ସିଲିକନ୍‍ ଭାଲିରେ ଓଡ଼ିଶା ଦିବସ

ସିଲିକନ୍‍ ଭାଲିରେ ଓଡ଼ିଶା ଦିବସ

Wednesday April 27, 2016,

3 min Read

ବିଶ୍ୱର ସବୁଠୁ ବଡ଼ ହାଇ-ଟେକ୍‍ କର୍ପୋରେଟ୍‍ ସଂସ୍ଥା ଓ ହଜାର ହଜାର ଷ୍ଟାର୍ଟଅପ୍‍ କମ୍ପାନିର ଘର ଭାବେ ପରିଚିତ ଆମେରିକାର କାଲିଫର୍ଣିଆ ସ୍ଥିତ ସାନ୍‍ ଫ୍ରାନ୍ସିସକୋ ବେ ଏରିଆ ବା Silicon Valleyରେ ପାଳିତ ହୋଇଛି ଓଡ଼ିଶା ଦିବସ ଓ କବି ସଚି ରାଉତରାୟଙ୍କ ଜନ୍ମ ଶତବାର୍ଷିକୀ । ଆମେରିକା ଓଡ଼ିଆ ସମାଜ (OSA)ର ସହଯୋଗରେ iGurukul ସଂସ୍ଥା ପକ୍ଷରୁ ଏହି ଉତ୍ସବ ପାଳନ ହୋଇଥିଲା । ଓଡ଼ିଶାର ଦୁଇ ପ୍ରମୁଖ ଦିବସ ଉକ୍ରଳ ଦିବସ (୧ ଏପ୍ରିଲ ୨୦୧୬) ଓ ଓଡ଼ିଆ ନୂଆ ବର୍ଷ (୧୩ ଏପ୍ରିଲ ୨୦୧୬)କୁ ମିଳିତ ଭାବେ ପାଳନ କରିବା ସହ ଚଳିତ ବର୍ଷ କବି ସଚି ରାଉତରାୟଙ୍କ ଜନ୍ମ ଶତବାର୍ଷିକ ପାଳନ ହେଉଥିବାରୁ ଏପ୍ରିଲ ୧୭ ତାରିଖରେ ସିଲିକନ ଭାଲିରେ ଏହି ଓଡ଼ିଶା ଦିବସର ଆୟୋଜନ କରାଯାଇଥିଲା ।

image


ଆଇ-ଗୁରୁକୁଳ ଅନୁଷ୍ଠାନ ପରିସରରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଓଡ଼ିଆମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଓଡ଼ିଆ କଳା, ଓଡ଼ିଆ ବହି ଓ ଓଡ଼ିଆ ଅକ୍ଷରର ସାଜସଜ୍ଜାରେ ଉତ୍ସବ ପରିସର ଏକ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି କରୁଥିଲା । ସାଜସଜ୍ଜା ଦାୟିତ୍ୱ ନେଇଥିଲେ ନିତା ପଣ୍ଡା, ଜୟଶ୍ରୀ କର ଓ ଅରୁନ୍ଧତୀ ମିଶ୍ର । ଝୋଟି ଚିତା ସାଙ୍ଗକୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ତାରକସି କାମ, ପଟ୍ଟଚିତ୍ର, ଶାଢ଼ୀ ଆଦି ପ୍ରଦର୍ଶିତ ହୋଇଥିଲା । ପ୍ରସିଦ୍ଧ ଓଡ଼ିଆ ଲେଖକଙ୍କ ବହି ସବୁକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା ।

ଉତ୍ସବ ଉଦ୍‍ଘାଟନ କରିଥିଲେ ଭାରତୀୟ ସଂଗୋଷ୍ଠୀ ବ୍ୟାପାର, ସୂଚନା ଓ ସଂସ୍କୃତି କନସୁଲ୍‍ କେ ଭେଙ୍କଟ ରମଣ । ଓଡ଼ିଶାରେ ବିତିଥିବା ସମୟରେ ତାଙ୍କ ସ୍ମୃତି ସବୁ ମନେ ପକାଇବା ସହ କାଲିଫର୍ଣିଆରେ, ବିଶ୍‍ବରେ ଓ ଭାରତରେ ଓଡ଼ିଆଙ୍କ ବୈଶିଷ୍ଟ୍ୟ ଉପରେ ମନ୍ତବ୍ୟ ରଖିଥିଲେ ଶ୍ରୀ ରମଣ । ଓଡ଼ିଶାର ସୁପ୍ରସିଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପୁଞ୍ଜି କରି ଓଡ଼ିଆମାନେ କାଲିଫର୍ଣିଆରେ ଓ ସାରା ଆମେରିକାରେ ଭାରତକୁ ପ୍ରୋତ୍ସାହିତ କରିପାରିବେ ବୋଲି ସେ ମତ ଦେଇଥିଲେ । ଏ ଅବସରରେ ପିଲାମାନେ ମଧ୍ୟ ଓଡ଼ିଶା ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ । ପରେ ଗାୟତ୍ରୀ ଯୋଶୀଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶୀ ଓ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ ଗାୟକ ଅନୂପ ନାୟକ, ଅଚ୍ୟୁତ ଆଚାର୍ଯ୍ୟ ଓ ସ୍ମିତା ଲେଙ୍କା ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ । ପିଲାଙ୍କ ପାଇଁ ଓଡ଼ିଶା ସମ୍ବନ୍ଧିତ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଓ ବଡ଼ଙ୍କ ପାଇଁ ଶବ୍ଦ ଗୋଲକଧନ୍ଦା ଆୟୋଜନ କରାଯାଇଥିଲା । ତ୍ୱିସମ୍ପତି ମିତ୍ର ଏହାକୁ ପରିଚାଳନା କରିଥିଲେ । ସଚି ରାଉତରାୟଙ୍କ ସାହିତ. ଜୀବନ ଓ ଓଡ଼ିଆ ସାହିତ୍ୟକୁ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ମିତା ମହାରଣା । ଓଡ଼ିଶାରୁ ଭଗବାନ ପ୍ରକାଶଙ୍କ ଦ୍ୱାରା ପ୍ରେରିତ ‘ମୋ ସ୍ୱପ୍ନର ଓଡ଼ିଶା’ ଶୀର୍ଷକ ବାର୍ତ୍ତା ପଠନ କରିଥିଲେ ମନୋଜ ଯୋଶୀ ।

image


ଆମେ ଓଡ଼ିଶାକୁ ନେଇ କାହିଁକି ଗର୍ବ କରିବା ସେ ନେଇ ମତ ଉପସ୍ଥାପନ କରିଥିଲେ ଜ୍ଞାନ ଦାଶ । ଆମେରିକାରେ ଦୀର୍ଘ ୨୦ ବର୍ଷ ଧରି ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆଇ-ଗୁରୁକୁଳର ଉଦ୍ୟମ ବାବଦରେ ମଧ୍ୟ ସେ କହିଥିଲେ ।

image


ସଂଘମିତ୍ରା ମହାରଣା, ଜୟଶ୍ରୀ ପଣ୍ଡା ଓ କୁକୁ ଦାସଙ୍କ ଦ୍ୱାରା ଖାଦ୍ୟ ଉତ୍ସବ ପରିଚାଳିତ ହୋଇଥିଲା, ଯେଉଁଠି ୪୫ ପ୍ରକାରର ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । ଏସବୁ ଖାଦ୍ୟରେ ଜଳଖିଆ, ମିଠା, ଖାରା ପାନୀୟ, ଖାରା ଖାଦ୍ୟ, ପିଠାପଣା, ପଖାଳ, ପରିବା ତିଅଣ, ଆମିଷ ତିଅଣ, ଆଦି ସାମିଲ ହୋଇଥିଲା ।

ଶେଷରେ ଓଡ଼ିଶା ଠାରୁ ଦୂରରେ ରହୁଥିବା ଭବିଷ୍ୟତ ପିଢ଼ିର ଓଡ଼ିଆଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ସହ ପରିଚିତ କରାଇବାରେ ଆଇ-ଗୁରୁକୁଳର ଭୂମିକା ସମ୍ପର୍କରେ ବଖାଣିଥିଲେ ଏହାର ସହପ୍ରତିଷ୍ଠାତା ତଥା ନିର୍ଦେଶିକା କୁକୁ ଦାସ । 

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।

(With inputs from Twisampati Mitra, California, USA)