ଓଡ଼ିଶାରେ ସାହିତ୍ୟ ଉତ୍ସବ

ଓଡ଼ିଶାରେ ସାହିତ୍ୟ ଉତ୍ସବ

Tuesday April 26, 2016,

7 min Read

ସାହିତ୍ୟ ଉତ୍ସବ କହିଲେ ଆମ ଆଗରେ ଆଗରୁ ଏମିତି ଗୋଟେ ଚିତ୍ର ଥିଲା: ସାମନାରେ ଉଚ୍ଚ ମଞ୍ଚ ଥିବ, ସେଥିରେ କେତେଜଣ ଅତିଥି ବସି ଜଣକ ପରେ ଜଣେ ଭାଷଣ ଦେବେ ଓ ତଳେ କିଛି ଅନୁରାଗୀ ଲୋକ ତାହା ଶୁଣୁଥିବେ । ମିଞ୍ଜିମିଞ୍ଜି ଆଲୁଅ ଜଳୁଥିବ, ଅତ୍ୟନ୍ତ ମାନ୍ଦା ପରିବେଶରେ ଗୋଟେ ନିରସ ସଭା ଚାଲିଥିବ । ଆୟୋଜକ ମାଗିଯାଚି ଓ ଲେକକମାନଙ୍କ ସହଯୋଗରେ କଷ୍ଟେମଷ୍ଟେ ସଭାଟିଏ ଆୟୋଜନ କରୁଥିବେ । କେଉଁଠି ଖୋଲା ପଡ଼ିଆରେ, ମନ୍ଦିରରେ, ସଭାଗୃହରେ ବା ଟିକେ ଅଧିକ ଟଙ୍କା ଯୋଗାଡ଼ ହୋଟେଲ ସମ୍ମିଳନୀ କକ୍ଷରେ ଏଭଳି ସଭାଟିଏ ହୋଇଥାଏ ।

PC: ktedwards.co.uk

PC: ktedwards.co.uk


ଏବେ କିନ୍ତୁ ଧାରା ବଦଳିଛି । ଭାଷଣ ଦେବା ଆଉ ଶୁଣିବାର ପାରମ୍ପରିକ ସଭା ବହୁ ସଂଖ୍ୟାରେ ହେଉଥିଲେ ହେଁ ଉଭୟ ଲେଖକ ଓ ସାହିତ୍ୟ ଅନୁରାଗୀଙ୍କୁ ଅଧିକ ନିକଟତର କରିବା ପାଇଁ ସାହିତ୍ୟ ଉତ୍ସବ ବା ଲିଟରେଚର ଫେଷ୍ଟିଭାଲ ମାନ ଆୟୋଜିତ ହେଲାଣି । ସାହିତ୍ୟକୁ ଏକ ଗୌଣ ବା ନିରସ ବା ଧଇଁଆ ପ୍ରସଙ୍ଗ ବୋଲି ପ୍ରଦର୍ଶିତ କରିବାର ସମୟ ଆଉ ନାହିଁ । ବଡ଼ବଡ଼ ହୋଟେଲରେ ବହୁ ଆଡ଼ମ୍ବରରେ ଏକାଧିକ ଦିବସ ଧରି ଏ ଧରଣର ସଭା ଆୟୋଜିତ ହେଉଛି । ଏକ ଲକ୍ଷ ଟଙ୍କାରୁ ଆରମ୍ଭ କରି ଗୋଟିଏ ଗୋଟିଏ ଏଭଳି ଉତ୍ସବରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଅର୍ଥ ବ୍ୟୟ ହୋଇ ପାରୁଛି । ଏପରିକି ବିଶ୍ୱର ସବୁଠୁ ବଡ଼ ମୁକ୍ତ ସାହିତ୍ୟ ଉତ୍ସବ କୁହାଯାଉଥିବା ୫ ଦିନିଆ ଜୟପୁର ଲିଟରେଚର ଫେଷ୍ଟିଭାଲରେ କୋଟିକୋଟି ଟଙ୍କା ବ୍ୟୟ କରାଯାଏ । ଲେଖକମାନଙ୍କୁ କୌଣସି ରାଜା ଠାରୁ କମ୍‍ ସମ୍ମାନ ମିଳେନା, ଏଭଳି ଉତ୍ସବମାନଙ୍କରେ ।

ଓଡ଼ିଶା ବି ଏ ପରମ୍ପରାରେ ବେଶ୍‍ ଆଗରେ ରହିଛି । ଦିନ ତମାମ ବକ୍ତାମାନେ ବିଭିନ୍ନ ପ୍ରସଙ୍ଗରେ ଭାଷଣ ଦେବା, ପରସ୍ପର ସହ ତର୍କ କରିବା ଓ ଶ୍ରୋତାଙ୍କ ସହ ବାର୍ତାଳାପ କରିବା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସବଗୁଡ଼ିକ ଅଧିକ ଜୀବନ୍ତ ହେଉଛି । ସାହିତ୍ୟ ଏହା ଦ୍ୱାରା କେତେ ଲାଭବାନ ହେଉଛି ତାହା ଭିନ୍ନ କଥା, କିନ୍ତୁ ଏଭଳି ଉତ୍ସବ ମାଧ୍ୟମରେ ସାହିତ୍ୟ ପ୍ରତି ସାଧାରଣରେ ଥିବା ଗୌଣ ମନଭାବଟି ଅନ୍ତତଃ ବଦଳି ଯାଇଛି । ସାହିତ୍ୟ କହିଲେ ଅନେକେ ଗଳ୍ପ, କବିତା ବା ଉପନ୍ୟାସ ଆଦି ଲିଖିତ ତତ୍ୱକୁ ବୁଝନ୍ତି । କିନ୍ତୁ ସାହିତ୍ୟ ଉତ୍ସବମାନଙ୍କରେ ଏବେ ଏହା ସାଙ୍ଗକୁ ସିନେମା, କ୍ରୀଡ଼ା, କଳା ଏପରିକି ରାଜନୀତି ଆଦି ପ୍ରସଙ୍ଗ ମଧ୍ୟ ଯୋଡ଼ି ହେଲାଣି । ବର୍ଷ ତମାମ ଓଡ଼ିଶାରେ ହଜାରରୁ ଅଧିକ ସାହିତ୍ୟ ସଭା ହେଉଥିବା ବେଳେ ଏବେ ୧୦ରୁ ଅଧିକ ଏଭଳି ସାହିତ୍ୟ ଉତ୍ସବ ଆୟୋଜିତ ହେଉଛି । ଦେଶର ଅନ୍ୟ ପ୍ରାନ୍ତରେ ସାହିତ୍ୟ ଉତ୍ସବମାନଙ୍କୁ ଅନୁକରଣ କରି ୨୦୧୧ ମେ ମାସରେ ପ୍ରକାଶନ ସଂସ୍ଥା ପେନ୍‍ ଇନ୍‍ ପକ୍ଷରୁ ପର୍ବ ନାମରେ ଏକ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଥିଲା । ଯେଉଁଭଳି ପ୍ରଚାର ଓ ଯୋଜନା ହୋଇଥିଲା, ଉତ୍ସବଟି କିନ୍ତୁ ସେ ଧରଣର ଆଦୌ ହୋଇ ପାରିନଥିଲା । ବରଂ ଏହା ଅନ୍ୟ ସାଧାରଣ ସଭା ଭଳି ପୁସ୍ତକ ଉନ୍ମୋଚନ ଓ ସାହିତ୍ୟ ଆଲୋଚନା ଚକ୍ରରେ ସୀମିତ ହୋଇ ପରବର୍ତୀ ବର୍ଷକୁ ନିଜର ସତ୍ତା ହରାଇଲା । ତେବେ ୨୦୧୨ ମସିହାରେ ଅ‍ାଉଟଲୁକ୍ ପତ୍ରିକା ପକ୍ଷରୁ ପ୍ରକାଶିତ ଭାରତର ପ୍ରମୁଖ ଉତ୍ସବ ତାଲିକାରେ ପେନ୍‍ ଇନ୍‍ ପର୍ବ ସ୍ଥାନ ପାଇ ଓଡ଼ିଶାରେ ଏଭଳି ଉଦ୍ୟମ କରୁଥିବା ଅନ୍ୟମାନଙ୍କ ଲାଗି ଆଶା ସଂଚାର କରିଥିଲା । ୨୦୧୨ ମସିହାରୁ ଓଡ଼ିଶାରେ ଆରମ୍ଭ ହେଲା ସାହିତ୍ୟ ଉତ୍ସବ ଆୟୋଜନର ନୂଆ ଯୁଗ । ସାହିତ୍ୟ ସହ ବ୍ୟାପକ ଆଡ଼ମ୍ବର ଓ ଗ୍ଲାମର ଯୋଡ଼ିହେଲା ।

ଆସନ୍ତୁ ଏବେ ଓଡ଼ିଶାରେ ଆୟୋଜିତ ହେଉଥିବା କିଛି ପ୍ରମୁଖ ସାହିତ୍ୟ ଉତ୍ସବ ବାବଦରେ ଆଲୋଚନା କରିବା ।

image


ପ୍ରଜାତନ୍ତ୍ର ବିଷୁବ ମିଳନ

ରାଜ୍ୟରେ ଏବେ ଆୟୋଜିତ ସାହିତ୍ୟ ଉତ୍ସବମାନଙ୍କ ମଧ୍ୟରେ ‘ପ୍ରଜାତନ୍ତ୍ର ବିଷୁବ ଉତ୍ସବ’ ହେଉଛି ସର୍ବ ପୁରାତନ । ଦୀର୍ଘ ୬୭ ବର୍ଷ ଧରି କଟକରେ ଓଡ଼ିଆ ନୂଆ ବର୍ଷ ବା ବିଷୁବ ସଂକ୍ରାନ୍ତି ଅବସରରେ ଏହା ଆୟୋଜିତ ହୋଇଆସୁଛି । ପ୍ରଜାତନ୍ତ୍ର ଖବରକାଗଜ ଓ ମାସିକ ସାହିତ୍ୟ ପତ୍ରିକା ‘ଝଙ୍କାର’ର ପ୍ରକାଶକ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ପକ୍ଷରୁ ଏହା ଆୟୋଜିତ ହୋଇଥାଏ । ପ୍ରଜାତନ୍ତ୍ରର ପ୍ରତିଷ୍ଠାତା, ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ଉତ୍ସବ ଆରମ୍ଭ କରିଥିଲେ । ଉତ୍ସବର ଉଦ୍ଦେଶ୍ୟ ଥିଲା, ଓଡ଼ିଆ ସାହିତ୍ୟର ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିବା, ରାଜ୍ୟର ସବୁ ଲେଖକଙ୍କୁ ଏକାଠି କରିବା ଓ ଗୁଣ ଚିହ୍ନି ସେମାନଙ୍କୁ ପୁରସ୍କାର-ସମ୍ମାନ ମାଧ୍ୟମରେ ସ୍ୱୀକୃତି ଦେବା । ଏକଦା ରାଜ୍ୟର ସବୁଠୁ ବଡ଼ ପୁରସ୍କାରର ମାନ୍ୟତା ପାଇଥିବା ଏ ଉତ୍ସବ ଯଦିଓ ଏବେ ପୂର୍ବ ଔଜଲ୍ୟ ହରେଇ ସାରିଲାଣି, ତଥାପି ପରମ୍ପରା ଜାରି ରହିଛି । ତିନିଦିନ ଧର କଟକରେ ଏହି ଉତ୍ସବ ହୋଇଥାଏ ଓ ବିଷୁବ ଦିନ ପୁରସ୍କାର ଦିଆଯିବା ସହ ଉତ୍ସବ ଉଦ୍‍ଯାପନ ହୁଏ ।

image


କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଭୁବନେଶ୍ୱର କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ 13 ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ‘କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ’ ରାଜ୍ୟର ସବୁଠୁ ବଡ଼ ସାହିତ୍ୟ ଉତ୍ସବର ମାନ୍ୟତା ପାଇ ସାରିଛି । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୫୦୦୦ରୁ ଅଧିକ ଲେଖକ ଯୋଗ ଦେଇଥାନ୍ତି । ଉତ୍ସବରେ ଜାତୀୟ ସ୍ତରର ବହୁ ଲେଖକ ଓ ଓଡ଼ିଆ ଲେଖକମାନେ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲେଚନା କରନ୍ତି । ଏ ଅବସରରେ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଦିଆଯିବା ସହ ଓଡ଼ିଶାର ଏକମାତ୍ର ପତ୍ରିକା ହାଟ ଆୟୋଜିତ ହୋଇଥାଏ । ଏଥିରେ ରାଜ୍ୟର ଶତାଧିକ ସାହିତ୍ୟ ପତ୍ରିକାର ବିପଣି ଖୋଲିଥାଏ । ଏହି ଏକଦିବସୀୟ ଉତ୍ସବ ପ୍ରାୟତଃ ଜାନୁଆରି ମାସ ପ୍ରଥମ ରବିବାର ଅନୁଷ୍ଠିତ ହୋଇଥାଏ । କିଟ୍‍ ପ୍ରତିଷ୍ଠାତା ତଥା ଶିକ୍ଷାବିତ ଅଚ୍ୟୁତ ସାମନ୍ତ ଏହି ଉତ୍ସବ ପ୍ରତିଷ୍ଠା କରିଥିବା ବେଳେ କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଉତ୍ସବର ନିର୍ଦେଶକ ଅଛନ୍ତି ।

image


କଳିଙ୍ଗ ସାହିତ୍ୟ ମହୋତ୍ସବ

କଳିଙ୍ଗ ସାହିତ୍ୟ ମହୋତ୍ସବ ବା Kalinga Literary Festival ୨୦୧୪ ମସିହାରେ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଆରମ୍ଭ ହୋଇଥିଲା । ଏଥିରେ ରାଜ୍ୟର ପ୍ରମୁଖ ଲେଖକମାନେ ଅତିଥି ବାବରେ ଯୋଗଦେବା ସାଙ୍ଗକୁ ରାଜ୍ୟ ବାହାରୁ ପ୍ରତିଷ୍ଠିତ ଲେଖକ, କଳାକାର, ସିନେ ବ୍ୟକ୍ତିତ୍ୱ, ସାମ୍ବାଦିକ ଓ ରାଜନେତାମାନେ ମଧ୍ୟ ଯୋଗ ଦିଅନ୍ତି । ୨୦୧୫ ମସିହାରୁ ଏହାର ଆୟୋଜନ ସ୍ଥଳ ଭୁବନେଶ୍ୱରରେ ଥିବା ମେଫେୟାର ହୋଟେଲକୁ ସ୍ଥାନାନ୍ତର ହୋଇଛି । ସାମ୍ବାଦିକ ତଥା ସାହିତ୍ୟପ୍ରେମୀ ରଶ୍ମିରଂଜନ ପରିଡ଼ା ଏହି ଉତ୍ସବର ପ୍ରତିଷ୍ଠାତା । ତାଙ୍କ ସହ ସାହିତ୍ୟ ଓ ଅନ୍ୟାନ୍ୟ ବିଭାଗରେ ଦଖଲ ଥିବା ୮ ଜଣ ବ୍ୟକ୍ତି ଆୟୋଜନ କମିଟିରେ ଅଛନ୍ତି । ଏହା ସମ୍ଭବତଃ ଓଡ଼ିଶାର ସବୁଠୁ ସଫଳ ସାହିତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବନାହିଁ । ଜୟପୁର ଲିଟରେଚର ଫେଷ୍ଟିଭାଲ ଭଳି ଏହା ରାଜ୍ୟରେ ଏକ ଜାତୀୟ ସ୍ତରର ସାହିତ୍ୟ ଉତ୍ସବ ଆୟୋଜନର ଉଦ୍ୟମ ଅବ୍ୟାହତ ରଖିଛି ଓ ଅନେକାଂଶରେ ସଫଳ ମଧ୍ୟ ହୋଇଛି । ପୂର୍ବ ବର୍ଷ ମାନଙ୍କରେ ଗୋଟିଏ ଦିନ ଆୟୋଜିତ ହେଉଥିବା ଏହି ଉତ୍ସବଟି ଚଳିତ ବର୍ଷ ଜୁନ ୧୮-୧୯ ଦୁଇଦିନ ଧରି ଅନୁଷ୍ଠିତ ହେବ ।

image


ଥିଙ୍କ୍‍ ଲିଟରେଚର ଫେଷ୍ଟିଭାଲ

୨୦୧୨ ମସିହାରେ ଟେଫଲାସ୍‍ ଓ ଟାଇମ୍ସ ଅଫ୍‍ ଇଣ୍ଡିଆ ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ଥିଙ୍କ୍‍ ଲିଟରେଚର ଉତ୍ସବ । ୨୦୧୨ ଓ ୨୦୧୩ ମସିହା ପରେ ୨୦୧୪ରେ ଟେଫ୍‍ଲାସ୍‍ ଏକକ ଉଦ୍ୟମରେ ଏହି ଉତ୍ସବ କରିଥିଲା । ତେବେ ସେହି ବର୍ଷ ଉତ୍ସବ ମାନ୍ଦା ହୋଇଥିଲା ଓ ଆୟୋଜନରେ ଏକପ୍ରକାର ପୂର୍ଣଛେଦ ପଡ଼ିଲା । ୨୦୧୫ରେ ଆଉ ଉତ୍ସବ ଆୟୋଜିତ ହୋଇପାରିଲା ନାହିଁ ଓ ସମ୍ପୂର୍ଣ ଭାବେ ଓଡ଼ିଶାରୁ ଉଠିଗଲା । ଚଳିତ ବର୍ଷ ଜୁନ୍‍ ୧୧-୧୨ ଦୁଇଦିନ ଧରି ଏହି ଉତ୍ସବ ‘ଖଣ୍ଡାଲା’ରେ ଆୟୋଜିତ ହେଉଛି ।

image


ଓଡ଼ିଶା ସାହିତ୍ୟ ଉତ୍ସବ

୨୦୧୨ ମସିହାରେ ଖବରକାଗଜ ନ୍ୟୁ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ଓଡ଼ିଶା ସାହିତ୍ୟ ଉତ୍ସବ ବା Odisha Literature Festival । ସାଧାରଣତଃ ଅକ୍ଟୋବର ମାସରେ ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ସାହିତ୍ୟ ଉତ୍ସବ ଏବେ ୫ମ ବର୍ଷରେ ପଦାର୍ପଣ କରିଛି । ହୋଟେଲ ମେଫେୟାର କନଭେନସନରେ ଏହି ଉତ୍ସବ ଅନୁଷ୍ଠିତ ହୁଏ । ଏଥିରେ ରାଜ୍ୟ ବାହାରୁ ଓ ରାଜ୍ୟରୁ ବହୁ ସଂଖ୍ୟାରେ ଲେଖକ, ସାମ୍ବାଦିକ ଓ ରାଜନେତା ଯୋଗ ଦିଅନ୍ତି ।

image


ସର୍ଜନା

ସୃଜନ କମ୍ୟୁନିକେସନ୍‍ ପକ୍ଷରୁ ୨୦୧୫ ମସିହାରେ କଟକରେ ‘ସର୍ଜନା’ ନାମରେ ଦୁଇଦିନିଆ ସାହିତ୍ୟ ଉତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଷ୍ଠିତ ଯୁବ ଲେଖକମାନଙ୍କର ଅଧିକ ଯୋଗଦାନ ଦେଖିବାକୁ ମିଳେ । ଏଥିରେ ସାହିତ୍ୟ ଆଲୋଚନା, ପୁସ୍ତକ ଉନ୍ମୋଚନ, କବିତା ପାଠ, ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ଆଦି ହୋଇଥାଏ । ଗାଳ୍ପିକ ଓ ସଂପାଦକ ହିମାଂଶୁ ମହାପାତ୍ର ଏହି ଉତ୍ସବର ପ୍ରତିଷ୍ଠାତା ନିର୍ଦେଶକ ଅଛନ୍ତି । ଗତ ବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏହି ଉତ୍ସବ ହୋଇଥିବା ବେଳେ ଚଳିତ ବର୍ଷ କଟକ ନୌବାଣିଜ୍ୟ ସଂଗ୍ରହାଳୟ ପରିସରରେ ଆୟୋଜିତ ହେବ ବୋଲି ସୂଚନା ରହିଛି । ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ ହୋଇ ନଥିଲେ ହେଁ ଜୁନ ମାସ ପ୍ରଥମାର୍ଧରେ ହେବ ବୋଲି ଜଣାପଡ଼ିଛି ।

image


ଉତ୍କଳ ସାହିତ୍ୟ ଉତ୍ସବ

ଉତ୍କଳ ସାହିତ୍ୟ ଉତ୍ସବ ବା ULF ୨୦୧୫ ମସିହାରେ ଆରମ୍ଭ ହୋଇଛି । ପକ୍ଷୀଘର ପତ୍ରିକାର ସଂପାଦକ ତଥା କବି ବନୋଜ ତ୍ରିପାଠୀ ଏହି ଉତ୍ସବର ପ୍ରତିଷ୍ଠାତା ନିର୍ଦେଶକ ଅଛନ୍ତି । ଗତବର୍ଷ ଅକ୍ଟୋବର ୧୦-୧୧ ଦୁଇଦିନ ଧରି ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ଲେଖକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଏ । ବାହାରୁ କମ ସଂଖ୍ୟାରେ ଅତିଥି ଆସିଥାନ୍ତି । ଚଳିତ ବର୍ଷ ଏହି ଉତ୍ସବର ଦ୍ୱିତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

image


ଓଡ଼ିଶା କଳା ଓ ସାହିତ୍ୟ ଉତ୍ସବ

ଓଡ଼ିଶା କଳା ଓ ସାହିତ୍ୟ ଉତ୍ସବ ଚଳିତ ବର୍ଷ (୨୦୧୬) ଠାରୁ ଆରମ୍ଭ ହୋଇଛି । ଏପ୍ରିଲ ୧୬-୧୭ ଦୁଇଦିନ ଧରି ଏହା ଭୁବନେଶ୍ୱରର ଓଡ଼ିଶା ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କବି ଓ ଅନୁବାଦକ ମନୁ ଦାଶ ଏହାର ପ୍ରତିଷ୍ଠାତା ନିର୍ଦେଶକ ଅଛନ୍ତି । ତେବେ ପ୍ରଥମ ଉଦ୍ରମରୁ ଏହି ଉତ୍ସବ ମାନ୍ଦା ପଡ଼ିଯାଇଛି । ଉଭୟ ଦିନରେ ଦର୍ଶକ-ଶ୍ରୋତା ଆଦୌ ଉପସ୍ଥିତ ନ ରହିବା ଆୟୋଜକ ଓ ଅତିଥିଙ୍କୁ ନିରାଶ କରିଛି । କେବଳ ଅତିଥିମାନଙ୍କୁ ନେଇ ଏହି ସାହିତ୍ୟ ଉତ୍ସବ ରୁଦ୍ଧଦ୍ୱାର ବୈଠକକୁ ପରିବର୍ତିତ ହୋଇଯାଇଛି । ଏ ଉତ୍ସବର ସବୁଠୁ ବଡ଼ ବିଶେଷତ୍ୱ ହେଲା ଉଭୟ ଦିନ ପ୍ରତିଟି ଆଲୋଚନା ସଭା ଓ କବିତା ପାଠୋତ୍ସବରେ କେବଳ ଓଡ଼ିଆ ଲେଖକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଆୟୋଜକଙ୍କ ଦୂରଦୃଷ୍ଟିହୀନ ଆୟୋଜନ ଓ ଲେଖକ-ପାଠକଙ୍କ ଦୂରତ୍ୱରେ ପରିବର୍ତନ ଆସିଲେ ଭବିଷ୍ୟତରେ ଏହା ନିଜର ସ୍ୱାତନ୍ତ୍ର୍ୟ ପାଇଁ ଏକ ଭିନ୍ନ ଉତ୍ସବ ଭାବେ ଉଭା ହେବ ।

image


ଟାଟା ଷ୍ଟିଲ ସାହିତ୍ୟ ଉତ୍ସବ

ଚଳିତ ୨୦୧୬ ଜାନୁଆରି ମାସରେ ଭୁବନେଶ୍ୱରରେ ପ୍ରଥମ କରି ଟାଟା ଷ୍ଟିଲ ପକ୍ଷରୁ ସାହିତ୍ୟ ଉତ୍ସବ ଆରମ୍ଭ ହୋଇଛି । ଲଳିତ କଳା କେନ୍ଦ୍ର ପରିସରରେ ଆୟୋଜିତ ଦୁଇଦିନିଆ ଉତ୍ସବ ବହୁ ଆଡ଼ମ୍ବରରେ ଲଘୁ କ୍ରିୟା ପାଲଟିଛି । ବକ୍ତା ତାଲିକାରେ ଓଡ଼ିଆ ଲେଖକଙ୍କ ନାମ କ୍ୱଚିତ ଦେଖିବାକୁ ମିଳିଥିଲା । ରାଜ୍ୟ ବାହାରୁ ଲେଖକ, ସାମ୍ବାଦିକ, କଳାକାର ଆଦି ବକ୍ତା ଭାବେ ଯୋଗ ଦେଇଥିଲେ । ସାହିତ୍ୟିକମାନଙ୍କ ସହ ସଂପର୍କ ଅଭାବରୁ ଏ ଉତ୍ସବ ଦର୍ଶକ-ଶ୍ରୋତାଙ୍କୁ ମଧ୍ୟ ଆକୃଷ୍ଟ କରି ପାରିନଥିଲା ।

image


ଆଦିବାସୀ କଳା ଓ ସାହିତ୍ୟ ମହୋତ୍ସବ

ଆଦିବାସୀ କଳା ଓ ସାହିତ୍ୟକୁ ନେଇ ଆଲୋଚନା, ଏହାର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ୨୦୧୫ରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ କଳା ଓ ସାହିତ୍ୟ ମହୋତ୍ସବ । ଶିକ୍ଷାସଂଧାନ କ୍ଷରୁ ଆୟୋଜିତ ଏ ଉତ୍ସବ ଅନ୍ୟ ସମସ୍ତ ଉତ୍ସବ ଠାରୁ ଭିନ୍ନ ଓ ଉଦ୍ଦେଶ୍ୟ ମଧ୍ୟ ମହତ ।

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।