ସରକାର ଦେଲେନି, ମୂଲ ଲାଗି ଗାଁରେ ଭତ୍ତା ବାଣ୍ଟୁଛନ୍ତି ମଞ୍ଜୁ

ସରକାର ଦେଲେନି, ମୂଲ ଲାଗି ଗାଁରେ ଭତ୍ତା ବାଣ୍ଟୁଛନ୍ତି ମଞ୍ଜୁ

Thursday February 11, 2016,

2 min Read

image


ପଞ୍ଚାୟତ ନିର୍ବାଚନ ବେଳେ ସେ ପ୍ରତିଶ୍ରୁତି ଦେଇଥିଲେ, ୱାର୍ଡ ସଭ୍ୟ ହେଲେ ଗାଁର ଅସହାୟ ବିଧବା, ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ଭତ୍ତା ଯୋଜନାରେ ସାମିଲ କରିବେ । ସେ ୱାର୍ଡ ସଭ୍ୟ ହେଲେ ସତ । କିନ୍ତୁ ସରକାର ତାଙ୍କ ଗୁହାରୀ ଶୁଣିଲେନି । ଭତ୍ତା କରାଇଦେବାରେ ସେ ବିଫଳ ହେଲେ । ଏବେ ନିଜେ ମୂଲ ଲାଗି ଯେଉଁ ଆୟ କରୁଛନ୍ତି ସେଥିରୁ ପ୍ରତିମାସରେ ଭତ୍ତା ବାଣ୍ଟୁଛନ୍ତି ।

ପଢନ୍ତୁ - ଦଇମତୀଙ୍କ ଦେଶୀଆଳୁ ଚାଷ : ଅଭାବୀ ପରିବାରରେ ଫୁଟାଇଛନ୍ତି ହସ

ଏଭଳି ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ପଞ୍ଚାୟତ ବାରବନ୍ଧା ଗାଁ ୯ ନମ୍ବର ୱାର୍ଡର ମହିଳା ୱାର୍ଡ ସଭ୍ୟ ମଞ୍ଜୁଲତା ଖର୍ସେଲ । ଗରିବୀରେ ଉବୁଟୁବୁ ବାରବନ୍ଧା ଗାଁ ଲୋକଙ୍କ ପାଇଁ ବିକାଶ ସାତସପନ । ମଞ୍ଜୁ ବହୁ ଆଶା ନେଇ ୱାର୍ଡ ସଭ୍ୟ ହୋଇଥିଲେ । ଗାଁ ଲୋକମାନେ ବି ତାଙ୍କ ପ୍ରତିଶ୍ରୁତିକୁ ଭରସା କରି ଭତ୍ତାର ସ୍ଵପ୍ନ ଦେଖିଥିଲେ । ତେବେ ନିଜ ଗାଁରେ ଥିବା ବିଧବା, ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ପାଇଁ ଭତ୍ତା କରାଇଦେବାକୁ ବାରମ୍ବାର ଆବେଦନ କରି ମଧ୍ୟ ବିଫଳ ହୋଇଥିଲେ ମଞ୍ଜୁ । ବ୍ଲକ୍ ପ୍ରଶାସନ ତାଙ୍କ ଗୁହାରୀକୁ କର୍ଣ୍ଣପାତ କରି ନଥିଲେ । ଭତ୍ତା ତାଲିକାରେ ଆଉ ନାଁ ଯୋଡ଼ି ହେବନାହିଁ, ବରଂ ଯଦି କାହାର ନାମ କଟିଲା ତେବେ ସେହି ସ୍ଥାନରେ ନୂଆ ନାଁ ଯୋଡ଼ିହେବ ବୋଲି ବ୍ଲକ୍ ପ୍ରଶାସନ ମଞ୍ଜୁଙ୍କୁ କହିଥିଲେ । କେବଳ ମଞ୍ଜୁ ନୁହନ୍ତି, ଭତ୍ତା ପାଇଁ ଚାତକ ପରି ଚାହିଁ ବସିଥିବା ସାରା ଗାଁର ଅସହାୟ ଲୋକମାନେ ବାରମ୍ବାର ବ୍ଲକ ପ୍ରଶାସନ ପାଖକୁ ଦୌଡ଼ି ବିଫଳ ହୋଇଛନ୍ତି ।

ମଞ୍ଜୁ କିନ୍ତୁ ନିଜ ୱାର୍ଡର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିବାକୁ ଚାହୁ ନଥିଲେ । ଏଥିପାଇଁ ସେ ଓ ତାଙ୍କ ସ୍ଵାମୀ ମନଧର ଖର୍ସେଲ ଅଣ୍ଟା ଭିଡ଼ିଲେ । ଉଭୟେ ମୂଲ ଲାଗି ମାସ ଯାକ ଯାହା ଉପାର୍ଜନ କରନ୍ତି ନିଜେ କଷ୍ଟରେ ଚଳି ସେଥିରୁ ଏବେ ସେମାନେ ଗାଁରେ ଭତ୍ତା ବାଣ୍ଟୁଛନ୍ତି । ପ୍ରତି ମାସରେ ନିଜ ୱାର୍ଡର ୨୨ ଜଣ ବିଧବା, ୧୧ ଜଣ ବୃଦ୍ଧବୃଦ୍ଧା ଓ ୩ ଜଣ ଭିନ୍ନକ୍ଷମଙ୍କୁ ୧୦୦ ଟଙ୍କା ଲେଖାଏଁ ଭତ୍ତା ଦେଉଛନ୍ତି ମଞ୍ଜୁ ।

ମଞ୍ଜୁ ଓ ତାଙ୍କ ସ୍ଵାମୀଙ୍କର ଏ ପଦକ୍ଷେପକୁ ସମସ୍ତେ ଉଚ୍ଚପ୍ରଶଂସା କରିଛନ୍ତି । ଗ୍ରାମବାସୀ ଏଭଳି ଜଣେ ୱାର୍ଡ ସଭ୍ୟ ପାଇ ଗର୍ବ ଅନୁଭବ କରୁଛନ୍ତି । କେବେ ନା କେବେ ସରକାର ଏସବୁ ଦେଖି ସେମାନଙ୍କ ଦୁଃଖ ବୁଝିବେ ବୋଲି ଗୁଡ଼ିଘାଟ ଗ୍ରାମବାସୀ ଆଶା ରଖିଛନ୍ତି । ଜୀବନ ଯୁଦ୍ଧରେ ହାର ମାନି ନଥିବା ମଞ୍ଜୁଙ୍କର ଏ ମହତ ପଦକ୍ଷେପ ପ୍ରଚଳିତ ବ୍ୟବସ୍ଥାର ଅପାରଗତା ପ୍ରତି ଚରମ ଚାପୁଡ଼ା ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ବିରଳ ଉଦାହରଣ ସୃଷ୍ଟି କରିଛି ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ପ୍ଲାଷ୍ଟିକରୁ ପ୍ରସ୍ତୁତ ରାସ୍ତା ଓ ପ୍ଲାଷ୍ଟୋନର ଜନକ ପ୍ରଫେସର୍ ବାସୁଦେବନ୍

2। ସାମ୍ବାଦିକଙ୍କ ପ୍ରସ୍ତୁତ ସିଜିନେଟ ସ୍ଵର ବଦଳାଇ ଦେଲା ଅନେକ ଗାଁର କାହାଣୀ

3। ମାତୃଭାଷାରେ ଆଇଟି ଶିକ୍ଷା ଦେଉଛି GUVI


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।