ସମ୍ବଲପୁର ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନିତ 'ଦି ଓଏସିସ‘ର ନିର୍ଦ୍ଦେଶକ ସୁରେଶଙ୍କ ସହ ଦୁଇ ପଦ
କିଛି ଦିନ ତଳେ ସମ୍ବଲପୁର ଠାରେ ଆୟୋଜିତ ହୋଇଥିଲା ସମ୍ବଲପୁର ଫିଲ୍ମ ମହୋତ୍ସବ । ତେବେ ଆଜି ଏ ବିଷୟରେ ଲେଖିବାର ପ୍ରୟୋଜନ କଣ ଥାଇପାରେ ବୋଲି ମନକୁ ପ୍ରଶ୍ନ ଆସିବା ସ୍ୱଭାବିକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ରାଜ୍ୟରେ ଏମିତି ଅନେକ କଳାକାର, ନିର୍ଦ୍ଦେଶକ, ନିର୍ମାତା ଅଛନ୍ତି ଯେଉଁମାନେ ଏବେ ଫିଲ୍ମ ନିର୍ମାଣ ଦିଗରେ ଆଗେଇ ଆସିଛନ୍ତି । ଓଡିଆ ଫିଲ୍ମ ଆଜି ଅନ୍ୟାନ୍ୟ ଭାଷାଭାଷୀ ଫିଲ୍ମ ସହ ଜାତୀୟ ଓ ଅନ୍ୟାନ୍ୟ ସ୍ତରରେ ସମାନ୍ତରାଳ ଭାବେ ଛିଡା ହୋଇପାରିଛି । ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା” ଓ “ଆଦିମ ବିଚାର’ ଭଳି ଫିଲ୍ମ ମଧ୍ୟ ଜାତୀୟ ସ୍ତରେ ପୁରସ୍କୃତ ହୋଇପାରିଛି ।
ସମ୍ବଲପୁର ଫିଲ୍ମ ଫେଷ୍ଟିଭାଲ ଦିନ ଏଠାରେ ୨୦ ଟି କ୍ଷୁଦ୍ର ଫିଲ୍ମ ପ୍ରଦର୍ଶୀତ ହୋଇଥିଲା । ଏହି ଅବସରରେ “ଦି ଓଏସିସ" କୁ ଶ୍ରେଷ୍ଠ ସିନେମାର ସମ୍ମାନ ମିଳିଥିଲା । ପୁଣି ବିଭିନ୍ନ ୪ ଟି ବର୍ଗରେ ଏହି ଫିଲ୍ମଟି ଶ୍ରେଷ୍ଠ ପୁରସ୍କାର ହାତେଇ ପାରିଛି । ସେଗୁଡିକ ହେଉଛି ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ କୁନି କଳାକାର, ଶ୍ରେଷ୍ଠ ଅଭିନେତ୍ରୀ ।
ଓଏସିସ ଫିଲ୍ମର ନିର୍ଦ୍ଦେଶକ ସୁରେଶ ପ୍ରସାଦ ରଥ ସୁବର୍ଣ୍ଣପୁର ର ବାସିନ୍ଦା। ୟୌରଷ୍ଟୋରି ଏହି ଫିଲ୍ମର ନିର୍ଦ୍ଦେଶକ ସୁରେଶ ପ୍ରସାଦ ରଥଙ୍କ ସଙ୍ଗେ ଏକ ଅନ୍ତରଙ୍ଗ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥିଲା। ଏହି ବାର୍ତ୍ତାଳାପର କିଛି ଅଂଶ ନିମ୍ନରେ ଦିଆଗଲା।
YS - ଆପଣଙ୍କ ଫିଲ୍ମ “ଦିଓସିଏସ୍’ ବିଷୟରେ କିଛି କୁହନ୍ତୁ?
ଉ: ଏହା ଏକ ଇଂରାଜୀ ଭାଷାରେ ରଚିତ ଫିଲ୍ମ । ଫିଲ୍ମଟି ଜଣେ ଗରିବ ମେଧାବୀ ଛାତ୍ର ଉପରେ ପର୍ଯ୍ୟବେସିତ ହୋଇଛି । ସେ କିପରି ତା'ର ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ପାଇ ଭଲ ମଣିଷ ହୋଇପାରିଛି ଏବଂ ଭବିଷ୍ୟତରେ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ହୋଇପାରିଛି । ତାହା ହିଁ ଏ ସିନେମାରେ ଦେଖାଦେଇଛି । ଉପଯୁକ୍ତ ପାଣି ପବନ ପାଇଲେ ଯେ ଉତ୍ତମ ବୀଜଟିଏ ଆଗକୁ ଯାଇ ମହାଦ୍ରୁମ ହେଇପାରିବ, ଠିକ ତାହା ହିଁ ଏହି ଫିଲ୍ମର ମୂଳ ସନ୍ଦେଶ।
YS - ଆପଣ ଏହାକୁ ମିଶାଇ ଆଉ କିଛି ଫିଲ୍ମ ତିଆରି କରିଛନ୍ତି କି?
ଉ - ହଁ, କରିଛି। ଏହା ମୋର ତୃତୀୟ ଫିଲ୍ମ ।
YS - ଆଗକୁ ମଧ୍ୟ କିଛି ଫିଲ୍ମ କରିବାର ସ୍ୱପ୍ନ ରହିଛି?
ଉ - ନିଶ୍ଚିତ ରୁପରେ ଆଗକୁ ମଧ୍ୟ ଏ ଧାରା ଜାରି ରହିବ ।
YS - ନିର୍ଦ୍ଦେଶନା ପାଇଁ କେଉଁଠି ଶିକ୍ଷା ନେଇଛନ୍ତି କି ?
ଉ - ନା ନେଇ ନାହିଁ । ଆଗ୍ରହ ସବୁବେଳେ ଥିଲା। କୌଣସି ଅନୁଷ୍ଠାନରେ ଶିକ୍ଷା ନେଇନାହିଁ। କିନ୍ତୁ ଆଖପାଖରେ ଥିବା ଲୋକ ଓ ପ୍ରକୃତି ହିଁ ସବୁଠାରୁ ବଡ ଶିକ୍ଷକ। ନିଜେ ଧୀରେ ଧୀରେ କାମ କରୁ କରୁ ଫିଲ୍ମ ନିର୍ଦ୍ଦେଶନାରେ ପାଦ ଦେଲି। ଆଉ ଆଜି ଏଠାରେ ଆସି ପହଞ୍ଚିଛି ।
YS - ଆପଣ ଏ କ୍ଷେତ୍ରକୁ ଆସିଲେ କିପରି?
ଉ - ମୋର ବହୁ ଛୋଟ ସମୟରୁ ନାଚ ଗୀତ ପ୍ରତି ଆଗ୍ରହ ରହିଥିଲା । ଛୋଟ ସମୟରୁ ସ୍କୁଲ ଓ କଲେଜ ରେ ପାଠ ପଢ଼ିବା ସମୟରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛି । ତା ସହ ଶତାଧିକ ସମ୍ବଲପୁରିଆ ଓ ଓଡିଆ ଆଲବମରେ ଅଭିନୟ ମଧ୍ୟ କରିଛି । ଅଭିନୟ ଓ ନାଚ ଗୀତରେ ବହୁ ରୁଚି ରହିବାରୁ ଆଜି ଆପଣଙ୍କ ସାମନାରେ ଅଛି ।
YS - ଆପଣ ଯେତେବେଳ ଏ କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ ସେତେବେଳେ ପରିବାର ଲୋକଙ୍କ ସହଯୋଗ ମିଳିଥିଲା?
ଉ - ନିଶ୍ଚିତ ରୁପେ ମୋ ପରିବାର ପକ୍ଷରୁ ସମସ୍ତ ସହଯୋଗ ମିଳିଥିଲା ।
YS - ଆପଣଙ୍କର ଭବିଷ୍ୟତର ଯୋଜନା କଣ?
ଉ - ଭବିଷ୍ୟତରେ ଏକ ଭଲ ନିର୍ଦ୍ଦେଶକ ହେବା ସହ ଅଭିନୟ କରିବାର କରିବାର ଲକ୍ଷ୍ୟ ରହିଛି ।
YS - ଆପଣ ଜଣେ ଯୁବ ନିର୍ଦ୍ଦେଶକ, ଆପଣଙ୍କ ପରି ଯେଉଁମାନେ ଏ କ୍ଷେତ୍ରକୁ ନିଜର କର୍ମକ୍ଷେତ୍ର କରିବାକୁ ଚାହିଁବେ ତାଙ୍କୁ ଆପଣ କଣ କହିବେ?
ଉ - ବର୍ତ୍ତମାନ ସମସ୍ତ କ୍ଷେତ୍ର ରେ ଚ୍ୟାଲେଞ୍ଜ ଅନେକ। ତେଣୁ ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ। ସେ ସରକାରୀ ଚାକିରିଆ ହୁଅନ୍ତୁ ଅବା ବେସରକାରୀ । ସମସ୍ତଙ୍କ ଉପରେ ଚାପ ରହିଥାଏ । ତେବେ ଫିଲ୍ମ ନିର୍ଦ୍ଦେଶନା କ୍ଷେତ୍ରରେ ଏବେ ଆମ ରାଜ୍ୟରେ ମଧ୍ୟ ବହୁ ନିର୍ମାତା ମାନେ ଆଗକୁ ଆସୁଛନ୍ତି । ଏହା ଏକ ସୁଖବର। ତା'ପରେ କିଛି କାମ କଲେ ବାଧାବିଘ୍ନ ତ ଆସିବ । କିନ୍ତୁ ସେଥିରୁ ମଧ୍ୟ ଆଗକୁ ବଢ଼ିବାର ନାମ ହିଁ ଜୀବନ ।
YS - ଗୋଟିଏ ସମୟ ଥିଲା ସମ୍ବଲପୁରିଆ ଭାଷାରେ ବହୁ ଆଲବମ ବାହାରୁଥିଲା କିନ୍ତୁ ଆଜି ପୁରା ଲୋପ ପାଇବାରେ ବସିଲାଣି?
ଉ- କଥାଟି ସତ୍ୟ । ମୁଁ ସମ୍ବଲପୁରିଆ ଲୋକ ହିସାବରେ ଯେତେ ମନ କଲେ ମଧ୍ୟ କେଉଁଠି ନା କେଉଁଠି ଏଥିରେ ବିରାମ ଲାଗିଛି । କିନ୍ତୁ ଏବେ ଧିରେ ଧିରେ ପୁଣି ନିର୍ମାତା ମାନେ ଆଗକୁ ଆସୁଛନ୍ତି । ଆଶା କରୁଛି ଖୁବ୍ ଶିଘ୍ର ସେ ଦିନ ଫେରିବ । ସମ୍ବଲପୁରିଆ ଭାଷାର ପ୍ରଚାର ପ୍ରସାର ସାରା ଦୁନିଆରେ ହେବ ।