ଦେଶେ ଦେଶେ ହୋଲି : ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ରଙ୍ଗର ପର୍ବ

ଦେଶେ ଦେଶେ ହୋଲି : ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ରଙ୍ଗର ପର୍ବ

Thursday March 24, 2016,

4 min Read

ହୋଲି ମାନେ ନାହିଁ ସୀମା ସରହଦ | ଭାରତର ପଡୋଶୀ ରାଷ୍ଟ୍ର ହେଉ କିମ୍ବା ସୁଦୂର ଆମେରିକା କିମ୍ବା ଆଫ୍ରିକା | ସବୁଠି ଧୁମଧାମରେ ପାଳନ ହେଉଛି ରଙ୍ଗର ପର୍ବ | ଲୋକେ ରାଜରାସ୍ତାରେ ରଙ୍ଗ ଖେଳିଛନ୍ତି ଓ ସଂଧ୍ୟାରେ ହୋଲିକା ଦହନ ମଧ୍ୟ କରିଛନ୍ତି | ଭାରତରୁ ଯାଇ ବିଦେଶରେ ବସବାସ କରୁଥିବା ଲୋକମାନେ ହିଁ ଏହି ପର୍ବକୁ ସେଠାରେ ଆରମ୍ଭ କରିଛନ୍ତି | ଧୀରେ ଧୀରେ ଅନେକ ଦେଶର ଲୋକମାନଙ୍କ ପାଇଁ ଏହା ଆନନ୍ଦମୟ ପର୍ବରେ ପରିଣତ ହୋଇପାରିଛି | ଏହି ପର୍ବ ମାଧ୍ୟମରେ ବିଶ୍ୱ ଭାତୃତ୍ୱ ଆହୁରି ମଜବୁତ ହେଉଛି |

image


ପଡୋଶୀ ରାଷ୍ଟ୍ରରେ ହୋଲି

image


ଭାରତର ପଡୋଶୀ ରାଷ୍ଟ୍ର ନେପାଳ, ପାକିସ୍ତାନ ଓ ବାଲାଂଦେଶରେ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି | ନେପାଳରେ ଏହି ପର୍ବ ଧୁମଧାମରେ ପାଳିତ ହୋଇଛି | ଭାରତୀୟ ଲୋକ ବିଶେଷକରି ମାରୱାଡୀମାନେ ରହୁଥିବା ଅଂଚଳରେ ଏହି ପର୍ବକୁ ପାଳନ କରାଯାଇଛି | ରଙ୍ଗଖେଳ ସହିତ ରଙ୍ଗ ବେଲୁନ୍ ବ୍ୟବହାର ଏଠାରେ ଅଧିକ ଦେଖିବାକୁ ମିଳିଛି | ଯାହାକୁ ସ୍ଥାନୀୟ ଭାଷାରେ ଲୋଲାସ୍ କୁହାଯାଏ | ଭାରତର ବିଭିନ୍ନ ଅଂଚଳ ପରି ଏଠାରେ ମଧ୍ୟ ହୋଲିକା ଦହନ କାର୍ଯ୍ୟକ୍ରମ କରାଯାଇଥାଏ | ପାକିସ୍ତାନର ଲାହୋର୍ ଓ ସିନ୍ଧ୍ ଅଂଚଳରେ ଥିବା ହିନ୍ଦୁ ମନ୍ଦିରଗୁଡିକରେ ଭିଡ ଲାଗିଥିଲା | ସେଠାରେ ଲୋକେ ପୂଜାର୍ଚ୍ଚନା କରିବା ସହିତ ହୋଲି ଖେଳିଥିଲେ | ଯଦିଓ ଭାରତରେ ଯେପରି ବଡ ଧରଣର ହୋଲି ପାଳନ ହେଉଛି, ସେପରି ହୋଇନଥାଏ, ତେବେ ଅନେକ ସ୍ଥାନରେ ନାଚଗୀତର ଆୟୋଜନ ମଧ୍ୟ ହୋଇଛି | ବାଲାଂଦେଶରେ ମଧ୍ୟ ଏହିପରି ଭାବରେ ହୋଲି ପାଳନ କରାଯାଇଛି | ଏହି ଭାରତ ସୀମାବର୍ତ୍ତୀ ଅଂଚଳରେ ଏହି ପର୍ବକୁ ଅଧିକ ଲୋକ ମନାଇଛନ୍ତି | ଅନେକ ସ୍ଥାନରେ ମୁସଲିମମାନେ ମଧ୍ୟ ହୋଲି ଉତ୍ସବରେ ଯୋଗ ଦେଇଛନ୍ତି |

ମରିସସ୍ ରେ ଜାତୀୟ ଛୁଟିଦିନ

ଭାରତ ପରି ମରିସସ୍ ରେ ହୋଲି ହେଉଛି ଜାତୀୟ ଛୁଟିଦିନ | ଏହି ଦିନ ସବୁ ସରକାରୀ ଓ ବେସରକାରୀ ଛୁଟିଦିନ ବନ୍ଦ ହୋଇଥାଏ | ଲୋକେ ରଙ୍ଗର ପର୍ବକୁ ମନଭରି ଉପଭୋଗ କରିଥାନ୍ତି | ମରିସସ ରେ ପ୍ରାୟ ୬୩ ପ୍ରତିଶତ ହିନ୍ଦୁ ବସବାସ କରୁଥିବାରୁ ରଙ୍ଗର ପର୍ବ ଆଡମ୍ବର ଓ ଆନନ୍ଦ ଉଲ୍ଲାସର ସହ ଦେଶର କୋଣ ଅନୁକୋଣରେ ପାଳିତ ହୋଇଥାଏ | ଭାରତରେ ଯେପରି ରଙ୍ଗ ଓ ପିଚକାରୀ ରେ ଲୋକେ ରଙ୍ଗ ଖେଳିଥାନ୍ତି, ମରିସସରେ ମଧ୍ୟ ସେହି ଦୃଶ୍ୟ ଦେଖିବାକୁ ମିଳିଛି | ସଂଧ୍ୟା ସମୟରେ ହୋଲିକା ଦହନର କାର୍ଯ୍ୟକ୍ରମ ମଧ୍ୟ ରହିଥାଏ | ସରକାରୀ ଛୁଟି ଥିବାରୁ ସବୁ ଲୋକ ହୋଲି ପାଇଁ ସମୟ ପାଇଥାନ୍ତି | ସରକାରଙ୍କ ପକ୍ଷରୁ ମଧ୍ୟ ଲୋକଙ୍କୁ ହୋଲିର ଅଭନନ୍ଦନ ଦିଆଯାଇଥାଏ |

ଆମେରିକାରେ ରଙ୍ଗର ପର୍ବ

image


ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ସଂଖ୍ୟକ ଭାରତୀୟ ବସବାସ କରୁଥିବାରୁ ଏଠାରେ ମଧ୍ୟ ଅତି ଧୁମଧାମରେ ହୋଲି ପାଳନ କରାଯାଇଛି | ଏହି ପର୍ବ ପାଳନ ଦ୍ୱାରା ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବାର ଏକ ଅବସର ମିଳିଯାଇଥାଏ | ପର୍ବ ପାଳନ ଉତ୍ସବରେ ପରିବାରର ସମସ୍ତେ ଯୋଗ ଦେଇଥାନ୍ତି | ସଂଗୀତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଥାଏ | ପିଲାମାନଙ୍କୁ ହୋଲି ପାଳନ ଉତ୍ସବ ପଛରେ ଥିବା ପୌରାଣିକ କଥା ବିଷୟରେ କୁହାଯାଇଥାଏ | ଆମେରିକା ରାଜଧାନୀ ନ୍ୟୁୟର୍କରେ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି | ଏଥିରେ ବଲିଉଡ ଅଭିନେତା ଅଭିନେତ୍ରୀମାନେ ଭାଗ ନେଇଥାନ୍ତି |

ତିନି ଦେଶରେ ଧୂମ୍

ଦକ୍ଷିଣ ଆମେରିକାର ତିନିଟି ଦେଶରେ ହୋଲି ଧୂମଧାମରେ ପାଳିତ ହୋଇଥାଏ | ସେଗୁଡିକ ହେଲା ତ୍ରିନିଦାଦ-ଟୋବାଗୋ, ଗୁୟାନା ଓ ସୁରିନାମ୍ | ଏହି ତିନି ଦେଶରେ ପ୍ରାୟ ଏକା ଶୈଳୀରେ ହୋଲି ପର୍ବ ପାଳନ କରାଯାଇଥାଏ | ଏହି ଦେଶଗୁଡିକ ପ୍ରାୟ ବେଶ୍ ପାଖାପାଖି ଅବସ୍ଥିତ | ତ୍ରିନିଦାଦ-ଟୋବାଗୋରେ ଏହି ପର୍ବକୁ ଫଗୱା ବୋଲି କୁହାଯାଇଥାଏ | ୧୮୪୫ରେ ବିହାରରୁ ଏହି ଦେଶର ଚିନି କାରଖାନାରେ କାମ କରିବାକୁ ଯାଇଥିବା ଶ୍ରମିକମାନଙ୍କ ଦ୍ୱାରା ଏହି ପର୍ବ ପ୍ରଥମେ ପାଳନ କରାଯାଇଥିଲା | ସେହିଦିନ ଠାରୁ ଏହି ପର୍ବ ପାଳନ ହୋଇଆସୁଛି | ସେତେବେଳେ ଅନେକ କଟକଣା ଭିତରେ ଏହି ପର୍ବ ପାଳନ ହେଉଥିଲା | ଏବେ କିନ୍ତୁ ସାରା ଦେଶରେ ଧୁମଧାମରେ ଏହି ପର୍ବ ପାଳନ ହେଉଛି | ଏହି ସମୟରେ ଚୋୱତାଲ୍ ନାମରେ ଏକ ଲୋକଗୀତ ମଧ୍ୟ ସାରା ଦେଶରେ ବୋଲାଯାଇଥାଏ | ଗୁଏନାରେ ମଧ୍ୟ ଏହି ପର୍ବକୁ ହିନ୍ଦୁମାନେ ବଡ ଉତ୍ସାହର ସହ ପାଳନ କରନ୍ତି | ଏଠାରେ ୩୩ ପ୍ରତିଶତ ହିନ୍ଦୁ ବସବାସ କରୁଥିବାରୁ ଏହି ପର୍ବ ସାରା ଦେଶରେ ପାଳିତ ହୋଇଥାଏ | ସୁରିନାମ୍ ର ଲୋକେ ମଧ୍ୟ ଏହି ପର୍ବ ସାରା ଦେଶରେ ପାଳନ କରିଆସୁଛନ୍ତି |

ଅନେକ ଦେଶରେ ହୋଲି ଖେଳ

ବ୍ରିଟେନରେ ମଧ୍ୟ ଅଧିକାଂଶ ଭାରତୀୟ ବସବାସ କରୁଥିବାରୁ ସେଠାରେ ହୋଲି ପର୍ବ ଜାକଜମକରେ ପାଳନ କରାଯାଇଥାଏ | ବିଶେଷକରି ଲିସେଷ୍ଟର ସହରରେ ପ୍ରାୟ ସବୁ ଭାରତୀୟ ପର୍ବ ପାଳନ ହୋଇଥାଏ | ତେଣୁ ଏଠାରେ ହୋଲିକୁ ମଧ୍ୟ ଲୋକେ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି | ସେଠାରେ ଲୋକେ ରଙ୍ଗ ବୋଳାବୋଳି ହୋଇଛନ୍ତି | ଏଥିରେ ପିଲାମାନେ ମଧ୍ୟ ଅଧିକ ସଂଖ୍ୟାରେ ଯୋଗ ଦେଇଥାନ୍ତି | ରୁଷ୍ ର ବିଭିନ୍ନ ମନ୍ଦିରରେ ମଧ୍ୟ ହୋଲି ପର୍ବ ପାଳନ ହୋଇଛି | ଜାପାନରେ ମଧ୍ୟ ଗତ କିଛି ବର୍ଷ ଧରି ହୋଲି ପର୍ବ ପାଳିତ ହେଉଛି | ସେମାନେ ଭାରତ ଭଳି ଏହି ପର୍ବ ପାଳନ କରୁଛନ୍ତି | ହୋଲି ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା ମିଠା ଜାପାନରେ ମଧ୍ୟ ବିକ୍ରି ହୋଇଥାଏ | ଦକ୍ଷିଣ ଆଫ୍ରିକାର ପୂର୍ବ ଭାଗରେ ପ୍ରାୟ ୬୫ ପ୍ରତିଶତ ହିନ୍ଦୁ ବସବାସ କରନ୍ତି | ସେମାନେ ମୁଖ୍ୟତଃ ଉତ୍ତରପ୍ରଦେଶ,ଗୁଜରାଟ ଓ ତାମିଲନାଡୁ ପ୍ରଦେଶର | ତେଣୁ ସେଠାରେ ହୋଲି ସମେତ ଅଧିକାଂଶ ହିନ୍ଦୁ ପର୍ବ ପାଳନ ହୋଇଥାଏ| ରଙ୍ଗ ଖେଳ ସହିତ ନାଚ ଗୀତର ଆସର ଜମେ |