ପୂର୍ବ ଭାରତର ରିଅଲ ଇଷ୍ଟେଟ୍ ବ୍ୟବସାୟରେ ଅଗ୍ରଣୀ ମହିଳା ଉଦ୍ୟୋଗୀ
ରତ୍ନମାଳା ସ୍ଵାଇଁଙ୍କ ସଂଘର୍ଷ ଓ ସଫଳତାର କାହାଣୀ
ଅର୍ଥ ଅଭାବରୁ ଦିନେ ସେ ରାଜ୍ୟ ବାହାରକୁ ଯାଇ ଉଚ୍ଚଶିକ୍ଷା ଲାଭର ସ୍ଵପ୍ନକୁ ସାକାର କରିପାରି ନଥିଲେ, ଆଉ ଏବେ ବିଜିନେସ୍ ମିଟିଂ ପାଇଁ ତାଙ୍କୁ ମାସରେ ବାରମ୍ବାର ବାହାରକୁ ଯିବାକୁ ପଡ଼ୁଛି । ସେଦିନ ସାଇକେଲ ଚଢ଼ି ଭୁବନେଶ୍ୱର ସାରା ଖରାରେ ପଇଁତରା ମାରୁଥିବା ଏ ସ୍ଵପ୍ନଦ୍ରଷ୍ଟା ମହିଳା ଜଣକ ଏବେ ସଫଳ ଉଦ୍ୟୋଗୀ ଭାବେ ପରିଚିତ । ଦିନେ ଛାତ୍ର ଆନ୍ଦୋଳନ ନେତୃତ୍ୱ ନେଇଥିବା ସାହସୀ ତରୁଣୀ ଜଣକ ଆଜି ପୂର୍ବ ଭାରତରେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଏକମାତ୍ର ମହିଳା ଉଦ୍ୟୋଗୀ କହିଲେ ଅତ୍ୟୁକ୍ତି ହେବନାହିଁ ।
ମୁଁ କହୁଛି ଡିଏନ୍ ହୋମ୍ସର ନିର୍ଦେଶିକା ରତ୍ନମାଳା ସ୍ୱାଇଁଙ୍କ କଥା । ଓଡ଼ିଶାରେ ଜାତୀୟ ସ୍ତରର ଡେଭେଲପର ସଂସ୍ଥାମାନେ ଗୃହନିର୍ମାଣ ବ୍ୟବସାୟ ଆରମ୍ଭ କରି ଦେଇଥିବା ବେଳେ ଡିଏନ୍ ହୋମ୍ସ ଏବେ ରାଜ୍ୟବାସୀଙ୍କୁ ଉପଯୁକ୍ତ ମୂଲ୍ୟରେ ଅତ୍ୟାଧୁନିକ ଗୃହ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଦୀର୍ଘ ୧୫ ବର୍ଷର ବ୍ୟାବସାୟିକ ଯାତ୍ରାରେ ତାଙ୍କ କମ୍ପାନି ପାଖାପାଖି ୧୫ ଲକ୍ଷ ବର୍ଗଫୁଟର ଅାବାସ ଯୋଗାଇ ସାରିଛି । ଏବଂ ଅାଗକୁ ମଧ୍ୟ କମ୍ପାନିର ବିଭିନ୍ନ ଅାବାସ ଓ ବ୍ୟାବସାୟିକ ପ୍ରକଳ୍ପ ନିର୍ମାଣ ହବାର ଯୋଜନା ରହିଛି । ତେବେ ଏସବୁ ସଫଳତା ରାତାରାତି ମିଳିନାହିଁ ।
ରତ୍ନମାଳା କହନ୍ତି,
ସଫଳତା କୌଣସି ଗଛର ଫଳ ନୁହେଁ ଯେ ଜଣେ ତାକୁ ତୋଳି ଆଣିବ । ସେଥିପାଇଁ ଉପଯୁକ୍ତ ଯୋଜନା, ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମର ଆବଶ୍ୟକତା ଥାଏ । ତେବେ ସବୁ ଉଦ୍ୟମ ପଛରେ ନିଷ୍ଠା ଓ ସଚ୍ଚୋଟତା ରହିବା ନିହାତି ଜରୁରୀ ।
ନିଜ ଅଭିଜ୍ଞତାରୁ ସେ କହନ୍ତି, ସଫଳତା ପାଇଁ ଅର୍ଥ କେବେ ବି ବାଧକ ନୁହେଁ । ପୃଥିବୀରେ ବହୁ ସଫଳ ବ୍ୟକ୍ତି ଦାରିଦ୍ର୍ୟର ଚରମ କଷାଘାତ ସହି ମଧ୍ୟ ଜୀବନରେ ସର୍ବୋଚ୍ଚ ଶିଖର ଛୁଇଁବାରେ ସମର୍ଥ ହୋଇଛନ୍ତି ।
ପଲ୍ଲୀରୁ ରାଜଧାନୀ
ଗଞ୍ଜାମ ଜିଲ୍ଲାର ଏକ ଛୋଟ ସହରରେ ଏକ ସ୍ଵଚ୍ଛଳ ପରିବାରେ ଜନ୍ମଗ୍ରହଣ କରିଥିଲେ ରତ୍ନମାଳା । ପିତାମାତାଙ୍କ ବିବାହର ଦୀର୍ଘ ୧୭ ବର୍ଷ ପରେ ଜନ୍ମ ହୋଇଥିବାରୁୁ ବେଶ୍ ଗେଲବସରରେ ବଢ଼ିଥିଲେ ସେ । ପିଲାବେଳ କଥା ମନେପକାଇ ରତ୍ନମାଳା କହନ୍ତି,
ସେତେବେଳର ଅଧିକାଂଶ ଦମ୍ପତିଙ୍କ ଭଳି ସମ୍ଭବତଃ ମୋ ବାପାମା’ ବି ପ୍ରଥମ ସନ୍ତାନ ଭାବେ ପୁଅଟିଏ ଆଶା କରିଥିବେ । ତେବେ ମୁଁ ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିଲାବେଳୁ ପୁଅଙ୍କ ଭଳି ସମସ୍ତ ସ୍ଵାଧୀନତା ଓ ଆଦର ପାଇଥିଲି । ବାପାଙ୍କର ଅଳଙ୍କାର ଦୋକାନ ଥିଲା । ମୋ ପରେ ଆଉ ୪ ସନ୍ତାନ । ଆମେ ପିଲାବେଳୁ ଅଭାବ କ’ଣ ଜାଣି ନଥିଲୁ କି ଦେଖି ନଥିଲୁ ।
ତଥାକଥିତ ଗ୍ରାମ୍ୟ ତରୁଣୀଙ୍କ ଭଳି ଲାଜୁଆ ଓ ଚୁପଚାପ ହେବା ବଦଳରେ ବେଶ୍ ସାହସୀ ଓ କଥାକୁହା ଥିଲେ ରତ୍ନମାଳା । ମାଟ୍ରିକ୍(ସେତେବେଳେ ଏକାଦଶ) ଉତ୍ତୀର୍ଣ୍ଣ ହେବା ପରେ ବ୍ରହ୍ମପୁର ସରକାରୀ ମହିଳା କଲେଜରେ ନାମ ଲେଖାଇଲେ ଓ ସେଠାରେ ସେ ଛାତ୍ରୀସଂସଦ ସଂପାଦିକା ବି ହୋଇଥିଲେ । +୨ ପରେ ସେ ଯନ୍ତ୍ରୀ ହେବାକୁ ମନବଳାଇଲେ । ବାପା ବି ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ଭୁବନେଶ୍ୱର ପଠାଇଲେ । ଓମେନ୍ସ ପଲିଟେକ୍ନିକରେ ଆର୍କିଟେକ୍ଟ ବିଭାଗରେ ନାମ ଲେଖାଇଲେ ରତ୍ନମାଳା ।
ଆମ ଅଲକ୍ଷ୍ୟରେ ବାପାଙ୍କ ବ୍ୟବସାୟର ଅବନତି ହେବାରେ ଲାଗିଥିଲା । ଭୁବନେଶ୍ୱରରେ ଚଳିବା ପାଇଁ ଯେତିକି ଟଙ୍କା ଦରକାର ହୁଏ, ଦ୍ୱିତୀୟ ବର୍ଷ ବେଳକୁ ବାପା ତାହା ପଠାଇବାରେ ଅସମର୍ଥ ହେଲେ । ଏଇଠି ମୁଁ ଅଭାବକୁ ଅନୁଭବ କଲି । ଆଉ ପଢ଼ି ପାରିବିନି ଓ ଗାଁକୁ ଫେରିଯିବି ବୋଲି ଭାବୁଥିବା ବେଳେ ଦେବତା ଭଳି ସହଯୋଗର ହାତ ବଢ଼ାଇଲେ ମୋର ଜଣେ ସହପାଠିନୀଙ୍କ ବାପା-ମା’ ଶ୍ରୀଯୁକ୍ତ ବଂଶୀଧର ମିଶ୍ର ଓ ଶ୍ରୀମତୀ ପ୍ରତିଭା ମିଶ୍ର । ପରେ ମୋ ବାହାଘର ପର୍ଯ୍ୟନ୍ତ ସେମାନେ ମୋର ସମସ୍ତ ଦାୟିତ୍ୱ ବହନ କରିଥିଲେ । ଏପରିକି ମୋର ବିବାହର ସମସ୍ତ ଦାୟିତ୍ୱ ନେବା ସହ କନ୍ୟାଦାନ ମଧ୍ୟ କରିଥିଲେ । ସେମାନେ ମୋର ନନା-ବୋଉ । ୧୯୮୭ରେ ଡିପ୍ଲୋମା ଶେଷ ହେଲା । ବାହାରକୁ ଯାଇ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଥିଲେ ବି ପରିବାରର କ୍ରମବର୍ଧିଷ୍ଣୁ ଆର୍ଥିକ ଆବଶ୍ୟକତା ଯୋଗୁଁ ମୋତେ ସେ ଆଶା ଛାଡ଼ିବାକୁ ପଡ଼ିଲା ।
ଛାତ୍ର ଆନ୍ଦୋଳନର ନେତୃତ୍ୱ
ପଢ଼ା ସରିବା ପରେ ଅନ୍ୟ ସହପାଠିନୀଙ୍କ ସହ ରତ୍ନମାଳା ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (BDA) ଅଧୀନରେ ପ୍ରଶିକ୍ଷଣ ନେଲେ । ତେବେ ସେତେବେଳେ ଆର୍କିଟେକ୍ଟ ବୃତ୍ତିଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କର କୌଣସି ଚାକିରି ନଥିଲା । ଅନ୍ୟ ବିଭାଗର ଇଂଜିନିୟରିଂ ପିଲାଙ୍କ ଭଳି ଆର୍କିଟେକ୍ଟ ପିଲାଙ୍କୁ ପ୍ୟାନେଲରେ ରଖି ଚାକିରି ଦେବାଲାଗି ଦାବି କରି ୧୯୮୮ରେ ଭୁବନେଶ୍ୱରରେ ଛାତ୍ରୀ ଆନ୍ଦୋଳନ ଆରମ୍ଭ ହେଲା । ସଚିବାଳୟ ପାଖ ଏଜି ଛକରେ ଆମରଣ ଅନଶନରେ ବସିଲେ ଭୁବନେଶ୍ଵର ପଲିଟେକନିକର ଛାତ୍ରୀ । ଆନ୍ଦୋଳନର ନେତୃତ୍ୱ ନେଲେ ରତ୍ନମାଳା । ଅନଶନରେ ବହୁ ଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନା ଗଲେ । ତଥାପି ଥମିଲାନି ଆନ୍ଦୋଳନ । ସରକାର ଦାବି ନ ଶୁଣିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କାର୍ ଅଟକାଇବାର ଦୁଃସାହସ କରିଥିଲେ ରତ୍ନମାଳା ।
ରତ୍ନମାଳା କହନ୍ତି,
ପରଦିନ ଖବରକାଗଜରେ ମୋ ନାଁ ପଢ଼ି ଭୟରେ ବାପା ଗାଁରୁ ଆସି ପହଞ୍ଚିଲେ ଓ ମୋତେ ଫେରିଯିବାକୁ କହିଲେ । ଅବଶ୍ୟ ମୁଁ ଗଲିନି । ସେ ଆନ୍ଦୋଳନ ସମୟରେ ତତ୍କଳୀନ ବିରୋଧୀଦଳ ନେତା ବିଜୁ ପଟ୍ଟନାୟକ, ଅନ୍ୟାନ୍ୟ ବହୁ ଯୁବ ବିଧାୟକ ଓ ସାମ୍ବାଦିକମାନେ ସହଯୋଗର ହାତ ବଢ଼ାଇଥିଲେ । ଶେଷରେ ସଚିବାଳୟରେ ତତ୍କାଳୀନ ଶିଳ୍ପମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଉଚ୍ଚସ୍ତରୀୟ ବୈଠକ ହେଲା । ୪୮ ଜଣ ଆର୍କିଟେକ୍ ଡିପ୍ଲୋମାଧାରୀଙ୍କୁ ଚାକିରି ମିଳିଲା । ପ୍ରଥମରୁ ମୁଁ କିନ୍ତୁ ଚାକିରି କରିବି ନାହିଁ ବୋଲି ମନସ୍ଥ କରି ସାରିଥିଲି ।
ପ୍ରଥମ ମହିଳା ଠିକାଦାର
ସେତେବେଳେ ଜଣେ ଉପର ଶ୍ରେଣୀର ଛାତ୍ରୀଙ୍କ ଘରେ ପେୟିଂ ଗେଷ୍ଟ୍ ଭାବେ ରହୁଥିଲେ ରତ୍ନମାଳା । ତାଙ୍କର ସାଇକେଲଟିଏ ଥିଲା । ସେଇଥିରେ ସେ ସାରା ଭୁବନେଶ୍ୱର ପଇଁତରା ମାରୁଥିଲେ । କ’ଣ କରିବେ ବୋଲି ଚିନ୍ତା କରୁକରୁ ତାଙ୍କ ମୁଣ୍ଡରେ ଠିକାଦାରୀର ଭୂତ ସବାର ହେଲା । ସହପାଠୀ, ପରିବାର ଲୋକ ଓ ଶୁଭଚିନ୍ତକଙ୍କ ବାରଣ ସତ୍ତ୍ୱେ ସେ ‘ଠିକଦାରୀ ଲାଇସେନ୍ସ ହାସଲ କଲେ । ରାଜ୍ୟର ପ୍ରଥମ ମହିଳା ଠିକାଦାର ଭାବେ ୧୯୮୯ରୁ ସେ କାମ ଆରମ୍ଭ କଲେ । ବନ୍ଧୁମାନଙ୍କ ଠାରୁ ହାତଉଧାର ଆଣି କାମରେ ଲଗାଇଲେ । ପୂର୍ତ, ହାଉସିଂ ବୋର୍ଡ, ଗୃହ ଓ ନଗର ଉନ୍ନୟନ ବିଭାଗ, କୃଷି ବିଭାଗ ଓ ଇଡକୋ ଆଦିରୁ ଛୋଟମୋଟ କାମ ନେଇ ବେଶ୍ ସଫଳତାର ସହ ସେଗୁଡ଼ିକ ସମାପ୍ତ କରି ଠିକାଦାରୀ ଜଗତରେ ନିଜେ ରୋଜଗାରକ୍ଷମ ହେବା ସହ ମହିଳା ଠିକାଦାର ଭାବେ ଓଡ଼ିଶାବାସୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଥିଲେ ରତ୍ନମାଳା । ହାତକୁ କିଛି ଟଙ୍କା ଆସିଯିବା ପରେ ସାଇକେଲ ଛାଡ଼ି ଲୁନାଟିଏ କିଣିଲେ ରତ୍ନମାଳା ।
ଦିନେ ଇଂଜିନିୟରିଂ ଡିଗ୍ରିଧାରୀ କିଛି ଯୁବକ ଆସି ରତ୍ନମାଳାଙ୍କ ପାଖରେ ପହଞ୍ଚିଲେ । ସେମାନଙ୍କ ପାଖରେ ଲାଇସେନ୍ସ ଥିଲେ ବି ସେମାନେ କାମ ପାଉନଥିଲେ । ଏଣୁ ସେମାନେ ରତ୍ନମାଳାଙ୍କ ସହ ମିଶି କାମ କରିବାକୁ ପ୍ରସ୍ତାବ ରଖିଲେ । ପ୍ରଥମରୁ ଅମଙ୍ଗ ରତ୍ନମାଳା ପରେ ସେମାନଙ୍କ କଥାରେ ରାଜିହେଲେ । କମ୍ପାନି ପ୍ରତିଷ୍ଠା କରିବା ପାଇଁ ଯୋଜନା ହୋଇଥିଲେ ହେଁ ତାହା ସମ୍ଭବ ହେଲାନି । ଏଣୁ ନିଜ ନିଜ ନାମରେ କାମ ଆଣି ତାକୁ ମିଳିତ ଭାବେ କରିବେ ଓ ଲାଭାଂଶ ମଧ୍ୟ ମିଳିତ ଭାବେ ନେବେ ବୋଲି ସେମାନେ ସ୍ଥିର କଲେ । ଏଭଳି ଦେଢ଼ବର୍ଷ ଚାଲିଲା । ପରବର୍ତୀ ସମୟରେ ସେମାନଙ୍କ ମିଳିତ ବ୍ୟବସାୟରେ ଫାଟ ସୃଷ୍ଟି ହୋଇଥିଲା ଓ ସମସ୍ତେ ନିଜନିଜ ରାସ୍ତା ଦେଖିଥିଲେ । ରତ୍ନମାଳା ପୁଣିଥରେ ଏକାଏକା ଠିକାଦାରୀ ଚାଲୁ ରଖିଲେ ।
ମହିଳା ଠିକାଦାର ଭାବେ ରତ୍ନମାଳାଙ୍କର ପ୍ରବେଶ ଅନେକଙ୍କ ଗାତ୍ରଦାହର କାରଣ ପାଲଟିଲା । ଏ ଭିତରେ ପୂର୍ତ ବିଭାଗର ଗୋଟେ ବଡ଼ ଟେଣ୍ଡର ବାହାରିଲା । ସେତେବେଳେ ଟେଣ୍ଡର ଫିକ୍ସିଂ ଚାଲୁଥିଲା । କିଏ ଏହି କାମଟି ନେବ ଆଗୁଆ ସ୍ଥିର ହୋଇ ସେହି ଅନୁସାରେ ଟେଣ୍ଡର ପଡ଼ୁଥିଲା । ଅନ୍ୟ ଠିକାଦାରମାନେ କାମ ପାଉଥିବା ଠିକାଦାର ପାଖରୁ ମୋଟା ଅଙ୍କର ଅର୍ଥ ପାଇ ଚୁପ ବସୁଥିଲେ । ତେବେ ରତ୍ନମାଳା ଏସବୁରେ ପଶିବାକୁ ଚାହୁନଥିଲେ । ସେ ଯାଇ ଟେଣ୍ଡର ପେପର କିଣିଲେ । ତାଙ୍କ ଟେଣ୍ଡର ପେପରକୁ ଅଫିସ ବାହାରେ ବସିଥିବା ଠିକାଦାରଙ୍କର ଗୁଣ୍ଡାମାନେ ଚିରିଦେଲେ । ଏ ନେଇ ମୁଖ୍ୟଯନ୍ତ୍ରୀଙ୍କ ପାଖେ ଅଭିଯୋଗ କଲେ ରତ୍ନମାଳା । ଓଲଟା ମୁଖ୍ୟଯନ୍ତ୍ରୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ । କିନ୍ତୁ ରତ୍ନମାଳା ସହଜରେ ହାର ମାନିବାକୁ ଚାହୁନଥିଲେ । ଛାତ୍ରୀ ଆନ୍ଦୋଳନ ବେଳୁ ତାଙ୍କର ବିଜୁବାବୁଙ୍କ ସହ ଭଲ ସମ୍ପର୍କ ଥିଲା । ସେତେବେଳକୁ ବିଜୁବାବୁ ମୁଖ୍ୟମନ୍ତ୍ରୀ ହୋଇ ସାରିଥାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବାବଦରେ କହିବା ପରେ, ସେ ଟେଣ୍ଡରଟି ବାତିଲ ହୋଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଲା । ଦ୍ୱିତୀୟ ବାର ପୁଣି ପେପର କିଣିଲେ ରତ୍ନମାଳା । ଏଥର ତାଙ୍କୁ ହତ୍ୟା ଧମକ ଦିଆଯିବା ସହ ପୁଣି ପେପର ଛଡ଼ାଇ ନିଆଗଲା । ଏ ନେଇ ସେତେବେଳେ ଗଣମାଧ୍ୟମରେ ଆଲୋଚନା ହେବା ପରେ କଥାଟା ରାଜ୍ୟର ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଟେଣ୍ଡର ଦ୍ୱିତୀୟ ବାର ବାତିଲ ହୋଇ ପୁଣି ବିଜ୍ଞପ୍ତି ବାହାରିଲା । ଏଥର ପୁରୁଣା ଠିକାଦାରମାନେ ହାରମାନିଲେ । ଜଣେ ବୟସ୍କ ଠିକାଦାର ଆସି ରତ୍ନମାଳାଙ୍କୁ ବୁଝାଇଲେ । ସେମାନେ ଟେଣ୍ଡର ପାଇାବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ସାରିଛନ୍ତି ଓ ରତ୍ନମାଳା ସହଯୋଗ ନକଲେ ସେମାନଙ୍କ ଟଙ୍କା ବୁଡ଼ିଯିବ ବୋଲି ନେହୁରା ହେଲେ । ଶେଷରେ ତୃତୀୟ ଥର ଟେଣ୍ଡର ପକାଇବାରୁ ବିରତ ରହିଲେ ରତ୍ନମାଳା ।
ବିବାହ ଓ ସଂଘର୍ଷ
ଠିକାଦାର ଭାବରେ ରତ୍ନମାଳାଙ୍କ ସଂଘର୍ଷ ଜାରି ରହିଥିବା ବେଳେ ଜୁଲାଇ ୧୯୯୧ରେ ତାଙ୍କର ବିବାହ ହୁଏ । ବାହାଘର ପରେ ଆରମ୍ଭ ହେଲା ଅସଲ ସଂଘର୍ଷ । କୋଳକୁ ପୁଅ ଓ ଝିଅ ଆସିଯିବା ପରେ ଦାୟିତ୍ୱ ବଢ଼ି ଯାଇଥିଲା । ବଡ଼ବୋହୂ ହିସାବରେ ବିଭିନ୍ନ ପାରିବାରିକ ଜଞ୍ଜାଳ ସହିତ ବ୍ୟବସାୟର ଚାପ ମଧ୍ୟରେ ସନ୍ତୁଳନ ରକ୍ଷାକରି ସେ ଆଗକୁ ବଢ଼ି ଚାଲିଥିଲେ । ପିଲା ଆଉ ଯୌଥ ପରିବାରର ଦାୟିତ୍ୱ ସାଙ୍ଗକୁ ଠିକାଦାରୀର ଭାରସାମ୍ୟ ରଖିବା କାଠିକର ହେଲେ ବି ଅସମ୍ଭବ ନଥିଲା ବୋଲି କହନ୍ତି ରତ୍ନମାଳା ।
ତାଙ୍କ ମତରେ,
ଜଣେ ସ୍ତ୍ରୀଲୋକ ପାଇଁ ବ୍ୟବସାୟ ହେଉ କି ରାଜନୀତି ଯେ କୌଣସି କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ ପରିବାରର ସହଯୋଗ ନିହାତି ଜରୁରୀ । ମୋର ସୌଭାଗ୍ୟ ଯେ ମୁଁ ମୋ ଶାଶୁଘରେ ଝିଅଠାରୁ ବଳି ସ୍ନେହ, ଆଦର ଓ ଯତ୍ନ ପାଇଛି । ମୁଁ ବି ମୋର ପରିବାରକୁ ବହୁତ ଭଲପାଏ । ଆମେ ପରସ୍ପର ସହ ଯୋଡ଼ିହୋଇ ସବୁ ସ୍ଥିତି ଓ ଦୁଃସ୍ଥିତିର ସାମନା କରିଛୁ । ଜଣେ ଯଦି ପରିବାରକୁ ସଫଳତାର ସହ ଚଳେଇ ନପାରିବ, ସେ ବାହାରେ ବ୍ୟବସାୟକୁ କେମିତି ସଫଳତାର ସହ ଆଗେଇନେବ? ମୁଁ ବୁଝିପାରେନି ଜଣେ କର୍ମଜୀବୀ ମହିଳା ଯଦି ବାହାରେ ଲୋକଙ୍କ ସହ Adjust ଓ Compromise କରି ଚଳୁଛି, ନିଜ ପରିବାରରେ ଶାଶୁ, ନଣନ୍ଦ ଓ ଦିଅର-ଯାଆଙ୍କ ସହ କାହିଁକି ଭଲରେ ଚଳିପାରିବ ନାହିଁ?
ଏଆର୍ ଇଞ୍ଜିନିୟର୍ସ
ଠିକାଦାରୀରେ ପ୍ରତିଯୋଗିତା ବଢ଼ି ଚାଲିଥିଲା । ସରକାରଙ୍କ ଠାରୁ ଠିକ ସମୟରେ ବିଲ୍ ଅର୍ଥ ମିଳୁନଥିଲା । ସେଥିପାଇଁ ଧାର ଆଣିଥିବା ଲୋକଙ୍କ ପାଖରେ ରତ୍ନମାଳାଙ୍କୁ ବାରମ୍ବାର ଲଜ୍ଜିତ ହେବାକୁ ପଡେ଼ । ତେଣୁ ଠିକାଦାର ବୃତ୍ତି ଛାଡ଼ି ଆର୍କିଟେକ୍ ପାଠକୁ ବୃତ୍ତିରେ ଲଗାଇବାକୁ ସେ ଚିନ୍ତା କଲେ । ୧୯୯୩ରେ ସେ ଆରମ୍ଭ କଲେ ନିଜର ପ୍ରଥମ କମ୍ପାନି ଏଆର୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମଟେଡ । ସେ ନିଜର ବାନ୍ଧବୀ ବନାନୀ ଜଗଦ୍ଦେବଙ୍କ ସହ ମିଶି ବିଭିନ୍ନ ପ୍ରକାର Architectural Project ହାତକୁ ନେଲେ ।
ରତ୍ନମାଳା କହନ୍ତି,
କାମରେ ନିଷ୍ଠା, ସ୍ବଚ୍ଛତା, ସଚ୍ଚୋଟତା ଓ ସମୟାନୁବର୍ତିତା ଜଣେ ପ୍ରଫେସନାଲର ଅସଲ ପୁଞ୍ଜି ।
ଡିଏନ୍ ହୋମ୍ସ
୨୦୦୩ ମସିହା ବେଳକୁ ସଫଳ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାୟକଙ୍କ ସହ ତାଙ୍କର ଭେଟହୁଏ । ଜଗଦୀଶ ଏକ ରିଅଲ ଇଷ୍ଟେଟ୍ କମ୍ପାନିର ପରିକଳ୍ପନା କରି ଡିଏନ୍ ହୋମ୍ସ ଗଢ଼ନ୍ତି ଓ ରତ୍ନମାଳା ସେଥିରେ ନିର୍ଦେଶକ ଭାବେ ଯୋଗଦିଅନ୍ତି । ସେବେଠାରୁ ଆଉ ପଛକୁ ଫେରି ଚାହିନାହାନ୍ତି ରତ୍ନମାଳା ସ୍ଵାଇଁ ।
୨୦୦୪ ମସିହାରେ ମାତ୍ର ୯ଟି ଫ୍ଲାଟ୍ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରୁ ଯାତ୍ରା ଆରମ୍ଭ କରିଥିବା ଡିଏନ୍ ହୋମ୍ସ ଅଦ୍ୟାବଧି ୧୦ଟିରୁ ଅଧିକ ଆବାସିକ ପ୍ରକଳ୍ପ ନିର୍ମାଣ କରିସାରିଛି ।
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏକ ଜାତୀୟ ସ୍ତରର ମେଗା ଆବାସିକ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ ବିପୁଲ ଗୃପ ସହ ଅନୁବନ୍ଧିତ ହେଲା ଡିଏନ୍ ହୋମ୍ସ, ଯାହାର ଫଳଶ୍ରୁତି ୫୭୬ ଫ୍ଲାଟ୍ ବିଶିଷ୍ଟ ଆପାର୍ଟମେଣ୍ଟ ବିପୁଲ ଗାର୍ଡେନ୍ ।
ତେବେ ସେମାନଙ୍କର ସ୍ଵପ୍ନର ପ୍ରକଳ୍ପ ହେଉଛି ଡିଏନ୍ ଅକ୍ସି ପାର୍କ, ଯାହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ହେବା ଉପରେ ।
ରତ୍ନମାଳା କହନ୍ତି,
ବ୍ୟବସାୟର ଜଟିଳ ଗଣିତକୁ କିଭଳି ସହଜରେ ସମାଧାନ କରାଯାଏ, ତାହା ମୁଁ ଜଗଦୀଶଙ୍କ ଠାରୁ ଶିଖିଛି । ଏହା ଛଡ଼ା ସବୁ ସଫଳତାର ଶ୍ରେୟ ଯାଏ ଆମର ପୂରା ଡିଏନ୍ କର୍ମଚାରୀ ସମୁହଙ୍କୁ । ଆପଣ ଯେତେ ଦକ୍ଷ ହେଲେ ବି ଭଲ ଟିମ୍ ଆପଣଙ୍କ ସହ ନଥିଲେ ସଫଳତା ମିଳିବା ସହଜ ନୁହେଁ ।
ଆବାସ ନିର୍ମାଣ ସେବା ସମ୍ପର୍କରେ ସେ କହନ୍ତି,
ଆମେ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ଜୀବନରେ ବହୁ ସଂଘର୍ଷ କରିଛୁ । ନିଜର ଘରଟିଏ କରିବା କେତେ କଷ୍ଟସାଧ୍ୟ ତାହା ଆମେ ଭଲ ଭାବରେ ହୃଦୟଙ୍ଗମ କରୁ । ତେଣୁ ଆମେ ସବୁବେଳେ ଭାବୁ ଯେ ଆମେ କେବଳ ବ୍ୟବସାୟ କରୁନାହୁଁ, ବରଂ ଲୋକଙ୍କ ଜୀବନର ଗୋଟେ ବଡ଼ ସ୍ଵପ୍ନକୁ ସାକାର କରିବାରେ ସହାୟକ ହେଉଛୁ ।
ସାହିତ୍ୟରେ ରତ୍ନମାଳା
ନିଜ ଜୀବନର ଅତ୍ୟନ୍ତ ସଂଘର୍ଷମୟ ସମୟରେ ୧୯୯୩ ଜୁଲାଇ ମାସରେ ସେ ଚିତ୍ରା ନାମରେ ଏକ ତ୍ରୟମାସିକ ସାହିତ୍ୟ ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ । ୧୯୯୯ ମହାବାତ୍ୟା ପରେ ପତ୍ରିକା ପ୍ରକାଶନ ବନ୍ଦ ହୋଇଥିବା ବେଳେ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ପୁଣି ପ୍ରକାଶ ପାଇଥିଲା । ୧୯୯୬ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଦୁଇବର୍ଷ ସେ ଓଡ଼ିଆ ଯୁବଲେଖକ ସମ୍ମିଳନୀର ପ୍ରଥମ ମହିଳା ସାଧାରଣ ସଂପାଦିକା ଭାବେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଅା ଲେଖିକା ସଂସଦର ମଧ୍ୟ ସଙ୍ଗଠନ ସଂପାଦିକା ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲେଖିକା ନନ୍ଦିନୀ ଶତପଥୀଙ୍କ ବେଶ୍ ଘନିଷ୍ଠ ଥିଲେ ରତ୍ନମାଳା ।
ବ୍ୟସ୍ତତା ଭିତରେ ବି ପଢ଼ାପଢ଼ି କରିବାକୁ ଭଲପାଆନ୍ତ ରତ୍ନମାଳା । ପ୍ରଚୁର ପଢ଼ାପଢ଼ି କରୁଥିବା ରତ୍ନମାଳା କେବେକେବେ କବିତା ଲେଖନ୍ତି ଓ ଅନୁବାଦରେ ମଧ୍ୟ ରୁଚି ରଖନ୍ତି । ଏଯାବତ ତାଙ୍କର ଦୁଇଟି କବିତା ପୁସ୍ତକ ଓ ଗୋଟିଏ ଅନୁବାଦ ନାଟକ ପ୍ରକାଶ ପାଇସାରିଛି । ସଂପ୍ରତି ସେ ଏକ ଉପନ୍ୟାସ ଲେଖୁଛନ୍ତି ।
ଆକାଶ ଛୁଇଁବା ପରେ ବି ଛାଡ଼ିନାହାନ୍ତି ମାଟି
ବେଶ୍ ମେଳାପି ରତ୍ନମାଳାଙ୍କର ଲୋକସମ୍ପର୍କ ବହୁତ ଭଲ । ବିଭିନ୍ନ ବର୍ଗର ଲୋକଙ୍କ ସହ ତାଙ୍କର ବନ୍ଧୁତା ରହିଛି । ନିଜର ବ୍ୟସ୍ତ ବ୍ୟାବସାୟିକ ଜୀବନରେ ସେ ପରିବାରକୁ ଯେମିତି ଅବହେଳା କରିନାହାନ୍ତି, ନିଜ ସାହିତ୍ୟ ରୁଚି ତଥା ବନ୍ଧୁମାନଙ୍କୁ ବି କେବେ ଅଣଦେଖା କରିନାହାନ୍ତି । ଏବେ ବି ଯୌଥ ପରିବାରକୁ ସାଙ୍ଗରେ ନେଇ ରହୁଛନ୍ତି ରତ୍ନମାଳା । ଟିକିଏ ସମୟ ମିଳିଲେ ନିଜର ପୁରୁଣା ବନ୍ଧୁମାନଙ୍କୁ ଭେଟିବା ଓ ସାହିତ୍ୟ ଉତ୍ସବ ଆଦିରେ ଯୋଗଦେବାକୁ ବେଶ୍ ଭଲପାଆନ୍ତି ସେ । ଏବେ ବି ସେ ନିୟମିତ ନିଜ ଗାଁକୁ ଯାଆନ୍ତି । ପିଲାବେଳର ସାଙ୍ଗସାଥୀଙ୍କ ଗହଣରେ ସମୟ ବିତାଇବା ଓ ଗାଁ ବିଲମାଳରେ ବୁଲିବାବେଳେ ଭାବବିହ୍ୱଳ ହୋଇଉଠନ୍ତି ରତ୍ନମାଳା ।
ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।