ପିଲାଙ୍କ ‘ବାନର ସେନା’ର ସ୍ୱଚ୍ଛ ଅଭିଯାନ, ହୁଇସିଲ୍ ମାରି ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ଅଭ୍ୟାସ ବଦଳାଇଲେ

ପିଲାଙ୍କ ‘ବାନର ସେନା’ର ସ୍ୱଚ୍ଛ ଅଭିଯାନ, ହୁଇସିଲ୍ ମାରି ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ଅଭ୍ୟାସ ବଦଳାଇଲେ

Thursday January 28, 2016,

2 min Read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ସ୍ୱଚ୍ଛ ଭାରତ ମିଶନକୁ ଦେଶର ବିଭିନ୍ନ ଅଂଚଳରେ ବିଭିନ୍ନ ଉପାୟରେ କାମରେ ଲଗାଯାଉଛି | ନିଜ ଆଖପାଖକୁ ସଫା କରିବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା ହେଉଛି ଏହି ମିଶନର ଲକ୍ଷ୍ୟ | ଏଥିରେ ପିଲାମାନେ ବି ଅତି ଗୁରୁତ୍ୱପୂର୍ଣ ଭୂମିକା ନିଭାଉଛନ୍ତି | ରାମାୟଣରେ ବାନର ସେନାର କାମ କଥା ସମସ୍ତେ ଜାଣନ୍ତି | ସେମିତି ମଧ୍ୟପ୍ରଦେଶର ଇନ୍ଦୋରର ପ୍ରାୟ ୧୦ ହଜାର ପିଲାଙ୍କ ବାନର ସେନା ସ୍ୱଚ୍ଛ ଭାରତ ମିଶନ ଜରିଆରେ ଗାଁରେ ଗାଁରେ ସଚେତନତା ସୃଷ୍ଟି କରି ଖୋଲା ପଡିଆରେ ମଳତ୍ୟାଗ ଅଭ୍ୟାସରୁ ନିବୃତ କରାଇବାରେ ସଫଳ ହୋଇଛନ୍ତି |

ଇନ୍ଦୋରର ଜିଲ୍ଲାପାଳ ପି. ନରହରି ଖୋଲାରେ ମଳତ୍ୟାଗ ଅଭ୍ୟାସ ପରିତ୍ୟାଗ କରିଥିବା ଦେପାଳପୁର ଅଂଚଳର ଚାରିଟି ଗାଁ ଗସ୍ତ କରି ୟୋର ଷ୍ଟୋରୀକୁ କହିଛନ୍ତି,

‘ଖୋଲାରେ ମଳତ୍ୟାଗରୁ ମୁକ୍ତି ଅଭିଯାନରେ ପାଂଚରୁ ୧୨ ବର୍ଷର ପ୍ରାୟ ୧୦ ହଜାର ପିଲାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ଆମେ ଏହି ପିଲାମାନଙ୍କ ଗୋଷ୍ଠୀକୁ ବାନର ସେନା ବୋଲି ନାମ ଦେଇଥିଲୁ | ଜିଲ୍ଲାର ପ୍ରତ୍ୟେକ ଗାଁରୁ ୨୦ରୁ ୩୦ ଜଣ ପିଲାଙ୍କୁ ଏହି ବାନର ସେନାରେ ସାମିଲ କରାଯାଇଥିଲା | ଏହାପରେ ଯେଉଁ ଗାଁରେ ଖୋଲାରେ ଲୋକମାନେ ମଳତ୍ୟାଗ କରୁଥିଲେ, ସେଗୁଡିକୁ ଚିହ୍ନଟ କରାଯାଇଥିଲା | ସେଠାରେ ପିଲାମାନଙ୍କର ସେନାଙ୍କୁ ରଖାଯାଇଥିଲା | ସେମାନେ ଏହି ଅଭ୍ୟାସକୁ ହଟାଇବା ପାଇଁ ହୁଇସିଲ୍ ବଜାଇବାର କୌଶଳକୁ ଆପଣାଇଥିଲେ | ଯିଏ ଖୋଲାରେ ମଳତ୍ୟାଗ କରୁଥିଲା, ତାକୁ ଦେଖିଲେ ଏହି ପିଲାମାନେ ହୁଇସିଲ୍ ବଜାଉଥିଲେ | ଧୀରେ ଧୀରେ ଲୋକେ ନିଜ ଲଜ୍ଜା ନିବାରଣ ପାଇଁ ଶୌଚାଳୟ ବ୍ୟବହାର ଆରମ୍ଭ କରିଥିଲେ |’
image


ଏହି ପିଲାମାନଙ୍କ ମଧ୍ୟରୁ କେତେକ ପିଲା କେବଳ ହୁଇସିଲ୍ ବଜାଇବାରେ ସିମୀତ ନଥିଲେ | ମଳତ୍ୟାଗ କରିବାକୁ ଯାଉଥିବା ଲୋକଙ୍କ ଠାରୁ ଏମାନେ ମଗ କିମ୍ବା ପାଣି ଡବା ଛଡାଇଆଣି ଢାଳି ଦେଉଥିଲେ | ଯାହା ଫଳରେ ବାହାରେ ମଳତ୍ୟାଗ କରୁଥିବା ଲୋକକୁ ହଇରାଣ ହେବାକୁ ପଡୁଥିଲା | ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ୩୧୨ ଗ୍ରାମ ପଂଚାୟତର ୬୧୦ଟି ଗାଁରେ ପ୍ରାୟ ସମସ୍ତଙ୍କ ଘରେ ପକ୍କା ଶୌଚାଳୟର ବ୍ୟବହାର ଆରମ୍ଭ ହୋଇଯାଇଛି |

ପିଲାଙ୍କ ଏହି କାମ ପ୍ରଥମେ ପ୍ରଥମେ ଗାଁ ଲୋକଙ୍କୁ ଅଜବ ଲାଗିଥିଲା | ପରେ ସେମାନେ ବୁଝିଥିଲେ ଯେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପିଲାମାନେ ଏମିତି କରୁଛନ୍ତି | ଏହାପରେ ସେମାନେ ଶୌଚାଳୟ ବ୍ୟବହାର କରିବା ଆରମ୍ଭ କରିଥିଲେ | ଆଜି ସାରା ଜିଲ୍ଲାରେ ଖୋଲାରେ ମଳତ୍ୟାଗ ବନ୍ଦ ହେବାରେ ଲାଗିଛି | ଖୁବ୍ ଶିଘ୍ର ଏହାକୁ ଖୋଲା ମଳତ୍ୟାଗ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବା |

image


ପିଲାମାନଙ୍କ ହୁଇସିଲ୍ ମାରି ଲୋକଙ୍କୁ ଖୋଲାରେ ମଳତ୍ୟାଗ ନ କରିବାକୁ ସତର୍କ କରାଇବା ଅଭିଯାନ ସମୟରେ ଅନେକ ଲୋକ ଗୋଟିଏ କଥା ପଚାରିଥିଲେ | ସେମାନେ ମଳତ୍ୟାଗ କେଉଁଠି କରିବେ ? ଏହି ପ୍ରଶ୍ନର ସମାଧାନ କରିଥିଲା ଜିଲ୍ଲା ପ୍ରଶାସନ | ଲୋକଙ୍କୁ ଶୌଚାଳୟ କରିବା ପାଇଁ ଆର୍ଥିକ ସହାୟତା ଦେଇଥିଲା | ଦେଖୁ ଦେଖୁ ଚାରି ମାସ ମଧ୍ୟରେ ଏହି ଜିଲ୍ଲାରେ ୨୫ ହଜାରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଥିଲା | ଅନ୍ୟ ପାଣ୍ଠିରୁ ଆସିଥିବା ଅର୍ଥରେ ମଧ୍ୟ ୧୫ ହଜାର ପାଇଖାନା ନିର୍ମାଣ ହୋଇଥିଲା |

ଡେରିରେ ହେଉ ବା ଶୀଘ୍ର ଲୋକଙ୍କ ମନରେ ସଚେତନତା ଆସୁଛି | ସେଥିପାଇଁ କେବଳ ବାରଣ କରିଲେ ଚଳିବ ନାହିଁ | ଏହାର ନିରାକରଣ ଓ ବିକଳ୍ପ ବ୍ୟବସ୍ଥା କରିବା ମଧ୍ୟ ଆବଶ୍ୟକ | ଯାହା ଇନ୍ଦୋରରେ ଦେଖିବାକୁ ମିଳିଥିଲା | ପିଲାମାନେ ଯଦି ହୁଇସିଲ୍ ବଜାଇ ଅନେକ ଗାଁକୁ ସ୍ୱଚ୍ଛ କରିପାରିଲେ, ଦେଶବାସୀ ଚାହିଁଲେ ଏହାକୁ ସ୍ୱଚ୍ଛ ଭାରତ କରିପାରିବେ | ଏଥିରେ ସନ୍ଦେହର ଅବକାଶ ନାହିଁ |

ମୂଳ ଲେଖା - ରୁବି ସିଂ

ଭାଷାନ୍ତର - ଅଖଣ୍ଡ