ଚାଙ୍ଗୀ ଏୟାରପୋର୍ଟ: ଉତ୍ତମ ମାର୍କେଟିଙ୍ଗର ଜ୍ଵଳନ୍ତ ଉଦାହରଣ
ମାର୍କେଟିଙ୍ଗ ଚିନ୍ତାଧାରାଟି କେବେ ଆରମ୍ଭ ହେଲା? ବିଂଶ ଶତାବ୍ଦୀର ଶେଷ ଭାଗରେ, ମାନୁଫାକଚରିଂ ଅର୍ଥନୀତିରେ ଏହାର ସୃଷ୍ଟି ହୋଇଥିବା କୁହାଯାଏ। ଯେତେବେଳେ କମ୍ପାନୀମାନେ ଏକ ବଢିଆ ପ୍ରଡକ୍ଟ ତିଆରି କରି ବିକ୍ରି କରିବା ବଦଳରେ ଗ୍ରାହକମାନେ କେଉଁ ଉନ୍ନତ ପ୍ରଡକ୍ଟ ଚାହୁଞ୍ଚନ୍ତି ତାହା ନିର୍ଣ୍ଣୟ କରି ପ୍ରଡକ୍ଟ ଉତ୍ପାଦନ କରିବା କୌଶଳ ଆଡକୁ ଗତିକରୁଥିଲେ। ଅନ୍ୟପ୍ରକାରେ କହିଲେ ଏହା ଥିଲା 1940 ଓ 1950 ଦଶକରେ ଗ୍ରାହକ-କୈନ୍ଦ୍ରିକ ଯୁଗର ଆରମ୍ଭ ଓ ଉତ୍ପାଦ-କୈନ୍ଦ୍ରିକ ଯୁଗର ବିଦାୟର ସମୟ। ଉତ୍ପାଦ-କୈନ୍ଦ୍ରିକ ଯୁଗରେ କମ୍ପାନୀମାନଙ୍କର ଆଧିପତ୍ୟ ରହିଥିଲା, କିନ୍ତୁ ଗ୍ରାହକର ପସନ୍ଦର କିଛି ଗୁରୁତ୍ଵ ନଥିଲା, ଗ୍ରାହକଙ୍କ ପାଇଁ କିଛି ବିକଳ୍ପ ହିଁ ନଥିଲା। ସେସମୟରେ ଫୋର୍ଡ ମୋଟର କମ୍ପାନୀର ପ୍ରତିଷ୍ଠାତା ହେନେରୀ ଫୋର୍ଡ ଗ୍ରାହକଙ୍କ ଉଦ୍ଦେଶ୍ୟରେ କହିଥିଲେ, any colour so long as it’s black! ( ଅର୍ଥାତ ଯେକୌଣସି ରଙ୍ଗର କାର ବାଛିପାରିବ, ତେବେ ତାହା କେବଳ କଳାରଙ୍ଗର ହୋଇଥିବ)। ସେ କାଳରେ ଗ୍ରାହକମାନେ ଯାହା ପାଉଥିଲେ ତାହାକୁ ନେଇ ସନ୍ତୁଷ୍ଟ ହେବା ଛଡା ଆଉ କିଛି ଉପାୟ ହିଁ ନଥିଲା।
ତା'ପରେ ଆସିଲା ପ୍ରତିଯୋଗିତାର ଯୁଗ ! ଏବେ କେବଳ ଯେକୌଣସି ପ୍ରଡକ୍ଟ ତିଆରି କରିବା ଓ ତାକୁ ବିକ୍ରି କରିବା ଯଥେଷ୍ଟ ନଥିଲା ବରଂ ଉନ୍ନତ ଗବେଷଣା ଦ୍ଵାରା ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବା ଓ ତାହା ଅନୁଯାୟୀ ଦ୍ରବ୍ୟ ( ବା ସେବା) ଉତ୍ପାଦନ କରିବା ଉପରେ ଗୁରୁତ୍ଵ ଦିଆଗଲା। ଗ୍ରାହକଙ୍କ ଆବିଷ୍କାର ହୋଇନଥିବା ମନକୁ ଖୋଜିବା ପାଇଁ ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ଗବେଷଣା ମାଧ୍ୟମକୁ ମିଳିତଭାବେ ବ୍ୟବହାର କରାଗଲା। ଏହି ଜ୍ଞାନକୁ ବ୍ୟବହାର କରି କମ୍ପାନୀମାନେ ଗ୍ରାହକମାନଙ୍କ ଘୋଷିତ ଓ ଅଘୋଷିତ ଚାହିଦା ପୂରଣ କରିପାରିଲେ। ଏହା ହିଁ ମାର୍କେଟିଂର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ। ମାର୍କେଟିଂ ଲୋକମାନେ ଗ୍ରାହକଙ୍କ ଚାହିଦାର ପୂର୍ବାନୁମାନ କରନ୍ତି,ଅଭିନବ ଉତ୍ପାଦ ଓ ସେବାର ପରିକଳ୍ପନା କରନ୍ତି, ଡିଜାଇନ ଏବଂ ଆରଏଣ୍ଡଡି ଟିମ ସହ ମିଶି ସେହି ନମୁନାର ପରୀକ୍ଷଣ କରନ୍ତି, ଗ୍ରାହକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ପାଇଲଟ ରିସର୍ଚ୍ଚ କରନ୍ତି ଓ ତାପରେ ଗ୍ରାହକମାନଙ୍କ ମଧ୍ୟରେ ଉକ୍ତ ଉତ୍ପାଦ ସମ୍ପର୍କରେ ସଚେତନତା ସୃଷ୍ଟି କରନ୍ତି।
ମାର୍କେଟିଂରେ, ଜଣେ ଗ୍ରାହକଙ୍କ ଘୋଷିତ ଚାହିଦା ସମୁଦ୍ର ଭିତରେ ବୁଡି ରହିଥିବା ବରଫ ପାହାଡର ଉପରକୁ ଦେଖାଯାଉଥିବା ଅଗ୍ରଭାଗ ମାତ୍ର। ପାହାଡର ଅଧିକାଂଶ ଭାଗ ବୁଡି ରହିଥାଏ। ତୁମେ ଯଦି ତଳକୁ ପଶି ତାହାକୁ ଆବିଷ୍କାର କରିପାରିଲ, ତାହେଲେ ତୁମେ ଅଭିନବ ପ୍ରଡକ୍ଟ ଓ ସେବା ଗଢିପାରିବ। ଏକ୍ରୋପୋଲିସ୍ ଅର୍ଥାତ୍ ଏୟାରପୋର୍ଟ ନଗରୀ ନାମରେ ପରିଚିତ ସିଂଗାପୁରର ଚାଙ୍ଗି ଏୟାରପୋର୍ଟ କଥା ଜାଣିଲେ ତୁମେ ଏହି ଚିନ୍ତାଧାରାକୁ ବୁଝିପାରିବ।
ଗୋଟିଏ ଏୟାରପୋର୍ଟ କିପରି ଏକ ନଗର ହୋଇପାରିବ? ଗୋଟିଏ ନଗର ହେଉଛି ତାହା,ଯେଉଁଠାରେ ଏକ ଅନେକ ଲୋକ ବସବାସ କରନ୍ତି। ତେବେ କେବଳ ଅନେକଗୁଡିଏ ଲୋକଙ୍କୁ ନେଇ ନଗର ଗଠିତ ହୁଏନାହିଁ। ଏଥିରେ ଲୋକେ ଚଳିବା ପାଇଁ ସଂପୂର୍ଣ୍ଣ ସହାୟକ ବ୍ୟବସ୍ଥା ମଧ୍ୟ ଥାଏ। ତୁମେ ସେହିଠାରେ ରହିପାରିବ,ବିଭିନ୍ନ ଲକ୍ଷ୍ୟର ପୂର୍ତ୍ତି କରିପାରିବ, ପୁଣି ସେଠାରେ ଏକ ଭରସାଯୋଗ୍ୟ ସହାୟତା ବ୍ୟବସ୍ଥା ଯଥା ସ୍ଵାସ୍ଥ୍ୟସେବା,ଶିକ୍ଷା ଓ ମନୋରଞ୍ଜନ ଇତ୍ୟାଦି ରହିଥିବ। ଚାଙ୍ଗି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତିବେଳେ ଡିଜାଇନରମାନେ ଏକ ନଗରର ପରିପୂର୍ଣ୍ଣତାକୁ ନିଜ ମନ ମଧ୍ୟରେ ଆଙ୍କିସାରିଥିଲେ। ସେମାନେ କଳ୍ପନା କରିଥିଲେ ଯେ ଯାତ୍ରୀଟିଏ ଯେଉଁ କିଛି ଘଣ୍ଟା ସେଠାରେ କଟାଇବ, ତା'ପାଇଁ ପ୍ରତିଟି ଦିଗରୁ ଯେପରି ଏୟାରପୋର୍ଟଟି ଏକ ନଗର ସଦୃଶ ହୋଇଥିବ। ଏୟାରପୋର୍ଟ ଲାଉଞ୍ଜ ବାହାରକୁ ନଯାଇ ମଧ୍ୟ ତୁମେ ଶାନ୍ତିରେ ଥରେ ଗାଧୋଇ ପାରିବ,ଏକ ହୋଟେଲ ରୁମରେ ଅବସର ନେଇପାରିବ, ଜିମ୍ ଯାଇପାରିବ, ଇଣ୍ଟରନେଟ ବ୍ରାଉଜ୍ କରିପାରିବ, ଭାରତୀୟ,ଚାଇନିଜ୍ କିମ୍ବା କଣ୍ଟିନେଣ୍ଟାଲ ଖାଦ୍ୟ ଖାଇପାରିବ,ଏକ କଫି ସପରେ ଗପ ଜମାଇପାରିବ,ଏକ ଉପାସନା ଗୃହରେ ପ୍ରାଥନା କରିପାରିବ, ଭିଡିଓ ଗେମ ଖେଳିପାରିବ, ନିଜ ପିଲାମାନଙ୍କୁ ଏକ ସାଇନ୍ସ ମ୍ଯୁଜିୟମ ବା ଏକ ସବୁଜିମାଭରା ପାର୍କକୁ ନେଇପାରିବ, ଦାମୀ ଉପକରଣ କିଣିପାରିବ, ଟେଲିଭିଜନ ଦେଖତ୍ପାରିବ,ଜଣେ ଡାକ୍ତରଙ୍କ ପରାମର୍ଶ ନେଇପାରିବ, ବହି , ଅକିର୍ଡ୍ ଫୁଲ କିମ୍ବା ଖେଳନା ଅଥବା ଏକ ସତସତିକା ମୋଟରବାଇକ କିଣିପାରିବ।
ପୁଣି ସପିଂ ମଧ୍ୟ ଆପଣ ଅଚିନ୍ତାରେ କରିପାରିବେ। ବିଭିନ୍ନ ସଂକେତ ଓ ସୂଚନା ଆପଣଙ୍କୁ ସହଜରେ ଓ ଅଚିନ୍ତାରେ ସପିଂ କରିବାକୁ ପରାମର୍ଶ ଦେଉଥିବ। ଯଦି କିଣିଥିବା ଜିନିଷଟି ଆପଣଙ୍କର ମନପସନ୍ଦ ହେଲା ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, କାରଣ ତିରିଶ ଦିନ ମଧ୍ୟରେ ଅର୍ଥ ପେରସ୍ତ ପାଇଁ ସେମାନେ ପ୍ରତିଶ୍ରୁତି ଦିଅନ୍ତି। ଖାଲି ଏତିକି ନୁହେଁ କିଣାଯାଇଥିବା ସାମଗ୍ରୀଟିକୁ ଫେରସ୍ତ ପଠାଇବା ଖର୍ଚ୍ଚ ମଧ୍ୟ ସେମାନେ ବହନ କରିବେ। ଯେତେବେଳେ ସିଙ୍ଗାପୁରର କର୍ତ୍ତୃପକ୍ଷ ଜାଣିବାକୁ ପାଇଲେ ଯେ ଗ୍ରାହକଙ୍କ ପ୍ରତି ଚାଙ୍ଗି ଏୟାରପୋର୍ଟର ଦୋକାନୀମାନଙ୍କ ବ୍ୟବହାର ସନ୍ତୋଷଜନକ ନୁହେଁ, ସେମାନଙ୍କୁ ବାଧ୍ୟତାମୂଳକଭାବେ ଗ୍ରାହକ ବ୍ୟବହାର ପଦ୍ଧତି ସମ୍ପର୍କରେ ତାଲିମ ଦିଆଗଲା। ପ୍ରତିଟି ଦୃଷ୍ଟିକୋଣରୁ ଚାଙ୍ଗିକୁ ଏକ ପସନ୍ଦଯୋଗ୍ୟ ନଗରୀ କରିବାକୁ ଯୋଜନା କରାଯାଇଥିଲା। ଛୋଟବଡ଼ ପ୍ରତିଟି ବିଷୟ ଉପରେ ନଜର ରଖାଯିବା ଦ୍ଵାରା ଚାଙ୍ଗି ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ପସନ୍ଦଯୋଗ୍ୟ କେନ୍ଦ୍ରସ୍ଥଳୀରେ ପରିଣତ ହୋଇଛି। ଏଥିପାଇଁ ବିଶ୍ଵର ପ୍ରାୟ ସମସ୍ତ ପ୍ରମୁଖ ଏୟାରଲାଇନ୍ସ ଚାଙ୍ଗିକୁ ନିଜର ଉଡାଣ ମାନଚିତ୍ର ମଧ୍ୟରେ ସ୍ଥାନ ଦେଇଛନ୍ତି ଅନ୍ୟପକ୍ଷରେ ଚାଙ୍ଗି ଏୟାରଲାଇନ୍ସ ମାନଙ୍କୁ ବର୍ଥିଂ କାପାସିଟି, ରିଫୁଏଲିଂ ଓ ଇଂଜିନିୟରିଂ ସେବା ଯୋଗାଇ ଆୟ କରିପାରୁଛି ଟିକିଏ ଚିନ୍ତା କରନ୍ତୁ, ଚାଙ୍ଗି ଏକ ସୁପରିକଳ୍ପିତ ଓ ଉତ୍ତମଭାବେ ଯୋଗାଇଦିଆଯାଇଥିବା ପ୍ରଡକ୍ଟ। ଏହା ଏକ ମାର୍କେଟିଂ ସଫଳତା।
ଚାଙ୍ଗିର ବିପରୀତ ଅନ୍ୟ ଏୟାରପୋର୍ଟ ମାନଙ୍କ କଥା ଚିନ୍ତା କରନ୍ତୁ। ସେମାନଙ୍କ କାମ ହେଉଛି ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ସିଟରୁ କାଢି ସେମାନଙ୍କ ହାତରେ ନିଜ ନିଜ ବ୍ୟାଗେଜ୍ ଧରାଇ ବିଦା କରିବା। ଅନ୍ୟପଟେ,ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ଯାତ୍ରୀମାନଙ୍କୁ ନିଜ ନିଜ ଲଗେଜଠାରୁ ଅଲଗା କରି ସେମାନଙ୍କୁ ବିମାନ-ପ୍ରତୀକ୍ଷାଳୟରେ ବସାଇରଖାଯାଏ। ଏହାକୁ ବମ୍ ହାଣ୍ଡଲିଙ୍ଗ ବୋଲି କୁହାଯାଏ। ଅବଶ୍ୟ ମୁଁ କହୁନି ଏସବୁ କାମ ଦକ୍ଷତାର ସହ କରିବା ଜରୁରୀ ନୁହେଁ। କିନ୍ତୁ ତାହା ତୁମକୁ ବିଶ୍ଵସ୍ତରୀୟ ଏୟାରପୋର୍ଟର ମାନ୍ୟତା ଦେବ ନାହିଁ। ଯେତେବେଳେ ତୁମେ ଲୋକମାନଙ୍କ ଅକୁହା ବା ଅଘୋଷିତ ଆବଶ୍ୟକତା ଗୁଡିକର ପୂର୍ବାନୁମାନ କରିବାରେ ସକ୍ଷମ ହେବ, ସେତେବେଳେ ହିଁ ବିଶ୍ଵସ୍ତରୀୟ ହୋଇପାରିବ।
ଚାଙ୍ଗୀର ମୂଳ ଲକ୍ଷ୍ୟ ଥିଲା, ଯାତ୍ରୀମାନଙ୍କର ସାଧାରଣ ଆବଶ୍ୟକତା ସହ ସେମାନଙ୍କ ଅଘୋଷିତ ଚାହିଦାକୁ ମଧ୍ୟ ପୂରଣ କରିବା ଅଘୋଷିତ ଚାହିଦା ସହ ଲୋକମାନଙ୍କର ଭାବନା ଜଡିତ ହେବାର ସମ୍ଭାବନା ଅଧିକ। ଏଣୁ ଯେତେବେଳେ ଏକ କମ୍ପାନୀ ଗ୍ରାହକମାନଙ୍କର ସାଧାରଣ ଆବଶ୍ୟକତାକୁ ପୂରଣ କରିବାଠାରୁ ଆଗକୁ ବଢି ଅଘୋଷିତ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହୁଏ, ସେହି କମ୍ପାନୀ ଗ୍ରାହକଙ୍କ ସହ ଏକ ଲମ୍ବା ସମ୍ପର୍କ ଯୋଡିବାକୁ ସକ୍ଷମ ହୋଇଥାଏ। ଏହି ସମ୍ପର୍କ ହିଁ ଗ୍ରାହକମାନଙ୍କୁ ତା ନିକଟକୁ ବାରମ୍ବାର ଫେରାଇଆଣିଥାଏ। ମନୁଷ୍ୟ ଆବେଗର ବିଶେଷତ୍ଵ ଓ କିପରି ଏହା କାମକରିବାବେଳେ ଆମ ବ୍ୟବହାରକୁ ପ୍ରଭାବିତ କରିଥାଏ। ଜଣେ ଗ୍ରାହକ ହିସାବରେ କିପରି ଏହା ଆମକୁ ପ୍ରଭାବିତ କରିଥାଏ ଓ ଆମେ ତିଆରି କରୁଥିବା ପ୍ରଡକ୍ଟ ଓ ସେବାରେ କିପରି ତାହା ପ୍ରତିଫଳିତ ହୋଇଥାଏ, ସେ ସମ୍ପର୍କରେ ଗତ କିଛି ଦଶନ୍ଧି ପୂର୍ବେ ହିଁ ଜଣାପଡିଥିଲା। ମାର୍କେଟିଂର ଅସଲ କାମ ହେଉଛି ଗ୍ରାହକମାନଙ୍କ ଅନୁଭୂତିକୁ ପ୍ରତିଟି ଦିଗରୁ ଚାଙ୍ଗି ଅଭିଜ୍ଞତା ସଦୃଶ କରିବା, ଅର୍ଥାତ ଗୁଣବତ୍ତା ଓ ଗ୍ରାହକ ସନ୍ତୁଷ୍ଟିରେ ନୂଆ ଆୟାମ ଯୋଡିବା।