ଗହଣା ବନ୍ଧା ପକାଇ କିଣିଥିଲେ ପ୍ରଥମ ଗାଈ, ଆଜି ଡାଏରୀ ଫାର୍ମରେ ଅନ୍ୟକୁ ଦେଉଛନ୍ତି ଚାକିରି

ଗହଣା ବନ୍ଧା ପକାଇ କିଣିଥିଲେ ପ୍ରଥମ ଗାଈ, ଆଜି ଡାଏରୀ ଫାର୍ମରେ ଅନ୍ୟକୁ ଦେଉଛନ୍ତି ଚାକିରି

Sunday August 28, 2016,

2 min Read

କୋରାପୁଟ ଜିଲା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ନମିତା ପାଟ୍ଟଯୋଶୀ। ଏହି ଜିଲାର ଜାନିଗୁଡାଠାରେ ଥିବା ‘କାଞ୍ଚନ ଡାଏରି’ ର ମାଲିକାଣୀ ହେଉଛନ୍ତି ସେ ।

କାଞ୍ଚନ ଡାଏରି ମାଧ୍ୟମରେ ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କୁ ବି ସେ ସ୍ଵାବଲମ୍ବୀ ହେବାର ବାଟ ଦେଖାଇଛନ୍ତି ।

ତାଙ୍କ ଡାଏରି ଫାର୍ମରେ ବର୍ତ୍ତମାନ ୧୪ ଜଣ ଅସହାୟ ଗରିବ ମହିଳା ଓ ୪ଜଣ ପୁରୁଷ,ଏମିତି ମୋଟ ୧୮ଜଣ ନିୟୋଜିତ ହୋଇଛନ୍ତି । ସେମାନେ ମାସକୁ ୩ ହଜାରରୁ ୫ ହଜାର ଟଙ୍କା ଯାଏ ଦରମା ପାଉଛନ୍ତି । ତେବେ ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ଖ୍ୟାତି ପାଇବା ପୂର୍ବରୁ ସେ ଥିଲେ ଜଣେ ସାଧାରଣ ଗୃହିଣୀ । ହେଲେ କିଛି କାମ କରି ଘରର ରୋଜଗାର ବଢାଇବା ସହିତ ୩ ସନ୍ତାନଙ୍କୁ ଶୁଦ୍ଧ କ୍ଷୀର ଦେବା ପାଇଁ ୧୯୯୫ ମସିହାରେ ସେ ସ୍ଵାମୀ ନିରଞ୍ଜନ ପାଢୀଙ୍କ ଅନିଚ୍ଛା ସତ୍ତ୍ୱେ ନିଜର ଗହଣା ବନ୍ଧକ ରଖି ୫୪୦୦ଟଙ୍କା ଦେଇ ଏକ ଦୁଧିଆଳି ଗାଈ କିଣିଥିଲେ । ପିଲାମାନଙ୍କ ଆବଶ୍ୟକତା ମେଣ୍ଟିବା ପରେ ବଳକା କ୍ଷୀରକୁ ସେ ବିକ୍ରି କରିଦେଲେ । ଏମିତିରେ ସେ ମାସକୁ ପ୍ରାୟ ୨୦୦ଟଙ୍କା ରୋଜଗାର କଲେ । ପରେ ଏହି ବ୍ୟବସାୟକୁ ସେ ବଢାଇବାକୁ ଚାହିଁଲେ । ତାଙ୍କୁ ବ୍ୟାଙ୍କରୁ ୮ ହଜାର ଟଙ୍କାର ବ୍ୟକ୍ତିଗତ ଋଣ ନେଇ ଏକ ଜର୍ସି ଗାଈ କିଣିଲେ । ନିଷ୍ଠାର ସହ ଗାଈର ଯତ୍ନ ନେଲେ । ଆଉ ଲିଟର ପିଛା ୧୦ଟଙ୍କାରେ ଶୁଦ୍ଧ କ୍ଷୀର ବିକ୍ରି କଲେ । କ୍ରମେ ସେ ଗ୍ରହକମାନଙ୍କର ବିଶ୍ଵାସ ଭାଜନ ହେବା ସହ ମାସିକ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିଲେ ।

ସେବେଠାରୁ ପାଟ୍ଟଯୋଶୀ ଏହି ଗୋପାଳକୁ ଏକ ଉଦ୍ୟୋଗ ଭାବରେ ଗ୍ରହଣ କରିଛନ୍ତି । ସେଇଥିରେ ସେ ଆଗେଇ ଚାଲିଛନ୍ତି । ଆଉ ପଛକୁ ଚାହିଁନାହାନ୍ତି । ବର୍ତ୍ତମାନ ତାଙ୍କ ଡାଏରୀରେ ୧୦୪ଟି ଦୁଧିଆଳି ଅଛି । ଦୈନିକ ୩୫୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ଆଉ ଲିଟର ପିଛା ୪୫ଟଙ୍କାରେ ବିକ୍ରି ହେଉଛି । ଫଳରେ ଆଜି ସେ ନିଜର ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇ ପାରିଛନ୍ତି । ୩ ସନ୍ତାନ ବର୍ତ୍ତମାନ ଇଞ୍ଜିନିୟର ହେବା ସହିତ ଯଥାକ୍ରମେ ଆମେରିକା, ହାଇଦ୍ରାବାଦ ଏବଂ ଭୁବନେଶ୍ଵରରେ ଉଚ୍ଚ ବେତନରେ କାର୍ଯ୍ୟରତ ଅଛନ୍ତି । ତା’ସହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ।

ଏହି ସଫଳତା ଯୋଗୁ ୨୦୦୭ ମସିହାରେ ସମାଜ କୃଷି ଓ କୃଷକ ସମ୍ମାନ,୨୦୧୨ରେ ରାଜ୍ୟସ୍ତରୀୟ କୃଷକ ପ୍ରତିଭା ସମ୍ମାନ, ୨୦୧୨ରେ ପରେ ସମ୍ମାନ,୨୦୧୩ ମସିହାରେ ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମହିଳା ଭାବେ ସମ୍ମାନୀତ ହୋଇଛନ୍ତି ।

ଭବିଷ୍ୟତରେ ଆଉ ଅଧିକା ୫୦ଟି ଗାଈ ରଖିବା ସହ ଅଧିକା ୧୦୦ ଜଣ ଅସହାୟ ମହିଳାଙ୍କୁ ଏଥିରେ ନିୟୋଜିତ କରିବା ଲକ୍ଷ୍ୟ ରଖିଥିବା ପାଟ୍ଟଯୋଶୀ ପ୍ରକାଶ କରିଛନ୍ତି ।

ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା।