୮୦ ବର୍ଷରେ ଓଡ଼ିଶା, ଗର୍ବ କଲା ଭଳି ୮୦ଟି ତଥ୍ୟ

୮୦ ବର୍ଷରେ ଓଡ଼ିଶା, ଗର୍ବ କଲା ଭଳି ୮୦ଟି ତଥ୍ୟ

Saturday April 02, 2016,

9 min Read

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବା ଓଡ଼ିଶା ରାଜ୍ୟ ସ୍ଥାପନାକୁ ୨୦୧୬ ଏପ୍ରିଲ ୧ ତାରିଖରେ ୮୦ ବର୍ଷ ପୂରିଛି । ରାଜ୍ୟ ଓ ରାଜ୍ୟ ବାହାରେ ଓଡ଼ିଆମାନେ ଏହି ଦିବସକୁ ଉତ୍କଳ ଦିବସ ଭାବରେ ଗର୍ବର ସହ ପାଳନ କରୁଥିବା ବେଳେ ଆସନ୍ତୁ ଗୌରବମୟ ଓଡ଼ିଶା ଇତିହାସ ଓ ବର୍ତ୍ତମାନରୁ ସାଉଁଟିବା ଗର୍ବ କଲା ଭଳି ୮୦ଟି ରୋଚକ ତଥ୍ୟ...

image


୧. ଭାଷା ଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ । ୧୯୩୬ ମସିହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠିତ ହୋଇଥିଲା । ତେବେ ବି କିଛି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପଡ଼ୋଶୀ ରାଜ୍ୟରେ ରହିଯାଇଛି ।

୨. ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ । ମହାଭାରତରେ ଏହି ରାଜ୍ୟର ବର୍ଣନା ରହିଛି । ଅବଶ୍ୟ କଳିଙ୍ଗ ସେନା ସେତେବେଳେ କୌରବଙ୍କ ପକ୍ଷ ନେଇଥିବାର ବର୍ଣ୍ଣନା ରହିଛି ।

୩. ପରେ ଦୀର୍ଘ ଦିନ ଧରି ଏହି ରାଜ୍ୟର ନାମ ଉତ୍କଳ ରହିଥିଲା । ୧୦୩୬ ରେ ରାଜନୈତିକ ସୀମା ନିର୍ଦ୍ଧାରଣ ପରେ ରାଜ୍ୟର ନାମ ଓଡ଼ିଶା ରଖାଗଲା ।

୪. ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବର୍ତ୍ତମାନର ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ବିଶାଳ ଭୂଖଣ୍ଡକୁ ନେଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଇତିହାସରେ ଭାରତର ପ୍ରଥମ ସମ୍ରାଟ ଘୋଷିତ ହୋଇଥିଲେ ହେଁ, ତାଙ୍କ ରାଜ୍ୟରେ କଳିଙ୍ଗ ନଥିଲା । ପରେ ଅଶୋକ କଳିଙ୍ଗ ଉପରେ ଆକ୍ରମଣ କରି ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ ।

୫. ଅଶୋକଙ୍କ ପରେ କଳିଙ୍ଗର ରାଜା ମହାମେଘବାହାନ ଐର ଖାରବେଳ ମଗଧ ଓ ଅନ୍ୟ ପଡ଼ୋଶୀ ରାଜ୍ୟ ଜୟ କରି ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ କଳିଙ୍ଗର ସୀମା ବଢ଼ାଇଥିଲେ ଏବଂ ସମ୍ରାଟ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ ।

୬. କଳିଙ୍ଗ ଯୁଦ୍ଧ ହୋଇ ନଥିଲେ, ବୌଦ୍ଧ ଧର୍ମର ସମ୍ଭବତଃ ବିଲୟ ଘଟିଥାନ୍ତା । କଳିଙ୍ଗ ଯୁଦ୍ଧ ପରେ ମର୍ମାହତ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ସହ ନିଜକୁ ସୁଧାରିଥିଲେ ଓ ରାଜ୍ୟଜୟ ନିଶାରୁ ଦୂରେଇ ରହିଥିଲେ । ବୌଦ୍ଧ ଧର୍ମ ରାଜ୍ୟଧର୍ମ ଭାବେ ଘୋଷିତ ହୋଇଥିଲା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଅଶୋକ ଆଗ୍ରହ ଦେଖାଇଥିଲେ ।

୭. ଦକ୍ଷୀଣପୂର୍ବ ସାଗରରେ ଭାରତୀୟ ସଂସ୍କୃତି ପ୍ରଚାର ପ୍ରସାର କଳିଙ୍ଗ ଯୋଗୁଁ ସମ୍ଭବ ହୋଇଛି । କାମ୍ବୋଡିଆ, ଆଲେସିଆ, ଜାଭା, ସୁମାତ୍ରା, ବାଲି, ସିଂହଳ, ବର୍ମା ଓ ଥାଇଲାଣ୍ଡ ଆଦିରେ ଏବେ ବି କଳିଙ୍ଗର ଛାପ ଦେଖିବାକୁ ମିଳେ ।

୮. କଳିଙ୍ଗ ହେଉଛି ବିଶ୍ୱର ହାତଗଣତି ପୂରାତନ ଗଣତନ୍ତ୍ର ମଧ୍ୟରୁ ଗୋଟିଏ ।

୯. ପୁରୀ ଶ୍ରୀମନ୍ଦିର ରୋଷେଇ ଘର ବିଶ୍ୱର ସବୁଠୁ ବଡ଼ ରୋଷେଇ ଘର ଭାବେ ପରିଚିତ । ଏଠାରେ ଗୋଟିଏ ଚୁଲାରେ ଉପରକୁ ଉପର ଏକକାଳୀନ ୭ଟି ପାତ୍ରରେ ରୋଷେଇ ହୁଏ । ଏଠାରେ ୪୦୦ ରାନ୍ଧୁଣିଆ କାର୍ଯ୍ୟ କରନ୍ତି ଓ ପ୍ରତ୍ୟହ ୧୦ ହଜାରରୁ ଅଧିକ ଭକ୍ତ ପ୍ରସାଦ ସେବନ କରନ୍ତି ।

image


୧୦. ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ମୋଟ ୩୦୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ରନ୍ଧାଯାଏଁ । କୌଣସି ବ୍ୟଞ୍ଜନରେ ଆଳୁ ଓ ଟମାଟୋ ବ୍ୟବହୃତ ହୁଏନାହିଁ ।

image


୧୧. ଓଡ଼ିଶୀ ନୃତ୍ୟ ଭାରତର ସର୍ବ ପୂରାତନ ନୃତ୍ୟ । ମନ୍ଦିର ଗାତ୍ର ଓ ପୂରାତନ ସାହିତ୍ୟରେ ଏହାର ବର୍ଣନା ରହିଛି । ତେବେ ଦେଶ ସ୍ୱାଧୀନତା ପରେ ଏହି ନୃତ୍ୟର ନାମକରଣ କରାଯାଇଛି ।

୧୨. ବିଜ୍ଞାନ କ୍ଷେତ୍ରରେ ବିଶ୍ୱସ୍ତରରେ ଦିଆଯାଉଥିବା କଳିଙ୍ଗ ପୁରସ୍କାର ଓଡିଶା ପକ୍ଷରୁ ଦିଆଯାଏ ଏବଂ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ।

୧୩. ତାଜମହଲ ନିର୍ମାଣର ବହୁ ପୂର୍ବରୁ ସମୁଦ୍ର ତଟରେ ଓଡ଼ିଶାର କାରିଗରମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ଏହା ଅନ୍ୟତମ ବିଶ୍ୱ ଐତିହ୍ୟ ।

image


୧୪. ଓଡ଼ିଶାର ଭିତରକନିକାରେ ବିଶ୍ୱର ସବୁଠୁ ବଡ଼ କୁମ୍ଭୀର ରହିଛି । ଏହାର ଲମ୍ବ ୨୭ ଫୁଟ ।

୧୫. ଭାରତରେ ମାତ୍ର ଦୁଇଟି ଧଳା କୁମ୍ଭୀର ରହିଛି । ଆପଣ ଜାଣି ଖୁସି ହେବେ, ଦୁଇଟି ଯାକ ଭିତରକନିକା ବାସିନ୍ଦା ଅଟନ୍ତି ।

image


୧୬. ଭାରତର ଏକମାତ୍ର ରାଜ୍ୟ ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛ ସମୁହ ଅଣ୍ଡାଦାନ କରନ୍ତି । ଗହୀରମଥା, ଋଷିକୂଲ୍ୟା ଓ ଦେବୀନଦୀ ମୁହାଣରେ ଲକ୍ଷଲକ୍ଷ କଇଁଛ ଦେଖିବାକୁ ମିଳେ ।

image


୧୭. ଓଡ଼ିଶାର ଚିଲିକା ହେଉଛି ଏସିହାର ସର୍ବବୃହତ ଲୁଣା ହ୍ରଦ ।

୧୮. ଶିମିଳିପାଳ ଭାରତର ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ । ଏକଦା ଏଠାରେ ଖଇରୀ ନାମରେ ଏକ ବାଘ ଥିଲା ଯାହା ଅନ୍ୟ ଗୃହପାଳିତ ପଶୁଙ୍କ ଭଳି ମଣିଷ ସହ ଶେଷ ଜୀବନ ଯାଏଁ ରହିଥିଲା ।

୧୯. ଭାରତର ଦ୍ୱିତୀୟ ବୃହତ୍ତମ ଚିଡ଼ିଆଖାନା ହେଉଛି ନନ୍ଦନକାନନ । ଏହା ହେଉଛି ଭାରତର ଏକମାତ୍ର ଚିଡିଆଖାନା, ଯେଉଁଠି ବାଘ ଓ ସିଂହ ସଫାରୀ ରହିଛି ।

୨୦. ଓଡ଼ିଶାରେ ସର୍ବାଧିକ ୬୨ ଆଦିମ ଜନଜାତି ଅଛନ୍ତି । ପ୍ରତ୍ୟେକଙ୍କର ନିଜର ଭାଷା, ପୋଷାକ ଓ ସଂସ୍କୃତି ରହିଛି ।

୨୧. ଲୁପ୍ତପ୍ରାୟ ବଣ୍ଡା ଜନଜାତି କେବଳ ଓଡ଼ିଶାର କୋରାପୁଟରେ ଦେଖାଯାଆନ୍ତି ।

୨୨. ହିନ୍ଦୁ ବିଶ୍ୱାସରେ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ । ତେବେ ଏହା ଏକମାତ୍ର ଧାମ ଯେଉଁଠି ପୂଜାବିଧିରେ ବୈଷ୍ଣବ, ଶାକ୍ତ, ଶୈବ ଓ ଲୋକସଂସ୍କୃତି (ଶବର)ର ମିଶ୍ରଣ ଦେଖିବାକୁ ମିଳେ ।

image


୨୩. ବିଶ୍ୱପ୍ରସିଦ୍ଧ ମିଠା ରସଗୋଲାର ଜନ୍ମ ଓଡ଼ିଶାରେ । ଛେନାଜାତୀୟ ଖାଦ୍ୟ ସାଧାରଣତଃ ପୂଜାରେ ବ୍ୟବହୃତ ହେଉନଥିବା ବେଳେ ପୁରୀ ଜଗନ୍ନାଥଙ୍କ ପାଖରେ ରସଗୋଲା ଓ ଅନ୍ୟ ଛେନାଜାତୀୟ ଦ୍ରବ୍ୟ ପୂଜାପାଏ ।

୨୪. ଚାନ୍ଦିପୁରରେ ଦେଶର ଏକମାତ୍ର ଜୁଆର-ଭଟ୍ଟା ପରିବର୍ତିତ ବେଳାଭୂମି ରହିଛି । ଜୁଆର ବେଳେ ଏଠାରେ ସମୁଦ୍ର ଉପକୂଳ ୫ କିଲୋମିଟର ଆଗକୁ ମାଡ଼ି ଆସୁଥିବା ବେଳେ ଭଟ୍ଟା ବେଳେ ଅନୁରୂପ ଦୂରତା ପଛକୁ ଫେରିଯାଏ ।

୨୫. କୁହାଯାଏ ଦେଶର ମନ୍ଦିରନଗରୀ ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସହସ୍ରାଧିକ ମନ୍ଦିର ରହିଥିଲା । ବର୍ତ୍ତମାନ ଏଠାରେ ୬୦୦ଟି ପ୍ରାଚୀନ ମନ୍ଦିର ରହିଛି । ଏତେ ସଂଖ୍ୟକ ପ୍ରାଚୀନ ମନ୍ଦିର ଅନ୍ୟ କୌଣସି ସହରରେ ନାହିଁ ।

୨୬. ଶ୍ରୀଲଙ୍କାର ପ୍ରାଚୀନ ନାମ ସିଂହଳ । ଜାଣନ୍ତି ଏପରି ନାମକରଣର ରହସ୍ୟ? ଓଡ଼ିଆ ରାଜା ଜୟ ସିଂହଙ୍କ ନାମ ଅନୁସାରେ ଏପରି ହୋଇଛି ।

୨୭. ବିଶ୍ୱର ଚତୁର୍ଥ ବୃହତ୍ତ ନଦୀବନ୍ଧ ହୀରାକୁଦ ଡ୍ୟାମ୍ ଓଡ଼ିଶାରେ ରହିଛି ।

image


୨୮. ହୀରାକୁଦ ହେଉଛି ବିଶ୍ୱର ସବୁଠୁ ଦୀର୍ଘ ମାଟିବନ୍ଧ । ଏହା ମଧ୍ୟ ଏସିଆର ବଡ଼ କୃତ୍ରିମ ହ୍ରଦ ।

୨୯. ବିଶ୍ୱର ସର୍ବାଧିକ ହେମାଟାଇଟ୍ ଓଡ଼ିଶାରେ ରହିଛି । ଭାରତର ଏକ ଚତୁର୍ଥାଂଶ ହେମାଟାଇଟ୍ ଓଡ଼ିଶାରେ ।

୩୦. ବିଶ୍ୱର ସବୁଠୁ ବଡ଼ ମୁକୁଳା କ୍ରୋମାଇଟ୍ ଖଣି ସୁକିନ୍ଦାରେ ରହିଛି । ଭାରତର ୯୮ ପ୍ରତିଶତ କ୍ରୋମାଇଟ୍ ଓଡ଼ିଶାରେ ରହିଛି ଓ ସୁକିନ୍ଦାରେ ରହିଛି ୯୭ ପ୍ରତିଶତ ।

୩୧. ବିଶ୍ୱର ସବୁଠୁ ବଡ଼ ଅଣ୍ଡା ଓଡ଼ିଶାରେ ରହିଛି । ଓଟ ପକ୍ଷୀ ଓ ଏମୁ ପକ୍ଷୀ ଜାତୀୟ ବିଲୁପ୍ତ ହାତୀ ପକ୍ଷୀର ଏହି ଅଣ୍ଡାଟି ଭୁବନେଶ୍ୱରରେ ଥିବା ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହାଳୟରେ ରହିଛି । ପକ୍ଷୀଟି ୧୬୫୦ ପର୍ଯ୍ୟନ୍ତ ଜୀବୀତ ଥିଲା ।

୩୨. ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ମିସେଲ ଓବାମାଙ୍କ ଭାରତ ଗସ୍ତ ବେଳେ ତାଙ୍କ ଅଙ୍ଗବସ୍ତ୍ର ପ୍ରସ୍ତୁତ କରିଥିଲେ ଓଡ଼ିଆ ଡିଜାଇନର ବିଭୂ ମହାପାତ୍ର।

୩୩. ପୃଥିବୀର ଏକମାତ୍ର ଢଳି ପଡ଼ିଥିବା ମନ୍ଦିର ସମ୍ବଲପୁରର ହୁମାରେ ଅବସ୍ଥିତ ।

image


୩୪. ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ଅନ୍ୟତମ ପ୍ରସିଦ୍ଧ ବସ୍ତ୍ର ଭାବେ ଜଣାଶୁଣା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ନିୟମିତ ପିନ୍ଧୁଥିଲେ ।

୩୫. ଆକାଶ, ଅଗ୍ନି, ପୃଥ୍ୱୀ ଭଳି ଭାରତର ବହୁ ଗୁରୁତ୍ୱପୂର୍ଣ ମିଶାଇଲ ଓଡ଼ିଶାର ହ୍ୱିଲର ଦ୍ୱୀପରେ ପରୀକ୍ଷା ହୋଇଛି । ପୂର୍ବତନ ରାଷ୍ଟ୍ରପତି ଏପ୍ରିଜେ ଅବଦୁଲ କାଲାମଙ୍କ ମୃତ୍ୟୁ ପରେ ଏହି ଦ୍ୱୀପକୁ କାଲାମ ଦ୍ୱୀପ ଭାବରେ ନାମିତ କରାଯାଇଛି ।

୩୬. ଭାରତର ଏକମାତ୍ର ସର୍ଫିଂ ଫେଷ୍ଟିଭାଲ ଓଡ଼ିଶା ବେଳାଭୂମିରେ ଥିବା ରାମଚଣ୍ଡୀରେ ହୁଏ ।

୩୭. ରାଉରକେଲା ଷ୍ଟିଲ ପ୍ଳାଣ୍ଟ ହେଉଛି ପ୍ରଥମ ସଂହତ ପବ୍ଲିକ ସେକ୍ଟର ଇସ୍ପାତ କାରଖାନା ଯାହା ୧୯୫୫ରେ ପ୍ରତିଷ୍ଠା ହୋଇଥିଲା ।

image


୩୮. ପୂରାତନ ପୋଥି ସଂଗ୍ରହରେ ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରାହାଳୟ ପୃଥିବୀରେ ସର୍ବାଗ୍ରେ ।

୩୯. ଗୁଜୁରାଟ ପରେ ଓଡ଼ିଶାର ଧାମରାରେ ଭାରତର ଦ୍ୱିତୀୟ ଗଭୀର ବନ୍ଦର ରହିଛି ।

୪୦. ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ଯାତ୍ରା ବରଗଡ଼ରେ ହେଉଥିବା ଧନୁଯାତ୍ରା । ଅନୁରୂପ ଭାବେ ନୟାଗଡ଼ର ଦଶପଲ୍ଲାରେ ୨୦୦ ବର୍ଷ ଧରି ମୁକ୍ତାକାଶ ଲଙ୍କାପୋଡ଼ି ଯାତ୍ରା ହୋଇଆସୁଛି ।

୪୧. ଏସିଆର ବୃହତ୍ତ ଗ୍ରାମ ଭୁବନ ଓଡ଼ିଶାର ଢେଙ୍କାନାଳରେ ଅବସ୍ଥିତ ।

୪୨. ଭାରତର ପ୍ରାଚୀନ ଭାଷାମାନଙ୍କ ମଧ୍ୟରୁ ଓଡ଼ିଆ ଅନ୍ୟତମ । ଓଡ଼ିଆ ସମେତ ମୋଟ ୬ଟି ଭାଷାକୁ ଦେଶରେ ଶାସ୍ତ୍ରୀୟ ମାନ୍ୟତା ମିଳିଛି ।

୪୩. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଇଂଲଣ୍ଡ ଜନ୍ମିତ କମ୍ପ୍ୟୁଟର ବିଜ୍ଞାନର ଜନକ ଆଲାନ ତୁରିଙ୍ଗଙ୍କର ଏକ ଓଡ଼ିଶା ସମ୍ପର୍କ ରହିଛି । ତାଙ୍କ ମା’ ଗଞ୍ଜାମର ଛତ୍ରପୁରରେ ଗର୍ଭବତୀ ହୋଇଥିଲେ ଓ ପରେ ଇଂଲଣ୍ଡ ଫେରି ତୁରିଙ୍ଗଙ୍କୁ ଜନ୍ମଦେଲେ ।

୪୪. ଭାରତରେ ଭୂ-ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଥମେ ଗଞ୍ଜାମରେ ଆରମ୍ଭ ହୋଇଥିଲା ।

୪୫. ସମସ୍ତେ ଜାଣନ୍ତି ବ୍ରିଟିଶ ବିରୋଧରେ ପ୍ରତମ ବିପ୍ଳବ ହେଉଛି ୧୮୫୭ର ସିପାହୀ ବିଦ୍ରୋହ । କିନ୍ତୁ ଏହାର ବହୁ ପୂର୍ବରୁ ଇଂରେଜ ଓଡ଼ିଶା ଅଧିକାର କରିବାର ୧୪ ବର୍ଷ ପରେ ୧୮୧୭ରେ ଓଡ଼ିଶାରେ ପାଇକ ବିଦ୍ରୋହ ହୋଇଥିଲା । ପାଇକ ବିଦ୍ରୋହ ହେଉଛି ବ୍ରିଟିଶ ଶାସନ ବିରୋଧରେ ପ୍ରତମ ସଶସ୍ତ୍ର ଗଣବିଦ୍ରୋହ ।

୪୬. ଇଣ୍ଡୋନେସିଆ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବିଜୁ ପଟ୍ଟନାୟକଙ୍କ ଅବଦାନ ପ୍ରଣିଧାନଯୋଗ୍ୟ । ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁତନ ଜାହିରଙ୍କୁ ଗୃହବନ୍ଦୀରୁ ମୁକ୍ତ କରି ପାଇଲଟ ବିଜୁ ପଟ୍ଟନାୟକ ବିମାନରେ ଏକାକୀ ନେଇ ଆସିଥିଲେ । ତାଙ୍କୁ ପରେ ଇଣ୍ଡୋନେସିଆର ସବ୍ରୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି ।

image


୪୭. ଏସିଆର ଦୁଇଟି ସ୍ଥାନରେ ସୂକ୍ଷ୍ମ ତାରକସି କାମ ଦେଖିବାକୁ ମିଳେ; ତେଲେଙ୍ଗାନାର କରିମ ନଗର ଓ ଓଡ଼ିଶାର କଟକ ।

୪୮. ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ସହ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ଉତ୍ସବ ପାଇଁ ସୋନପୁରର ବସ୍ତ୍ର ଶିଳ୍ପୀ ଚତୁର୍ଭୂଜ ମେହେର ୪ ଗୋଟି ଶାଢ଼ୀ ପ୍ରସ୍ତୁତ କରିଥିଲେ ।

୪୯. ଓଡ଼ିଶାର ତଳସାରି ଉପକୂଳ ବିରଳ ନାଲି କଙ୍କଡ଼ା ପାଇଁ ପ୍ରସିଦ୍ଧ । ଅନ୍ୟତ୍ର ଏହା କେବଳ ଅଷ୍ଟ୍ରେଲିଆର କ୍ରିସ୍ମାସ ଦ୍ୱୀପରେ ଦେଖାଯାଏ ।

୫୦. ଓଡ଼ିଶାର ମୟୁରଭଞ୍ଜରେ ୩୦୦ କୋଟି ବର୍ଷ ପୁରୁଣା ପଥର ରହିଛି । ପୃଥିବୀର ବୟସ ହେଉଛି ୪୫୦ କୋଟି ବର୍ଷ ।

୫୧. ସଂସଦରେ ଲୋକାୟୁକ୍ତ ବିଲ ପାରିତ ହେବା ପରେ ପ୍ରଥମେ ଓଡ଼ିଶା ଏହାକୁ ପାଳନ କରିଛି ।

୫୨. ବିଶ୍ୱର ଉଚ୍ଚତମ ବୈଦ୍ୟୁତିକ ରେଳ ଟ୍ରାକ୍ ଓଡ଼ିଶାରେ ରହିଛି । ଡବଲ ଷ୍ଟାକ୍ କଣ୍ଟେନର୍(ଡିଏସ୍ସି) ମାଲ ପରିବାହୀ ଟ୍ରେନ୍ ଯାତାୟତ ଲାଗି ଓଡ଼ିଶାର ଯଖପୁରାରୁ ଦୈତାରି ପର୍ଯ୍ୟନ୍ତ ୭.୪୫ ମିଟର ଉଚ୍ଚରେ ବିଦ୍ୟୁତୀକରଣ କରାଯାଇଛି । ଆମେରିକାରେ ଏହିପରି ଦ୍ୱିତୀୟ ଟ୍ରାକ୍(୭.୧ ମିଟର ଉଚ୍ଚ) ଥିବା ବେଳେ ଚୀନରେ ତୃତୀୟ (୬.୬ ମିଟର) ରହିଛି ।

୫୩. ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଦେଶର ପ୍ରଥମ ସାମରିକ ପରୀକ୍ଷଣ କେନ୍ଦ୍ର ଓଡ଼ିଶାରେ ହୋଇଥିଲା । ଏବେ ଏହାର ନାମ ଡିଆର୍ଡିଓ, ଚାନ୍ଦିପୁର ।

୫୪. ବଙ୍ଗୋପସାଗରର ସବୁଠୁ ପୁରୁଣା ବତୀଘର କେନ୍ଦ୍ରାପଡ଼ା ନିକଟସ୍ଥ ହୁକିଟୋଲା ଦ୍ୱୀପରେ ରହିଛି ।

image


୫୫. ବିଶ୍ୱର ସବୁଠୁ ବଡ଼ ସୂର୍ଯ୍ୟ ମନ୍ଦିର ହେଉଛି କୋଣାର୍କର ସୂର୍ଯ୍ୟମନ୍ଦିର । ବର୍ତମାନ ଭଗ୍ନ ଏହାର ମୁଖ୍ୟ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଠାରୁ ମଧ୍ୟ ଉଚ୍ଚତମ ।

୫୬. ବିଶ୍ୱର ସର୍ବାଧିକ ପ୍ରଜାତିର ଧାନ ଚାଷ ଓଡ଼ିଶାର କୋରାପୁଟରେ ହୁଏ ।

୫୭. ମୟୁରଭଞ୍ଜର ଶିମିଳିପାଳ ଜଙ୍ଗଲରେ ବିଶ୍ୱର ସବୁଠୁ ବଡ଼ ଅର୍କିଡ୍ ଉପତ୍ୟକା ରହିଛି ।

୫୮. ବିହାରର ନାଳନ୍ଦା ଭଳି ବିଶ୍ୱର ଅନ୍ୟତମ ପ୍ରାଚୀନ ବିଶ୍ୱବିଦ୍ୟାଳୟ ହେଉଛଇ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ, ଯାହା ଯାଜପୁର ଜିଲ୍ଲାର ଉଦୟଗିରି ନିକଟରେ ରହିଛି ।

୫୯. ସବୁଠୁ ଅଧିକ ପ୍ରକାରର ହସ୍ତତନ୍ତ ସାମଗ୍ରୀ ଓଡ଼ିଶାରେ ପ୍ରସ୍ତୁତ ହୁଏ ।

୬୦. ଓଡ଼ିଶାରେ ଭାରତର ଦୁଇଟି ବୃହତ୍ତ ଜଳପ୍ରପାତ ରହିଛି । ଗୋଟିଏ ଶିମିଳିପାଳ ଜଙ୍ଗଲରେ ଓ ଅନ୍ୟଟି ହେଉଛଇ କେନ୍ଦୁଝରର ପ୍ରଧାନପାଟ ।

୬୧. ଏସିଆର ସର୍ବବୃହତ ଆଲୁମିନିୟମ କାରଖାନା ହେଉଛି ଓଡ଼ିଶାର ନାଲକୋ ।

୬୨. ଭାରତର ୪ର୍ଥ ରାଷ୍ଟ୍ରପତି ଭିଭି ଗିରି ଓଡ଼ିଶାର ବ୍ରହ୍ମପୁରରେ ଜନ୍ମ ହୋଇଥିଲେ ।

୬୩. ଅନୁରୂପ ଭାବେ ପ୍ରସିଦ୍ଧ ସିନେ ନିର୍ମାତା ମୀରା ନାୟାରଙ୍କର ଜନ୍ମ ଓଡ଼ିଶାର ରାଉରକେଲାରେ ।

୬୪. ସ୍ୱିଡେନର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆଙ୍କ ଜନ୍ମ ଅନୁଗୁଳ ଜିଲ୍ଲା ଆଠମଲିକରେ । ସେ ନିଜର ପ୍ରେମିକା-ପତ୍ନୀ ସ୍ୱିଡେନର ରାଜକନ୍ୟାଙ୍କୁ ଭେଟିବାକୁ ୧୯୭୮ରେ ସାଇକେଲ ଯୋଗେ ଭାରତରୁ ସ୍ୱିଡେନ ଯାଇଥିଲେ ।

୬୫. ଦେଶରେ ଛୁଆଁଅଛୁଆଁ ଭେଦଭାବ ଦୂର କରିବା ପାଇଁ ମହାତ୍ମା ଗାନ୍ଧି ପୁରୀରୁ ନିଜର ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ ।

୬୬. ୧୯୫୨ରେ ଓଡ଼ିଶା ପ୍ରତିଷ୍ଠା କରିଥିବା କଳିଙ୍ଗ ପୁରସ୍କାର ପାଇଥିବା ୨୫ ଜଣ ବ୍ୟକ୍ତିତ୍ୱ ପରେ ନୋବେଲ ପୁରସ୍କାର ପାଇଛନ୍ତି ।

image


୬୭. ଦେଶର ଏକମାତ୍ର ଶିଳ୍ପଗ୍ରାମ ପୁରୀର ରଘୁରାଜପୁର । ଏହି ଗ୍ରାମର ପ୍ରତି ବ୍ୟକ୍ତି ଜଣେଜଣେ ପଟ୍ଟଚିତ୍ର ଶିଳ୍ପୀ ।

୬୮. ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବଙ୍ଗାଳି ଥିଲେ ହେଁ, ତାଙ୍କ ବାପା କଟକର ସ୍ଥାୟୀ ବାସିନ୍ଦା ଥିଲେ ଓ ଏହିଠାରେ ହିଁ ନେତାଜୀଙ୍କ ଜନ୍ମ । ଏବେ ତାଙ୍କର ଜନ୍ମସ୍ଥାନରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଛି ।

୬୯. ୨୦୧୧ ନଭେମ୍ବର ୪ ତାରିଖ ଯାଏଁ ଓଡ଼ିଶାର ଇଂରାଜୀ ବନାନ ଓରିସା ଥିଲା । ଦୀର୍ଘ ଦାବି ପରେ ସେହିଦିନ ଠାରୁ ସରକାରୀ ଭାବେ ଏହି ରାଜ୍ୟ ଓଡ଼ିଶା ଭାବେ ପରିଚିତି ପାଇଲା ।

୭୦. ଏସିଆର ସର୍ବବୃହତ ଧାନ ଗବେଷଣା କେନ୍ଦ୍ର କଟକରେ ରହିଛି ।

୭୧. ଭାରତ ପର୍ଯ୍ୟଟନର ପ୍ରଚାର ବାକ୍ୟ ‘ଅତୁଲ୍ୟ ଭାରତ’ ରହିଥିବା ବେଳେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ବାକ୍ୟ ରହିଛି ‘ଅତୁଲ୍ୟ ଭାରତର ଆତ୍ମା’। ଓଡ଼ିଶା ଭାରତର ଆତ୍ମା ଭାବେ ପରିଗଣିତ ।

୭୨. ମାଲେରିଆ ନିରାକରଣରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ।

୭୨. ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଗଜପତି କୃଷ୍ଣଚନ୍ଦ୍ର ଦେବ ଓ ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ମହତାବ । ନାଁ ନାଁ, ମୁଁ ଭୁଲ କହୁନାହିଁ । ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ହେବ ପରେ ପ୍ରଥମେ ଏହାର ନିର୍ବାଚିତ ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା ।

୭୩. ଓଡ଼ିଶାର ପୂରାତନ ନାମ ଉତ୍କଳ ଆମ ଦେଶର ଜାତୀୟ ସଂଗୀତରେ ରହିଛି । ମନେପକାନ୍ତୁ ଜନଗଣମନର ଦ୍ୱିତୀୟ ଧାଡ଼ି- ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ ।

୭୪. ଓଡ଼ିଶା ନାମ ଆଧାରରେ ଏକ ଗୁଳ୍ମ ଜାତିର ନାମକରଣ କରଯାଇଛି - ଓଡ଼ିଶା କ୍ଲେଷ୍ଟାନ୍ଥା

୭୫. ଭାରତୀୟ ଭାଷାରେ ୱିକିପେଡିଆ ହେବାରେ ପ୍ରଥମ ଦୁଇଟି ଭାଷା ମଧ୍ୟରେ ଓଡ଼ିଆ ଅନ୍ୟତମ ।

୭୬. ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ମଧୁସୂଦନ ଦାସ ଯୁବାବସ୍ଥାରେ ସୁଭାଷ ଚନ୍ଦ୍ର ବୋଷଙ୍କ ବାପବା ଜାନକୀନାଥଙ୍କ ଗୃହ ଶିକ୍ଷକ ଥିଲେ ।

୭୭. ଦାଦନ ଶ୍ରମିକଙ୍କ ପଞ୍ଜୀକରଣ କରିବା ଓ ସେମାନଙ୍କ ଗତିବିଧି ଆକଳନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।

୭୮. ଓଡ଼ିଶାର ନୟାଗଡ଼ ନିକଟ ଗଡ଼ମାଣତ୍ରିରେ ହିନ୍ଦୁପର୍ବ ଦୁର୍ଗାପୂଜା ପାଳନ ବେଳେ ମୁସଲମାନ ବ୍ୟକ୍ତି ହୋମରେ ବସିଥାନ୍ତି । ଅନୁରୂପ ଭାବେ କଟକରେ ଦୁର୍ଗାପୂଜା ଚାନ୍ଦୀ ମେଢ଼ ମୁସଲମାନ ସଂପ୍ରଦାୟର କାରିଗର ପ୍ରସ୍ତୁତ କରିଥାନ୍ତି । ଏଭଳି ଭାଇଚାରା ବିଶ୍ୱର ଅନ୍ୟତ୍ର ବିରଳ ।

୭୯. ବିଶ୍ୱର ପ୍ରଥମ ପୂର୍ଣାଙ୍ଗ ବନବିଦ୍ୟାଳୟ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠା ପାଇଥିଲା । ରବୀନ୍ଦ୍ରନାଥ ଟାଗୋର ନିଜର ଜମିଦାରୀ ବୁଝିବାକୁ ନିୟମିତ ପୁରୀ ଆସି ଏଠାରେ ଦିନାକେତେ ରହଣି କରୁଥିଲେ । ପରେ ପଶ୍ଚିମବଙ୍ଗ ଶାନ୍ତିନିକେତନରେ ଅନୁରୂପ ଢାଞ୍ଚାରେ ରବୀନ୍ଦ୍ରନାଥ ବିଶ୍ୱଭାରତୀ ବିଦ୍ୟାଳୟ ସ୍ଥାପନ କଲେ ।

୮୦. ଓଡ଼ିଆରେ ‘ଛତରଖିଆ’ ବା ‘ଛତ୍ରଖିଆ’ ବୋଲି ଏକ ପ୍ରସିଦ୍ଧ ଗାଳି ରହିଛି । ଏ ଶବ୍ଦ ପଛରେ ଓଡ଼ିଆ ସ୍ୱାଭିମାନ ରହିଛି । ନଅଙ୍କ ଦୁର୍ଭିକ୍ଷ ବେଳେ ଓ ପରେ ବିଭିନ୍ନ ସମୟରେ ଇଂରେଜ ସରକାର ଓ ମିଶନାରୀ ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଅନ୍ନଛତ୍ର ଖୋଲୁଥିଲେ । ସ୍ୱାଭିମାନକୁ ଜଗି ବହୁ ଓଡ଼ିଆ ପ୍ରାଣତ୍ୟାଗ କଲେ ପଛକେ, ହାତପାତି ଛତରଖିଆ ହେବାକୁ ନାପସନ୍ଦ କରୁଥିଲେ । ‘ନଅଙ୍କିଆ’ ବୋଲି ଆଉ ଏକ ମଧୁର ଗାଳି ମଧ୍ୟ ଏହି ସ୍ୱାଭିମାନରୁ ସୃଷ୍ଟି ।

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।