Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

ଉଇକିପିଡ଼ିଆକୁ ପୂରିଲା ୧୫: ଓଡ଼ିଆ କେଉଁଠି?

ଉଇକିପିଡ଼ିଆକୁ ଆଜି ୧୫ ବର୍ଷ ପୂରିଲା । ୨୦୦୧ ମସିହାରେ ତଳେ ଦୁଇ ବିଜ୍ଞାନୀ ଜିମି ଉଏଲ୍ସ ଓ ଲାରି ସାଙ୍ଗର ମିଶି ତିଆରିଲେ ଉଇକିପିଡ଼ିଆ । ଇଂରାଜୀରେ ଆରମ୍ଭ ହୋଇ ସେଇ କୁନି ପ୍ରକଳ୍ପ ବଢ଼ି ଏବେ ୨୯୦ରୁ ଅଧିକ ଭାଷାରେ ସକ୍ରିୟ । ଆଉ ପାଖାପାଖି ସାଢ଼େ ତିନି କୋଟି ପ୍ରସଙ୍ଗରେ ଭରା । ଅନେକଙ୍କୁ ଅଜଣା ଯେ ଓଡ଼ିଆରେ ମଧ୍ୟ ଉଇକିପିଡ଼ିଆଟିଏ ରହିଛି । ତେବେ ଓଡ଼ିଆ ଉଇକିପିଡ଼ିଆର ସ୍ଥିତି କେଉଁଠି?

ଉଇକିପିଡ଼ିଆକୁ ପୂରିଲା ୧୫: ଓଡ଼ିଆ କେଉଁଠି?

Friday January 15, 2016,

4 min Read

୨୦୦୧ରେ ଉଇକିପିଡ଼ିଆ ଆରମ୍ଭ ବେଳକୁ ଇଣ୍ଟରନେଟରେ ଇଂରାଜୀ ଭାଷା ମଧ୍ୟ ସେତେ ଆଗରେ ନ ଥିଲା । ଆଉ ରାଶି ରାଶି ପୋଥି-ଜ୍ଞାନକୋଷରେ ତଥ୍ୟଟିଏ ଖୋଜିବା କେତେ ଦୂରୁହ ତା' ଅନୁଭବିଲେ ଏ ଦୁଇ ବିଜ୍ଞାନୀ ଜିମି ଉଏଲ୍ସ ଓ ଲାରି ସାଙ୍ଗର । ସେତେବେଳେ ଏନସାକ୍ଲୋପିଡ଼ିଆ ବ୍ରିଟାନିକା ଭଳି ଜ୍ଞାନକୋଷର ଭାରି କାଟତି ଥିଲା । ହେଲେ ବ୍ରିଟାନିକା ଲେଖାଯାଉଥିଲା ପୁରୁଖା କେତେଜଣ ସମ୍ପାଦକଙ୍କ ଦେଇ । ତେବେ ସେ ସମ୍ପାଦକଙ୍କ ପୁରୁଖା ହାତରେ ଗଢ଼ା ଲେଖା ଉନ୍ନତମାନର ହେଉଥିଲେ ହେ କିନ୍ତୁ ସେଥିରେ ନୂଆ ତଥ୍ୟ ଯୋଡ଼ିବା ସହଜସାଧ୍ୟ ନଥିଲା । ଇଂରାଜୀ ଭାଷା ଏତେ ଦେଶରେ ଚଳନ୍ତି ହୋଇ ବି ସେଥିରେ ଯେବେ ଏ ଅସୁବିଧା ଆମ ଦେଶରେ ଅସୁବିଧାଟି କେତେ ଯେ ବିଶାଳ ତାହା ଏଇଥିରୁ ଅନୁମେୟ । ଏଣୁ ଉଇକିପିଡ଼ିଆର ଆରମ୍ଭରୁ ସବୁ ଲେଖା କେବଳ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସାମୁହିକ ଭାବେ ଲେଖାଯିବାର ନୂଆ ଧାରା ତିଆରି ହେଲା । ଆଉ ତଥ୍ୟକୁ ନୂଆ କରି ନ ଲେଖି ଆଗରୁ ପ୍ରକାଶିତ ଜଣାଶୁଣା ଜର୍ଣ୍ଣାଲ, ଖବରକାଗଜ, ପତ୍ରପତ୍ରିକା ଓ ବହିର ଆଧାର ଦେଇ ଲେଖିବା ନିୟମ ମଧ୍ୟ ରହିଲା । ସାମୁହିକ ଭାବେ ସ୍ୱେଚ୍ଛାସେବୀ ଲେଖୁଥିବାରୁ କାଳେ ବ୍ୟକ୍ତିଗତ ମତ ବା ବିରୋଧ ଏଥିରେ ସ୍ଥାନ ପାଇବ ଏ ଆଶଙ୍କାରୁ ଏମିତି ନିୟମଟି ଲାଗୁ ହେଲା । ତେଣୁ ବିଭିନ୍ନ ସ୍ଥାନରେ ଆଗରୁ ପ୍ରକାଶିତ ଓ ବହୁଜନ ଗୃହୀତ ତଥ୍ୟରାଜି ଏକାଠି ଗୋଟେ ସ୍ଥାନରେ ସଜାଇ ଲେଖାଗଲା ।ଇଂରାଜୀ ଉଇକିପିଡ଼ିଆ ଯେଉଁ ଝଲକାଏ ନିଆଁ ଝୁଲ ଛାଡ଼ିଥିଲା ତାକୁ ୨୦୦୨ ବେଳକୁ କିଛି ଭାରତୀୟ ଭାଷାଙ୍କ ସମେତ ଜଗତର ବାକି ଭାଷାଏ ଧରିଲେ । ଏ ଭାଷାଙ୍କ ଭିତରେ ଥିଲା ଓଡ଼ିଆ । ୨୦୦୨ରେ ଅଧିକ କଥିତ ହିନ୍ଦୀ-ତେଲୁଗୁ-ବଙ୍ଗଳାର ବହୁ ଆଗରୁ ଅହମିୟା, ପଞ୍ଜାବୀ ଓ ମାଲାୟାଲାମ ସଙ୍ଗେ ଓଡ଼ିଆ ଉଇକିପିଡ଼ିଆ ଜନ୍ମଲାଭ କଲା ଓ or.wikipedia.org ରେ ଉପଲବ୍ଧ ହେଲା । ବାକି ଉଇକିପିଡ଼ିଆ ପରି ଏଥିରେ ମଧ୍ୟ ସବୁଯାକ ଲେଖା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଲେଖାଯିବା କଥା । ହେଲେ ୨୦୦୨ ବେଳକୁ ଇଣ୍ଟରନେଟରେ ଇଉନିକୋଡ଼ ବ୍ୟବହାର କରି ଓଡ଼ିଆ ଲେଖୁଥିବା ଲୋକଙ୍କ ସଂଖ୍ୟା ହାତଗଣତି । ପ୍ରକଳ୍ପଟିରେ ସଂକ୍ରାନ୍ତିରେ ଟିକେ କିଏ ଲେଖୁଥିଲେ ଆଉ ଟିକେ ଲେଖାଯାଉଥିଲା ମାସନ୍ତରେ । ଏମିତି ହୋଇ ଚାଲିଲା ପାଖାପାଖି ୮-୯ ବର୍ଷ ।


୨୦୧୧ ମସିହା ଠିକ ଆଜିର ଦିନରେ ବେଙ୍ଗାଳୁରୁରେ ଉଇକିପିଡ଼ିଆର ୧୦ ବର୍ଷ ପାଳନ ବେଳକୁ ଅନେକ ଭାଷାରୁ ଉଇକିପିଡ଼ିଆ ବାବଦରେ ଜାଣିବାକୁ ଇଚ୍ଛୁକ ଥିବା ଲୋକେ ଏକାଠି ହୋଇଥାନ୍ତି । ତହିଁରୁ ଜଣେ ଓଡ଼ିଆ ଆଶୁତୋଷ କର ଓଡ଼ିଆ ଉଇକିପିଡ଼ିଆର ଏ ଦୟନୀୟ ସ୍ଥିତି ବାବଦରେ ଜାଣିଲେ । ତାଙ୍କ ପରେ ଏ ଲେଖକ ଏ ବାବଦରେ ଅବଗତ ହେଲା । ଏମିତି ଧୀରେ ଧୀରେ ଅଧିକରୁ ଅଧିକ ଓଡ଼ିଆ ଏ ସାମୁହିକ କାମରେ ଯୋଡ଼ିହେଲେ । ୨୦୧୧ ଆରମ୍ଭରେ ଓଡ଼ିଆରେ ଲେଖାଥିବା ପ୍ରସଙ୍ଗ ଥିଲା ଏକ ରକମ ପଠନ-ଅନୁପଯୋଗୀ । ଧୀରେ ଧୀରେ କିଏ ନିଜ ଗାଁ ବାବଦରେ ଲେଖିଲା ତ କିଏ ଓଡ଼ିଶାର ଜୀବଜଗତ ଉପରେ ପୁଣି କିଏ ଓଡ଼ିଶାର ଦେଉଳ ଓ ପୁରାତନ କୀର୍ତ୍ତିରାଜି ଉପରେ । ଏମିତି ଧୀରେ ଧୀରେ ଲେଖା ବଢ଼ିଲା ଆଉ ଅଧିକ ସ୍ୱେଚ୍ଛାସେବୀ ଏକାଠି ହେଲେ । ନିକଟରେ ଇଂରାଜୀ ଉଇକିପିଡ଼ିଆ ୫୦ ଲକ୍ଷ ପ୍ରସଙ୍ଗରେ ପହଞ୍ଚିଲା ବେଳକୁ ଓଡ଼ିଆ ମଧ୍ୟ ୧୦ ହଜାର ଲେଖା ଟପିଲା । ୨୦୧୧ ମସିହାରେ ଯେଉଁ ଅପନ୍ତରା ହୋଇ ପଡ଼ିଥିଲା ଏବେ ସେ ପ୍ରକଳ୍ପଟି ଯଥେଷ୍ଟ ସଫାସୁତୁରା । ଓଡ଼ିଶା ଓ ଭାରତରେ ହେଉଥିବା ରୋଗ ବାବଦରେ ପ୍ରସଙ୍ଗଗୁଡ଼ିକ ଜଣେ ଅବସର ପ୍ରାପ୍ତ ଡାକ୍ତର ଓ ସକ୍ରିୟ କର୍ମୀ ଡା. ସୁବାସ ଚନ୍ଦ୍ର ରାଉତଙ୍କ ଦ୍ୱାରା ଏତେ ଗଭୀର ଭାବେ ଲେଖାଯାଇଛି ଯେ ସେସବୁ ବେଳେବେଳେ ଇଂରାଜୀ ଲେଖାଠାରୁ ବି ସୁନ୍ନତ । ସେମିତି ଓଡ଼ିଶାର ଅନେକ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଫଟୋ ଆଗରୁ ଇଣ୍ଟରନେଟରେ ମିଳୁନଥିଲା । ଏବେ ଗୋଟେ ନୁହେଁ, ଅନେକ ଫଟୋ ଓ ସବିଶେଷ ଲେଖା ରହିଛି । କୁଲାଠୁ ନେଇ ଚକୁଳି ଯାଏ ଓଡ଼ିଆ ଜନଜୀବନ ଓ ଚଳଣିର ଅନେକ ନିଆରା ପ୍ରସଙ୍ଗର ପୁଙ୍ଖାନୁପୁଙ୍ଖ ରଚନା ଏଥିରେ ସ୍ଥାନ ପାଇଛି । ଓଡ଼ିଆ ଭାଷାର ଇଣ୍ଟରନେଟରେ ଯେଉଁ ଶୂନ୍ୟସ୍ଥାନଟି ସକାଶେ ଏଯାଏ ଗୁଗୁଲରେ ଓଡ଼ିଆ ଆସିପାରିଲା ନାହିଁ ତାହାକୁ କିଛି ପରିମାଣରେ ହେଲେ ହେଁ ଓଡ଼ିଆ ଉଇକିପିଡ଼ିଆ ପୂରା କରୁଛି ।


ଉଇକିପିଡ଼ିଆ ଲିଖନ ବାବଦରେ ଏକ ସାଧାରଣ ସୂଚନା ପୁସ୍ତିକା ।

ଉଇକିପିଡ଼ିଆ ଲିଖନ ବାବଦରେ ଏକ ସାଧାରଣ ସୂଚନା ପୁସ୍ତିକା ।


ତେବେ ଏତିକି କଣ ଯଥେଷ୍ଟ । ଦକ୍ଷିଣ ଏସିଆର ଏକ ପ୍ରମୁଖ ଶାସ୍ତ୍ରୀୟ ଓ ପୁରାତନ ଭାଷା ଓଡ଼ିଆ । ସାଢ଼େ ଚାରିଲକ୍ଷରୁ ଅଧିକ ପାଠକଙ୍କ ପାଇଁ ଏ ଦଶ-ଏଗାର ହଜାର ଲେଖା ମହୋଦଧିକି ଶଙ୍ଖେ ଭଳି! ଓଡ଼ିଆରେ ଲେଖା ବଢ଼ିଲେ ତାକୁ ଖୋଜୁଥିବା ପାଠକଙ୍କ ଆଖିରେ ପଡ଼ିବ । ଆମ ଭାଷାଟି ଯେ ଖାଲି ସାହିତ୍ୟର ଭାଷା ନୁହେଁ, ଜନଜୀବନ, ବିଜ୍ଞାନ, କଳା ଓ ରାଜକାମ ତଥା ଜ୍ଞାନର ଭାଷା ଏ କଥାଟି ଆଉ କେହି ନ ଜାଣନ୍ତୁ ହେଲେ ଆମ ପର ପିଢ଼ି ତ ଜାଣୁ । କମ୍ପୁଟର ଓ ଇଣ୍ଟରନେଟରେ ଓଡ଼ିଆ ଏବେ ବି ଅନେକ ପଛରେ । ଆଉ ଖାଲି ସାହିତ୍ୟ ରଚନା କି ବହି ଛପା ନୁହେଁ ବରଂ ଉଇକିପିଡ଼ିଆ ଭଳି ବାକି ପ୍ରକଳ୍ପରେ ଅଧିକରୁ ଅଧିକ ଲୋକଙ୍କ ସକ୍ରିୟ ଯୋଗଦାନ ଲୋଡ଼ାପଡ଼ିଛି । ବ୍ୟକ୍ତିଗତ ବ୍ଲଗ ହେଉ କି ସଙ୍ଗଠନ ୱେବସାଇଟ ହେଉ, ଯେତେ ଅଧିକ ଲେଖା ବଢ଼ିବ ସେତେ ଅଧିକ ପାଠକ ବଢ଼ିବେ । ଆଉ ଗୁଗୁଲ କଣ ବାକି କମ୍ପାନି ଓ ପ୍ରକଳ୍ପ ଓଡ଼ିଆରେ ସକ୍ରିୟତା ଦେଖିଲାକ୍ଷଣି ବଳେ ତାଙ୍କ ପ୍ରକଳ୍ପ ଓଡ଼ିଆରେ ଉପଲବ୍ଧ କରାଇବେ । ଶାସ୍ତ୍ରୀୟ ଭାଷାଟିଏ ହୋଇ ବି ଆଜି ଆମେ ଯେଉଁ ପରିଚୟର ବିପଦରେ ପଡ଼ିଛୁ କାଲି ଆମ ପର ପିଢ଼ି ସେ ବିପଦରେ ଆଉ ନ ପଡ଼ନ୍ତୁ ।