ସିନେମାରୁ ସନ୍ୟାସୀ, ଓଲିଉଡରୁ ହଲିଉଡ ଯାଏଁ

ସିନେମାରୁ ସନ୍ୟାସୀ, ଓଲିଉଡରୁ ହଲିଉଡ ଯାଏଁ

Friday February 12, 2016,

5 min Read

image


ସେମାନେ ଦିନେ ଥିଲେ ପରଦାର ଚର୍ଚ୍ଚିତ ଚେହେରା, ଗ୍ଲାମର ଦୁନିଆର ରାଜା ଆଉ ରାଣୀ । ସୌନ୍ଦର୍ଯ୍ୟ ଆଉ ଅଭିନୟ ଚାତୁରୀରେ ଯୁବପିଢ଼ୀଙ୍କୁ ମତୁଆଲା କରିଥିବା ଏଇ ଅଭିନେତା-ଅଭିନେତ୍ରୀମାନଙ୍କ ଜୀବନରେ ହଠାତ ଆସିଲା ମୋଡ଼ । ଲାଇଟ୍-କ୍ୟାମେରା-ଆକ୍ସନ୍ ଦୁନିଆ ପ୍ରତି ସେମାନଙ୍କ ମନରେ ଆସିଲା ବିତୃଷ୍ଣା । ଚଳଚ୍ଚିତ୍ର ଜଗତରେ ପ୍ରସିଦ୍ଧିର ଶୀର୍ଷରେ ପହଞ୍ଚିଥିବା ବେଳେ ହଠାତ ସେମାନେ ସନ୍ୟାସୀ/ସନ୍ୟାସିନୀ ପାଲଟି ଯିବାକୁ ଶ୍ରେୟ ମଣିଲେ । ପରିବାର, ପ୍ରେମ ଆଉ ପ୍ରଶଂସକଙ୍କୁ ଛାଡ଼ି ଆଶ୍ରମର ସରଳ ଜୀବନ ଆଦରି ନେଲେ ସେମାନେ । ଓଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ଏମିତି କିଛି ବ୍ୟତିକ୍ରମ ଚେହେରାଙ୍କ ବାବଦରେ ଆସନ୍ତୁ ଜାଣିବା ।

ଓଲିଉଡ୍ : ଶ୍ରୀରାମ ପଣ୍ଡାରୁ ସ୍ଵାମୀ ନିତ୍ୟଚୈତନ୍ୟ

ତୋ ବାଟ କିଏ ବନ୍ଦ କରିବ ଲୋ ପାର! ତୁ ତ ନିଜେ ଗୋଟେ ବାଟ ।

୧୯୮୨ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସ୍ଵପ୍ନ ସାଗରରେ ଶ୍ରୀରାମ ପଣ୍ଡାଙ୍କ ଏ ଚର୍ଚ୍ଚିତ ସଂଳାପ ଆପଣମାନଙ୍କର ମନେଥିବ ନିଶ୍ଚୟ । ୭୦ ଓ ୮୦ ଦଶକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସବୁଠୁ ଅଧିକ ପ୍ରସିଦ୍ଧି ସାଉଁଟିଥିବା ଏ ଅଭିନେତା ଜଣକ ନବେ ଦଶକରେ ହଠାତ ସିନେମାରୁ ବିଦାୟ ନେଇ ସନ୍ୟାସୀ ପାଲଟିଯିବା ଖବରକୁ ତାଙ୍କର ପ୍ରଶାଂସକମାନେ ସହଜରେ ଗ୍ରହଣ କରିପାରି ନଥିଲେ ।

image


୧୯୭୨ ମସିହାରେ ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଧରିତ୍ରୀ ଚଳଚ୍ଚିତ୍ର ମାଧ୍ୟମରେ ରୁପେଲି ପରଦାରେ ପ୍ରବେଶ କରିଥିବା ଶ୍ରୀରାମ ଆଉ ପଛକୁ ଫେରି ଚାହିଁନଥିଲେ । ୧୯୭୨ରୁ ୧୯୯୪ ମସିହା ଦୀର୍ଘ ୨୨ ବର୍ଷର ସିନେ ଯାତ୍ରା ମଧ୍ୟରେ ସେ ଯାଯାବର, ନାଗଫାଶ, ସମୟ, ସିନ୍ଦୂରବିନ୍ଦୁ, ମାନସୀ, ହିସାବ ନିକାଶ, ସପନ ବଣିକ, ବଧୂ ନିରୂପମା, ଜୋର ଯାର ମୂଲକ ତାର, ମହୁଆ ଆଦି ୪୪ଟି ସିନେମାରେ ଅଭିନୟ କରିଥିଲେ । କ୍ୟାଭେଣ୍ଡର୍ସ ସିଗାରେଟର ବିଜ୍ଞାପନରେ ତାଙ୍କର ସିଗାରେଟ୍ ଟାଣିବା ଶୈଳୀ ଓ ସିନେମାରେ ଅନୁରୂପ ଦୃଶ୍ୟ ବହୁ ଯୁବକଙ୍କୁ ନିଶା ଆଡ଼କୁ ଆକର୍ଷିତ କରିଥିଲା ଏବଂ ଏଥିପାଇଁ ସେ ଅନୁତପ୍ତ ବୋଲି ନିକଟରେ ଏକ ଟିଭି ସାକ୍ଷାତକାରରେ କହିଛନ୍ତି ଶ୍ରୀରାମ ପଣ୍ଡା ଓରଫ ସ୍ବାମୀ ନିତ୍ୟଚୈତନ୍ୟ । ଅଭିନୟ କରିବା ଭିତରେ ସେ ନିଜର ସହ ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କୁ ବିବାହ କରି ଦୁଇ ସନ୍ତାନର ଜନକ ହୋଇଥିଲେ । ୧୯୮୮ରେ ସେ କୁରୁକ୍ଷେତ୍ର ନାମରେ ଏକ ସିନେମା ମାଧ୍ୟମରେ ଏକକାଳୀନ ପ୍ରଯୋଜନା, ନିର୍ଦ୍ଦେଶନା ଓ ସଂଳାପ ରଚନା କ୍ଷେତ୍ରରେ ହାତ ଦେଇ ବିଫଳ ହୋଇଥିଲେ । ପରେପରେ ଉଭୟ ସାମାଜିକ ଜୀବନ ଓ ପାରିବାରିକ ଜୀବନରେ ନାନାଦି ଜଟିଳ ସମସ୍ୟା ଦେଇ ଗତିକଲେ ।

image


ହଠାତ ସେ ପାଲଟିଗଲେ ଓଡ଼ିଆ ସିନେମା ଜଗତର ଗୌତମ ବୁଦ୍ଧ । ୧୯୯୪ରେ ଅଭିନୟ ଜଗତରେ ଯେତେବେଳେ ସେ ପ୍ରସିଦ୍ଧିର ଶୀର୍ଷରେ ପହଞ୍ଚିଥିଲେ, ଠିକ ସେତିକି ବେଳେ ସିନେମା, ପରିବାର ଓ ଓଡ଼ିଶା ଛାଡ଼ି ବିହାର ଚାଲିଗଲେ । ଏବେ ମୁଙ୍ଗେର ସ୍ଥିତ ବିହାର ସ୍କୁଲ ଅଫ ଯୋଗରେ ଜଣେ ଯୋଗଗୁରୁ ଭାବେ ସେ ନିଜକୁ ପ୍ରତିଷ୍ଠା କରିବା ସହ ସେ ସ୍ଵାମୀ ନିତ୍ୟଚୈତନ୍ୟ ଭାବେ ପରିଚିତ ।

ସ୍ଵାମୀ ନିତ୍ୟଚୈତନ୍ୟ କହନ୍ତି,

ମୁଁ ମୋ ଭିତରେ ଗୋଟେ ପାପୀକୁ ଦେଖିଲି । ମୋ ଜୀବନରେ ସବୁ ପ୍ରକାର ଖରାପ ଅଭ୍ୟାସକୁ ମୁଁ ଆପଣେଇ ସାରିଥିଲି । ସେଥିରୁ ମୁକୁଳିବାର ବାଟ ପାଉନଥିଲି । ଆଧ୍ୟାତ୍ମିକ ଜ୍ଞାନ ବି ମୋର ନଥିଲା । ମୁଁ କିନ୍ତୁ ପାପର ଅନ୍ଧକାର ଦୁନିଆରୁ ବାହାରିବା ଲାଗି ଏକ ଆଲୋକର ସନ୍ଧାନ କରୁଥିବା ବେଳେ ଜଣେ ବନ୍ଧୁ ମୋତେ ସତ୍ୟାନନ୍ଦ ଯୋଗ ଆଶ୍ରମକୁ ନେଇଗଲେ । ସେଠାରେ ମୁଁ ସ୍ଵାମୀ ଶିବାନନ୍ଦଙ୍କ ଫଟୋ ଦେଖିଲି, ତାଙ୍କ ପ୍ରଦତ୍ତ ଜ୍ଞାନ ପାଠକଲି । ପରମହଂସ ସତ୍ୟାନନ୍ଦଙ୍କର ବାଣୀ ‘‘ଏପରିକି ଅତ୍ୟନ୍ତ ପାପୀକୁ ବି କେବଳ ଜଣେ ଗୁରୁ ହିଁ ପରିବର୍ତନ କରିପାରିବେ’’ ମୋତେ ଆକର୍ଷିତ କଲା । ସେ ହିଁ ମୋତେ ଏ ପରିବର୍ତିତ ରାସ୍ତାରେ ଆଜି ଠିଆ କରିଛନ୍ତି ।

ଯୋଗ ଓ ଆଧ୍ୟାତ୍ମ ପ୍ରଚାର ପାଇଁ ସାରା ଭାରତ ଭ୍ରମଣ କରୁଥିବା ସ୍ଵାମୀ ନିତ୍ୟ ଚୈତନ୍ୟଙ୍କୁ କେବେକେବେ ଓଡ଼ିଶାରେ ବି ଦେଖିବାକୁ ମିଳେ ।



ବଲିଉଡ : ବର୍ଖା ମଦନରୁ ଗ୍ୟାଲଟେନ୍ ସାମଟେନ୍

୧୯୯୬ରେ ଅକ୍ଷୟ କୁମାରଙ୍କ ଅଭିନୀତ ଖିଲାଡିୟୋଁ କା ଖିଲାଡ଼ି ଚଳଚ୍ଚିତ୍ରର ସେଇ ଉତ୍ତେଜକ ସଂଗୀତ ଓ ଜାନମ୍ ଓ ଜାନମ୍ ମନେପକାନ୍ତୁ । ଏଥିରେ ଇନ୍ଦର କୁମାରଙ୍କ ବିପକ୍ଷରେ ବର୍ଖା ମଦନଙ୍କ ନୃତ୍ୟାଭିନୟ ଯୁବପିଢ଼ିଙ୍କ ଆଖିରୁ ନିଦ ହଜେଇ ଦେଇଥିଲା କହିଲେ ଚଳେ ।

image


୧୯୯୪ରେ ଐଶ୍ୱର୍ଯ୍ୟା ରାୟ ଓ ସୁସ୍ମିତା ସେନଙ୍କ ସହ ବର୍ଖା ବି ମିସ୍ ଇଣ୍ଡିଆ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବା ସହ କ୍ୱାଲାଲମପୁରରେ ଅନୁଷ୍ଠିତ ମିସ୍ ଟୁରିଜମ୍ ଇଣ୍ଟରନାସନାଲରେ ରନର୍ସ ଅପ୍ ହୋଇଥିଲେ । ୧୯୯୪ରେ ମଡେଲିଂ ଛାଡ଼ି ସେ ସିନେମା ଜଗତରେ ପାଦ ଦେଲେ । ସିନେମା ଜଗତରେ ତାଙ୍କୁ ପ୍ରଥମରୁ ସଫଳତା ମିଳିଥିଲେ ବି ପରେ ସେ ବିଶେଷ କାମ ପାଇନଥିଲେ । ବିଦେଶୀ ଚଳଚ୍ଚିତ୍ର (Indo-Dutch) ଡ୍ରାଇଭିଂ ମିସ ପାଲମେନରେ ଅଭିନୟ ପରେ ସେ ପରଦାରୁ ଦୂରେଇ ଯାଇଥିଲେ । ପୁନଶ୍ଚ ୨୦୦୩ରେ ତାଙ୍କୁ ରାମଗୋପାଳ ବର୍ମାଙ୍କ ଭୂତରେ ଦେଖିବାକୁ ମିଳିଥିଲା । ପରେପରେ ଗୋଲ୍ଡେନ୍ ଗେଟ୍ ଏଲସିସି ନାମରେ ସେ ଏକ ପ୍ରଯୋଜନା ଓ ବିତରଣ ସଂସ୍ଥା ଆରମ୍ଭ କଲେ । ସୋଚ୍ ଲୋ, ସୁରଖାବ୍ ନାମରେ ଦୁଇଟି ସିନେମା ମଧ୍ୟ ନିର୍ମାଣ କଲେ । ୨୦ରୁ ଅଧିକ ଟିଭି ଧାରବାହିକରେ ଅଭିନୟ କରିଥିବା ବର୍ଖାଙ୍କ ପ୍ରଯୋଜନା ସଂସ୍ଥା ସଫଳତାର ପାହାଚ ଚଢ଼ୁଥିବା ସମୟରେ ହଠାତ ସେ ସନ୍ୟାସିନୀ ହେବାକୁ ନିଷ୍ପତ୍ତି ନେଲେ ।

image


ଦଲାଇ ଲାମାଙ୍କ ବାଣୀରେ ଉଦବୁଦ୍ଧ ହୋଇ ୨୦୧୨ରେ ସେ ବୌଦ୍ଧ ସନ୍ୟାସିନୀ ହୋଇଗଲେ । କାଠମାଣ୍ଡୁର ସେରା ଜେ ଆଶ୍ରମ(Monastery)ରେ ସେହି ବର୍ଷ ନଭେମ୍ବର ମାସରେ ସେ ଦୀକ୍ଷା ନେବା ସହ ଗ୍ୟାଲଟେନ୍ ସାମଟେନ ନାମରେ ପରିଚିତ ହେଲେ । ସେତେବେଳେ ସେ ସାଙ୍ଗରେ କୌଣସି ବି ସମ୍ପତ୍ତି ରଖି ନଥିଲେ । ନିଜ ବାପବାମା’ଙ୍କୁ ଫୋନ କରି ଗ୍ୟାଲଟେନ୍ ସେମାନଙ୍କ ଠାରୁ କିଛି ବସ୍ତ୍ର ଆଣିଥିଲେ । ଏବେ ସେ ଏକ ସର୍ବନିମ୍ନ (Minimalist) ଜୀବନ ବଞ୍ଚୁଛନ୍ତି । ତାଙ୍କର ଦୁଇହଳ ବସ୍ତ୍ର ଓ କିଛି ଶୀତବସ୍ତ୍ର ହେଉଛି ସମୁଦାୟ ସମ୍ବଳ ।

ହଲିଉଡ : ସୁନ୍ଦରୀ ଡୋଲର୍ସ ହାର୍ଟରୁ ମଦର ଡୋଲର୍ସ

୧୯୫୭ରୁ ୧୯୬୩, ମାତ୍ର ୬ ବର୍ଷ ମଧ୍ୟରେ ହଲିଉଡର ଅଭିନୟ ଦୁନିଆରେ ସେ ଛୁଇଁଥିଲେ ସଫଳତାର ଶୀର୍ଷବିନ୍ଦୁ । ୧୯୫୭ରେ ଲଭିଂ ୟୁ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ମୋଟ ୧୦ଟି ସିନେମାରେ ଅଭିନୟ କରିଛନ୍ତି ଡୋଲର୍ସ । ଷ୍ଟିଫେନ୍ ବଏଡ୍, ମଣ୍ଟଗୋମରୀ କ୍ଲିଫ୍ଟ, ଜର୍ଜ ହାମିଲଟନ୍ ଓ ରବର୍ଟ ୱାଗନରଙ୍କ ଭଳି ହଲିଉଡ ଅଭିନେତାଙ୍କ ସହ ଅଭିନୟ କରିଥିଲେ ଡୋଲର୍ସ । 

image


୧୯୬୩ରେ ମାତ୍ର ୨୪ ବର୍ଷ ବୟସରେ ଯେତେବେଳେ ସେ ପ୍ରସିଦ୍ଧିର ଶିଖରରେ ଥିଲେ ଓ ଜଣେ ହଲିଉଡ ଅଭିନେତାଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା, ଠିକ ସେତିକି ବେଳେ ସେ ନନ୍ ହେବେ ବୋଲି ଘୋଷଣା କଲେ । ୧୯୬୧ରେ ଫ୍ରାନ୍ସିସ୍ ଅଫ୍ ଆସି ସିନେମାରେ ସେଣ୍ଟ୍ କ୍ଲୋୟାର ଚରିତ୍ରରେ ଅଭିନୟ କଲାବେଳେ ତାଙ୍କର ସନ୍ୟାସୀ ହେବାକୁ ଇଛା ହୋଇଥିଲା ବୋଲି ପରେ ସେ ସାକ୍ଷାତକାରରେ କହିଛନ୍ତି ।

image


ତାଙ୍କର ଏଭଳି ନିଷ୍ପତ୍ତିରେ ତାଙ୍କ ପ୍ରଶଂସକମାନେ କ୍ଷୁବ୍ଧ ହୋଇ ତାଙ୍କୁ ଚିଠି ଲେଖିଥିଲେ । କିନ୍ତୁ ସେ ଆଉ ପଛକୁ ଫେରିବାକୁ ଚାହୁନଥିଲେ । ଏବେ ସେ ମଦର ଡୋଲାର୍ସ ନାମରେ ଜଣାଶୁଣା । ତାଙ୍କ ଜୀବନର ଏହି ବଡ଼ ପରିବର୍ତନକୁ ନେଇ ସେ ପୁସ୍ତକ ରଚନା କରିଥିବା ବେଳେ ୨୦୧୧ରେ ଗଡ୍ ଇଜ୍ ଦ ବିଗର୍ ଏଲଭିସ ନାମକ ଚଳଚ୍ଚିତ୍ରରେ ସେ ପୁଣି ଅଭିନୟ କରି ଈଶ୍ୱରଙ୍କ କରୁଣାର ପ୍ରଚାର କରିଛନ୍ତି ।

image


ସିନେମା ଛାଡ଼ି ଈଶ୍ୱରୀୟ ଅନୁଷ୍ଠାନର ଶରଣ ନେବାର ଉଦାହରଣ ଆହୁରି ଅନେକ ରହିଛି । ସେମିତି ଜଣେ ହେଲେ ସ୍ପାନିଶ୍ ମଡେଲ ଓ ଅଭିନେତ୍ରୀ ଓଲାଲା ଅଲିଭରୋ । ଓଲାଲା ଗ୍ଲାମର ଦୁନିଆରେ ଜଣେ ଯୌନୋତ୍ତେଜକ ତରୁଣୀ ଭାବେ ଜଣାଶୁଣା ଥିବା ବେଳେ ହଠାତ ସବୁ କିଛି ଛାଡ଼ି ନନ୍ ହୋଇଗଲେ ।

ଅନୁରୂପ ଭାବେ କଲମ୍ବିଆର ସଫଳ ମଡେଲ ଆମଡା ରୋଜ ପେରେଜ୍ ନିଜର ବିଳାସମୟ ଓ ବନ୍ଧୁବହୁଳ ଜୀବନ ଛାଡ଼ି ନନ୍ ଭାବରେ ଦୀକ୍ଷା ଗ୍ରହଣ କରି ଏବେ ଗୀର୍ଜାରେ ସରଳ ଜୀବନ ଅତିବାହିତ କରୁଛନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।