ଭିକ୍ଷାଥାଳ ଛାଡ଼ି ବହି ଧରିଲେ ବିଛା ଆଉ ସୋମା

ଭିକ୍ଷାଥାଳ ଛାଡ଼ି ବହି ଧରିଲେ ବିଛା ଆଉ ସୋମା

Thursday February 11, 2016,

2 min Read

image


ବାପା-ମା’ଙ୍କ ମୃତ୍ୟୁ ପରେ ସେମାନେ ହୋଇ ଯାଇଥିଲେ ବେସାହାରା । ଯେଉଁ ବୟସରେ ହସିଖେଳି ପାଠ ପଢ଼ିବା କଥା ସେଇ ବୟସରେ ସେମାନଙ୍କୁ ଘାରିଲା ପେଟ ଚିନ୍ତା । ଜୀବନ ବଞ୍ଚାଇବାକୁ ସେମାନେ ହାତରେ ଧରିଲେ ଭିକ୍ଷା ଥାଳ । ତେବେ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ସେମାନଙ୍କ ହାତରେ ପୁଣି ଧରାଇ ଦେଇଛି ବହିବସ୍ତାନୀ । ପୁଣି ସେମାନେ ଅନ୍ୟ ସମବୟସ୍କଙ୍କ ଭଳି ୟୁନିଫର୍ମ ପିନ୍ଧି ବିଦ୍ୟାଳୟ ଯାଇଛନ୍ତି ।

ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । କାଲିମେଳା ବ୍ଲକ ଅମ୍ବାଗୁଡ଼ା ଗାଁର ଆଦିବାସୀ ଦମ୍ପତି ଦେବା ପଡ଼ିଆମୀ ଓ ନାନ୍ଦେ ପଡ଼ିଆମୀଙ୍କ ଅକାଳ ମୃତ୍ୟୁ ପରେ ସେମାନଙ୍କ ପରିବାରରେ ଘୋଟି ଆସିଲା କଳାବାଦଲ । ତାଙ୍କର ତିନି ପୁଅ ଚାମା, ବିଛା ଓ ମୋମା ସମ୍ପୂର୍ଣ ବେସାହାରା ହୋଇଗଲେ ।

ପଢନ୍ତୁ - ଗଞ୍ଜାମର ଏକ ଗାଁ : ହ୍ୱିସିଲ୍ ବଜେଇ ହାସଲ ହେଲା ପୂର୍ଣ୍ଣ ପରିମଳ

ବଡ଼ପୁଅ ଚାମା ଗୁଜୁରାଣ ମେଣ୍ଟାଇବାକୁ ଏକ ମାଂସ ଦୋକାନରେ ଶ୍ରମିକା ଭାବେ କାମ କରୁଥିବା ବେଳେ ବିଛା(୬) ଓ ସୋମା(୫) ଭିକ୍ଷାବୃତ୍ତିକୁ ଆଦରି ନେଲେ । ଦିନ ଯାକ ଘରଘର ଓ ଦୋକାନଦୋକାନ ବୁଲି ଭିକ ମାଗୁଥିବା ବେଳେ ରାତିରେ ଦୁଇ ଭାଇ ଅନ୍ୟମାନଙ୍କ ପିଣ୍ଡାରେ ଶୋଉଥିଲେ । ସେମାନଙ୍କର ଭବିଷ୍ୟତ ଅନ୍ଧକାରାଛନ୍ନ ହୋଇଯାଇଥିଲା । କଅଁଳ ବୟସରେ ଭିକ୍ଷାବୃତ୍ତି ଭିନ୍ନ ଆଉ କିଛି ଉପାୟ ନଥିଲା ଏଇ ଦୁଇ ଭାଇଙ୍କ ପାଖରେ ।

ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମାଲକାନଗିରିରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଜିଲ୍ଲା ପ୍ରଶାସନ ଏ ନେଇ ତତ୍ପର ହେବା ସହ ନିଜଆଡ଼ୁ ପଦକ୍ଷେପ ଗ୍ରହଣ କଲା । ଭୋକ ଉପାସରେ ଭିକ୍ଷାବୃତ୍ତି କରୁଥିବା ଦୁଇ କୋମଳମତି ବାଳକ ବିଛା ଓ ସୋମାଙ୍କୁ ଉଦ୍ଧାର କଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ଆମ୍ବାଗୁଡ଼ା ସ୍ଥିତ ସେମାନଙ୍କ ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ସେଠାକୁ ଯାଇ ପରିବାରର କେହି ବି ନଥିବା ଜାଣିବାକୁ ପାଇଥିଲେ କାଲିମେଳା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭରତ ଗୁରୁ ।

ସୋମା ଓ ବିଛାକୁ କାଲିମେଳା ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ମାଂସ ଦୋକାନରେ କାମ କରୁଥିବା ଚାମାକୁ ମଧ୍ୟ ଉଦ୍ଧାର କରାଯାଇଛି । ମାଲକାନଗିରି ଜିଲ୍ଲା ପ୍ରଶାସନର ଏତାଦୃଶ ପଦକ୍ଷେପ ଯୋଗୁଁ ଅନିଶ୍ଚିତତା ଭିତରେ ଥିବା ତିନି ଅନାଥ ସନ୍ତାନଙ୍କୁ ବଞ୍ଚିବାର ରାହା ମିଳିଥିବା ବେଳେ ଜିଲ୍ଲାବାସୀ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର

2। ଓଡିଶାରେ ଚାଲିଲା ବୁକ୍ ଅନ୍ ହ୍ୱିଲ : ଗାଁ ପିଲାଙ୍କ ପାଖକୁ ଯିବ ବହି ଗାଡି

3। ପ୍ରେମ ପାଇଁ ସାଇକେଲରେ ସ୍ଵିଡେନ ଗଲେ ପ୍ରଦ୍ୟୁମ୍ନ


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।