ଅଭିନୟର ନିଶା ଆଗରେ ହାର ମାନିଛି ବୟସ !

ଅଭିନୟର ନିଶା ଆଗରେ ହାର ମାନିଛି ବୟସ !

Thursday May 12, 2016,

3 min Read

ବୟସ ହେଲାଣି ୮୪.....

ପେସା ଅଭିନୟ....

୮୪ ବର୍ଷ ବୟସରେ ଶଲାବୁଢାରେ ଅଭିନୟ ପାଇଁ ଜିତିଲେ ଜାତୀୟ ପୁରସ୍କାର....

PC : Youtube

PC : Youtube



ଆପଣ ଜାଣିଛନ୍ତି କି ଏମିତି ଜଣେ ଅଭିନେତାଙ୍କୁ ଯାହାଙ୍କ ବୟସ ଏବେ ୮୦ ଟପିଲାଣି । କିନ୍ତୁ ତାଙ୍କ ଅଭିନୟର ଯାଦୁରେ ସେ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏକ ଛୋଟ ପଲ୍ଲୀରେ ଜନ୍ମ ନେଇ ମଧ୍ୟ ତାଙ୍କ ଅଭିନୟ ପାଇଁ ସେ ସାଉଟିଛନ୍ତି ବହୁତ ପୁରସ୍କାର ସହ ମୁଖ୍ୟ ଅଭିନେତାର ପୁରସ୍କାର । ସେ ହେଉଛନ୍ତି ପଶ୍ଚିମ ଓଡିଶାର ନାମକରା ଅଭିନେତା ଅଟଳ ବିହାରୀ ପଣ୍ଡା । 

ମଂଚ ନାଟକ ହେଉ କି ସିନେମା । ଆକାଶବାଣୀ ହେଉ କି ନାଟକ ଲେଖା, ପଶ୍ଚିମ ଓଡିଶାର ଏକ ଜଣାଶୁଣା କଳାକାର ଅଟଳବିହାରୀ ପଣ୍ଡା । ପୂର୍ବରୁ କେବଳ ନାଟ୍ୟ ଜଗତରେ ନାଁ କରିଥିବା ଏହି ବ୍ୟକ୍ତି ୮୨ ବର୍ଷ ବୟସରେ ସିନେମାରେ ଅଭିନୟ କରି ପାଇଛନ୍ତି ମୁଖ୍ୟ ଅଭିନେତା ର ପୁରସ୍କାର । ସେ ସିନେମା ଟି ହେଉଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ “ଶଲାବୁଢ଼ା” । ଏହି ଫିଲ୍ମଟି ମୁଖ୍ୟତଃ ଆଦିବାସୀ ମାନଙ୍କ ଜୀବନ ଜୀବିକାକୁ ନେଇ ଗତିଶୀଳ । ଅଟଳ ବିହାରୀଙ୍କ ଅଭିନୟ ଏହି ସିନେମାରେ ଏତେ ଉଚ୍ଚକୋଟିର ଥିଲା ଯେ ତାଙ୍କୁ ଏହି ସିନେମା ଦେଇଛି ଜାତୀୟ ସ୍ତରର ମୁଖ୍ୟ ଅଭିନେତା ପୁରସ୍କାର । ଆଜିକାଲି ଅଭିନୟ ଦୁନିଆରେ ଯୁବ ବର୍ଗମାନଙ୍କୁ ମୁଖ୍ୟ ନାୟକ ତଥା ନାୟିକା ପୁରସ୍କାର ମିଳୁଥିବା ବେଳେ ଅଟଳଙ୍କୁ ବୟସର ଅପରାହ୍ନରେ ଏମିତି ଏକ ସୁଯୋଗ ମିଳିବ ସେ ଭାବି ନ ଥିଲେ । କୋଶଳି ଭାଷାରେ ନିର୍ମିତ ଶଲାବୁଢ଼ା ସିନେମାରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରେଷ୍ଠ କଳାକାରର ପୁରସ୍କାର ମିଳିଛି ।

ଶଲାବୁଢାରେ ଅଭିନୟ କରିବାର ସୁଯୋଗ କେମିତି ଭାବେ ଆସିଲା ପ୍ରଶ୍ନର ଉତ୍ତର ଦେଇ ଅଟଳ ବିହାରୀ ପଣ୍ଡା କହନ୍ତି,

ଶଲାବୁଢାରେ ଅଭିନୟ କରିବାର ସୁଯୋଗ ଅକସ୍ମାତ ଆସିଲା। ସବ୍ୟସାଚୀ ମହାପାତ୍ର ଯୁବକ ଥିବା ବେଳେ ମୋର ଏକ ନାଟକ "ଫଟା ମାଦଳ" ରେ ଗୋଟେ ଛୋଟ ଭୂମିକାରେ ଅଭିନୟ କରିଥିଲେ। ତା' ଛଡା ତାଙ୍କ ବାପା କପିଳେଶ୍ଵର ମହାପାତ୍ର ଓ ମୁଁ ସହପାଠୀ ଥିଲୁ। ଦୁଇ ବର୍ଷ ତଳେ କପିଳେଶ୍ଵରଙ୍କ ଦ୍ଵାରା ଲିଖିତ କିଛି କ୍ଷୁଦ୍ର ଗଳ୍ପ ଗୁଡିକୁ ଫିଲ୍ମ ସ୍କ୍ରିପ୍ଟରେ ରୂପାନ୍ତର କରିବାର ବିଚାର ନେଇ ସବ୍ୟସାଚୀ ମୋ ପାଖକୁ ଆସିଥିଲେ। ସ୍କ୍ରିପ୍ଟ ଫାଇନାଲ ହେଇଯାଇଥିଲେ ମଧ୍ୟ ସେ କେହି ସିନିୟର ଅଭିନେତାଙ୍କୁ ଶଲାବୁଢାର ମୁଖ୍ୟ ଚରିତ୍ରର ଭୂମିକାରେ ଅଭିନୟ କରିବା ପାଇଁ ପାଉନଥିଲେ। ପ୍ରାୟ ତିନି ମାସ ପରେ ସେ ପୁଣି ଠାରେ ମୋ ପାଖକୁ ଫେରିଥିଲେ ଓ ମୋତେ ଏହି ଭୂମିକାରେ ଅଭିନୟ କରିବା ପାଇଁ ଅନୁରୋଧ କଲେ। ମୁଁ ପ୍ରଥମେ ଟିକିଏ କୁଣ୍ଠା ପ୍ରକାଶ କରୁଥିଲି। କାରଣ ମୋର ଫିଲ୍ମ ଅଭିନୟରେ କୌଣସି ଅଭିଜ୍ଞତା ନାହିଁ ଓ ମୋର ବୟସ ମଧ୍ୟ ଅଶି ପାର। କିନ୍ତୁ ସବ୍ୟସାଚୀ ମୋତେ କୌଣସି ମତେ ମନେଇଲେ। ଆଜି ମୁଁ ଏପରି ଏକ ସୁଯୋଗ ମୋତେ ସେ ଦେଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛି। 
image


ଆସନ୍ତୁ ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଟିକିଏ ନଜର ପକାଇବା । ତାଙ୍କ ଅଭିନୟର ଭୋକ ଆରମ୍ଭ ହୁଏ ଭାରତ ସ୍ୱାଧିନ ହେବା ପୂର୍ବରୁ । ଯେତେବେଳେ ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ ସେତେବେଳେ ହରିଚନ୍ଦ୍ର ନାଟକରେ ସବ୍ୟା ଭୂମିକାରେ ଅଭିନୟ କରି ସେ ବେଶ୍ ପ୍ରଶଂସିତ ହୋଇଥିଲେ । ସେହିଦିନ ଠାରୁ ସେ ଆଉ ପଛକୁ ଫେରିନାହାନ୍ତି । ବାସ୍ ସେହିଦିନ ଠାରୁ ନାଟକ ଲେଖିବା ଓ ଅଭିନୟ କରିବା ତାଙ୍କ ଜୀବନର ବ୍ରତ ପାଲଟିଗଲା । ଏଯାବତ୍ ସେ ଲେଖିଛନ୍ତି ୩୭ ଟି ରୁ ଅଧିକ ନାଟକ । ଏହା ସହ ଅଭିନୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଅନେକ ନାଟକରେ । ତାଙ୍କ ଦ୍ୱାରା ରଚିତ ନାଟକ “ଫଟା କପାଳ” ବେଶ୍ ଆଦୃତ ହୋଇଥିଲା ନାଟକ ପ୍ରେମୀ ମାନଙ୍କ ଦ୍ୱାରା । ବାନ୍ଦୁ ଉବାଚ, ମଣି ସଂହାର ଓ କ୍ଳାନ୍ତ ଅପରାହ୍ନ ଭଳି ନାଟକ ଲେଖି ସେ ବେଶ୍ ପ୍ରଶଂସିତ ହୋଇଥିଲେ । ସୁବର୍ଣ୍ଣପୁର ଜିଲ୍ଳା ଅନ୍ତର୍ଗତ ବିନିକା ହେଉଛି ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ସ୍ଥାନ । ନାଟକ ପାଇଁ ତାଙ୍କୁ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ମିଳିଛି ୬୩ ରୁ ଅଧିକ ସମ୍ମାନ । କେବଳ ନାଟକ କିମ୍ବା ଅଭିନୟ ନୁହେଁ ସେ ଜଣେ ଆକାଶବାଣୀ କଳାକାର ଭାବେ ମଧ୍ୟ ବେଶ୍ ପରିଚିତ ।

ଚଳଚ୍ଚିତ୍ର ଦୁନିଆକୁ ସେ ଆସନ୍ତି ୨୦୧୩ ମସିହା ଶଲାବୁଢ଼ା ଫିଲ୍ମ ଜରିଆରେ । ୮୨ ବର୍ଷ ବୟସରେ ତାଙ୍କ ଉଚ୍ଚ କୋଟିର ଅଭିନୟ ରେ ସମଗ୍ର ଭାରତ ବର୍ଷ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତାଙ୍କୁ ରାଜ୍ୟ ଠାରୁ ଦେଶ ଯାଏ ମିଳେ ବହୁ ସମ୍ମାନ । ତାଙ୍କୁ ଦେଖିଲେ ଲାଗେ ସତେ ଯେମିତି ଅଭିନୟ ନିଶାର ସମ୍ମୁଖରେ ବୟସ ହାର ମାନିଛି ।

ତାଙ୍କ ଘର ପରିବାର ର ଲୋକେ ମଧ୍ୟ ଅଟଳଙ୍କ ଅଭିନୟ ପାଇଁ ବହୁତ ଖୁସି । ପୁରା ପଶ୍ଚିମ ଓଡିଶାରେ ଏହି ଶଲାବୁଢ଼ା ହେଉଛନ୍ତି ଜଣେ ଖ୍ୟାତନାମା ଅଭିନେତା । ଜୀବନ ଥିବା ଯାଏଁ ସେ ତାଙ୍କ ଅଭିନୟ ଏବଂ ନାଟକ ଲେଖା ପ୍ରତି ସଂଗ୍ରାମ ଜାରି ରଖିବେ ବୋଲି ସେ କହିଛନ୍ତି ।