ସ୍ୱଚ୍ଛଭାରତ ମିଶନ ଗ୍ରାମୀଣର ଆମ୍ବାସଡର ମନୀଷା ରାଣୀ

ସ୍ୱଚ୍ଛଭାରତ ମିଶନ ଗ୍ରାମୀଣର ଆମ୍ବାସଡର ମନୀଷା ରାଣୀ

Wednesday April 06, 2016,

4 min Read

image


ସ୍ୱଚ୍ଛ ଭାରତ ମିଶନରେ ଆଜି ଭାରତର ସବୁ ଗାଁ, ସହର, ଜିଲ୍ଳା, ରାଜ୍ୟ ସାମିଲ ହେବାରେ ଲାଗିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆରମ୍ଭ କରିଥିଲେ । ୨୦୧୯ ମସିହା ଅକ୍ଟୋବର ୨ ତାରିଖ ସୁଦ୍ଧା ସମଗ୍ର ଭାରତ ବର୍ଷ ସ୍ୱଚ୍ଛ ଭାରତ ହୋଇଯାଇଥିବ ଏହା ସ୍ୱପ୍ନ ଦେଖିଛନ୍ତି ମୋଦି । ସ୍କୁଲ, ଡାକ୍ତରଖାନା, ଘର, ବସଷ୍ଟାଣ୍ଡ, ରେଳ ଷ୍ଟେସନ ସବୁଠି ଦେଖାଦେଲାଣି ଏହି ମିଶନର କମାଲ । ଥିରେ ଥିରେ ଏଥିରେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଅଭିନେତା, ପ୍ରଧାନମନ୍ତ୍ରୀ ସମସ୍ତେ ସାମିଲ ହେବାରେ ଲାଗିଛନ୍ତି । କେହି ବି ଏହାକୁ ହାତ ଛଡା କରିବାକୁ ଚାହିୁଁ ନାହାନ୍ତି ।

image


ତେବେ ଏ ତ ଗଲା ରାଜ୍ୟ ତଥା ଦେଶର କଥା । ଏବେ ଆସନ୍ତୁ ଜଣେ ଏମିତି ଝିଅଙ୍କ ବିଷୟରେ ଜାଣିବା ଯିଏ ଜଣେ ସାଧାରଣ ଝିଅଟିଏ । କିନ୍ତୁ ତାର ପରିଶ୍ରମ ଓ କର୍ମ ବଳରେ ଆଜି ରାଜ୍ୟସରକାର ତାଙ୍କୁ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ପୁରସ୍କୃତ କରିଛନ୍ତି । ସେ ହେଉଛନ୍ତି କନ୍ଧମାଳ ଜିଲ୍ଳାର ମନୀଷା ରାଣୀ ପ୍ରଧାନ ।

କଥାରେ ଅଛି ବଣ ମଲ୍ଳୀ ବଣରେ ଫୁଟି ବଣରେ ମଉଳି ଯାଏ । ତାକୁ ବାହ୍ୟ ଜଗତରେ ଲୋକେ ଜାଣିପାରନ୍ତି ନାହିଁ । କିନ୍ତୁ ଏମିତି ଅନେକ ମଲ୍ଳି ଅଛି ଯେଉଁମାନେ ନିଜ ବାସ୍ନାରେ ସାରା ଜିଲ୍ଳା କାହିଁକି ରାଜ୍ୟସ୍ତରରେ ମଧ୍ୟ ସଫଳତା ପାଇଛନ୍ତି । କେ. ନୂଆଁ ଗାଁ ବ୍ଳକ ଅନ୍ତର୍ଗତ ବିଲାବାଡି ହେଉଛି ଏକ ଛୋଟିଆ ଆଦିବାସୀ ଗାଁ । ସେଇଠି ପାଖାପାଖି ୧୫୦ ଟି ପରିବାର ବସବାସ କରନ୍ତି । ଏଠାରେ କିଛି ବର୍ଷ ପୁର୍ବେ ଲୋକମାନେ ଡାଇରିଆ,ଝାଡାବାନ୍ତିରେ ବହୁ ଆକ୍ରାନ୍ତ ହେଉଥିଲେ, ତା ସହ ବହୁ ସମୟରେ ଛୋଟ ଛୋଟ ଶିଶୁ ଓ ବୁଢ଼ାବୁଢ଼ୀ ମାନଙ୍କ ଏଥିରେ ମୃତ୍ୟୁ ମଧ୍ୟ ହେଉଥିଲା । ଜନସଚେତନତା ଅଭାବରୁ ଏମିତି ପ୍ରତିବର୍ଷ କିଛି ନା କିଛି ଦୂର୍ଘଟଣା ଘଟିଥାଏ ।

ଜନ ସଚେତନତା ଅଭାବରୁ ବହୁ ଲୋକ ଜାଣି ନାହାନ୍ତି ଯେ ଆମେ ଖୋଲାରେ ମଳତ୍ୟାଗ କଲେ ସେହି ମଳରେ ବସୁଥିବା ମାଛି ପୁଣି ଆମ ଖାଦ୍ୟରେ ଆସି ବସେ । ଆମେ ସେହି ଖାଦ୍ୟ ଖାଇଥାଉ । ଗୋଟିଏ ମାଛି ୩ କିଲୋମିଟର ଯାଏ ଉଡ଼ିପାରେ ଏବଂ ତାର ଗୋଡରେ ଲାଗିଥିବା ଜୀବାଣୁକୁ ଆମ ଖାଦ୍ୟରେ ଛାଡି ଦେଇଥାଏ । ତେଣୁ ଆମେ ଭାବୁ ଆମେ ଯେଉଁ ମଳତ୍ୟାଗ କଲେ ତାହା ଅନ୍ୟତ୍ର ସ୍ଥାନାନ୍ତର ହୋଇଗଲା । କିନ୍ତୁ ଅନ୍ୟପଟେ ଆମେ ଭୁଲି ଯାଉ ଯେ ନିଜ ମଳ ଆମେ ନିଜେ ହିଁ ଖାଉଛୁ । ଖାଦ୍ୟ ଖାଇବା ବା ପରଶିବା ଆଗରୁ ଯେ ସାବୁନରେ ହାତ ଧୋଇବା ନିତାନ୍ତ ଆବଶ୍ୟକ ତାହା ହୃଦୟଙ୍ଗମ କରିପାରୁନା। 

ଏମିତି ଦିନେ କେ.ନୂଆ ଗାଁ ବ୍ଳକରେ ଡିଏଫ୍ଆଇଡି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷା ରାଣୀ ପ୍ରଧାନ ଯୋଗ ଦେଇଥାନ୍ତି । ସେଠାରେ ବ୍ଳକର ବିଡିଓଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥାନ୍ତି । ସେଠାରେ ଖୋଲାରେ ମଳତ୍ୟାଗ ବନ୍ଦ କରିବା ଉପରେ ଲୋକଙ୍କୁ ବୁଝାଯାଉଥାଏ। ସେହି ଦିନର ବୈଠକ ମନୀଷାଙ୍କ ଜୀବନର ଦିଗ ପରିବର୍ତ୍ତନ କରି ଦେଲା । ସେ ନିଜେ ତ ବୁଝିଲେ କିନ୍ତୁ ମନରେ ଠାଣି ନେଲେ ଯେ ଗ୍ରାମବାସୀଙ୍କୁ ମଧ୍ୟ ଏହା ସମ୍ପର୍କରେ ବୁଝାଇବେ। ସେ ନିଜ ଗ୍ରାମର କିଛି ଲୋକଙ୍କୁ ଏକାଠି କରି ବାହ୍ୟ ମଳତ୍ୟାଗ କଲେ କଣ ଅସୁବିଧା ହୁଏ ବୁଝାଇଲେ । ପ୍ରଥମେ ପ୍ରଥମେ ତାଙ୍କୁ ଗାଁର କିଛି ଲୋକ ବାରଣ ମଧ୍ୟ କଲେ । ତଥାପି ମନୀଷା ତାଙ୍କ କର୍ମ ପଥରୁ ଉହରିଲେ ନାହିଁ । ଯେତେ କଷ୍ଟ ଆସୁ ମଧ୍ୟ ସେ ନିଜ କର୍ମରେ ଆଗେଇ ଚାଲିଲେ । ବହୁ ଲୋକେ ବହୁ କଥା କହିଲେ । ଧୀରେ ଧୀରେ ଗାଁରେ ସମସ୍ତେ ବୁଝିଲେ, ଖୋଲାରେ ମଳତ୍ୟାଗ କଲେ କଣ ଅସୁବିଧା ହେଉଛି । ଗାଁରେ ସମସ୍ତେ ମିଶି ମିଟିଙ୍ଗ କଲେ । 

ମନୀଷା କହିବା ମୁତାବକ ଅନେକେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପ୍ରତି ଘରେ ପାଇଖାନା ତିଆରି କଲେ । ଆଉ ବାହାରେ ମଳତ୍ୟାଗ କେହିଁ କଲେ ନାହିଁ । ଏବଂ ମନୀଷା ଦିନେ ଗାଁ ଲୋକଙ୍କ ସହ ମିଶି ଜିଲ୍ଳାପାଳଙ୍କୁ ଦେଖା କରିବାକୁ ଗଲେ । ଜିଲ୍ଳାପାଳ ଖୁସି ହୋଇ ମନୀଷାଙ୍କ ଏହି ମହତ କାମ ପାଇଁ ପ୍ରଶଂସା କରିବା ସହିତ ପୁରସ୍କୃତ ମଧ୍ୟ କଲେ । ଜିଲ୍ଲାପାଳଙ୍କୁ ମନୀଷା କହିଥିଲେ ପାଇଖାନା ଥିବ ଯେଉଁ ଘରେ ମୁଁ ବାହା ହେବି ସେହି ଘରେ । ଜିଲ୍ଳାପାଳ ମହୋଦୟ ଏହା ଶୁଣି ଖୁସି ହୋଇଥିଲେ । ପରେ ବିଲାବାଡି ଗାଁର ସମସ୍ତ ପରିବାରକୁ ୧୨ ହଜାର ଟଙ୍କା ଲେଖାଏଁ ପାଇଖାନା ତିଆରି କରିଥିବା ପାଇଁ ପ୍ରଦାନ କରିଥିଲେ । ବିଲାବାଡି ହେଉଛି କନ୍ଧମାଳ ଜିଲ୍ଳାର ଏକ ଛୋଟିଆ ଆଦିବାସୀ ଗାଁ । ଯେଉଁଠି ମୌଳିକ ସୁବିଧା ମଧ୍ୟ ପହଂଚି ପାରିନାହିଁ । ମନୀଷାଙ୍କ ଉଦ୍ୟମ ଫଳରେ ସେ ଗାଁକୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଳାପାଳ ଘୋଷଣା କରିଥିଲେ ଏବଂ ତାହା ପୂର୍ଣ୍ଣ ମଧ୍ୟ କରିଥିଲେ । ଖୋଲା ମଳତ୍ୟାଗ ମୁକ୍ତ ଗାଁ ବୋଲି ଘୋଷଣା କରିବା ସହ ଆଦର୍ଶ ଗାଁର ମାନ୍ୟତା ଦିଆଗଲା ।

ସେହିଦିନ ଠାରୁ ମନୀଷା ରାଣୀ ତାଙ୍କ ପାଠ ପଢ଼ିବା ସହ ଗାଁ ଗାଁ ବୁଲି ସ୍ୱଚ୍ଛ ଭାରତ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ଚଳିତ ବର୍ଷ ମନୀଷା +୨ କଳା ପରୀକ୍ଷା ଦେଇଛନ୍ତି । ଅଳ୍ପ ବୟସରେ ସେ ଏତେ କାମ କରୁଛନ୍ତି ଯାହାକୁ ଦେଖି ଜିଲ୍ଳାରେ ଅନ୍ୟ ମହିଳା ମାନେ ମଧ୍ୟ ଆଗକୁ ଆସିଛନ୍ତି ।

୨୦୧୫ ମସିହା ଅକ୍ଟୋବର ୨ ତାରିଖ ଦିନ ମନୀଷାଙ୍କୁ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ପାଇଁ ଓଡିଶାର ବ୍ରାଣ୍ଡ ଆମ୍ବାସଡର ପୁରସ୍କାର ମଧ୍ୟ ଦେଇଛନ୍ତି ।

ସେ ଏବେ କନ୍ଧମାଳ ଜିଳ୍ଳାର ବହୁ ଅଂଚଳକୁ ଯାଇ ପ୍ରୋଗାମ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି । ସେ ନିଜ ପ୍ରଚେଷ୍ଟା ବଳରେ ଏ ଯାଏଁ ପାଖାପାଖି ୧୦ ଟି ଗ୍ରାମର ୧୦୦୦ ରୁ ବେଶି ଲୋକଙ୍କୁ ଖୋଲାରେ ମଳତ୍ୟାଗ ନ କରିବାକୁ ବୁଝାଇ ସାରିଲେଣି । ତାଙ୍କ ସ୍ୱପ୍ନ ରହିଛି ଆଗାମୀ ଦୁଇ ରୁ ତିନି ବର୍ଷ ମଧ୍ୟରେ ସମଗ୍ର ଜିଲ୍ଳା ଯେମିତି ଖୋଲାରେ ମଳତ୍ୟାଗ ମୁକ୍ତ ଜିଲ୍ଳା ହୋଇ ପାରିବ ।