ଭୁବନେଶ୍ୱରରେ ୧୮ ତମ ଭାରତ ରଙ୍ଗ ମହୋତ୍ସବ

ଭୁବନେଶ୍ୱରରେ ୧୮ ତମ ଭାରତ ରଙ୍ଗ ମହୋତ୍ସବ

Monday February 08, 2016,

2 min Read

image


ଚଳଚ୍ଚିତ୍ର, ଯାତ୍ରା ଓ ଅନ୍ୟାନ୍ୟ ସହଜ ମନୋରଂଜନର ଭିଡ଼ ଭିତରେ ସୌଖୀନ ନାଟକ ନିଜର ଅସ୍ତିତ୍ୱ ହରେଇବାକୁ ବସିଥିବା ବେଳେ ଭୁବନେଶ୍ୱର ଏବେ ନାଟକ ପାଇଁ ଆଶାର ସହର ପାଲଟିଛି । ବର୍ଷବ୍ୟାପୀ ଏଠାରେ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ନାଟକ ମହୋତ୍ସବମାନ ଆୟୋଜିତ ହେଉଥିବା ବେଳେ ଦର୍ଶକଙ୍କର ନାଟକ ପ୍ରତି ଆଗ୍ରହ ବି ଦିନକୁ ଦିନ ବୃଦ୍ଧି ପାଇଛି । ୧୮ ତମ ଭାରତ ରଙ୍ଗ ମହୋତ୍ସବର ଏକ ଅଂଶ ଭାବେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଆୟୋଜିତ ହେଉଛି ଅନ୍ତର୍ଜାତୀୟ ସମାନ୍ତରାଳ ନାଟକ ମହୋତ୍ସବ ।

image


ଚାରି ସହରରେ ୨୧ ଦିନ

ଜାତୀୟ ନାଟକ ବିଦ୍ୟାଳୟ (NSD) ପକ୍ଷରୁ ଆୟୋଜିତ ଏହି ଉତ୍ସବ ଏଥର ଫେବୃଆରି ୧ରୁ ୨୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଦେଶର ୪ ସହରରେ ଅନୁଷ୍ଠିତ ହେଉଛି । ପୂର୍ବାଞ୍ଚଳ ପାଇଁ ଭୁବନେଶ୍ୱର ସହରକୁ ଚୟନ କରାଯାଇଥିବା ବେଳେ ଉତ୍ତରରେ ଜମ୍ମୁ, ପଶ୍ଚିମରେ ଅହମଦାବାଦ ଓ ଦକ୍ଷିଣରେ ଥିରୁଅନନ୍ତପୁରମରେ ଉତ୍ସବ ଆୟୋଜିତ ହେଉଛି । ଦିଲ୍ଲୀରେ ଭାରତ ରଂଗ ମହୋତ୍ସବର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି ।

୧୦ ଦେଶ, ୮୦ ନାଟକ

ଦିଲ୍ଲୀ ସମେତ ଅନ୍ୟ ୪ ସହରରେ ୨୧ ଦିନ ବ୍ୟାପୀ ମୋଟ ୮୦ଟି ନାଟକ ପ୍ରଦର୍ଶିତ ହେଉଛି । ଏସବୁ ନାଟକ ବିଶ୍ୱର ୧୦ଟି ଦେଶରୁ ଆସିଛି । ଏଥି ମଧ୍ୟରେ ପାକିସ୍ତାନର ଏକ ନାଟକ ମଧ୍ୟ ରହିଛି । ୮୦ଟି ନାଟକ ମଧ୍ୟରେ ଗୋଟିଏ ଓଡ଼ିଆ ନାଟକ ସ୍ଥାନ ପାଇଛି ।

image


୭ରୁ ୧୨ ଭୁବନେଶ୍ୱର

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ପରିସରରେ ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହୋଇଥିବା ଏ ଉତ୍ସବ ୧୨ ତାରିଖରେ ସମାପନ ହେବ । ପ୍ରଥମ ସଂଧ୍ୟାରେ ମନୋଜ ଦାସଙ୍କ ରଚିତ ଓଡ଼ିଆ ଗଳ୍ପ ‘ବ୍ୟାଘ୍ରାରୋହଣ’ର ନାଟ୍ୟରୂପ ପ୍ରଦର୍ଶିତ ହୋଇଥିଲା । ବିଶ୍ୱନାଥ ପତି ଏହାକୁ ରଚନା କରିଥିବା ବେଳେ ନଳିନୀ ନିହାର ନାୟକ ନିର୍ଦେଶନା ଦେଇଛନ୍ତି । ରାଉରକେଲାର ନ୍ୟୁ କ୍ୱେଷ୍ଟ୍ ରିପର୍ଟୋରି ପକ୍ଷରୁ ଏହି ନାଟକ ପ୍ରସ୍ତୁତ ହୋଇଛି ।

ଅନ୍ୟ ଦିନ ମାନଙ୍କରେ ଯଥାକ୍ରମେ ଇତାଲିୟ ନାଟକ The Comedy of Harlequin and Pulcinella in Venice, ଇଂରାଜୀ ନାଟକ Stage Direction of ONeill, Vol. I, ହିନ୍ଦୀ/ଭୋଜପୁରୀ ନାଟକ ଗବର୍ଘିଚୋର, ମରାଠୀ ନାଟକ ବିନ କାମଚେ ସଂୱଦ ଓ ପୋଲାଣ୍ଡର ନାଟକ ଶୋଙ୍କା ପ୍ରଦର୍ଶିତ ହେଉଛି ।

ଏହି ଉତ୍ସବ ଅବସରରେ ପ୍ରତ୍ୟହ ସଂଧ୍ୟାରେ ଲୋକନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।