ଓଡ଼ିଆ ଉଇକିପିଡ଼ିଆ: ଇଣ୍ଟରନେଟରେ ବିଶାଳତମ ଅନଲାଇନ ଜ୍ଞାନକୋଷ ଗଢ଼ିବାର ଅଭିଯାନ
ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ଏନସାଇକ୍ଲୋପିଡ଼ିଆ ଉଇକିପିଡ଼ିଆକୁ ଆଜି ୧୪ ବର୍ଷ ପୂରିଲା । ଏ ଅବସରରେ ଏହି ପ୍ରକଳ୍ପ ଓ ତାକୁ ଗଢୁଥିବା ସ୍ୱେଚ୍ଛାସେବୀ ଉଇକିଆଳିଙ୍କ ବାବଦରେ ଏକ ଆଲେଖ ।
ଜଣାଶୁଣା ବ୍ୟକ୍ତି, ବିଷୟ, ଘଟଣା, ସ୍ଥାନ ଆଦି ବିଷୟରେ ସଂକ୍ଷେପରେ ଲେଖିବା ପାଇଁ ଏନସାଇକ୍ଲୋପିଡ଼ିଆ ବା ଜ୍ଞାନକୋଷର ପରିକଳ୍ପନା । ତାକୁ ପୁଣି ଇଣ୍ଟରନେଟର ଉପଲବ୍ଧ କରିବା ପାଇଁ ୨୦୦୧ରେ ଆରମ୍ଭ ହେଲା ଉଇକିପିଡ଼ିଆ (Wikipedia) । ପ୍ରଥମେ ଇଂରାଜୀରେ ଆରମ୍ଭ ହୋଇ ପରେ ବିଭିନ୍ନ ଭାଷାକୁ ଏହା ବଢ଼ିଲା । ଆଉ ଇଂରାଜୀ ଉଇକିପିଡ଼ିଆ ଆରମ୍ଭ ହବାର ବର୍ଷଟିଏ ପରେ ୨୦୦୨ ମସିହାରେ ଓଡ଼ିଆ, ଅହମିୟା, ପଞ୍ଜାବୀ ଓ ମାଲାୟାଲାମ ଭାଷାରେ ମଧ୍ୟ ଉଇକିପିଡ଼ିଆ ଆରମ୍ଭ ହେଲା । ପ୍ରଥମ ଚାରୋଟି ଭାରତୀୟ ଭାଷାରେ ତିଆରି ଉଇକିପିଡ଼ିଆ ଭିତରୁ ଓଡ଼ିଆ ଗୋଟେ ବୋଲି ଅନେକଙ୍କୁ ଆଜି ବି ଅଜଣା । ଇଣ୍ଟରନେଟରେ https://or.wikipedia.org ରେ ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆ ପାଖାପାଖି ୯ ବର୍ଷ ଧରି ସକ୍ରିୟ ସମ୍ପାଦନାର ଅଭାବରୁ ୨୦୧୧ ଯାଏ ଏକ ରକମ ନିଷ୍କ୍ରିୟ ହୋଇ ପଡ଼ିରହିଥିଲା । ୨୦୧୧ରେ ଏଥିରେ ଅନେକ ସ୍ୱେଚ୍ଛାସେବୀ ସମ୍ପାଦକ ବା ଉଇକିଆଳିମାନେ ଯୋଡ଼ିହୋଇ ଲେଖିବା ଆରମ୍ଭ କରିବା ଫଳରେ ଅଧୁନା ଏଥିରେ ୧୦,୬୧୯ ସଂଖ୍ୟକ ପ୍ରସଙ୍ଗ ଲେଖାସରିଲାଣି । ଆଉ ନିତି ନୂଆ ନୂଆ ଲେଖା ଏଥିରେ ଯୋଡ଼ିହୋଇ ଚାଲିଛି ।
ତେବେ ଜଣେ ସାଧାରଣ ପାଠକ ପାଇଁ ଉଇକିପିଡ଼ିଆରେ କଣ ରହିଛି ତାହା ଜାଣିବା ବେଶି ଜରୁରୀ । ଜ୍ଞାନ ଆହରଣର ବାଟ ପିଢ଼ିରୁ ପିଢ଼ିକୁ ବଦଳେ । ଆମ ପିଲାବେଳେ ଆମେ କାଁ ଭାଁ କମ୍ପ୍ୟୁଟର ଓ ଇଣ୍ଟରନେଟର ସୁବିଧା ପାଉଥିଲୁ । ଆଉ ସେତେବେଳେ ଓଡ଼ିଆ ମିଡ଼ିଅମ ସ୍କୁଲର ପାଠାଗାର କିଛି ଗପ ଉପନ୍ୟାସ ବହି ଭିତରେ ସୀମିତ ଥିଲା । ନୂଆ ବହିଟିଏ ଦେଖିବା ଆଗରୁ କାନ୍ଥରୁ ଚୂନ ଝଡ଼ିପଡୁଥିଲା । ହେଲେ ଏବେ ଘରେ ଘରେ ଏକାଧିକ ମୋବାଇଲ ଆଉ ସେସବୁ ପୁଣି ଇଣ୍ଟରନେଟ ସୁବିଧା ଥିବା ସ୍ମାର୍ଟଫୋନ ଆସିଲାଣି । ସ୍କୁଲ ପିଲାଏ ଆଉ କିଛି କରନ୍ତୁ ନ କରନ୍ତୁ କିନ୍ତୁ ଗେମ ଖେଳିବା କି ଫେସବୁକ ଆଦିରେ ସାଙ୍ଗମାନଙ୍କ ସଙ୍ଗେ ଚାଟିଂ ଆଦି କରିବାରେ ପୋକ ହେଲେଣି । ଇଣ୍ଟରନେଟ କମ୍ପୁଟରରୁ ସମ୍ପୂର୍ଣ୍ଣ ମୋବାଇଲମୁଖୀ ହୋଇଗଲାଣି । ପିଲାଙ୍କଠୁ ବଡ଼ ଯାଏ କାହା ପାଖେ ଆଉ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ଭଳି ଓଜନିଆ ପୋଥି ଦେଇ କିଛି ଖୋଜିବା ପାଇଁ ବେଳ ନାହିଁ । ତେଣୁ ଏଭଳି ପରିସ୍ଥିତିରେ କୌଣସି ବିଷୟକୁ ଅଧିକ ଲୋକାଭିମୁଖୀ କରିବାର ସୁବିଧା ବାଟ ହେଉଛି ସେସବୁକୁ ଇଣ୍ଟରନେଟରେ ଉପଲବ୍ଧ କରାଇବା । ତେବେ ବହି ବା ଜର୍ଣ୍ଣାଲର ବିକଳ୍ପ ନୁହେଁ ବରଂ ବହି ସଙ୍ଗେ ଭିନ୍ନ ଏକ ମାଧ୍ୟମରେ ଜ୍ଞାନ ବିତରଣର ବାଟ ରୂପରେ ଇଣ୍ଟରନେଟ ଅଧିକରୁ ଅଧିକ ଲୋକଙ୍କ ପାଖେ ପହଞ୍ଚିପାରୁଛି ।
ବିଭିନ୍ନ ଭାଷାରେ ଇଣ୍ଟରନେଟରେ ଜ୍ଞାନ ଆହରଣର ସ୍ଥିତି ଭିନ୍ନ । ତେବେ ଓଡ଼ିଆ ପାଇଁ ଇଣ୍ଟରନେଟର ଅବସ୍ଥା ଯେତେ ଚିନ୍ତାଜନକ ଓଡ଼ିଆ ଭାଷାକୁ ଇଣ୍ଟରନେଟରେ ଅଧିକ ବ୍ୟବହାର ଉପଯୋଗୀ କରିବା ସେତେ ଅଧିକ ଲୋଡ଼ା । ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୧.୪ ଭାଗ ଲୋକଙ୍କ ପାଖେ ଇଣ୍ଟରନେଟର ସୁବିଧା ଥିଲା । ଏହି ପାଞ୍ଚ ବର୍ଷ ଭିତରେ ଏହା ବହୁ ଅଧିକ ବଢ଼ିଥିବ । ହେଲେ ସେ ସଭିଏଁ କଣ ସତରେ ଇଣ୍ଟରନେଟର ବ୍ୟବହାର କରୁଛନ୍ତି ନାଁ ସୀମିତ କେତୋଟି ସାଇଟ ଭିତରେ ସୀମିତ । ଅଧିକାଂଶ ତଥାକଥିତ ଇଣ୍ଟରନେଟ ବ୍ୟବହାରକାରୀ ଫେସବୁକରେ ସାଙ୍ଗମାନଙ୍କ ସଙ୍ଗେ ଭାବ ଦିଆନିଆ କି ହୁଆଟସଆପରେ ପରିଚିତଙ୍କ ସଙ୍ଗେ ଆଳାପ ଅଥବା ଇଉଟିଉବରୁ ଗୀତ ଶୁଣିବା ବାହାରେ ବେଶୀ କିଛି ଜାଣନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ପାଇଁ ସବୁଠୁ ବେଶୀ ପରିଚିତ ଭାଷା ଓଡ଼ିଆରେ ବେଶୀ ୱେବସାଇଟ ନାହିଁ । ଖବର ପଢ଼ାଳିଙ୍କ ପାଇଁ ନାଁ ଭଲ ଖବର ୱେବସାଇଟଟିଏ ରହିଛି ନାଁ ଗବେଷକଙ୍କ ପାଇଁ ଆମ ଐତିହ୍ୟ ଓ ପୁରୁଣା ଶିଳ୍ପ ବାବଦରେ ପଢ଼ିବା ପାଇଁ ଆମ ମିଉଜିଅମ ୱେବସାଇଟରେ ସମସ୍ତ କଳାକୃତିର ତଥ୍ୟ ଓଡ଼ିଆରେ ଦିଆଯାଇଛି । ସେମିତି ଭିନ୍ନ ଭିନ୍ନ ବିଷୟରେ ବିଭିନ୍ନ ବିଷୟ ଜାଣିବା ପାଇଁ ଓଡ଼ିଆରେ ନିହାତି ଦରକାରୀ ବିଷୟ ମଧ୍ୟ ଇଣ୍ଟରନେଟରେ ନାହିଁ । ଏଭଳି ଓଡ଼ିଆରେ ପ୍ରକାଶିତ କେଇଶହ ଖବରକାଗଜ ଭିତରୁ କେବଳ ଗୋଟେ କାଗଜର ଖବରଗୁଡ଼ିକ ଇଣ୍ଟରନେଟରେ ଖୋଜିପାଇହେବ । କାରଣ ବାକି ଖବରକାଗଜର ଲେଖା ଇଉନିକୋଡ଼ ଭଳି ଆନ୍ତର୍ଜାତିକ ମାନକକୁ ନ ଆପଣାଇ ଆକୃତି, ଶ୍ରୀଲିପି ଆଦି ପୁରୁଣାକାଳିଆ ଅଣ-ମାନକ ସଫ୍ଟଓଏରରେ ଲେଖି ଛବି ଭାବେ କିମ୍ବା ପିଡିଏଫ ଡକୁମେଣ୍ଟ ଭାବେ ସେମାନଙ୍କ ସାଇଟରେ ଉପଲବ୍ଧ । ସେଗୁଡ଼ିକ ଦେଖିବାକୁ ଭିନ୍ନ ନ ଲାଗିଲେ ମଧ୍ୟ ଗୁଗୁଲ ବା ସର୍ଚ ଇଞ୍ଜିନରେ ଓଡ଼ିଆରେ ଟାଇପ କରି ଖୋଜିହୁଏନାହିଁ କିମ୍ବା ମୋବାଇଲ ଆଦିରେ ସଳଖେ ପଢ଼ିହୁଏନାହିଁ ।
ଓଡ଼ିଆରେ ୧୯୩୦ ମସିହାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ବିଶାଳ ଜ୍ଞାନକୋଷ ରଚନା କାମ ଆଜିଯାଏ ଆଉ କିଛି ହୋଇପାରିନାହିଁ । ଆଧୁନିକ ଟେକନୋଲୋଜି ବ୍ୟବହାର କରି ଏବେ ଉଇକିପିଡ଼ିଆ ଅତୀତ ସହ ସନ୍ଧିଟିଏ ତିଆରି କରିପାରିବ । ଏହା ସମ୍ପୂର୍ଣ୍ଣ ଭାବେ ଅଣ-ଲାଭକାରୀ ଓ ଏଥିରେ ବିଜ୍ଞାପନ ନ ଥାଏ । ଏଥିରେ ଲେଖାଗୁଡ଼ିକ ଲେଖୁଥିବା ଉଇକିଆଳିଏ ସଭିଏଁ ସ୍ୱେଚ୍ଛାସେବୀ ଓ ଲେଖାସବୁ ସେମାନଙ୍କ ସ୍ୱତ୍ୱାଧୀକାରରେ ପ୍ରକାଶିତ । ତେବେ ଜ୍ଞାନ ବିତରଣ ଉଦ୍ଦେଶ୍ୟରେ ତିଆରି ହୋଇଥିବାରୁ ଲେଖାସବୁ କପିରାଇଟ ଦେଇ ନ ରୋକିବା ଲାଗି ସେସବୁ କ୍ରିଏଟିଭ କମନ୍ସ ସେଆର-ଏଲାଇକ ଲାଇସେନ୍ସରେ ବିତରିତ । ଫଳରେ ସଭିଏଁ ମାଗଣାରେ ପଢ଼ିପାରିବେ, ପ୍ରସଙ୍ଗଗୁଡ଼ିକ ପୁନବ୍ୟବହାର କରିପାରିବେ ଓ ଉଭୟ ଲାଭକାରୀ ଓ ଅଣଲାଭକାରୀ କାମରେ ବ୍ୟବହାର କରିପାରିବେ । ଏଥି ସହିତ କୌଣସି ଲେଖାରେ ଭୁଲ ପାଇଲେ ଜଣେ ଲେଖା ସମ୍ପାଦନା କରି ସୁଧାରିପାରିବେ । ଏଥିରେ ଲେଖା ଓ ସମ୍ପାଦନା ପଦ୍ଧତି ଏତେ ଖୋଲା ଯେ ପ୍ରାୟ ସବୁ ଲେଖା ଏକ ନୁହେଁ ଅନେକ ଲୋକଙ୍କ ଦେଇ ଏକାଠି ଲିଖିତ । ତେବେ ଲେଖାର ମାନରେ ସମତା ରଖିବା ନିମନ୍ତେ କେତେଗୁଡ଼ିଏ ନିୟମାବଳୀ ଅକ୍ରିୟ ସଭ୍ୟମାନେ ମିଶି ତିଆରି କରିଛନ୍ତି । ଏଗୁଡ଼ିକ ୨୯୩ଟି ଭାଷାରେ ଉପଲବ୍ଧ ସବୁ ଉଇକିପିଡ଼ିଆ ପାଇଁ ମୋଟାମୋଟି ଏକା ହେଲେ ମଧ୍ୟ ଭିନ୍ନ ଭିନ୍ନ ଭାଷାଭାଷୀ ଉଇକିଆଳିଗଣ ନିଜ ଭାଷା ଓ ସମାଜର ଆବଶ୍ୟକତାକୁ ଆଖିରେ ରଖି ସେଗୁଡ଼ିକୁ ସାମାନ୍ୟ ବଦଳାଇଛନ୍ତି । ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବାବଦରେ କିମ୍ବା ଘଟଣା ବାବଦରେ ଲିଖିତ ପ୍ରସଙ୍ଗ ଏକପାଖିଆ ନ ହୋଇ ନିରପେକ୍ଷ ଭାବେ ଲେଖିବା ଏହି ନିୟମାବଳୀ ମଧ୍ୟରୁ ଏକ ମୁଖ୍ୟ ନିୟମ । ସେହି ଭଳି ନିଜ ବ୍ୟକ୍ତିଗତ ମତ ବଦଳରେ କେବଳ ପ୍ରକାଶିତ ତଥ୍ୟ ଲେଖିବା ଆଉ ଏକ ନିୟମ । ସବୁଠାରୁ ମଜାର କଥା ହେଲା ଉଇକିପିଡ଼ିଆ କୌଣସି ଦେଶ ବା ସଙ୍ଗଠନ ଅଧୀନରେ ନ ଥାଇ ଏହା ଉପରେ ପ୍ରତିଟି ଉଇକିଆଳିଙ୍କ ସମାନ ଅଧିକାର ରହିଛି । ପୁଣି ସେମାନଙ୍କ ଭିତରେ ସେମାନଙ୍କ କାମକୁ ନେଇ ଦାୟିତ୍ୱ ବଣ୍ଟାଯାଇଛି । ବିବାଦ ଉପୁଜିଲେ ବି ସୁଧାରିବାକୁ ରହିଛି କିଛି ସ୍ୱେଚ୍ଛାସେବୀଙ୍କୁ ନେଇ ତିଆରି କମିଟିମାନ ।
ତେବେ ଉଇକିପିଡ଼ିଆରେ ଥିବା ସବୁଯାକ ଲେଖାକୁ ଆଖିବୁଜି ଗ୍ରହଣ କରାଯାଇପାରିବ ନାହିଁ । କାରଣ ପ୍ୟାରିସ ଉପରେ ଥିବା ଲେଖାଟି ଶହେ କି ହଜାରେ ଲୋକ ମିଶି ଲେଖିଥିବା ବେଳେ ଭୁବନେଶ୍ୱର ଉପରେ ଥିବା ଲେଖାଟି ହାତଗଣତି କେତେ ଜଣ ହୁଏତ ଲେଖିଥିବେ । ଯେଉଁ ଲେଖା ଯେତେ ଅଧିକ ଅଭିଜ୍ଞତା ଥିବା ଲୋକଙ୍କ ଦେଇ ଯେତେ ଘସା ମଜା ହୋଇ ଲେଖାହୋଇଥିବ ସେ ଲେଖା ସେତେ ଉଜ୍ଜଳ ହୋଇ ଚମକୁଥିବ । ଓଡ଼ିଆ ଓ ଓଡ଼ିଶା ସମ୍ବନ୍ଧିତ ଲେଖାସବୁରୁ ଇଂରାଜୀ ଉଇକିପିଡ଼ିଆରେ ମଧ୍ୟ ଭଲ ଲେଖା ଖୋଜି ପାଇବା କଷ୍ଟ । ଆଉ ଓଡ଼ିଆରେ ଲେଖୁଥିବା ଉଇକିଆଳିଙ୍କ ସଂଖ୍ୟା ପାଖାପାଖି ୩୦ ଭିତରେ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭିତରୁ ଯଦି ଏତେ କମ ଲୋକ ଏତେ ବଡ଼ କାମର ବୋଝ ଉଠାଉଥିବେ ତେହେଲେ ସବୁ ଲେଖାର ମାନ ଯେ ଏକା ଭଳି ଓ ସବୁ ଲେଖାରେ ଆବଶ୍ୟକୀୟ ସବୁ ତଥ୍ୟ ମିଳିବ ତା'ର ମାନେ ନାହିଁ । ତେଣୁ କେବେ କେବେ ବିଭିନ୍ନ ମେଳା ମଉଛବକୁ ଧରି ଲେଖାଳିଏ ମିଶି ଗୋଟେ ବିଷୟରେ ଅଧିକ ଲେଖା ଲେଖିବା ପାଇଁ ଗଣ-ସମ୍ପାଦନା କରନ୍ତି । ଜଗନ୍ନାଥ ଚଳଣି ଉପରେ ଲିଖିତ ପ୍ରସଙ୍ଗସବୁ ନବକଳେବର ସମୟରେ ବିଭିନ୍ନ ଖବରକାଗଜ ଓ ପତ୍ରିକା ଆଦିରୁ ତଥ୍ୟ ସଂଗ୍ରହ କରି ବହୁଭାବେ ଉନ୍ନତ କରାଯାଇଥିଲା । ଏବେ ଏ ପ୍ରସଙ୍ଗସବୁ ଉଇକିପିଡ଼ିଆର ବାକି ପ୍ରସଙ୍ଗସବୁଠାରୁ ଅଧିକ ତଥ୍ୟରେ ଭରା । ଏଥିରେ ଲେଖିବାକୁ ଆଗ୍ରହୀ ଓଡ଼ିଆମାନେ ଏହି ପୃଷ୍ଠାରେ ଦିଆଯାଇଥିବା ସରଳ ନିର୍ଦ୍ଦେଶ ପଢ଼ି ନିଜେ ମଧ୍ୟ ବିଭିନ୍ନ ସ୍ଥାନ ଓ ଅନ୍ୟାନ୍ୟ ବିଷୟରେ ଲେଖିପାରିବେ ।
ଉଇକିପିଡ଼ିଆ ହେଉଛି ଏକ ଯାତ୍ରା । ଆଉ ଏ ବାଟ ଅସରନ୍ତି । ଯେତେ ଲେଖିଲେ ବି ସରିବନି କିନ୍ତୁ ଏ ଲେଖା ଚାଲିରହିଥିବ । ଆଜି ଓଡ଼ିଆଙ୍କ ଭିତରେ ଅଳପ ଜଣା ଉଇକିପିଡ଼ିଆ ଜଗତର ବାକି ଭାଷାରେ ପ୍ରକାଶିତ ଉଇକିପିଡ଼ିଆ ଓ ବାକି ଜ୍ଞାନକୋଷ ସଙ୍ଗେ ସମକକ୍ଷ ହୋଇ ଓଡ଼ିଆଙ୍କ ମଥାକୁ ଟେକି ଧରିବା ପାଇଁ ସପନ ଦେଖିବା ପାଇଁ ଲୋଡ଼ା ଅଧିକରୁ ଅଧିକ ହାତ । ଓଡ଼ିଆ ଉଇକିପିଡ଼ିଆର ଏ ଜୟଯାତ୍ରା ପାଳନ କରିବା ପାଇଁ ଭୁବନେଶ୍ୱରରେ ପାଳିତ ହେଉଛି ଏକ ସାଧାରଣ ସଭା ଓ ସବିଶେଷ ଏହି ପୃଷ୍ଠାରେ ପଢ଼ିପାରିବେ ।