ପ୍ରଭାସିନୀଙ୍କ ସାଇକେଲ୍ ସପ୍ : ଆଗରେ ସଉଦା, ପଛରେ ସ୍ନାକ୍ସ, ସବୁଦିନ ବୁଲନ୍ତି ୩୦ଟି ଗାଁ
ମହିଳାମାନେ କେବଳ ମୁଣ୍ଡରେ ଓଢଣା ଦେଇ ଘର କୋଣରେ ବସିବା ପାଇଁ ଜନ୍ମ ହୋଇନାହାନ୍ତି | ସେମାନେ ବି ସଂଘର୍ଷ କରିବା ଶିଖିଛନ୍ତି | ସେମାନଙ୍କ ଭିତରେ ମଧ୍ୟ ରହିଛି ଉଦମ୍ୟ ସାହସ ଓ ଶକ୍ତି | ଜୀବନ ପଥରେ ସମ୍ମାନର ସହ ବଂଚିବା ପାଇଁ ସେମାନେ ବି କରି ଶିଖିଛନ୍ତି ଲଢେଇ | ଗ୍ରାମାଂଚଳର ମହିଳାମାନେ ବି ଆଉ ପଛରେ ନାହାନ୍ତି | ତାକୁ ଅବଳା, ଦୁର୍ବଳା ଭାବିବା ଭୁଲ୍ | ପରିବାରର ଅନ୍ୟ ସଦସ୍ୟମାନଙ୍କ ଭଳି ସେ ବି ଖଟିପାରେ ଦିନ ତମାମ୍ | ସେ ବି ରୋଜଗାର କରିପାରେ ନିଜ ବୁଦ୍ଧି ବଳରେ | ଏଠି ଆମେ ଏମିତି ଜଣେ ମହିଳାଙ୍କ କଥା କହୁଛୁ, ଯାହାଙ୍କ ପାଇଁ ଉପରୋକ୍ତ ବାକ୍ୟଗୁଡିକ ପୁରାପୁରି ଉପଯୁକ୍ତ | ସେ ହେଉଛନ୍ତି ପୁରୀ ଜିଲ୍ଲାର ପ୍ରଭାସିନୀ | ଆଖପାଖ ୧୦୦ ଗାଁର ଲୋକେ ପ୍ରଭାସିନୀଙ୍କ ସଂଘର୍ଷର ସାକ୍ଷୀ | ସାଇକେଲ୍ ରେ ବିଭିନ୍ନ ସଉଦା ଧରି ସେ ଗାଁ ଗାଁରେ ବିକ୍ରି କରି ଘର ଚଳାଉଛନ୍ତି | କେହି ତାଙ୍କର ଏହି ଉଦ୍ୟମକୁ ସାଇକେଲ୍ ସପ୍ କହୁଛି ତ ଆଉ କିଏ କହୁଛି ପ୍ରଭାସିନୀଙ୍କର ଏହା ମୋବାଇଲ୍ ସପ୍ |
ପିପିଲି ବ୍ଲକ ରୂପଦେଇପୁର ପଂଚାୟତର ମୌଜିବେଗ ଗାଁର ପ୍ରଭାସିନୀ ସାହୁ | ମା ହୀରା ସାହୁ, ସ୍ୱାମୀ ସୁକାନ୍ତ ଓ ଦୁଅଟି ସନ୍ତାନଙ୍କୁ ନେଇ ତାଙ୍କର ଛୋଟ ପରିବାର | ପିଲାଟି ଦିନରୁ ପ୍ରଭାସିନୀଙ୍କ ଉପରେ ଚଡକ ପଡିଥିଲା | ୧୦ ବର୍ଷର ହୋଇଥିବା ବେଳେ ତାଙ୍କ ଭାଇ ମରିଗଲେ | କିଛି ଦିନ ପରେ ବାପା ଆରପାରିକୁ ଚାଲିଗଲେ | ଏକୁଟିଆ ଘରେ ରହିଥିଲେ ବୃଦ୍ଧା ମା ଓ ପ୍ରଭାସିନୀ | ସେତେବେଳେ ସେ ସଂସାର କଣ ଜାଣି ନଥିଲେ | ଚତୁର୍ଥ ଶ୍ରେଣୀରେ ପଢୁଥିବା ପ୍ରଭାସିନୀ ଆଉ ସ୍କୁଲ ଗଲେ ନାହିଁ | ପାଠ ପଢାରେ ଡୋରି ବନ୍ଧା ହେଲା | ସେହି ଦିନ ଠାରୁ ଆରମ୍ଭ ହୋଇଥିଲା ସଂଘର୍ଷ | ଯେଉଁ ବୟସରେ ସେ ଖାତା, କଲମ ଧରିବା କଥା, ହସଖୁସୀରେ ଖେଳିବା, ନାଚିବା କଥା, ସେତେବେଳେ ସେ ବାହାରି ପଡିଥିଲେ ଘର ଚଳାଇବାକୁ |
ସେହି ସମୟର କଥା ମନେପକାଇ ପ୍ରଭାସିନୀଙ୍କ ମା’ ହୀରା ସାହୁ କହନ୍ତି,
ପୁଅ ଓ ଗେରସ୍ତ ମରିଗଲା ପରେ ପ୍ରଭାସିନୀ ହିଁ ମୋର ଏକମାତ୍ର ସାହା ଥିଲା | ସେ ଜାଣିପାରିଥିଲା ତାଙ୍କୁ ହିଁ ପରିବାର ଚଳାଇବାକୁ ହେବ | ସ୍କୁଲ ବନ୍ଦ କଲା | ପାଠ ଛାଡିଲା | ଆଉ ତାର କୁନି କୁନି ହାତରେ ସଉଦା ବିକିବା ଆରମ୍ଭ କରିଦେଇଥିଲା ସେହି ଦିନୁ | ମୁଁ ସବୁ ଦେଖୁଥିଲି | କିନ୍ତୁ ମୋ ପାଖରେ ଆଉ କିଛି ବାଟ ନଥିଲା |
ସେବେ ଠାରୁ ଏବେ ପର୍ଯ୍ୟନ୍ତ ପ୍ରଭାସିନୀଙ୍କ ସାଇକେଲ୍ ସପ୍ ହିଁ ପରିବାର ପାଇଁ ବରଦାନ ସଦୃଶ ହୋଇଛି | ପ୍ରତିଦିନ ସକାଳୁ ସେ ତାଙ୍କ ସାଇକେଲ୍ ଧରି ବାହାରି ପଡନ୍ତି | ସାଇକେଲ୍ ହାଣ୍ଡେଲ୍ ରେ ୭/୮ଟି ବ୍ୟାଗ୍ ଓହଳା ହୋଇଥାଏ | ସେଥିରେ ଥାଏ ଡାଲି, ତେଲ, ଲୁଣ, ହଳଦୀ ଠାରୁ ଆରମ୍ଭ କରି ପାନ ଗୁଆ ପର୍ଯ୍ୟନ୍ତ ଅନେକ ପ୍ରକାର ସଉଦା, ଯାହା ଘର ପରିବାରରେ ନିତିଦିନ ଦରକାର ହୁଏ | ଆଉ ପଛ ପଟେ କ୍ୟାରିଅରରେ ଥାଏ ଖାଇବା ଜିନିଷ | ଆପଣଙ୍କୁ ଏଠାରେ ମିଳିବ ବିଭିନ୍ନ ପ୍ରକାର ସ୍ନାକ୍ସ, ବରା, ଆଳୁଚପ୍ , ପିଆଜି ଆଦି ସବୁ କିଛି | ଏସବୁ ସେ ନିଜେ ଘରେ ପ୍ରସ୍ତୁତ କରିଥାନ୍ତି । ଏକ ପେଟିରେ ଏସବୁ ସୁରକ୍ଷିତ ଭାବେ ରହିଥାଏ | ଏ ବିଷୟରେ ପ୍ରଭାସିନୀ କହନ୍ତି,
ସବୁ ଦିନ ଆଖପାଖ ୩୦/୪୦ ଗାଁ ବୁଲି ବୁଲି ସଉଦା ବିକ୍ରି କରେ | ଏତେ ଦିନର ବ୍ୟବସାୟ ଫଳରେ ଅନେକ ଗାଁରେ ବହୁତ ନିୟମିତ ଗ୍ରାହକ ଅଛନ୍ତି | ଯେଉଁମାନେ ଏସବୁ ସଉଦା ପାଇଁ ମୋତେ ହିଁ ଅପେକ୍ଷା କରିଥାନ୍ତି | ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋମ୍ ଡେଲିଭରି ବ୍ୟବସ୍ଥା ବାହାରିଛି | ମୁଁ କିନ୍ତୁ ଏହି ସେବା ଅନେକ ବର୍ଷ ଆଗରୁ ଦେଇ ଆସୁଛି |
ଚାରି ବର୍ଷେ ପୂର୍ବେ ପ୍ରଭାସିନୀ ପୁରୀର ସୁକାନ୍ତଙ୍କୁ ବିବାହ କରିଛନ୍ତି | ସୁକାନ୍ତ ପ୍ରଭାସିନୀଙ୍କ ଘରେ ହିଁ ରହୁଛନ୍ତି | ସୁକାନ୍ତ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାରକୁ ପ୍ରତିପୋଷଣ କରୁଛନ୍ତି | ତେବେ ପ୍ରଭାସିନୀଙ୍କ ସାଇକେଲ୍ ସପ୍ କୁ ସେ କେବେ ବି ବିରୋଧ କରିନାହାନ୍ତି | ଏ ବିଷୟରେ ସେ କୁହନ୍ତି,
ବିବାହ ପୂର୍ବରୁ ବି ପ୍ରଭାସିନୀ ଏହି କାମ କରୁଥିଲେ | ଭାରି ପରିଶ୍ରମୀ ସେ | ଘର କାମ ସବୁ କରନ୍ତି | ପୁଣି ସାଇକେଲ ନେଇ ସଉଦା ବିକିବାକୁ ଯାନ୍ତି | ପୁଣି ଫେରିଲେ ଘର କାମ କରନ୍ତି| ଅଧିକ ପରିଶ୍ରମ ପଡୁଥିବାରୁ ମୁଁ ସାଇକେଲ୍ ସପ୍ ବନ୍ଦ କରିଦେବା ପାଇଁ ଥରେ କହିଥିଲି | କିନ୍ତୁ ସେ କହିଥିଲେ ଏହି ସାଇକେଲ୍ ସପ୍ ହିଁ ଆମ ଜୀବନ ଗଢିଛି | ମୋ ଶକ୍ତି ଥିବା ପର୍ଯ୍ୟନ୍ତ ଏହାକୁ ଚଲାଇ ରଖିବି |
ନାରୀ ସଶକ୍ତିକରଣ କଥା ଚାରିଆଡେ କୁହାଯାଉଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଉଛି | ଏହା ପ୍ରଭାସିନୀଙ୍କ ପରିବାରକୁ ଦେଖିଲେ ଜଣାପଡେ | ଏହି ଗରିବ ପରିବାରକୁ କିଛି ବି ସରକାରୀ ସୁବିଧା ମିଳିନାହିଁ | ଭତ୍ତା, ବିପିଏଲ୍ କାର୍ଡ, ଇନ୍ଦିରା ଆବାସ କଥା ଛାଡ, ପ୍ରଭାସିନୀଙ୍କର ଭୋଟର ପରିଚୟ ପତ୍ରଟିଏ ନାହିଁ | ଅନେକ ଥର ବିଭିନ୍ନ ଅଫିସ୍ କୁ ଡୌଡି ଦୌଡି ନୟାନ୍ତ ହେଲେଣି | ଆଉ କୁଆଡେ ଯାଉ ନାହାନ୍ତି | ନିଜେ ସଂଘର୍ଷ କରି ବଂଚିବାକୁ ସେ ନିଜର ଆଦର୍ଶ ବୋଲି ମାନି ନେଇଛନ୍ତି |
ପ୍ରଭାସିନୀଙ୍କ ସାଇକେଲ୍ ସପ୍ ଏକ ଛୋଟ ଉଦ୍ୟୋଗ ଭଳି | ପ୍ରଭାସିନୀଙ୍କ ସଂଘର୍ଷ ଦେଖିଲେ ମନରେ ପ୍ରେରଣା ଓ ଆତ୍ମବିଶ୍ୱାସ ଆସେ | ଆଖପାଖ ଗାଁର ଝିଅମାନଙ୍କ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି | ପ୍ରଥମେ ଯେଉଁ ଲେକେ ତାଙ୍କୁ ଟାହିଟାପରା କରୁଥିଲେ ଏବେ ତାଙ୍କୁ ସାଲ୍ୟୁଟ୍ ମାରିବାକୁ କୁଣ୍ଠାବୋଧ କରୁନାହାନ୍ତି |