ବେଶିରୁ ବେଶି ଯୁବପିଢି ଷ୍ଟାର୍ଟଅପ ଗଢିବାକୁ ଆଗ୍ରହୀ - ସର୍ଭେ

ବେଶିରୁ ବେଶି ଯୁବପିଢି ଷ୍ଟାର୍ଟଅପ ଗଢିବାକୁ ଆଗ୍ରହୀ - ସର୍ଭେ

Tuesday April 19, 2016,

2 min Read

ଦିନ ଥିଲା ଆମ ଦେଶରେ ଉଦ୍ୟୋଗୀ ହେବା ଅର୍ଥାତ ସାଧାରଣ ଭାଷାରେ କହିଲେ ବେପାର କରିବାକୁ ଯୁବପୀଢି ସେତେଟା ପସନ୍ଦ କରୁନଥିଲେ। ବେପାର ଅପେକ୍ଷା ସରକାରୀ ଚାକିରି କରିବାକୁ ଅଧିକ ପସନ୍ଦ କରାଯାଉଥିଲା। ସମସ୍ତଙ୍କ ଇଚ୍ଛା ଥିଲା ଡାକ୍ତର, ଇଂଜିନିୟର ବା ଆଇଏଏସ ଅଫିସର ହେବେ। କିନ୍ତୁ ଏବେ ଧୀରେ ଧୀରେ ଆମ ସମାଜରେ ଉଦ୍ୟୋଗଶୀଳତା ପ୍ରତି ମନୋଭାବ ବଦଳୁଛି। ଲୋକମାନେ ଉଦ୍ୟୋଗୀଟିଏ ହେବା ଅର୍ଥାତ ନିଜର ଏକ ଷ୍ଟାର୍ଟଅପ ଆରମ୍ଭ କରିବାକୁ ପୂର୍ବାପେକ୍ଷା ଅଧିକ ଆଗ୍ରହ ଦେଖାଉଛନ୍ତି ଏପରିକି ଭଲ ଭଲ ଚାକିରି ଛାଡି ଷ୍ଟାର୍ଟ-ଅପ ଗଢିବାକୁ ଲୋକମାନେ ଆଗେଇ ଆସୁଛନ୍ତି। ମୋଟାମୋଟି ଭାବେ ଉଦ୍ୟୋଗଶୀଳତା ପ୍ରତି ଲୋକମାନଙ୍କ ମନରେ ସକାରାତ୍ମକ ପରିବର୍ତ୍ତନ ଆସିଥିବା ଏକ ସର୍ଭେରୁ ଜଣାପଡିଛି। 

PC: Techstory.in

PC: Techstory.in


ଆମୱେ ଦ୍ବାରା ପ୍ରସ୍ତୁତ କରାଯାଇଥିବା India Entrepreurship Report 2015କୁ କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟୋଗୀ ମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ ଉନ୍ମୋଚନ କରିଛନ୍ତି। ଭାରତରେ ଉଦ୍ୟୋଗୀ ହେବାକୁ ଲୋକମାନଙ୍କ ଭିତରେ ଥିବା ଉତ୍ସାହକୁ ଏହି ରିପୋର୍ଟ ଜରିଆରେ ପ୍ରଦର୍ଶିତ କରାଯାଇଛି। ନିଲସନ୍ ଇଣ୍ଡିଆ ସହଯୋଗରେ କରାଯାଇଥିବା ଏହି ସର୍ଭେରେ 21ଟି ରାଜ୍ଯରେ ଥିବା 50ଟି ଭିନ୍ନ ସହରର 250ଟି ଘରକୁ ସାମିଲ କରାଯାଇଥିଲା। ପ୍ରତି ଘରର 21-65 ବର୍ଷ ବୟସର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସାକ୍ଷାତକାର ନିଆଯାଇଥିଲା। 5402 ପୁରୁଷ ଓ 5366 ମହିଳାଙ୍କ ସମେତ ମୋଟ 10,768 ଜଣଙ୍କର ସାକ୍ଷାତକାର ନିଆଯାଇଥିଲା। 

ଏହି ରିପୋର୍ଟକୁ ଉନ୍ମୋଚନ କରି ଶ୍ରୀ ରାଜୀବ ପ୍ରତାପ ରୁଡ୍ଡୀ କହିଥିଲେ, 

ବିକଶିତ ରାଷ୍ଟ୍ରଗୁଡ଼ିକରେ ତୁଳନାରେ ଭାରତରେ ଏମ୍ଏସ୍ଏମଇ (ଲଘୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ)ର ଅବଦାନ ବହୁତ କମ। ତୃଣମୂଳ ସ୍ତରରେ ଉଦ୍ୟୋଗୀ ସୃଷ୍ଟି ହେବାର ଭାବନା ଜାଗ୍ରତ ହେଲେ ଭାରତ ଏହାର ବିବିଧ ଭୌଗୋଳିକ ସ୍ଥିତିର ଲାଭ ସର୍ବାଧିକ ମାନରେ ହାସଲ କରିପାରିବ। ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଓ ଆଗ୍ରହକୁ ବୁଝିବା ନୀତି ନିର୍ଦ୍ଧାରକଙ୍କୁ ସୁହାଇବ। 

ଆମୱେ ଇଣ୍ଡିଆର ସିଓଓ ଅଂଶୁ ବୁଦ୍ଧରାଜା କହିଛନ୍ତି ଯେ, 

ଭାରତରେ ଉଦ୍ୟୋଗୀ ସୃଷ୍ଟି ହେବା ସ୍ଥିତି ଆଗକୁ ବଢ଼ାଇବା ପାଇଁ ଆମେ ବିଭିନ୍ନ ଅଂଶୀଦାରଙ୍କ ସହ ସଂପର୍କ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ। ଯୁବପିଢ଼ି ମଧ୍ଯରେ ନିଯୁକ୍ତିପଣ ଓ ସ୍ବାବଲମ୍ବନତା ବଢ଼ାଇବା ପାଇଁ କୌଶଳ ବିକାଶର ଭୂମିକା ଉପରେ ଆଲୋଚନା କରୁଛୁ। 

କେରଳରେ ସର୍ବାଧିକ 78%, ପଂଜାବରେ 77% ଓ ଉତ୍ତରାଖଣ୍ଡରେ 76% ଉଦ୍ୟୋଗୀପଣକୁ ସକାରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି। ସାରା ଭାରତରେ ଦୁଇ ତୃତୀୟାଂଶ ଲୋକଙ୍କର ଏଭଳି ଭାବନା ରହିଛି। ପାଣ୍ଠି ହାସଲ ପାଇଁ 47% ସକାରାତ୍ମକ ଭାବନା ରଖିଥିବା ବେଳେ ପରିବାର ସହାୟତା 35% ରହିଛି। 73% ଉତ୍ତରଦାତା କହିଛନ୍ତି ଯେ, ତାଲିମ ମିଳିଲେ ଯେ କେହି ଉଦ୍ୟୋଗୀ ହୋଇପାରିବେ। 62% ଭାବୁଛନ୍ତି ଯେ ତାଙ୍କର ପାଖରେ ଯେଉଁ ଶିକ୍ଷା ରହିଛି ତାହାକୁ ଭିତ୍ତି କରି ସେମାନେ ନିଜର ବ୍ଯବସାୟ ଆରମ୍ଭ କରିପାରିବେ। 50% ଉତ୍ତରଦାତା ନିଜର କାରବାର ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି। ଭାରତରେ ଉଦ୍ୟୋଗୀ ହେବାର ପରିବେଶରେ ସୁଧାର ହୋଇଛି ବୋଲି 45% ଉତ୍ତରଦାତା କହିଛନ୍ତି । ଆର୍ଥିକ ଅନୁଷ୍ଠାନଗୁଡ଼ିକ ଉଦ୍ୟୋଗୀ ସୃଷ୍ଟି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ସେ କହିଛନ୍ତି।