ଇଣ୍ଟରନେଟରେ ଓଡ଼ିଆ ଏନସାଇକ୍ଲୋପିଡ଼ିଆ "ଉଇକିପିଡ଼ିଆ" ବିକାଶ ପାଇଁ ଏକାଠି ହେଲେ ପୁରୀର ଛାତ୍ରଛାତ୍ରୀ
January 06, 2016, Updated on : Thu Sep 05 2019 07:18:13 GMT+0000

- +0
- +0

ପୁରୀରେ ଆୟୋଜିତ ଏକ ଉଇକିପିଡ଼ିଆ କର୍ମଶାଳା ପରେ ସେଠାରେ ଆଗରୁ ଗୁଗୁଲ ଡେଭଲପର୍ସ ଗ୍ରୁପରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ କର୍ମୀମାନେ ଉଇକିପିଡ଼ିଆରେ ଯୋଗ ଦେଇ ବିଭିନ୍ନ ବିଷୟରେ ଲେଖିବା ଆରମ୍ଭ କଲେ । କେଇଟା ଦିନ ଭିତରେ ଆଗରୁ ଅବହେଳିତ ବିଭିନ୍ନ ବିଷୟ ଯଥା ମୋବାଇଲ, କମ୍ପ୍ୟୁଟର ଓ ଇଣ୍ଟରନେଟ ସମ୍ବନ୍ଧିତ ଲେଖା, । ଏହି ୧୨ ଜଣିଆ ଦଳରେ ଥିବା ୪ ଜଣ ଝିଅ ଓଡ଼ିଶା ଓ ଓଡ଼ିଶା ବାହାରର ବିଭିନ୍ନ ଜଣାଶୁଣା ନାରୀଙ୍କ ସମ୍ବନ୍ଧରେ ଲେଖାସବୁ ତିଆରିବା ସହିତ ଆଗରୁ ଥିବା ଲେଖାଗୁଡ଼ିକ ଉନ୍ନତ କରିଆସୁଛନ୍ତି । ଏମାନଙ୍କ ଅବଦାନ ଫଳରେ ବିଭିନ୍ନ ଜଣାଅଜଣା ବିଷୟରେ ଉପାଦେୟ ଲେଖାସବୁ ପାଠକମାନଙ୍କ ପାଇଁ ଖୋଲାରେ ଉପଲବ୍ଧ ହେଉଛି । ଆଗକୁ ଛାତ୍ର, ଶିକ୍ଷକମାନେ ବହି ବାହାରେ ଓଡ଼ିଆରେ କିଛି ପଢ଼ିବାକୁ ଚାହିଁଲେ ଏସବୁ ବ୍ୟବହାରରେ ଲାଗିବ ।
ଏମାନଙ୍କ ଭିତରୁ ଜଣେ ଉଇକିଆଳି ଆଦ୍ଯାଶା କହନ୍ତି, "ମୁଁ ପ୍ରଥମେ ଲେଖିବା ଆରମ୍ଭ କଲାବେଳକୁ ରବୀନ୍ଦ୍ରନାଥ ଠାକୁରଙ୍କ ବାବଦରେ ଛୋଟ ଲେଖାଟେ ଥିଲା । ଆଉ ମୋର ତାଙ୍କ ବାବଦରେ ଓଡ଼ିଆରେ କିଛି ପଢ଼ିବା ପାଇଁ ଇଚ୍ଛା ଥିଲେ ବି ଇଣ୍ଟରନେଟରେ କିଛି ଖୋଜି ପାଉଲି ନାହିଁ । ତେଣୁ ନିଜେ ଇଂରାଜୀରୁ ଅନୁବାଦ କରିବା ଆରମ୍ଭ କଲି । ନିକଟରେ ଗୋଟେ ପରୀକ୍ଷାରେ ତାଙ୍କ ବିଷୟରେ ପଡ଼ିଥିଲା ଯେ ମୁଁ ମୋର ନିଜ ଲେଖା ଅନୁଭୂତି କେତେ କାମରେ ଆସିଲା ତାହା ଜାଣିଲି", ବଖାଣନ୍ତି ଆଦ୍ୟାଶା ।
ଆଉ ଜଣେ ମହିଳା ଉଇକିଆଳି ଅଲିଭା ସାହୁ କହନ୍ତି, "ମୁଁ କାକଟପୁର କଲେଜରେ ପଢ଼ିଲା ବେଳେ ବାଦ୍ୟଯନ୍ତ୍ର ଉପରେ ଲେଖାଟିଏ ଥିଲା । ସେତେବେଳେ ମୁଁ ଓଡ଼ିଆରେ ବିଶେଷ କିଛି ପଢ଼ିବାକୁ ପାଇନଥିଲି । ଏମିତି ଖୋଜୁଖୋଜୁ ଦିନେ ସେ ବାବଦରେ ଲେଖାଟିଏ ପାଇଲି । ଇଂରାଜୀ ଲେଖା ଆଉ ହିନ୍ଦୀ ଲେଖା ଦୁଇଟିରୁ ମିଶାଇ ଓଡ଼ିଆକୁ ଅନୁବାଦ କଲି ।"
ଅନୁବାଦ ହେଉ କି ମୌଳିକ ଭାବେ ହେଉ, ଉଇକିପିଡ଼ିଆରେ ବିଭିନ୍ନ ପ୍ରକାଶିତ ଲେଖାର ଆଧାରରେ ଉଇକିଆଳିମାନେ ତିଆରିଚାଲିଛନ୍ତି ଭଳିକି ଭଳି ନୂଆ ଲେଖା ।
ପୁରୀର ଏହି ଉଇକିଆଳିମାନେ ଏକାଠି ହୋଇ ଗଢ଼ିଛନ୍ତି "ଉଇକିଟୁଙ୍ଗି ପୁରୀ" । ପୁରୀରେ ଯୁବପିଢ଼ିଙ୍କୁ ଉଇକିପିଡ଼ିଆ ସମ୍ପର୍କରେ ଅବଗତ କରାଇବା, ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ କଲେଜରେ ଉଇକିପିଡ଼ିଆର ପ୍ରଚାର ପ୍ରସାର କରାଇବା, ପୁରୀରେ କର୍ମଶାଳା ଓ ମେଳଣ ଅଧିକରୁ ଅଧିକ ଲୋକଙ୍କୁ ଓଡ଼ିଆରେ ଟାଇପ ଶିଖାଇବା ଓ ସେମାନଙ୍କୁ ନିଜ ଅଞ୍ଚଳ ଓ ଆଗ୍ରହର ବିଷୟ ବାବଦରେ ଲେଖିବା ପାଇଁ ଆଗଭର କରାଇବା ଓ ଓଡ଼ିଆ ଢଗଢମାଳି-ଲୋକକଥା ଆଦିକୁ ଗୋଟେ ସ୍ଥାନରେ ଉପଲବ୍ଧ କରାଇବା ପାଇଁ ଉଇକିକଥା ନାମରେ ଆଉ ଏକ ପ୍ରକଳ୍ପର ବିକାଶ କରାଇବା ହେଉଛି ଏହି ଦଳର ମୁଖ୍ୟ ଲକ୍ଷ୍ୟ ।
ବାକି ଭାରତୀୟ ଓ ଏସୀୟ ଭାଷା ଭିତରୁ ଓଡ଼ିଆ ଏକ ପୁରୁଣା ଭାଷା ହୋଇ ସୁଦ୍ଧା ଓଡ଼ିଆର ଇଣ୍ଟରନେଟରେ ବ୍ୟବହାର ଖୁବ ଊଣା । ଯଦିଓ ଓଡ଼ିଶାରେ ନିୟମିତ ପ୍ରକାଶିତ ଓଡ଼ିଆ ଖବରକାଗଜ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି ସେସବୁ ଏଯାବତ ଇଉନିକୋଡ଼ରେ ଉପଲବ୍ଦ ହେଉନଥିବାରୁ ଲେଖାଗୁଡ଼ିକ ଇଣ୍ଟରନେଟରେ ଖୋଜିଲେ ମିଳୁନାହିଁ । ଆଉ ସବୁ କାଗଜର ପୁରୁଣା ଅଭିଲେଖ ଉପଲବ୍ଧ ହେଉନଥିବାରୁ ଜଣେ ଲୋଡ଼ାପଡ଼ିଲେ ଖବରଟେ ଖୋଜି ପାଇପାରିବ ନାହିଁ । ଏ ଦିଗରେ ପ୍ରକାଶନ ସଂସ୍ଥା, ବ୍ୟକ୍ତିବିଶେଷ ଓ ସରକାର ସଭିଏଁ ଚେଷ୍ଟା କଲେ ଯାଇ ଅଧିକରୁ ଅଧିକ ଲେଖା ଇଣ୍ଟରନେଟରେ ଉପଲବ୍ଧ ହୁଅନ୍ତା । ଏଯାଏ ଗୁଗୁଲର ପ୍ରଧାନ ପୃଷ୍ଠାରେ ଯେ ଓଡ଼ିଆ ଆସୁନାହିଁ ବୋଲି ଅନେକେ ମତ ଦିଅନ୍ତି ତା'ର ମୁଖ୍ୟ କାରଣ ହେଲା ଇଣ୍ଟରନେଟରେ ଓଡ଼ିଆ ଲେଖାର ଘୋର ଅଭାବ । ଏ ଦିଗରେ ଅଣଲାଭକାରୀ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ସମୂହ ଉଇକିପିଡ଼ିଆର ଭୂମିକା ଉଲ୍ଲେଖଯୋଗ୍ୟ । ଉଇକିପିଡ଼ିଆ (Wikipedia) ୨୦୦୧ରେ ପ୍ରଥମେ ଇଂରାଜୀରେ ଆରମ୍ଭ ହୋଇ ଧୀରେ ଧୀରେ ବାକି ଭାଷାରେ ଆରମ୍ଭ ହେଲା । ଆନନ୍ଦର ବିଷୟ ଯେ ଓଡ଼ିଆରେ ଉଇକିପିଡ଼ିଆ ୨୦୦୨ ମସିହାରେ ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଅହମୀୟା, ମାଲାୟାଲାମ ଓ ପଞ୍ଜାବୀ ସହିତ ଗଢ଼ାହେଲା । ଅଧୁନା କେବଳ ଇଂରାଜୀ ନୁହେଁ ୨୮୭ରୁ ଅଧିକ ଭାଷାରେ ଉପଲବ୍ଧ ଏହି ଖୋଲା ଅନଲାଇନ ଏନସାଇକ୍ଲୋପିଡ଼ିଆ । ଅନେକେ ଜାଣି କାବା ହେବେ ଯେ ଓଡ଼ିଆ ଉଇକିପିଡ଼ିଆରେ ଲେଖୁଥିବା ସମ୍ପାଦକ ବା ଉଇକିଆଳିଙ୍କ ସଂଖ୍ୟା ପାଖାପାଖି ୨୫-୩୦ ହେଲେ ହେଁ ଏଥିରେ ଲେଖା ପ୍ରସଙ୍ଗ ସଂଖ୍ୟା ୧୦,୬୦୦ରୁ ଅଧିକ । ପୁରୀର ଉଇକିଆଳିମାନଙ୍କ ଆସିବା ପରେ ଓଡ଼ିଆ ଉଇକିଆଳିଙ୍କ ସଂଖ୍ୟା ପାଖାପାଖି ଦୁଇଗୁଣା ବଢ଼ିଛି ବୋଲି କହିହେବ ।
ଓଡ଼ିଆ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ http://or.wikipedia.org ରେ ପଢ଼ିପାରିବେ । ଏଥିରେ ସଭିଏଁ ଲେଖିପାରିବେ (ଲେଖିବା ବାବଦରେ ଦରକାରୀ ସୂଚନା) ।
ଫଟୋ: ସ୍ନେହାଶିଷ ନାୟକ (CC-BY-SA 4.0)
- +0
- +0