ସବୁଥିରେ ପ୍ରଥମ ଥିଲେ ମଧୁବାବୁ - ଆଜି ଜନ୍ମତିଥି
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟ ଜନ୍ମତିଥି । କେବଳ ନୂଆ ଓଡ଼ିଶାର ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ ମଧୁବାବୁ । ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି ମହାପୁରୁଷଙ୍କ ଜୀବନ ଓ କର୍ମ ବାବଦରେ ପ୍ରାୟ ଓଡ଼ିଆ ପାଠକ ଉଣାଅଧିକେ ଅବଗତ ଥିବେ । ତେବେ ସେ ଅନେକ କ୍ଷେତ୍ରରେ ଓଡ଼ିଶାର ପ୍ରଥମ ବ୍ୟକ୍ତିତ୍ୱ ଥିଲେ । ଜଣେ ସାହସୀ ଓ ସ୍ୱାଭିମାନୀ ଓଡ଼ିଆ ପରିଚିତ ମଧୁବାବୁଙ୍କ ସେମିତି କିଛି କାର୍ଯ୍ୟ ଓ ସଫଳତା ସମ୍ବନ୍ଧରେ ଆସନ୍ତୁ ଜାଣିବା ।
ଦେଶରେ ପ୍ରଥମ ସମବାୟ ସଂସ୍ଥା ପ୍ରତିଷ୍ଠାତା
କେବଳ ଓଡ଼ିଶା ନୁହେଁ, ଭାରତର ପ୍ରଥମ ସମବାୟ ସଂସ୍ଥା ପ୍ରତିଷ୍ଠା କରିଥିଲେ ମଧୁସୂଦନ ଦାସ । ୟୁରୋପ ରହଣୀ ବେଳେ ସମବାୟ ସଂସ୍ଥା ବାବଦରେ ଆହରଣ କରିଥିବା ଜ୍ଞାନକୁ ପୁଞ୍ଜି କରି ୧୮୯୮ ମସିହା ଜୁନ ୧୧ ତାରିଖରେ ସେ ପ୍ରତିଷ୍ଠା କରିଥିଲେ The Cuttack Cooperative Store । ମଧୁବାବୁ ନିଜେ ଏହାର ସଂପାଦକ ରହିଲେ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ ଏହାର କୋଷାଧ୍ୟକ୍ଷ ଦାୟିତ୍ୱରେ ଥିଲେ । ପରେ ମଧୁବାବୁ National Agriculture Cooperative Bank of Orissaର ସ୍ୱପ୍ନ ଦେଖିଥିଲେ ଯାହା ଏଯାଏଁ ଅଧୁରା ରହିଯାଇଛି ।
ପ୍ରଥମ ଓଡ଼ିଆ ଉଦ୍ୟୋଗପତି
ଏ ସମ୍ପର୍କରେ ପୂର୍ବରୁ ଏହିଠାରେ ଅନ୍ୟ ଏକ ଆଲେଖ ରେ ମଧୁବାବୁଙ୍କ ୮୨ତମ ଶ୍ରାଦ୍ଧଦିବସରେ ମୁଁ ବିସ୍ତାର ଭାବେ ଆଲୋଚନା କରିଥିଲି । ଦେଶବ୍ୟାପୀ ଏବେ ଉଦ୍ୟୋଗର ଲହରୀ ଖେଳୁଥିବା ବେଳେ ପ୍ରାୟ ୧୧୧ ବର୍ଷ ତଳେ ମଧୁବାବୁ ଓଡ଼ିଶାରେ ଉଦ୍ୟୋଗର ସ୍ୱପ୍ନ ଦେଖିଥିଲେ । ସମବାୟ ସଂସ୍ଥା ପ୍ରତିଷ୍ଠା ପରେ ସେ ଓଡ଼ିଶାର ଚମଡ଼ା ଶିଳ୍ପକୁ ସଂଗଠିତ କରିବାକୁ ଉଦ୍ୟମ କଲେ । ୧୯୦୫ ମସିହାରେ ସେ ପ୍ରତିଷ୍ଠା କରିଥିଲେ ନିଜର ଜୋତା କାରଖାନା ଉତ୍କଳ ଟ୍ୟାନେରି । ଏଠାରେ ସେ ୩୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ଏହି କାରଖାନାରୁ ଭାରତର ବିଭିନ୍ନ ପ୍ରାନ୍ତ ସମେତ ୟୁରୋପ ଓ ଜାପାନକୁ ଯୋଗା ରପ୍ତାନୀ ହେଉଥିଲା । ମହାତ୍ମା ଗାନ୍ଧିଜୀଙ୍କ ସ୍ୱଦେଶୀ ଆନ୍ଦୋଳନର ବହୁ ପୂର୍ବରୁ ୧୮୯୭ ଓଡ଼ିଶାର କୁଟୀର ଶିଳ୍ପର ପ୍ରସାର ପାଇଁ ସେ ପ୍ରତିଷ୍ଠା କରିଥିଲେ Orissa Art Ware।
ପ୍ରଥମ ଓଡ଼ିଆ ସ୍ନାତକ
ମଧୁବାବୁ ହେଉଛନ୍ତି ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ଡିଗ୍ରି ଧାରୀ, ପ୍ରଥମ ଏମ୍ଏ ଡିଗ୍ରିଧାରୀ । କଟକ ହାଇ ସ୍କୁଲରୁ (ପରେ ରାଭେନ୍ସା କଲେଜିଏଟ୍ ସ୍କୁଲ ଭାବେ ପରିଚିତ) ଉତ୍ତୀର୍ଣ ହେବା ପରେ ସେ ଉଚ୍ଚଶିକ୍ଷା ପାଇଁ ମନ ବଳାଇଲେ । ୧୮୬୪ରେ ସେ କାଲକାଟା ବିଶ୍ୱିବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ ହେଲେ । ଆର୍ଥିକ ଓ ଅନ୍ୟାନ୍ୟ ପାରିବାରିକ ସମସ୍ୟା ସତ୍ତେ୍ୱ ସେ ସେ ୧୯୬୬ରୁ ୧୯୮୧ ଯାଏଁ ପ୍ରାୟ ୧୫ ବର୍ଷ କଲିକତାରେ ରହିଲେ । ତା ଭିତରେ ୧୮୭୦ରେ ପ୍ରଥମ ଓଡ଼ିଆ ଭାବେ ସେ ସ୍ନାତକ ଓ ୧୮୭୩ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ।
ପ୍ରଥମ ଓଡ଼ିଆ ଓକିଲ
ମଧୁବାବୁ ହେଉଛନ୍ତି ପ୍ରଥମ ଓଡ଼ିଆ ଆଇନଜୀବୀ । ୧୯୭୮ରେ ସେ ବିଏଲ୍ ଡିଗ୍ରି ହାସଲ କଲେ । ୧୯୮୧ରେ ଓଡ଼ିଶା ଫେରି ଆଇନଜୀବୀ ଭାବେ ଓଡ଼ିଶାବାସୀଙ୍କ ପାଇଁ କାର୍ଯ୍ୟ କରିବାର ପଣ କରିଥିଲେ ମଧୁବାବୁ । ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ସୁଦ୍ଧା ଜଗନ୍ନାଥ ମନ୍ଦିର ପାଇଁ ପୁରୀ ଗଜପତିଙ୍କ ପକ୍ଷ ନେଇ ୧୯୮୬ରେ ବ୍ରିଟିଶ୍ ସରକାର ବିରୋଧରେ କଲିକତା ହାଇକୋର୍ଟରେ ଓକିଲାତି କରିଥିଲେ ମଧୁବାବୁ । ମାମଲାରେ ବିଜୟୀ ହୋଇଥିଲେ ମଧୁବାବୁ ।
ଭାରତର ପ୍ରଥମ ଲବଣ ଆନ୍ଦୋଳନ
ମହାତ୍ମା ଗାନ୍ଧିଙ୍କ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ମଧୁବାବୁ ଓଡ଼ିଶାରେ ଲୁଣ କର ବିରୋଧରେ ସ୍ୱର ଉଠାଇଥିଲେ । କଟକ ମୁନିସିପାଲ ହାଟରେ ୧୧ ଫେବ୍ରୁଆରି ୧୯୮୮ରେ ମଧୁସୂଦନ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହ ବ୍ରିଟିଶ-ଭାରତ ସରକାରଙ୍କ କର୍ମଚାରୀଙ୍କ ସହ ତର୍କ କରିଥିଲେ ଓ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ । ସେ ଯୁକ୍ତି ଦର୍ଶାଇଥିଲେ ଯେ ଇଂଲଣ୍ଡରେ ୩୦୦ ଟଙ୍କା ମୁଣ୍ଡ ପିଛା ଆୟ ବେଳେ ଲୁଣ କର ମାତ୍ର ୮ ଟଙ୍କା ନିଆଯାଉଛି, ଅଥଚ ଭାରତରେ ୨୦ ଟଙ୍କା ମୁଣ୍ଡ ପିଛା ଆୟ କରୁଥିବା ବ୍ୟକ୍ତି ୧୬ ଟଙ୍କା କର ଦେବେ କାହିଁକି? ୧୯୮୮ ନଭେମ୍ବରରେ ଏ ସମ୍ପର୍କରେ ସେ ଓଡ଼ିଶା ଆସୋସିଏସନ୍(ଉତ୍କଳ ସଭା)ର ସଭାପତି ଭାବେ ଓଡ଼ିଶାବାସୀଙ୍କ ପକ୍ଷରୁ ବେଙ୍ଗଲ ଉପରାଜ୍ୟପାଳ Sir Stewert Colvatu Bayleyଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ।
ପ୍ରଥମ ଓଡ଼ିଆ ସଂଗଠନ ଗଠନ
ଜାତୀୟ ଆନ୍ଦୋଳନକୁ ଉତ୍ପ୍ରେରିତ କରିବା ପାଇଁ ସମ୍ଭବତଃ ଓଡ଼ିଶାରେ ପ୍ରତିଷ୍ଠିତ ପ୍ରଥମ ସଂଗଠନ ହେଉଛି ଓଡ଼ିଶା ଆସୋସିଏସନ୍ (ଉତ୍କଳ ସଭା) । ୩ ଅଗଷ୍ଟ ୧୮୮୮ରେ କଟକ ଠାରେ ଏହାକୁ ପ୍ରତିଷ୍ଠା କରିଥିଲେ ମଧୁବାବୁ ।
ପ୍ରଥମ ବିଲାତ ଯାତ୍ରୀ
ପ୍ରଥମ ଓଡ଼ିଆ ଭାବେ ବିଲାତ ଯାତ୍ରା କରିଥିଲେ ମଧୁବାବୁ । ଉଚ୍ଚଶିକ୍ଷା ହାସଲ ଉଦ୍ଦେଶ୍ୟରେ ବିଏଲ୍ ଶିକ୍ଷା ସମାପ୍ତ ପରେ ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଭାବେ ଇଂଲଣ୍ଡ ଯାଇଥିଲେ । ତାଙ୍କର ଇଂଲଣ୍ଡ ଗସ୍ତ ସମୟରେ ସେ ଶିକ୍ଷା, ସ୍ୱାସ୍ଥ୍ୟ, ସମବାୟ ଓ ଶିଳ୍ପ ଆଦି କ୍ଷେତ୍ରରେ ବ୍ୟାପକ ଜ୍ଞାନ ହାସଲ କରିଥିଲେ ଏବଂ ପରେ ସେସବୁ ଓଡ଼ିଶା ଗଠନରେ ପ୍ରୟୋଗ କରିଥିଲେ । ୧୯୦୭ ମସିହାରେ କନିକା ରାଜାଙ୍କ ସହ ଦ୍ୱିତୀୟ ଥର ପାଇଁ ବିଲାତ ଗସ୍ତରେ ଯାଇଥିଲେ ମଧୁସୂଦନ ।
ପ୍ରଥମ ଇଂରାଜୀ କାଗଜ
ଓଡ଼ିଶାର ପ୍ରଥମ ଇଂରାଜୀ ଦୈନିକ ‘ଦି ନ୍ୟୁ ଓଡ଼ିଶା’ ପ୍ରକାଶନ(୫ ମେ ୧୯୩୩)ର ବହୁ ପୂର୍ବରୁ ଏକ ସାପ୍ତାହିକ ଇଂରାଜୀ ପତ୍ର ସଂପାଦନା କରୁଥିଲେ ମଧୁବାବୁ । ୧୯୧୭ ମସିହାରେ ‘ଦି ଓରିୟା’ ନାମରେ ସେ ଏକ ସାପ୍ତାହିକ ସମ୍ବାଦ ପତ୍ର ପ୍ରକାଶ କରୁଥିଲେ ।
ପ୍ରଥମ ବିଧାନ ସଦସ୍ୟ
ବିହାର-ଓଡ଼ିଶା ବିଧାନ ପରିଷଦ ସଭ୍ୟ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ୨୦ ଜାନୁଆରି ୧୯୧୩ରେ ବିହାର-ଓଡ଼ିଶା ବିଧାନ ପରିଷଦ ସଭ୍ୟ ଭାବେ ଶପଥ ନେଇଥିଲେ । ତାଙ୍କ ପରେ ୧୯୧୭ରେ ଉତ୍କଳମଣି ଗୋପବନ୍ଧୁ ଦାସ ବିଧାନ ପରିଷଦର ସଭ୍ୟ ହୋଇଥିଲେ । ୧୯୨୧ରେ ପ୍ରଥମ ଓଡ଼ିଆ ଭାବେ ମଧୁବାବୁ ବିହାର-ଓଡ଼ିଶା ବିଧାନ ପରିଷଦରେ ମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀ ହେବାରେ ଏହି ବିଧାନ ପରିଷଦରେ ସେ ଦ୍ୱିତୀୟ ବ୍ୟକ୍ତି । ନୀତିଗତ କାରଣରୁ ୧୯୨୩ରେ ସେ ଇସ୍ତଫା ଦେଇଥିଲେ ।
ଏହା ଭିନ୍ନ ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳନ, ମହିଳାଙ୍କ ପାଇଁ କଟକରେ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ, ମାଡ୍ରାସ୍ ପ୍ରୋଭିନ୍ସରେ ଓଡ଼ିଆକୁ ରାଜଭାଷାର ମାନ୍ୟଦା ଦେବା ଓ ସର୍ବୋପରି ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ତାଙ୍କର ଭୂମିକା ଆଗ୍ରଗଣ୍ୟ ।
ନବ ଉତ୍କଳର ଅସଲ ଗୌରବ, ସ୍ୱାଭିମାନୀ ଓଡ଼ିଆ, ପଗଡ଼ି ପୁରୁଷ ମଧୁସୂଦନ ଦାସଙ୍କୁ ତାଙ୍କ ଜନ୍ମତିଥିରେ ଶ୍ରଦ୍ଧାଂଜଳି ।
ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।