ରାଧିକା ଦେଉଛନ୍ତି ଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା
ସମାଜର କେତେଜଣ ନିଆରା ମଣିଷଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ରାଧିକା ସି.ଏସ୍, ଯାହାଙ୍କ ଦିନ ଆରମ୍ଭ ହୁଏ ସମାଜସେବାରୁ । ଯନ୍ତ୍ରଣା ଜର୍ଜରିତ ଦରିଦ୍ର ଓ ଅସହାୟ ରୋଗୀଙ୍କୁ ନିଜ ଆମ୍ବୁଲାନ୍ସରେ ଅତି ଅଳ୍ପ ଅବା ମୂଲ୍ୟରେ ହସ୍ପିଟାଲ ନେବା ଆଣିବା ହେଉଛି ରାଧିକାଙ୍କର ମୁଖ୍ୟ କାମ । ଜୀବନରେ ବହୁ ଉତ୍ ଥାନ ପତନ ଦେଇ ଗତି କରିଥିବା ରାଧିକା ଆଜି ୧୦ଟି ଆମ୍ବୁଲାନ୍ସର ମାଲିକାଣୀ । ଘରୋଇ ଚାକରାଣୀଠୁ ନେଇ ହସ୍ପିଟାଲ, ନର୍ସିଂହୋମ୍ ରେ ଧାଈ କାମ କରିଛନ୍ତି ରାଧିକା ।
ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ଆହୁରି ଯନ୍ତ୍ରଣାମୟ ହୋଇଯାଇଥିଲା । ସେତେବେଳେ ସେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ବେଶ୍ କେତେଥର ଉଦ୍ୟମ କରିଥିଲେ । ମାତ୍ର ବିଧିର ବିଧାନ ବୋଧହୁଏ ଭିନ୍ନ ଥିଲା । ଦିନେ ନିଜ ଜୀବନକୁ ଶେଷ କରିଦେବାକୁ ଚାହୁଁଥିବା ରାଧିକା ଆଜି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ତତ୍ପର । କର୍ଣ୍ଣାଟକର ମାଙ୍ଗାଲୋର୍ରେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ରାଧିକା । ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା । ଅନିଚ୍ଛା ସତ୍ତ୍ୱେ ଷଷ୍ଠ ଶ୍ରେଣୀ ପରେ ଆଉ ଆଗକୁ ପଢି ପାରିନଥିଲେ । ଘର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ତାଙ୍କୁ କେତେବେଳେ ଆୟା ତ ଆଉ କେତେବେଳେ ଘର ପାଖ ଆଙ୍ଗନବାଡିରେ ପାଚିକା, ଆୟା ତ ଆଉ କେତେବେଳେ ଘର ପାଖ ଆଙ୍ଗନବାଡିରେ ପାଚିକା, ପୁଣି କେତେବେଳେ ଘରୋଇ ଚାକରାଣୀ ଭାବେ କାମ କରିବାକୁ ପଡୁଥିଲା । ତେବେ କାମ କରିବାର ଏହିସବୁ ଅଭିଜ୍ଞତା ଖୁବ୍ ତିକ୍ତ ହୋଇପଡିବାରୁ ସେ କ୍ଷୋଭ ଓ ଦୁଃଖରେ ମାତ୍ର ୧୫ ବର୍ଷ ବୟସରେ ଘର ଛାଡିଦେଇଥିଲେ । ମାଙ୍ଗାଲୋରଠାରୁ ୬୦ କିମି ଦୂରରେ ପୁଟ୍ଟୁରନାମକ ସ୍ଥାନକୁ ଚାଲି ଯାଇଥିଲେ । ସେଠାରେ ଜଣେ ଡାକ୍ତରଙ୍କ ଘରେ ଚାକରାଣୀ ଭାବେ କାମ କରିଥିଲେ । କାମ ପ୍ରତି ତାଙ୍କ ନିଷ୍ଠା ଦେଖି ସେହି ଡାକ୍ତର ତାଙ୍କୁ ଏକ ହସ୍ପିଟାଲ୍ ରେ ଧାଈ ଭାବେ ରଖାଇ ଦେଇଥିଲେ । ସେହି ହସ୍ପିଟାଲଟି ବିଭିନ୍ନ କାରଣରୁ ବନ୍ଦ ହୋଇଯିବା ପରେ ରାଧିକା ମାଙ୍ଗାଲୋରସ୍ଥିତ ଆଉ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରିବାକୁ ଲାଗିଲେ । ସେହି ସମୟରେ ସେ ଉକ୍ତ ହସ୍ପିଟାଲର ଡ୍ରାଇଭର ସି ଏସ୍ ସୁରେଶଙ୍କୁ ବିବାହ କରିଥିଲେ ।
ବିବାହର ମାତ୍ର ଛଅ ବର୍ଷ ପରେ ଅଚାନକ ସୁରେଶଙ୍କର ମୃତ୍ୟୁ ହୋଇଥିଲା । ପୁଣି ଥରେ ଯନ୍ତ୍ରଣାମୟ ଜୀବନ ରାଧିକାଙ୍କୁ ବ୍ୟତିବ୍ୟସ୍ତ କରିଥିଲା । ସେତେବେଳକୁ ରାଧିକା ଦୁଇ ପିଲାଙ୍କ ମା' ବି ହୋଇସାରିଥିଲେ । ଏହା ସହିତ ସେ ରଣଭାରରେ ମଧ୍ୟ ବୁଡିଥିଲେ । ଏମିତିକି ଦିନକୁ ଦୁଇ ଓଳି ଦୁଇ ମୁଠା ଆହାର ଯୋଗାଡ କରିବା ମଧ୍ୟ ତାଙ୍କ ପାଇଁ ଅସମ୍ଭବ ହୋଇପଡିଥିଲା ।
ଆମ୍ବୁଲାନ୍ସ ସେବା
ଏହି ସମୟରେ ତାଙ୍କୁ ସହାୟତାର ହାତ ବଢେଇଥିଲେ ସୁନୀଲ ନାମକ ଜଣେ ବ୍ୟକ୍ତି; ଯିଏ କି ରାଧିକାଙ୍କ ସ୍ଵାମୀ ସୁରେଶଙ୍କ ସୁପାରିଶ କ୍ରମେ ସେହି ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ସୁନୀଲ ହିଁ ରାଧିକାଙ୍କୁ ଆମ୍ବୁଲାସ ଚଲାଇବା ଶିଖାଇଥିଲେ।ଏହାପରେ ରାଧିକା ନିଜେ ଏକ ଆମ୍ବୁଲାନ୍ସ କିଣିଥିଲେ । ମାତ୍ର ତାଙ୍କର ବ୍ୟବସାୟ ସେତେ ଜମିନଥିଲା । ଏହାର କିଛିଦିନ ପରେ ସ୍ଵାମୀଙ୍କ ବୀମା ଅର୍ଥରେ ସେ ପୁଣି ଏକ ଆମ୍ବୁଲାନ୍ସ କିଣିଥିଲେ । ଧୀରେ ଧୀରେ ତାଙ୍କ ବ୍ୟବସାୟର କଳେବର ବଢିବାରେ ଲାଗିଲା । ଏବେ ସେ ୧୦ଟି ଆମ୍ବୁଲାନ୍ସର ମାଲିକାଣୀ । ଘରୋଇ ନର୍ସିଂ ହୋମ୍ ଏବଂ ହସ୍ପିଟାଲରେ ସେ ତାଙ୍କର କେତୋଟି ଆମ୍ବୁଲାନ୍ସ ଭଡା ସୂତ୍ରରେ ଦେଇଥିବା ବେଳେ ଆଉ କେତୋଟିକୁ ସେ ଦରିଦ୍ର ଲୋକମାନଙ୍କ ପାଇଁ ରଖିଛନ୍ତି। ଲୋକଙ୍କ ଆବଶ୍ୟକତା ଅନୁସାରେ ସେ ଆମ୍ବୁଲାନ୍ସ ଯୋଗାଇ ଦେଉଛନ୍ତି । କିଲୋମିଟର ପିଛା ଅତି କମ୍ ଅର୍ଥ ଦାବି କରୁଥିବାରୁ ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଖରେ ରାଧିକାଙ୍କ ଆମ୍ବୁଲାନ୍ସର ଚାହିଦା ଅଧିକ । ଅନେକ ଥର ଏମିତି ବି ହୋଇଛି ଯେ ତାଙ୍କ ଆମ୍ବୁଲାନ୍ସରେ ଯାଇଥିବା କୌଣସି ରୋଗୀଙ୍କର ମୃତ୍ୟୁ ଘଟିଲେ ସେ ମୃତକଙ୍କ ଆତ୍ମୀୟଙ୍କ ଠାରୁ ଟଙ୍କାଟିଏ ମଧ୍ୟ ନେଇନାହାନ୍ତି। ଅନେକ ସମୟରେ ଦରିଦ୍ର ଲୋକମାନଙ୍କ ପାଇଁ ରାଧିକା ହସ୍ପିଟାଲ ର ବିଲ୍ ମଧ୍ୟ ପୈଠ କରିଛନ୍ତି। ଗରିବ ଓ ଅସହାୟ ରୋଗୀଙ୍କ ଶୁଭକାମନାକୁ ପାଥେୟ କରି ରାଧିକା ଆଗେଇ ଚାଲିଛନ୍ତି।