ନୟନାଙ୍କର ଏକ ମାତ୍ର ଲକ୍ଷ୍ୟ ବିକାଶ

ନୟନାଙ୍କର ଏକ ମାତ୍ର ଲକ୍ଷ୍ୟ ବିକାଶ

Tuesday October 18, 2016,

2 min Read

ଶିକ୍ଷାଗତ ଯୋଗ୍ୟତା କହିଲେ ମାତ୍ର ଦ୍ଵିତୀୟ ଶ୍ରେଣୀ । ଅନ୍ୟପକ୍ଷରେ ଖୁବ୍ କମ୍ ବୟସରୁ ତାଙ୍କୁ ଛନ୍ଦି ଦିଆଯାଏ ବିବାହ ବନ୍ଧନରେ। ହେଲେ ଏସବୁକୁ ନେଇ ସେ କେବଳ ଘରକୋଣରେ ବସି ରହି ନାହାନ୍ତି, ବରଂ ନିଜର ବୁଦ୍ଧି ଏବଂ କାର୍ଯ୍ୟ ଦ୍ଵାରା ପହଞ୍ଚି ପାରିଛନ୍ତି ସଫଳତାର ଶୀର୍ଷରେ । ସାଉଁଟିଛନ୍ତି ଅନେକ ପୁରସ୍କାର ଏବଂ ପ୍ରଶଂସା ।

image


ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ ଗ୍ରାମ ପଞ୍ଚାୟତର ମାଳୁଆଗୋଡ଼ା ଗ୍ରାମର ଝିଅ ନୟନା ପାତ୍ର (ମା’-ଗୁନେଇ, ବାପା- ଭାସ୍କର ପାତ୍ର ) । ପିଲାଟିବେଳୁ ଅଞ୍ଚଳର ବିକାଶ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ ।

ତେଣୁ ଅଳ୍ପ ବୟସରେ ବିବାହ କରିଥିଲେ ସୁଦ୍ଧା ସେ ପାରିବାରିକ ଜଞ୍ଜାଳରେ ନିଜକୁ ସୀମିତ ରଖିନାହାନ୍ତି ।

image


ନୟନାଙ୍କ ଯାତ୍ରା

ପରିବାରର ସୁଖ ସମୃଦ୍ଧିକୁ ପଛରେ ପକାଇ ଜନସାଧାରଣ କିପରି ଶାନ୍ତିରେ ରହିବେ, ସେଥିପାଇଁ ଆରମ୍ଭ କରନ୍ତି ଏକ ବହୁମୁଖୀ କାର୍ଯ୍ୟକ୍ରମ । ଗୋଷ୍ଠୀ ବିକାଶ ଲକ୍ଷ୍ୟରେ ଘର ଘର ବୁଲି ପ୍ରତ୍ୟକ୍ଷ ସମ୍ପର୍କ ରଖିବା ସହିତ ମହିଳାମାନଙ୍କୁ ସଂଗଠିତ କରିବାରେ ଲାଗିପଡନ୍ତି । ନିଜେ ଅଳ୍ପ ପାଠ ପଢିଥିବାରୁ ଏହି ସମସ୍ୟା ଯେପରି ଅନ୍ୟ ଝିଅମାନେ ନ ଭୋଗନ୍ତି, ସେଥିଲାଗି ଆଖପାଖ ଗ୍ରାମରେ ପଛୁଆ ବର୍ଗର ଝିଅମାନଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ଆରମ୍ଭ କରନ୍ତି ଏକ ଆବାସିକ ବିଦ୍ୟାଳୟ । ତେବେ ନାରୀ ଶିକ୍ଷାର ଉନ୍ନତିରେ ପରିବାରର ଉନ୍ନତି ନିହିତ ଥିବା ପରି ଦେଶର ବିକାଶରେ ଗ୍ରାମାଞ୍ଚଳର ବିକାଶ ହିଁ ମୂଳକଥା । ଏହି ଉକ୍ତିକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ଅନୁରୋଧକ୍ରମେ ନୟନା ୱାର୍ଡମେମ୍ବର ଭାବେ ମଧ୍ୟ କାର୍ଯ୍ୟ କରନ୍ତି । ଆଉ ନିଜ ତଥା ଆଖପାଖ ଅଞ୍ଚଳ ଲାଗି ବିଭିନ୍ନ ବିକାଶାଭିମୁଖୀ କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ଅର୍ଜନ କରନ୍ତି । ଏହାବ୍ୟତୀତ ଆଦିବାସୀ ହରିଜନ ସଂଘ ଗଠନ ଓ ପରିଚାଳନା, ଗ୍ରାମର ଭୂମିହୀନ ପରିବାରକୁ ଜମିପଟ୍ଟା ପ୍ରଦାନ, ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ସହଯୋଗରେ ମଦ ବିରୋଧୀ ଆନ୍ଦୋଳନ, ଗ୍ରାମାଞ୍ଚଳ ଓ ବିଦ୍ୟାଳୟରେ ପାନୀୟ ଜଳଯୋଗାଣର ସୁବନ୍ଦୋବସ୍ତ, ବିଦ୍ୟାଳୟ ଗୃହ ନିର୍ମାଣ, ନିଜ ଅଞ୍ଚଳରେ ୨୫୦ ଏକର ପରିମିତ ଶାଳ ଜଙ୍ଗଲରେ ସୁରକ୍ଷା, ଅବ୍ୟବହୃତ ସରକାରୀ ଜମିରେ କାଜୁଗଛ ରୋପଣ, ୨୫ ମହିଳା ସ୍ଵୟଂସହାୟିକା ଗୋଷ୍ଠୀର ୨୫୦ ସଦସ୍ୟାଙ୍କୁ ବ୍ୟାଙ୍କ ଋଣ ତଥା ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିଭିନ୍ନ ଆର୍ଥିକ ଉଦ୍ୟୋଗ ପାଇଁ ସହାୟତା ପ୍ରଦାନ, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପରିଚାଳନା, ପଲ୍ଲୀ ସଭାରେ ମହିଳାମାନଙ୍କୁ ଗୁରୁତ୍ଵ, ଖାଦ୍ୟ ନିରାପତ୍ତା ଏବଂ ସମସ୍ତ ବିକାଶମୂଳକ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରିବା ସହିତ ସଡକ, ପୋଲ ନିର୍ମାଣ, ଗ୍ରାମ୍ୟ ବିଦ୍ୟୁତୀକରଣ, ପାଇଖାନା ନିର୍ମାଣ, ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ପୋଖରୀ ଖନନ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ବିକାଶ ଆଦି କ୍ଷେତ୍ରରେ ନୟନାଙ୍କ ନେତୃତ୍ଵ ଅତୁଳନୀୟ ।

ପୁରସ୍କୃତ ଓ ସଂମ୍ମାନ

ଏଥିପାଇଁ ସେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୧୦ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଶ୍ରେଷ୍ଠ ସାମାଜିକ କର୍ମୀ ଭାବେ ସମ୍ବର୍ଦ୍ଧିତ ହେବା ସହ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ତେବେ ପ୍ରତ୍ୟେକ କାର୍ଯ୍ୟରେ ସ୍ଵାମୀ ପରମାନନ୍ଦ ପାତ୍ରଙ୍କ ସହଯୋଗ ରହିଥିବା ସେ ପ୍ରକାଶ କରନ୍ତି ।

ବର୍ତ୍ତମାନ ସେ ନିଜ ଅଞ୍ଚଳରେ ଥିବା ଭିନ୍ନକ୍ଷମ, ବୃଦ୍ଧ ଓ ଅସହାୟମାନଙ୍କୁ ସରକାରୀ ସ୍ତରରେ ପ୍ରମାଣପତ୍ର କରାଇ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ନିଜର ଆତ୍ମବିଶ୍ଵାସ ଏବଂ ସମାଜଧର୍ମ କାର୍ଯ୍ୟକଳାପ ଯୋଗୁ ନୟନା ବର୍ତ୍ତମାନ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ସାଜିଛନ୍ତି ।