ପୈତୃକ ଘର ବିକି କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍, ଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି ହନୁମାନ ସହାୟ

ପୈତୃକ ଘର ବିକି କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍, ଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି ହନୁମାନ ସହାୟ

Monday January 11, 2016,

3 min Read

ସମୟ, ସମାଜ ଓ ଇତିହାସ ସେମାନଙ୍କୁ ମନେରଖେ ନାହିଁ, ଯେଉଁମାନଙ୍କର ଦେଶପ୍ରତି କୌଣସି ଅବଦାନ ନଥାଏ| ଇତିହାସ ସେମାନଙ୍କୁ ମନେ ପକାଏ ଯେଉଁମାନଙ୍କ ପାଖରେ ସବୁକିଛି ଥାଏ, ତଥାପି ସେମାନେ ନିଜର ସର୍ବସ୍ୱ ଦେଶ ପାଇଁ ତ୍ୟାଗ କରିଦିଅନ୍ତି | ସେମାନଙ୍କର ନିଜ ଚିନ୍ତା ନଥାଏ | ଅନ୍ୟ ମୁହଁରେ ଖୁସୀ ଦେଖିବା ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥାଏ | ଏମିତି ଜଣେ ବ୍ୟକ୍ତି ହେଲେ ହନୁମାନ ସହାୟ | ଜୟପୁର ଠାରୁ ପ୍ରାୟ ୭୦ କିଲୋମିଟର ଦୂର ଶାହପୁର ଅଂଚଳର ଲୁହାକନା ଗାଁର ଜଣେ ସାଧାରଣ ଦେକାନୀ ସେ | କିନ୍ତୁ ସେ ଯେଉଁ କାମ କରିଛନ୍ତି, ତାହା ଅସାଧାରଣ | ପୂର୍ବରୁ ବିହାର ରାଜଧାନୀ ପାଟଣାରେ ତାଙ୍କର ଦୋକାନ ଥିଲା | ପାଂଚ ବର୍ଷ ପୂର୍ବେ ନିଜର ରୋଗାକ୍ରାନ୍ତ ବାପାଙ୍କୁ ଦେଖିବା ପାଇଁ ସେ ଗାଁକୁ ଆସିଥିଲେ | ଗାଁରେ ସେ ଦେଖିଥିଲେ ଜଣେ ମହିଳା ପ୍ରସବ ପୀଡାରେ ଛଟପଟ ହେଉଛନ୍ତି | କିନ୍ତୁ ପାଖରେ ଡାକ୍ତରଖାନା ନଥାଏ | ସେ ଏହି ମହିଳାଙ୍କୁ ବହୁ ଦୂରରେ ଥିବା ହସ୍ପିଟାଲକୁ ନେଇଥିଲେ | ବାଟଯାକ ସେ ଛଟପଟ ହେଉଥିଲେ | ସେତିକିବେଳେ ତାଙ୍କ ବାପା କହିଥିଲେ ଗାଁରେ ଏକ ହସ୍ପିଟାଲ୍ ଥିଲେ ଭଲ ହୋଇଥାନ୍ତା | ସେହିଦିନ ହନୁମାନ ସହାୟ ମନରେ ସ୍ଥିର କରିଥିଲେ ଗାଁରେ ମାତାପିତାଙ୍କ ନାଁରେ ଏକ ହସ୍ପିଟାଲ ପ୍ରତିଷ୍ଠା କରିବାକୁ | ତାହା ପୁଣି ଘରୋଇ ନୁହେଁ, ସରକାରୀ ଡାକ୍ତରଖାନା | ଯେଉଁଠାରେ ମାଗଣାରେ ଚିକିତ୍ସା ହୋଇପାରିବ | ୟୋରଷ୍ଟୋରୀକୁ ସେ କହନ୍ତି,

ମୋର ପୈତୃକ ଘର ଥିଲା | ଜୟପୁରରେ ଗୋଟିଏ ଦୋକାନ ମଧ୍ୟ ଥିଲା | ଯାହାକୁ ମୁଁ ବିକି ଦେଇଥିଲି | ଜମି କିଣି ଗାଁରେ ହସ୍ପିଟାଲ୍ ପ୍ରତିଷ୍ଠା କରିଛି | ଏଥିପାଇଁ ଜୟପୁରରେ ବିଭିନ୍ନ ଲୋକଙ୍କ ପାଖକୁ ଯିବାକୁ ପଡିଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଜନତା ଦରବାରରେ ସାକ୍ଷାତ କରି ହସ୍ପିଟାଲରେ ଡାକ୍ତର ଯୋଗାଇ ଦେବା ଲାଗି ଅନୁରୋଧ କରିଛି | ତାଙ୍କ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସହଯୋଗ କରିଛି |
image


ଏହା ଥିଲା ବହୁତ ଭଲ କାମ | କିନ୍ତୁ ଏଥିପାଇଁ ଅର୍ଥ ଯୋଗାଡ କରିବା ସହଜ ନଥିଲା | ସହାୟ କାହା ପାଖରେ ହାତ ପତାଇନଥିଲେ | ତାଙ୍କ ଗାଁ ପାଖରେ ଦିଲ୍ଲୀ-ଜୟପୁର ରାଜପଥ ପାଖରେ ଥିବା ପୈତୃକ ଘରକୁ ସେ ବିକିବା ଲାଗି ନିଷ୍ପତି ନେଲେ | ଏହାକୁ ବିକି ସେ ପାଇଲେ ୭୦ ଲକ୍ଷ ଟଙ୍କା | ଆଉ ୩୦ ଲକ୍ଷ ଟଙ୍କା ମିଶାଇ ଏକ କୋଟି ଟଙ୍କାରେ ସେ ହସ୍ପିଟାଲ ପ୍ରତିଷ୍ଠା କଲେ | ଏହି ହସ୍ପିଟାଲରେ ୨୭ ଟି ବଡ ହଲ୍ ରହିଛି | ଡାକ୍ତର ଓ ନର୍ସିଂ ଷ୍ଟାଫ୍ ରହିବା ପାଇଁ ବାସଗୃହ ନିର୍ମିତ କରାଯାଇଛି | ଏତେ ବଡ ହସ୍ପିଟାଲ ପ୍ରତିଷ୍ଠା ହେବା ପରେ ଡାକ୍ତର ବ୍ୟବସ୍ଥା କରିବା ସହାୟଙ୍କ ପାଖରେ ସମ୍ଭବ ହୋଇନାହିଁ | କିନ୍ତୁ ତାଙ୍କର ପରିଶ୍ରମ ଓ ନିସ୍ୱାର୍ଥ ସେବାକୁ ଦେଖି ଗ୍ରାମବାସୀ ତାଙ୍କ ସହ ସାମିଲ ହୋଇଛନ୍ତି | ଡାକ୍ତର ବ୍ୟବସ୍ଥା କରିବାକୁ ଗାଁ ଲୋକ ସରକାରଙ୍କ ଉପରେ ଚାପ ପକାଇଲେ | ଛଅ ମାସ ହେଲାଣି ବିଭିନ୍ନ ସମୟରେ ସେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଭେଟି ଏ ଦିଗରେ କାମ ଚଳାଇଛନ୍ତି | ଖୁବଶୀଘ୍ର ଏଠାରେ ଡାକ୍ତର ନିଯୁକ୍ତି ହେବେ ଓ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହାକୁ ଉଦଘାଟଣ କରିବାକୁ ଯାଉଛନ୍ତି | ସହାୟଙ୍କ ଏହି କାମରେ ଗ୍ରାମବାସୀ ବେଶ୍ ଖୁସୀ ଅଛନ୍ତି | ସେଠାକାର ସରପଞ୍ଚ ଦରିୟାବଦ ସିଂହ କହନ୍ତି,

“ହନୁମାନ ସହାୟ ଯେଉଁ କାମ କରିଛନ୍ତି, ତାହାକୁ ନେଇ ସବୁ ଗାଁଲୋକ ଭାରି ଖୁସୀ | ଡାକ୍ତର ନିଯୁକ୍ତି ଦାବିରେ ଆମେ ତାଙ୍କ ସହ ବହୁତ ସ୍ଥାନକୁ ଯାଇଛୁ | ଗାଁରେ ଆମର ହସ୍ପିଟାଲଟିଏ ହୋଇଗଲା, ଏହାଠୁ ଭଲ କଥା ଆଉ କ'ଣ ଥାଇ ପାରେ |”

ଲୋକମାନେ କହନ୍ତି ବର୍ଷାଦିନେ ପାଣି ଆସିଯାଉଥିବାରୁ ଗାଁ ବାହ୍ୟ ଅଂଚଳରୁ ବିଚ୍ଛିନ୍ନ ହୋଇଯାଏ | ଏହି ପରିସ୍ଥିତିରେ ସହରକୁ ଯିବା ମୁସ୍କିଲ ହୋଇପଡେ | ତେଣୁ ଏହି ହସ୍ପିଟାଲ୍ ପୂରାପୂରି କାର୍ଯ୍ୟ ଆରମ୍ଭ କଲେ ପାଖାପାଖି ଅଂଚଳର ୨୫ ହଜାର ଲୋକ ଏଥିରୁ ଫାଇଦା ପାଇବେ | ସ୍ୱତନ୍ତ୍ର ପ୍ରସୂତି ବିଭାଗ ମହିଳା ଡାକ୍ତର ନିଯୁକ୍ତି ହେବାକୁ ଥିବାରୁ ବିଶେଷ କରି ମହିଳାମାନେ ବେଶୀ ଉପକୃତ ହେବେ | ଗାଁ ସ୍କୁଲର ଶିକ୍ଷକ ଭଗବତ ସିଂହ ଶେଖୱତ୍ କହନ୍ତି,

ଆଜିକାଲି ଏଭଳି ତ୍ୟାଗ କିଏ କରୁଛି | ସେ ତ ଆମ ଗାଁ ପାଇଁ ସବୁ କିଛି ବିକ୍ରି କରିଦେଇଛନ୍ତି | ତାଙ୍କର ଏହି କାର୍ଯ୍ୟକୁ କେବେହେଲେ କେହି ଭୁଲି ପାରିବେ ନାହିଁ |
image


କୁହାଯାଏ ବଡ କାମ ସେହିମାନେ କରନ୍ତି, ଯେଉଁମାନଙ୍କର ଭାବନା ବଡ ଥାଏ | ତେବେ କିଛି ଲୋକ ବଡକଥା ଭାବନ୍ତି, କିନ୍ତୁ ଏହି ଦିଗରେ ଠିକ୍ ବାଟରେ ପଦକ୍ଷେପ ନେଇପାରନ୍ତି ନାହିଁ | ଏଭଳି ଲୋକଙ୍କ ପାଇଁ ହନୁମାନ ସହାୟ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି | ଯିଏ କେବଳ ବଡ ସ୍ୱପ୍ନ ଦେଖିନାହାନ୍ତି, ବଂର ତାହାକୁ ସତରେ ପରିଣତ କରିଛନ୍ତି | ହନୁମାନ ସହାୟଙ୍କ ଏହି ଉଦ୍ୟମକୁ ୟୋରଷ୍ଟୋରୀ ପକ୍ଷରୁ ସଲାମ୍‌ |