର ଏହି ପରିସଂଖ୍ୟାନରୁ ଦେଖିଲେ ଜଣାପଡେ, ଦୁର୍ଘଟଣା ବଢି ବଢି ତାଲିଛି | ତେଣୁ ସେହି ଅନୁପାତରେ ସଚେତନତାର ମଧ୍ୟ ଆବଶ୍ୟକ ରହିଛି |

image


ଏହି ଅଭିଯାନରେ ଯୋଗ ଦେଇଥିବା ଓଡିଆ ଫିଲ୍ମ ଜଗତର ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କହିଛନ୍ତି,

ଏଭଳି ଅଭିଯାନର ଆବଶ୍ୟକତା ବହୁତ ରହିଛି | ଶୋଭାଯାତ୍ରାରେ ଭାଗନେଇ ଖୁସୀ ଲାଗୁଛି | ସବୁ ସହରରେ ସଡକ ସୁରକ୍ଷାକୁ ନେଇ ଏଭଳି ସଚେତନତା ଅଭିଯାନ ହେବା ଦରକାର | ପୁରୀ ଏଭଳି ଏକ ସହର ଯେଉଁଠାରେ ବର୍ଷସାରା ପର୍ଯ୍ୟଟକମାନଙ୍କର ଭିଡ ଲାଗିଥାଏ | ତେଣୁ ସଡକ ସୁରକ୍ଷା ପ୍ରତି ଧ୍ୟାନ ଦିଆଗଲେ ସେମାନେ ନିଜକୁ ଆହୁରି ବିପଦ ମୁକ୍ତ ବୋଲି ମନେକରିବେ |

ସେହିପରି ଏଥିରେ ଭାଗ ନେଇଥିବା ହାସ୍ୟ ଅଭିନେତା ଗୁଡୁ ଓରଫ୍ ସାୱନ ସୁମନ ନାୟକ ହେଲମେଟ୍ ବ୍ୟବାହାର ଉପରେ ଗୁରୁତ୍ୱ ଦେଇଥିଲେ | ସେ କହିଥିଲେ - ପୁଲିସ୍ ଧରୁଛି ବୋଲି କେବଳ ହେଲମେଟ୍ ନ ପିନ୍ଧି ନିଜର ଜୀବନର ସୁରକ୍ଷା ପାଇଁ ଏଭଳି କରିବା ଦରକାର |

image


ସରକାରଙ୍କ ପଦକ୍ଷେପ

ରାଜ୍ୟରେ ସଡକ ସୁରକ୍ଷା ସୁନିଶ୍ଚିତ କରିବା ଓ ଦୁର୍ଘଟଣା ହ୍ରାସ କରିବା ଦିଗରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି | ଜାତୀୟ ରାଜପଥର ୨୩ଟି ସ୍ଥାନ, ରାଜ୍ୟ ରାଜପଥର ୧୩ଟି ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି | ଟ୍ରାଫିକ ନିୟମାବଳୀକୁ କଡାକଡି ପାଳନ ଓ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଉଛି | ଗାଡିଚାଳକଙ୍କ ମଧ୍ୟରେ ବ୍ୟପାକ ସଚେତନତା ସୃଷ୍ଟି କରିବା ସହିତ ଟ୍ରାଫିକ ନିୟମ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି | ସିନେମା ହଲ୍ ଗୁଡିକରେ ସିନେମା ପ୍ରଦର୍ଶନ ପୂର୍ବରୁ ସଡକ ସମ୍ବନ୍ଧୀୟ କ୍ଷୁଦ୍ର ସିନେମା କ୍ଲିପିଙ୍ଗସ୍ ପ୍ରଦର୍ଶନ, ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ସଡକ ସୁରକ୍ଷା ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୫୦ ମିଟର ବାହାରକୁ ମଦ ଦୋକାନ ସ୍ଥାନାନ୍ତର, ଖୋର୍ଦ୍ଧା, ବାଲେଶ୍ୱର ଏବଂ ରାଉରକେଲା ସମେତ ରାଜ୍ୟର ୮ଟି ସ୍ଥାନରେ ଟ୍ରମା କେୟାର କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ସରକାର ନିଷ୍ପତି ନେଇଛନ୍ତି |