ପ୍ରତ୍ୟାଖ୍ୟାତ ପ୍ରତିଭା ଆଜି ସୁପର ହିଟ୍ : ବିହାରର ଅଖ୍ୟାତ ପଲ୍ଲୀରୁ ଦେଶର ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ କାହାଣୀ - ଭୋଜପୁରୀ ଗାୟକ, ଅଭିନେତା ଓ ସାଂସଦ ମନୋଜ ତିୱାରୀ
ମନୋଜ ତିୱାରୀଙ୍କ ସହ ୟୋରଷ୍ଟୋରୀର ସ୍ୱତନ୍ତ୍ର ସାକ୍ଷାତକାର
ଭୋଜପୁରୀ ଗାୟକ ଓ ଅଭିନେତା ମନୋଜ
ଏବେ ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ
କୁହାଯାଏ ଗୋଟିଏ ଭଲ ଦିନ ଅନେକ ଖରାପ ଦିନକୁ ଫିକା ପକାଇଦିଏ | ଠିକ୍ ସେହିପରି ସବୁ ସମସ୍ୟା ଓ ଦୁଃଖକୁ ଯଦି ଗୋଟିଏ ଲକ୍ଷ୍ୟ ମିଳିଗଲା, ଭାବନ୍ତୁ ସମସ୍ତଙ୍କ ଗ୍ଲାନି ଉଭେଇ ଯାଏ | କିନ୍ତୁ ଗୋଟିଏ ଭଲ ଦିନ କିମ୍ବା ଲକ୍ଷ୍ୟପଥରେ ପଂହଚିବାକୁ ଥକି ନଯାଇ ଲଗାତର ସଂଘର୍ଷ କରିବାକୁ ପଡିଥାଏ | ସବୁ ଭାଙ୍ଗି ଚୁରମାର ହୋଇଗଲା ପରେ ବି ନିଜ ଭିତରେ ସାହସ ବାନ୍ଧିବାକୁ ପଡେ | ଏହି ସାହସ ହିଁ ଆପଣଙ୍କୁ ବଡ କରିଥାଏ | ସବୁଠୁଁ ମହତ୍ତ୍ୱପୂର୍ଣ କଥା ହେଉଛି ଆପଣଙ୍କୁ ସେତିକିବେଳେ ମହାନ୍ ବୋଲି କୁହାଯିବ, ଯେତେବେଳେ ଆପଣ ଶିଖର ଛୁଇଁଲା ପରେ ମଧ୍ୟ ଆପଣ ସେହି ଭୂମିକୁ ଛାଡନ୍ତି ନାହିଁ, ଯେଉଁଥିରେ ଆପଣଙ୍କ ପୁରୁଣା ଜୀବନର ସ୍ପନ୍ଦନ ଏବେ ବି ଶୁଣିବାକୁ ମିଳୁଛି | ଏସବୁ କଥାକୁ ଯୋଡି ଯଦି କୌଣସି ଗୋଟିଏ ବ୍ୟକ୍ତିତ୍ୱକୁ ପରିଭାଷିତ କରିବାକୁ ଉଦ୍ୟମ କରାଯାଏ, ତେବେ ସେ ହେଉଛନ୍ତି ମନୋଜ ତିୱାରୀ | ଅଭିନେତା ଓ ଗାୟକ ମନୋଜ ତିୱାରୀ ତାଙ୍କର ସଂଘର୍ଷ ଫଳରେ ମାତ୍ର ୪୩ ବର୍ଷରେ ଦେଶର କେତେକ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସେ ସାମିଲ ହୋଇପାରିଛନ୍ତି |
ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ ଥିବା ମନୋଜ ତିୱାରୀଙ୍କୁ ଏହି ଲକ୍ଷ୍ୟସ୍ଥଳରେ ପଂହଚିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି | ୟୋର ଷ୍ଟୋରୀ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏମିତି କିଛି ତଥ୍ୟ ଦୁନିଆ ସାମ୍ନାରେ ରଖିଛନ୍ତି, ଯାହା ସମସ୍ୟା ଘରରେ ଥିବା ଲୋକଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ ହେବ|
ବିହାରର କୈମୁର୍ ଜିଲ୍ଲାରେ ଜନ୍ମ ନେଇଥିବା ମନୋଜ ନିଜ ପିଲାଦିନ ବିଷୟରେ କୁହନ୍ତି,
“ଗାଁର ସାଧାରଣ ପିଲାଙ୍କ ଭଳି ମୋର ଜୀବନ କଟିଥିଲା | ସ୍କୁଲରେ ପଢିବା ପାଇଁ ପ୍ରତିଦିନ ଚାରି କିଲୋମିଟର ଚାଲି ଚାଲି ଯିବାକୁ ପଡିଥିଲା | ଅଭାବ ଯୋଗୁଁ ହାଫ୍ ପ୍ୟାଣ୍ଟ ଓ ଗଂଜି ଆମ ଗାଁ ପିଲାଙ୍କର ୟୁନିଫର୍ମ ହୋଇଯାଇଥିଲା |”
ସେ କହିଛନ୍ତି, ଯେଉଁ ପରିସ୍ଥିତିରେ ସଂଘର୍ଷ କରି ଏବେ ସେ ଯେଉଁ ସ୍ଥିତିରେ ଅଛନ୍ତି, କୌଣସି ସ୍ୱପ୍ନ ଠାରୁ ବି କମ୍ ନୁହେଁ | ଭାବିଲେ ଲାଗେ, ଏ ସବୁ ସେହି ଉପରବାଲା ଭଗବାନଙ୍କ ପ୍ରଦତ୍ତ ଆର୍ଶିବାଦ | ପିଲାଦିନେ ହିଁ ସେ ବାପାଙ୍କୁ ହରାଇଥିଲେ | ମା’ଙ୍କ ଉପରେ ପରିବାରର ବୋଝ ପଡିଗଲା | ସେ ହିଁ ଉଭୟ ବାପା ଓ ମାଙ୍କ କାମ ତୁଲାଉଥିଲେ | ଏ କଥା କହିଲା ବେଳେ ମନୋଜ ଭାବବିହ୍ୱଳ ହୋଇଯାଇଥିଲେ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା | ସେ ପୁଣି କହିଲେ – “ଆଜି ମୁଁ ଯାହା ହୋଇଛି ଓ ଯେଉଁ ସ୍ଥିତିରେ ପଂହଚିଛି, ସେଥିରେ କେବଳ ମାଙ୍କର ହିଁ ହାତ ଅଛି | ପୁରା ଜୀବନ ସେ ମୋ ପଛରେ ଲଗାଇ ଦେଇଛି ଓ ଏବେ ବି କୌଣସି ନା କୌଣସି ବାଟରେ ସେ ସାହାଯ୍ୟ ଦେଇ ଚାଲିଛି | ଜୀବନରେ ମୁଁ ସେତିକିବେଳେ ସବୁଠୁ ଅଧିକ ଚିନ୍ତିତ ହୋଇଥିଲି, ଯେତେବେଳେ ମୁଁ ମୋ ମାଙ୍କୁ ଚିନ୍ତିତ ଦେଖିଥିଲି | ସବୁଠାରୁ ଅଧିକ ଖୁସୀ ହୁଏ, ଯେତେବେଳେ ମାକୁ ଖୁସୀ ଦେଖେ |”
ମନୋଜଙ୍କ କହିବା କଥା ହେଲା –
ସ୍କୁଲରେ ସ୍କଲାରସିପ୍ ପାଇ ପଢୁଥିବାରୁ କିଛି ଅସୁବିଧା ହୋଇନି | କିନ୍ତୁ ଆଗକୁ ପଢିବାରେ ବହୁତ ସମସ୍ୟା ହୋଇଛି | ସେ କହନ୍ତି – ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୯୯୨ରେ ଗ୍ରାଜୁଏସନ୍ ପାସ୍ କଲି | ଘରେ ଗହମ ଆଦି କୃଷି ସାମଗ୍ରୀ ବିକ୍ରି ମୋ ପାଖକୁ ପାଇସା ପଠାନ୍ତି| ବେଳେବେଳେ ଅମଳ ଖରାପ ହେଲେ, ସେ ପଠାଇ ପାରନ୍ତି ନାହିଁ | ଯାହା ହେଉ ବହୁ କଷ୍ଟରେ ପାଠ ପଢା ଶେଷ ହୋଇଗଲା | ଚାକିରି ପାଇଁ ଉଦ୍ୟମ କଲି | କିନ୍ତୁ ଲଗାତାର ମୁଁ ନିରାଶ ହୋଇଥିଲେ | ଆଉ ଏତିକି ବେଳେ ମୁଁ ଗୀତ ଗାଇପାରିବି ବୋଲି ଅନୁଭବ କଲି|
ୟୋର ଷ୍ଟୋରୀକୁ ସେ କହନ୍ତି,
ଗ୍ରାଜୁଏସନ୍ କରିବା ପରେ ଚାକିରି ନ ମିଳିବାରୁ ମୁଁ ଭାବିଲି ଏବେ କଣ କରିବି | ୧୯୯୨ରେ ମୁଁ ଗୋଟିଏ କାର୍ଯ୍ୟକ୍ରମରେ ଗୀତ ଗାଇଲି | ଏଥିରେ ପାରିଶ୍ରମିକ ଭାବେ ୧୪୦୦ଟଙ୍କା ମିଳିଥିଲା| ଏହି ପଇସା ହାତକୁ ଆସିବା ପରେ ମୋର ମଧ୍ୟରେ ଆତ୍ମବିଶ୍ୱାସ ଆହୁରି ବଢିଯାଇଥିଲା | ଏହି କ୍ଷେତ୍ରରେ କାହିଁକି ମୁଁ ଆଗକୁ ନ ବଢିବି ବୋଲି ମନରେ ଭାବନା ଆସିଥିଲା | ବାପାଙ୍କ ଗାୟନ ପରମ୍ପରାକୁ ଆଗକୁ ନେବାକୁ ଚିନ୍ତା କଲି | ଇତିମଧ୍ୟରେ ମୁଁ ଦିଲ୍ଲୀ ଚାଲିଆସିଥିଲି | ଜଣେ ସାଂସଦଙ୍କ ସର୍ଭେଣ୍ଟ କ୍ୱାଟର(ସହାୟକମାନଙ୍କ ଲାଗି ଉଦ୍ଦିଷ୍ଟ ବାସଗୃହ)ରେ ରହିଲି | ଗୀତ ଗାଇବା ପାଇଁ ଅନେକ ସ୍ଥାନକୁ ଯାଇଛି | ସେହି ଚାରିବର୍ଷ ସଂଘର୍ଷରେ କେତେ ଲୋକଙ୍କ ଠାରୁ ଯେ ଅପମାନିତ ହେବାକୁ ପଡିଛି, ତାର ହିସାବ ନାହିଁ | ଏଭଳିକି ଅନେକ ଅଫିସରୁ ଧକ୍କା ମାରି ବାହାର କରିଦିଆଯାଇଛି | ତଥାପି ହାର୍ ମାନିନଥିଲି| ଲଗାତାର ଉଦ୍ୟମ ଜାରି ରଖିଥିଲି | ପ୍ରତିଭା ଥିଲେ ଦିନେ ନା ଦିନେ ସଫଳତା ମିଳିବ | ମୋ କ୍ଷେତ୍ରରେ ମଧ୍ୟ ସେୟା ଘଟିଲା | ଟି ସିରିଜ୍ ମାଲିକ ଗୁଲଶନ୍ କୁମାର ମୋ ଗୀତ ଶୁଣିଲେ ଓ ମୋତେ ତାଙ୍କ କମ୍ପାନୀ ପାଇଁ ଗାଇବା ଲାଗି ସ୍ଥିର କଲେ | ସେହିଦିନ ଠାରୁ ପଛକୁ ଚାହିଁନି | ମୋ ଗୀତ ସବୁ ସୁପର ହିଟ୍ ହେଲା |
ପଂଜାବୀ କବି ଅବତାର ସିଂହ ପାଶ କହିଥିଲେ “ସ୍ଵପ୍ନଗୁଡିକର ମୃତ୍ୟୁ ସବୁଠୁ ଭୟଙ୍କର”। ମନୋଜ ତିୱାରୀ ମଧ୍ୟ ବିଶ୍ୱାସ କରନ୍ତି ଯେ ଯୁବକମାନେ ପ୍ରଥମେ ସେମାନେ କେଉଁ କ୍ଷେତ୍ରରେ ଯିବେ, ତାହା ସ୍ଥିର କରନ୍ତୁ | ଏହା ପରେ ସେମାନେ ଏହି କ୍ଷେତ୍ରରେ ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତୁ| ସେ କହନ୍ତି, ଜୀବନରେ ଏମିତି ତିନିଟି ସ୍ୱପ୍ନ ଦେଖିଥିଲି, ଯାହା ପୂରଣ ହୋଇଛି | ପ୍ରଥମେ ସ୍ୱପ୍ନ ଥିଲା କୌଣସି ବଡ ଘରର ଝିଅ ମୋ ଗୀତ ଶୁଣି ପସନ୍ଦ କରିବ | ଦ୍ୱିତୀୟରେ ଅମିତାଭ ବଚ୍ଚନଙ୍କୁ ଭେଟିବି ଓ ସେ ତାଙ୍କ ପୁଅ ଅଭିଷେକଙ୍କ ସହ ମୋତେ ପରିଚୟ କରାଇବେ | ୟଶରାଜ୍ ଫିଲ୍ମସ୍ ରେ ଏହି ସ୍ୱପ୍ନ ପୂରଣ ହୋଇଥିଲା | ତୃତୀୟଟି ହେଉଛି ସେ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବେ, ବାଜପେୟୀ ଅସୁସ୍ଥ ଥିବାରୁ ତାହା ଅବଶ୍ୟ ହୋଇପାରିନାହିଁ, ତେବେ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ନିବାସକୁ ଯାଏ, ମୋତେ ଲାଗେ ଯେମିତି ଏଠାରେ ଅଟଳଜୀ ରହୁଛନ୍ତି | ମୁଁ ଏହା ଭାବି ରୋମାଚିଂତ ହୋଇଯାଏ | ”
ତେବେ ମନୋଜ ତିୱାରୀଙ୍କ ଏଭଳି ଏକ ସ୍ୱପ୍ନ ଅଛି, ତାହା ଏବେ ବି ପୂରା ହୋଇନାହିଁ | ତାହା ହେଉଛି ଭୋଜପୁରୀକୁ ଭାଷାର ମାନ୍ୟତା ଦେବା | ସେ କହନ୍ତି, ଭୋଜପୁରୀ ହେଉଛି ଆମ ମା ଭଳି | ଏଥିରେ ଯେଉଁ ମଧୁରପଣ ଅଛି, ତାହା ଦୁର୍ଲଭ | ଆଠଟି ଦେଶରେ ଏହାକୁ ଭାଷାର ମାନ୍ୟତା ମିଳିଛି | ତେବେ ଆମ ଦେଶରେ କାହିଁକି ନୁହେଁ ? ୨୨-୨୪ କୋଟି ଲୋକଙ୍କ ଏହି ଭାଷା ଉପରେ ପ୍ରଧାନମନ୍ତ୍ରୀ ଗମ୍ଭୀରତାର ସହ ବିଚାର କରିବେ ବୋଲି ମୁଁ ଆଶା କରୁଛି | ମୁଁ ଏହି ଦିଗରେ କାମ ଜାରି ରଖିଛି |
ମନୋଜ ତିୱାରୀ ବର୍ତ୍ତମାନରେ ରହିବାକୁ ପନ୍ଦନ କରନ୍ତି | ଯେଉଁ କାମ କରନ୍ତି, ତାହାକୁ ପୂର୍ଣମାତ୍ରାରେ ମନଯୋଗ ଦେଇ କରନ୍ତି | ସେଥିପାଇଁ ଆଜି ସେ ସଫଳ ହୋଇଛନ୍ତି | ସେ କହନ୍ତି, ମୁଁ ଯେତେବେଳେ ଗୀତ ଗାଉଥାଏ, ସେଥିରେ ପୂରା ମଜ୍ଜି ଯାଇଥାଏ | ଆଉ ଯେତେବେଳେ ଲୋକଙ୍କ ସାଙ୍ଗରେ ରୁହେ, ସେତେବେଳେ ସେମାନଙ୍କ ସହ ହଜିଯାଏ | ତେଣୁ ସବୁବେଳେ ବର୍ତ୍ତମାନକୁ ଆଦର କରେ |
ସଫଳ ସେହି ହୁଏ, ଯେ ନିଜକୁ ଠିକ୍ ଭାବରେ ବିଚାର କରିପାରେ | ସାର୍ଥକ ସେହି ହୁଏ, ଯିଏ ନିଜ ଭିତରେ ଥିବା ଦୁର୍ବଳତା ଓ ଗୁଣକୁ ବୁଝିପାରେ| ସଶକ୍ତି ସେହି ମଣିଷ ହୁଏ, ଯେ ଜୀବନର ସବୁ ଝଡଝଂଜା ସହ ଟକ୍କର ଖାଇ ମଧ୍ୟ ପୁଣି ଉଠି ଛିଡାହୁଏ ଓ ଲକ୍ଷ୍ୟସ୍ଥଳରେ ପହଁଚେ | ମନୋଜ ଏସବୁ କରିପାରିଥିଲେ | ତେଣୁ ସେ ଆଜି ସଫଳତାର ଶୀର୍ଷରେ | ଯାହା କୋଟିକୋଟି ଲୋକଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚିତ |