ବ୍ରାଣ୍ଡିଂ କଣ?

ବ୍ରାଣ୍ଡିଂ କଣ?

Wednesday January 06, 2016,

4 min Read

image


ବ୍ରାଣ୍ଡ କହିଲେ ସାଧାରଣତଃ ଏକ ଉତ୍ପାଦ କିମ୍ବା ସେବାର ସ୍ଵତନ୍ତ୍ର ପରିଚୟକୁ ବୁଝାଇଥାଏ। ତେବେ ବ୍ରାଣ୍ଡ ବିଲଡିଂ କହିଲେ ଲୋକମାନେ ବିଜ୍ଞାପନକୁ ବୁଝନ୍ତି। କିନ୍ତୁ ସତକଥା ହେଉଛି ଏହା ତାଠାରୁ ଅନେକ କିଛି ଅଧିକ। ବ୍ରାଣ୍ଡ ଶବ୍ଦଟିର ଉଦ୍ଭବ ଏକ ଅଦ୍ଭୁତ ଢଙ୍ଗରେ ହୋଇଥିଲା। ଆଗେ ଆମେରିକାରେ ପଶୁପାଳକମାନେ ନିଜର ଗାଈଗୋରୁଙ୍କୁ ଚରାଇବାକୁ ଛାଡିବା ପୂର୍ବରୁ ସେମାନଙ୍କ ଦେହରେ ସ୍ଵତନ୍ତ୍ର ଚିହ୍ନ ରଖୁଥିଲେ,ଯେପରିକି ସେମାନେ ଅନ୍ୟ ଗୋରୁଦଳଙ୍କ ସହିତ ମିଶିନଯିବେ। ପୁଣି ସମସ୍ତେ ନିଜ ଗୋରୁମାନଙ୍କୁ ଚିହ୍ନିତ ବା ବ୍ରାଣ୍ଡିଂ କରୁଥିବାବେଳେ,ସାମୁଏଲ ମାଭେରିକ୍ ନାମକ ପଶୁପାଳକ ଏପରି କଲା ନାହିଁ। ସେ ନିଜର ପଶୁମାନଙ୍କ ଦେହରେ କୌଣସି ଚିହ୍ନ ରଖିଲା ନାହିଁ। ଏହାକୁ ପରବର୍ତ୍ତୀକାଳରେ ଇଂରାଜୀରେ ମାଭେରିକ ବୋଲି କୁହାଗଲା ଓଡ଼ିଆରେ ଏହାର ଅର୍ଥ ହେବ ମାଲିକ ନଥିବା ଗୋରୁ ବା ସ୍ଵତନ୍ତ୍ର ବିଚାର ରଖିବାବାଲା ।

ବ୍ରାଣ୍ଡିଂର ଇତିହାସକୁ ଦେଖିଲେ ଜାଣିପାରିବା ଯେ ଆଗେ ସମ୍ରାଟମାନେ ମଧ୍ୟ ନିଜ ରାଜକୀୟ ସଂକେତର ବ୍ରାଣ୍ଡିଂ କରୁଥିଲେ। ଜାତୀୟ ପତାକାକୁ ମଧ୍ୟ ଏକ ଦେଶର ବ୍ରାଣ୍ଡ ବୋଲି କୁହାଯାଇପାରେ। ଏହା ଉକ୍ତ ବ୍ରାଣ୍ଡର ଲୋଗୋ ବା ଦୃଶ୍ୟମାନ ସଂକେତ ଅଟେ। କିନ୍ତୁ ବ୍ୟବସାୟ୍ ଜଗତ ପାଇଁ ବ୍ରାଣ୍ଡ ଚିନ୍ତାଧାରାଟି ଆହୁରି ଗଭୀର।

ବ୍ରାଣ୍ଡ ହେଉଛି ଗ୍ରାହକର ମନରେ ଗୋଟିଏ ନିଦ୍ଦିର୍ଷ୍ଟ ସାମଗ୍ରୀ ବା ସେବାପ୍ରତି ଥିବା ଏକ ଅବଧାରଣା। ଏକ ନିଦ୍ଦିର୍ଷ୍ଟ ମୂଲ୍ୟବୋଧ ସମ୍ପର୍କରେ ଧାରଣା। ଏଣୁ ମୁଁ ଯେତେବେଳେ ଟୟୋଟା କହେ ଏକ ଉଚ୍ଚ ଗୁଣବତ୍ତା ଥିବା କାର କଥା ତୁମ ମନକୁ ଆସିବ। ମୁଁ ଯେତେବେଳେ BMW କୁହେ, ଆପଣଙ୍କ କଳ୍ପନାକୁ ଆସେ ଲକଜୁରୀ। ମୁଁ ଯଦି କୁହେ ଟାଇଟାନ, ଆପଣଙ୍କ ମାନସକୁ ଚାଲିଆସେ ଗୁଣବତ୍ତାଠାରୁ ଆରମ୍ଭ କରି ସ୍ଥାୟୀତ୍ଵ,ସୁଲଭତା ଓ ମେଡ-ଇନ-ଇଣ୍ଡିଆ ଟ୍ୟାଗ ଇତ୍ୟାଦି ବିଷୟ।

କୌଣସି ଏକ ଉତ୍ପାଦ ବା ସେବାଠାରୁ ମିଳୁଥିବା ପ୍ରତ୍ୟେକ୍ଷ ଫାଇଦା ବା ମୂଲ୍ୟକୁ ପ୍ରତ୍ୟେକ୍ଷଭାବେ ବୁଝିବାର ଆବଶ୍ୟକତା ରହିଛି। ଏକ ଗ୍ରାହକ ପାଇଁ ମୂଲ୍ୟବୋଧ ହେଉଛି ଅନେକଗୁଡିଏ ବିଷୟର ସମଷ୍ଟି। ଉଭୟ ଯୁକ୍ତିସଂଗତ ଓ ଭାବନାତ୍ମକ। ଯେତେବେଳେ ଏକ ସାମଗ୍ରୀ ବା ସେବା ଆମର କଥିତ ଆବଶ୍ୟକତାର ପୂରଣ କରିଥାଏ, ତାହା ବ୍ରାଣ୍ଡ ଭାଲ୍ୟୁର ତର୍କସଙ୍ଗତ ଯୋଗ୍ୟତା ପୂରଣ କଲା ବୋଲି କୁହାଯାଏ। ଯେତେବେଳେ ଏହା କଥିତ ଆବଶ୍ୟକତାଠାରୁ ଉପରକୁ ଉଠେ,ତାହା ଭାବନାତ୍ମକ ଜଗତରେ ପ୍ରବେଶ କରେ ଓ ଉଭୟ ମିଶି ଏକ ସଫଳ ବ୍ରାଣ୍ଡର ସ୍ଥାପନା କରିପାରନ୍ତି।

image


ତାର୍କିକ ବା ଯୁକ୍ତିସଙ୍ଗତ ଦୃଷ୍ଟିକୋଣରୁ ଏକ କ୍ୟାଣ୍ଡେଲଲାଇଟ ଡିନର ହେଉଛି ରାତିଭୋଜନକୁ ବାହାରେ (ଏକ ରେସ୍ତୋରାଁରେ) ଖାଇବା। କିନ୍ତୁ ଭାବନାତ୍ମକ ସ୍ତରରେ ଏହା ପ୍ରେମ ଓ ପ୍ରଣୟକୁ ବୁଝାଏ। ସେହପରି ତାର୍କିକ ଦୃଷ୍ଟିକୋଣରୁ ଗୋଟିଏ ବାଇକ ହେଉଛି ଗୋଟିଏ ସ୍ଥାନରୁ ଆଉଏକ ସ୍ଥାନକୁ ଯିବା ପାଇଁ ଉଦ୍ଦିଷ୍ଟ ଯାନ। କିନ୍ତୁ ଭାବନାତ୍ମକ ଦୃଷ୍ଟିକୋଣରୁ ଏହା ଜଣେ ଯୁବକପାଇଁ ନିଜର ଯୁବସୁଲଭତାକୁ ପ୍ରକାଶ କରିବାର ଏକ ମାଧ୍ୟମ।

ସଫଳ ବ୍ରାଣ୍ଡ ମୂଲ୍ୟବୋଧ ତିଆରି କରିବା ପାଇଁ ଉଭୟ ତାର୍କିକ ଓ ଭାବନାତ୍ମକ ସୁବିଧାକୁ ସ୍ଥାୟୀଭାବେ ଯୋଗାଇବା ଆବଶ୍ୟକ ହୋଇଥାଏ। ଏହାଫଳରେ ସମୟକ୍ରମେ ଗ୍ରାହକ ମନରେ ଉକ୍ତ ଉତ୍ପାଦ ବା ସେବା ବାବଦରେ ଏକ ନିଦ୍ଦିର୍ଷ୍ଟ ସକାରାତ୍ମକ ଧାରଣା ବସା ବାନ୍ଧିବା ଆରମ୍ଭ କରେ। ଯେତେବେଳେ କୋରିଆ କମ୍ପାନି ସାମସଙ୍ଗ କଂଜୁମର ଇଲେକ୍ଟ୍ରୋନିକ୍ସ ବ୍ୟବସାୟରେ ପ୍ରବେଶ କଲା, ବିକଶିତ ପଶ୍ଚିମ ଦେଶମାନଙ୍କରେ ଏକ ଧାରଣା ଥିଲା ଯେ ଏହା ଏକ ଶସ୍ତା ଓ ନିମ୍ନଗୁଣମାନର ବ୍ରାଣ୍ଡ। କିନ୍ତୁ ଆଜି ଆଉ ସେହି ଧାରଣା ନାହିଁ। ଅବଧାରଣା ସମୟକ୍ରମେ ବଦଳିଯାଇପାରେ। ଏହା ହିଁ ବ୍ରାଣ୍ଡ୍ ମ୍ୟାନେଜମେଣ୍ଟ।

image


ଆମେ ବ୍ରାଣ୍ଡକୁ ଆଉ ଏକ ଦୃଷ୍ଟିକୋଣରୁ ଦେଖତ୍ପାରିବା। ବ୍ରାଣ୍ଡ ଏକ ଉତ୍ପାଦ କିମ୍ବା ସେବା ସହ ଜଡିତ ତାହାର ମୂଳ ଗୁଣବତ୍ତାକୁ ବୁଝାଏ। ଏହା ମଧ୍ୟ ଅଭିପ୍ସିତ ଗୁଣବତ୍ତାକୁ ସଂପ୍ରସାରିତ ହୋଇପାରେ। ପ୍ରଥମଟି ଅର୍ଥାତ ମୂଳ ଗୁଣବତ୍ତା ହେଉଛି ବ୍ରାଣ୍ଡଟି ବର୍ତ୍ତମାନ ଯେଉଁ ବିଶେଷତା ପ୍ରଦାନ କରୁଛି,ଏବଂ ଦ୍ଵିତୀୟଟି ଅର୍ଥାତ ଅଭିପ୍ସିତ ଗୁଣବତ୍ତା ହେଉଛି ବ୍ରାଣ୍ଡଟି ଗ୍ରାହକମନରେ ଆଗକୁ କେଉଁ ଧାରଣା ଅକ୍ତିଆର କରିବ। ଅନେକ ସମୟରେ ଏକନିର୍ଦ୍ଧିଷ୍ଟ ବ୍ରାଣ୍ଡ କେବଳ ଏକ ପ୍ରଡକ୍ଟକୁ ନ ବୁଝାଇ ଏକ ବ୍ୟବସାୟକୁ ବୁଝାଏ। ବ୍ରାଣ୍ଡଟି ଉକ୍ତ ବ୍ୟବସାୟିକ ସଂସ୍ଥାରୁ ବାହାରୁ ଥିବା ବିଭିନ୍ନ ପ୍ରଡକ୍ଟ ସହିତ ଜଡିତ ତାକିର୍କ ଓ ଭାବନାତ୍ମକ ମୂଲ୍ୟବୋଧର ପ୍ରତୀକ ହୋଇଯାଏ। ଉଦାହରଣ ସ୍ଵରୂପ, ନାଇକ୍, ଆଦିଦାସ ଓ ରିବକ୍ କହିଲେ ପ୍ରଥମେ ଜୋତାକୁ ବୁଝାଉଥିଲା। କିନ୍ତୁ ପରେ ସେମାନେ ଏହି ବ୍ରାଣ୍ଡକୁ କ୍ରୀଡା ସାମଗ୍ରୀ ଓ ଫ୍ୟାଶନ ଆସେସୋରିଜ୍ ପାଇଁ ବ୍ୟବହାର କରାଗଲା। ଏହାକୁ ବ୍ରାଣ୍ଡ୍ ଏକ୍ସଟେନସନ ବା ବ୍ରାଣ୍ଡ୍ ସଂପ୍ରସାରଣ କୁହାଯାଏ। ଦିନ ଥିଲା ଟାଇଟନ କହିଲେ ଘଣ୍ଟାକୁ ବୁଝାଉଥିଲା କିନ୍ତୁ ଏବେ ଟାଇଟନ ବ୍ରାଣ୍ଡ ମଧ୍ୟରେ ଜୁଏଲାରୀ(ତନିସ୍କ) ଓ ଚଷମା (ଟାଇଟନ ଆଇପ୍ଲସ) ମଧ୍ୟ ଆସୁଛି।

ମାର୍କେଟିଂସହ ଜଡିତ ଲୋକେ ବ୍ରାଣ୍ଡ ପ୍ରଚାର ପାଇଁ ଏପରି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଯଦ୍ଵାରା ବ୍ରାଣ୍ଡ ସହ ସଂଯୁକ୍ତ ଉତ୍ପାଦ ଓ ସେବା ଗ୍ରାହକଙ୍କ ନିକଟରେ ଭଲଭାବେ ଗ୍ରହଣୀୟ ହୋଇପାରିବ। ଏହିଠାରେ ହିଁ ଆଡଭର୍ଟାଇଜିଂ ବା ବିଜ୍ଞାପନର କାମ ଆରମ୍ଭ ହୁଏ। ନିଜର ଇପସିତ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ମାର୍କେଟିଂ ବିଭାଗ ଏକ ଆଡଭର୍ଟାଇଜିଂ ଏଜେନ୍ସି ବା ବିଜ୍ଞାପନ ସଂସ୍ଥା ନିଯୁକ୍ତ କରନ୍ତି, ଯେଉଁଠାରେ କ୍ରିଏଟିଭ୍ କର୍ମଚାରୀ ଓ ମିଡିଆ ବିଶେଷଜ୍ଞମାନେ ଥାଆନ୍ତି। ଏହି ଲୋକମାନେ ହିଁ ଇଣ୍ଟରନେଟ,ବିଲବୋର୍ଡ,ସମ୍ବାଦପତ୍ର କିମ୍ବା ଏକ କ୍ରିକେଟ ଟିମର ସ୍ପନସରସିପ୍ ଇତ୍ୟାଦି ବିଭିନ୍ନ ମାଧ୍ୟମର ସଠିକ ଉପଯୋଗ ସମ୍ପର୍କରେ ପରାମର୍ଶ ଦିଅନ୍ତି।

ଆଜି ପ୍ରତ୍ୟେକଟି ଉତ୍ପାଦ ଓ ସେବାକୁ କେବଳ ଆମ ଦେଶ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ତୀବ୍ର ପ୍ରତିଦ୍ଵନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରତିଯୋଗିତାମୂଳକ ବିଜ୍ଞାପନର ଗହଳି ମଧ୍ୟରେ ସ୍ଵତନ୍ତ୍ରତା ହାସଲ କରିବା ବେଶ କଷ୍ଟକର ହୋଇପଡିଛି। ଏଥିପାଇଁ ଏବେ ବିଜ୍ଞାପନଦାତାମାନେ ଆଉ ପାଦେ ଆଗେଇ ଯାଇଛନ୍ତି। ସେମାନେ ସେଲିବ୍ରିଟି ମାନଙ୍କୁ ନିଯୁକ୍ତ କରୁଛନ୍ତି। ସେଲିବ୍ରିଟିମାନେ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରନ୍ତି ଓ ନିଜେ ଯେଉଁ କ୍ଷେତ୍ରରେ ପରିଚିତ ସେ ଦିଗରେ ଲୋକମାନଙ୍କ ଧାରଣାକୁ ପ୍ରଭାବିତ କରି ବ୍ରାଣ୍ଡ ମୂଲ୍ୟ ବଢାଇପାରୁଛନ୍ତି ଏବଂ ସେମାନଙ୍କ ଭାବମୂତ୍ତିର୍କୁ ବ୍ୟବହାର କରି ବ୍ରାଣ୍ଡର ଭାବମୂର୍ତ୍ତି ଉଜ୍ଜ୍ୱଳ ହୋଇପାରୁଛି। ଏଥିପାଇଁ ଚଳଚ୍ଚିତ୍ର ଓ କ୍ରୀଡା ତାରକାମାନେ ସାବୁନ, ଘଡି,ପୋଷାକପରିଚ୍ଛଦ ଓ ଅଟୋମୋବାଇଲ ଆଦି ପ୍ରଡକ୍ଟ ପାଇଁ ପ୍ରଚାର କରୁଛନ୍ତି। ଯେତେବେଳେ ଅମୀର ଖାଁ ଟାଇଟନ ପାଇଁ ପ୍ରଚାର କରୁଛନ୍ତି, ତାହା ଯୁବସୁଲଭତା ସହ ଅଭିଜ୍ଞତା ଏବଂ ଦୃଢତା ସହ ଆକର୍ଷଣକୁ ସୂଚାଉଛି। କେବଳ ଏତିକି ନୁହେଁ ଏହା ଚଳଚ୍ଚିତ୍ର ଜଗତରେ ଅମୀରଙ୍କ ମିଷ୍ଟର ପରଫେକ୍ସନିଷ୍ଟ ଓ ଟିଭି ଶୋ ସତ୍ୟମେବ ଜୟତେ ରେ ତାଙ୍କ ସାମାଜିକକର୍ମୀ ଭାବମୂର୍ତ୍ତିକୁ ମଧ୍ୟ ପ୍ରତିଫଳିତ କରୁଛି।

ଟିକିଏ ଚିନ୍ତା କର, କେବଳ ଅମୀର ଖାଁଙ୍କର ନୁହେଁ ,ଆମ ସମସ୍ତଙ୍କର ନିଜସ୍ଵ ସ୍ଵତନ୍ତ୍ର ପରିଚୟ ରହିଛି ଏହି ସ୍ଵତନ୍ତ୍ରତା ଆଉଜଣକ ମନରେ ଏକ ସକାରାତ୍ମକ ଧାରଣା ସୃଷ୍ଟି କରିପାରେ। ଏହି ଅବଧାରଣାଟି କେତେକାଂଶରେ ତର୍କସଙ୍ଗତ ବିଚାର ଓ କେତେକାଂଶରେ ଭାବନାତ୍ମକ ବିଚାରରୁ ଉତ୍ପନ୍ନ ହୋଇଥାଏ।