କଲମ ସାଇତି ରଖିବା ଯାହାଙ୍କ ନିଶା

କଲମ ସାଇତି ରଖିବା ଯାହାଙ୍କ ନିଶା

Tuesday May 24, 2016,

3 min Read

କଲମ , କଣ ସୃଷ୍ଟି ନ କରିପାରେ । କଲମ ଇତିହାସ ଲେଖେ । ଶାସକକୁ ପଦଚ୍ୟୁତ କରିପାରେ , ପୁଣି ଫୁଟାଇଦେଇପାରେ କେତେ କେତେ କବିତା ଆଉ ସୃଜନର ସଂଭାର । ଥରେ ଭାବିଲେ ତ କଲମ ନଥିଲେ କଣ ହୁଅନ୍ତା ? କବି, ଲେଖକ , ଛାତ୍ର , ବିଚାରପତି ଆଉ କିରାଣୀ କଲମ ବିନା ନିଜକୁ ଅସହାୟ ମନେ କରନ୍ତି । କଲମକୁ ଆୟୁଧ କରି କେତେ କଣ କରାଯାଏ । ଏହା ପ୍ରତିଟି ଶିକ୍ଷିତ ମଣିଷ ଅଙ୍ଗେ ନିଭାଇଥାଏ । ପୁରୀ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟତମ ଉପପ୍ରଶାସକ , ଯିଏ କଲମରେ ଖାଲି କାମ କରି ନଥାନ୍ତି , ଦେଶ ବିଦେଶର ଅନେକ କଲମକୁ ସାଇତି ରଖିବା ସହ ନିଜ ଘରେ ଏକ କଲମ ସଂଗ୍ରହାଳୟ ସୃଷ୍ଟି କରିଛନ୍ତି କହିଲେ ଚଳେ । ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଡକ୍ଟର ଭାସ୍କର ମିଶ୍ର । ୫୪ ବର୍ଷିୟ ଏହି ବ୍ୟକ୍ତି ଜଣଙ୍କ ବାସେଳୀ ସାହିର ମୂଳ ବାସିନ୍ଦା । ପୁରୀ ମୁନିସିପାଲ୍ ହାଇସ୍କୁଲ ଏବଂ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରୁ ସ୍ନାତକଶିକ୍ଷା ସମାପ୍ତ କରିବା ପରେ ବାଣୀବିହାରରେ ଓଡିଆ ବିଭାଗରେ ସ୍ନାତ୍ତୋକତ୍ତର କରିବା ସହ ପରବର୍ତ୍ତୀ ସମୟରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ଜଗନ୍ନାଥ ଏବଂ ମଠ ସଂସ୍କୃତିରେ ପି.ଏଚ୍.ଡି ଲାଭ କରିଛନ୍ତି ।

image


ବାଲେଶ୍ୱରିଆ ଆଲୋପାଥି ଡାକ୍ତର ବନ୍ଧୁ ହରିଶ୍ ଜେନା । ଘରକୁ ତାଙ୍କର ଯିବା ଆସିବା ପ୍ରାୟ ଗୋଟିଏ ସମୟରେ ଲାଗି ରହୁଥିଲା ବୋଲି କୁହନ୍ତି ଭାସ୍କର ମିଶ୍ର । ହରିଶ୍ ଙ୍କୁ ବିଭିନ୍ନ ମେଡିସିନ୍ କମ୍ପାନୀ ତରଫରୁ ମିଳିଥାଏ କଲମ ଉପହାର । ସେ ତାହାକୁ ଭାସ୍କରଙ୍କୁ ଦେଇଥାନ୍ତି , ଏମିତି ଗୋଟିଏ ଗୋଟିଏ କଲମ ପାଇବାପରେ କେଜାଣି କାହିଁକି ତା ପ୍ରତି ଏକ ଦୁର୍ବଳତା ସୃଷ୍ଟି ହୋଇଥିଲା ତାଙ୍କର । ହରିଶ୍ ଙ୍କ ଦ୍ୱାରା ଦିଆ ଯାଇଥିବା ଉପହାରକୁ ପୁଂଜି କରି ସଂଗ୍ରହ କରି ଚାଲିଲେ କଲମ । ଆଜି ତାଙ୍କ ପାଖରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ କଲମ ଅଛି । ଯେଉଁଥିରେ ସାମିଲ ଅଛି ୧୨୭ ଛୋଟ ବଡ କଂପାନୀର କଲମ , ବିଶ୍ୱର ପ୍ରାୟ ୩୦ ଗୋଟି ରାଷ୍ଟ୍ରର କଲମ ।

ଫାଉଣ୍ଟେନ ପେନ୍ ଠାରୁ ଆରମ୍ଭ କରି ତ୍ରିଶୂଳ ମୂନ ପର୍ଯ୍ୟନ୍ତ

ପ୍ରାରମ୍ଭିକ ପର୍ଯ୍ୟାୟରେ କଲମ ବ୍ୟବହାର ପୂର୍ବରୁ ଲେଖନୀ, ଫାଉଣ୍ଟେନ୍ ପେନ୍ , କାଳି ଘଡି , ଶିଶୁ କାଠ କଲମ ଇତ୍ୟାଦି ସଂଗ୍ରହ କରି ରଖିଛନ୍ତି ଡକ୍ଟର ମିଶ୍ର । ପୁରୁଣା କାଳରେ ରାଜ ଦରବାରରେ ବ୍ୟବହାର କରାଯାଉଥିବା ରାଜକୀୟ ଲେଖନୀ , ଯାହା ମୂଲ୍ୟବାନ ହାତୀଦାନ୍ତ, ଗାଇ ଶିଙ୍ଗ , ଚନ୍ଦନ କାଠ , ପକ୍ଷୀପରରେ ନିର୍ମିତ ଲେଖନୀ ସଂଗ୍ରହ କରି ରଖିଛନ୍ତି । ଏ ଅଜବ ଖିଆଲ ବିଷୟରେ ପଚାରିବାରୁ ସେ କୁହନ୍ତି କୁଆଡେ ଯାଇଥିଲେ ଯଦି କିଛି ନିଆରା ପେନ୍ ଦେଖେ ତେବେ ତାକୁ ଆଣିଥାଏ । ଏବେ ମୋ ସାଙ୍ଗ ମାନେ ମୋର ଏ ପ୍ରବୃତ୍ତି ବିଷୟରେ ଜାଣିବା ପରେ ସେମାନଙ୍କ ନଜରରେ ଆସୁଥିବା ନିଆରା କଲମ ସବୁକୁ ମୋ ପାଇଁ ନେଇ ଆସନ୍ତି । କେବଳ ବନ୍ଧୁ ପରିଜନ ନୁହଁନ୍ତି ନିଜ କର୍ମ କ୍ଷେତ୍ରର ସହଯୋଗୀ ତଥା ଉଚ୍ଚପଦସ୍ଥ କର୍ମଚାରୀ , ପ୍ରଶାସକ ସମସ୍ତଙ୍କ ଠାରୁ ଗ୍ରହଣ କରିଛନ୍ତି କଲମ ଉପହାର ।

ଜଗତଗୁରୁଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ଠାରୁ ଗ୍ରହଣ କରିଛନ୍ତି ବିଭିନ୍ନ କଲମ

ଶ୍ରୀକ୍ଷେତ୍ର ସ୍ଥିତ ଗୋର୍ବଦ୍ଧନପୀଠ ଶଙ୍କରାଚାର୍ଯ୍ୟ , ପୁରା ଗଜପତି ମହାରାଜା ଦିବ୍ୟ ସିଂହ ଦେବ , ଧର୍ମଗୁରୁ ର୍ନିଲିପ୍ତାନନ୍ଦ ସରସ୍ୱତୀ, ପ୍ରଜ୍ଞାନନ୍ଦଜୀ ମହାରାଜ, ଶିବ ଚିଦାନନ୍ଦ , ପଦ୍ମଶ୍ରୀ ପ୍ରଫୁଲ୍ଲ କର , ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି , ବର୍ତମାନର ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର , ବଡ ଓଡିଆ ମଠର ମଠାଧୀଶ ବଂଶୀଧର ଦାସ ଗୋସ୍ୱାମୀ , ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଓଡିଆ ସଂଗଠନର ପ୍ରମୁଖ ସଦସ୍ୟ ଭାଗବତ ସାହୁ, ଭୁୂବନେଶ୍ୱର ସ୍ଥିତ ଏମ୍ସ୍ ର ମୁଖ୍ୟ ଅଶୋକ ମହାପାତ୍ର , ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ପରିଚାଳକ ମନୋଜ ନାୟକ , ନବକଳେବର ଭିତ୍ତିଭୂମି ତଦାରଖ କମିଟିର ଅଧ୍ୟକ୍ଷ ମହେଶ୍ୱର ମହାନ୍ତି , ପ୍ରଫେସର କେ ସି ମିଶ୍ର ,ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ପ୍ରମୁଖ ସେବକ ଜଗନ୍ନାଥ ସ୍ୱାଇଁ ମହାପାତ୍ର , ସୁଭଦ୍ରାଙ୍କ ବାଡଗ୍ରାହୀ ରାମକୃଷ୍ନ ଦାସ ମହାପାତ୍ର ପ୍ରମୁଖ ଡକ୍ଟର ଭାସ୍କର ମିଶ୍ରଙ୍କୁ ଦେଇଛନ୍ତି ବିଭିନ୍ନ ରକମର କଲମ ଉପହାର । ଏତଦ୍ ବ୍ୟତୀତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଛତିଶିଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଠାରୁ ନିକଟ ଭବିଷ୍ୟତରେ କଲମ ଆଣିବା ପାଇଁ ଯୋଜନାଥିବା ବିଷୟରେ କୁହନ୍ତି ଡକ୍ଟର ଭାସ୍କର ମିଶ୍ର ।