ଡାକ୍ତର ହେବେ ବିଡ଼ି ଶ୍ରମିକଙ୍କ ଭିନ୍ନକ୍ଷମ ପୁଅ

ଡାକ୍ତର ହେବେ ବିଡ଼ି ଶ୍ରମିକଙ୍କ ଭିନ୍ନକ୍ଷମ ପୁଅ

Friday December 04, 2015,

2 min Read

image


ଶାରୀରିକ ଅକ୍ଷମତା ହେତୁ ତାଙ୍କ ଉପରୁ ସମସ୍ତେ ଭରସା ତୁଟାଇ ଦେଇଥିଲେ । ଦରିଦ୍ର ପରିବାରରେ ଜନ୍ମନେବା ସତେ ଯେମିତି ତାଙ୍କ ପାଇଁ ଆଉ ଏକ ଅଭିଶାପ ପାଲଟିଥିଲା । ସେ ଯେ ଜୀବନରେ କେବେ କଲେଜ ମାଡ଼ିପାରିବେ, ଏ ଆଶା ଛାଡ଼ି ଦେଇଥିଲେ ସମସ୍ତେ । କିନ୍ତୁ ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ବଳରେ ଆଜି ସେ ସର୍ବଭାରତୀୟ ମେଡିକାଲ ଛାତ୍ର ।

ସମ୍ବଲପୁର ସହରର ଡୁମେରପଡ଼ା ବାସିନ୍ଦା ଶିବ ଓରାମ ଏବେ ପଣ୍ଡିଚେରୀସ୍ଥିତ ଜବାହରଲାଲ ସ୍ନାତକୋତ୍ତର ମେଡିକାଲ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଜେଆଇପିଏମ୍‍ଇଆର୍‍)ରେ ଅଧ୍ୟୟନ କରୁଛନ୍ତି । ପିଲାଟି ବେଳୁ ଗୋଟିଏ ଗୋଡ଼ ତାଙ୍କର ଅକାମୀ । ଚାଲିବାରେ ବେଶ୍‍ କଷ୍ଟ ଅନୁଭବ କରନ୍ତି ଶିବ । ବାପା ଜଣେ ବିଡ଼ି ଶ୍ରମିକ ଥିଲେ ଓ ଶିବ ସ୍କୁଲରେ ପଢ଼ୁଥିବା ବେଳେ ପ୍ରାଣତ୍ୟାଗ କରିଛନ୍ତି । ମା’ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରନ୍ତି । ଘରେ ଶିବଙ୍କୁ ମିଶାଇ ଭାଇ ଭଉଣୀ ୪ ଜଣ । ଶିବଙ୍କୁ ମାତ୍ର ବର୍ଷେ ବୟସ ବେଳେ ଜ୍ୱର ହେଲା ଓ ସେବେଠୋରୁ ଗୋଡ଼ ଅଚଳ ବୋଲି କହନ୍ତି ତାଙ୍କ ମା’ ସରସ୍ଵତୀ ଓରାମ । ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରିଲାନି । ଘରେ କୌଣସି ମତେ ତାଙ୍କୁ ଦଶମ ଯାଏଁ ପାଠ ପଢ଼ାଇଲେ । ଦଶମରେ ଭଲ ନମ୍ବର ରଖିଥିବା ଶିବ କଲେଜରେ ବିଜ୍ଞାନ ପଢ଼ିବାକୁ ଆଗ୍ରହୀ ହେଲେ । ମାମୁଁ ପୁଅ ଭାଇ ପ୍ରଭାକର ଓରାମଙ୍କ ଆର୍ଥିକ ସହଯୋଗରେ ପଢ଼ିଲେ । ଛାତ୍ରବୃତ୍ତି ମଧ୍ୟ ବାର୍ଷିକ ୩ ହଜାର ଟଙ୍କା ପାଇଲେ ।

image


ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହେବା ପରେ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଶିବ । କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା ଡାକ୍ତର ହେବେ । ଏଣୁ ଦୁଇ ବର୍ଷ କଠିନ ପରିଶ୍ରମ କରି ଶେଷରେ ସେ ବାଜିମାତ କଲେ । ଜେଆଇପିଏମ୍‍ଇଆର୍‍ ଭଳି ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶିବ । ତେବେ ସେତେବେଳେ ନାମଲେଖା ପାଇଁ ୫୦ ହଜାର ଟଙ୍କାର ଆବଶ୍ୟକତା ପଡ଼ିଲା । ଏତେ ବାଟ ଆଗେଇ ସାରିଥିବା ଶିବ କୌଣସି ମତେ ଆଉ ପଛକୁ ଫେରିବାକୁ ଚାହୁଁନଥିଲେ । ମା’, ମାମୁଁ, ଭାଇ ଓ ସମ୍ପର୍କୀୟମାନଙ୍କ ଠାରୁ ପଇସା ଠୁଳ କରି ସେ ପଣ୍ଡିଚେରୀ ଗଲେ । ଘର ପାଖରେ ଥିବା ଜେଏମ୍‍ଜେ ହସ୍ପିଟାଲରୁ ମଧ୍ୟ ତାଙ୍କୁ କିଛି ଆର୍ଥିକ ସହଯୋଗ ମିଳିଥିଲା ।

ଶିବ ସ୍ନାତକୋତ୍ତର ସମାପ୍ତ ପରେ ଓଡ଼ିଶା ଫେରି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ଶିବ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।