EDITIONS
Odia

୬୦ ବର୍ଷ ବୟସରେ ଚାଷୀ ନିଜେ ୧୬ ବର୍ଷ ଧରି ଆଇନ ପଢି ତାଙ୍କ ଚାଷଜମି ପ୍ରଦୂଷିତ କରୁଥିବା ରାସାୟନିକ ଫାର୍ମ ବିରୋଧରେ କେସ ଲଢିଲେ

Team Odia
22nd Feb 2017
Add to
Shares
2
Comments
Share This
Add to
Shares
2
Comments
Share

‘ଇଛା ଥିଲେ ଉପାୟ ଆସେ’। ଅନେକ ସମୟରେ ଆମେ ଏପରି ପରିସ୍ଥିତିର ସାମନା କରିଥାଉ ଯେତେବେଳେ ଆମକୁ ଥଳକୁଳ ଦେଖାଯାଏ ନାହିଁ। ସେପରି ସମୟ ମାନଙ୍କରେ ଏହି ଉକ୍ତିଟି ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ଉତ୍ସାହ ଦେଇଥାଏ। କିଛି ନା କିଛି ରାସ୍ତା ନିଶ୍ଚେ ଆସିବ, ଏଇ ବିଶ୍ଵାସର ସହ ଆମେ କାମ କରିଚାଲୁ। ୱାଙ୍ଗ ଏନଲିନଙ୍କ କାହାଣୀ କିଛି ଏହିପରି।

Image source: The Daily Dot

Image source: The Daily Dot


ୱାଙ୍ଗ ହେଲେ ଜଣେ ଚାଇନିଜ ଚାଷୀ। ହେଇଲୋଙ୍ଗଜାଙ୍ଗର କିକିହାର ଅଞ୍ଚଳରେ ଦୂରରେ ଥିବା ଏକ ଛୋଟିଆ ଗାଁରେ ରୁହନ୍ତି ୱାଙ୍ଗ। ୨୦୦୧ରେ ସେ ଜାଣିବାକୁ ପାଇଲେ ଯେ କିହୁଆ ଗ୍ରୁପ ନାମକ ଏକ ରାଜ୍ୟ ମାଲିକାନା କମ୍ପାନୀ ନିଜର ସମସ୍ତ ବର୍ଜ୍ୟବସ୍ତୁକୁ ଚାଷଜମିରେ ଛାଡ଼ିଦେଉଛି ଏବଂ ଜମିର ଉର୍ବରତା ନଷ୍ଟ କରୁଛି। ୱାଙ୍ଗ ପ୍ରଥମେ ଭୂମି ସଂସାଧନ ବିଭାଗ, କିକିହାର କୁ ଯାଇ ଏହି ବିଷାକ୍ତ ଜଳ ଯାହା ତାଙ୍କର ତଥା ଆଖପାଖର କିଛି ଗାଁ ମାନଙ୍କରେ ଥିବା ଚାଷଜମିରେ ଛଡ଼ାଯାଉଛି ସେ ସମ୍ପର୍କରେ ସୂଚନା ଦେଲେ। କିନ୍ତୁ ସରକାରୀ ଅଧିକାରୀ ମାନେ ତାଙ୍କ କଥାକୁ ଏ କାନରେ ଶୁଣି ସେ କାନରେ ବାହାର କରିଦେଇଥିଲେ। ତାଙ୍କୁ ଫମ୍ପା ଅଭିଯୋଗ ନକରି ପ୍ରମାଣ ଆଣିବାକୁ କୁହାଗଲା।

ଏହି ମଧ୍ୟରେ ଏହି ଚାଷଜମି ଗୁଡ଼ିକର ଉର୍ବରତା ହ୍ରାସ ପାଇବାକୁ ଲାଗିଲା। ଏହି ଗାଁ ମାନଙ୍କରେ ରହୁଥିବା ଲୋକେ ନିଜର ଜୀବିକା ଅର୍ଜନ ପାଇଁ ମୁଖ୍ଯତଃ ଚାଷ ଉପରେ ନିର୍ଭର କରିଥାଆନ୍ତି। ୨୦୦୧ର ଏକ ସରକାରୀ କାଗଜରେ ମଧ୍ୟ ଏହା ବିଷୟରେ ଲେଖା ଯାଇଥିଲା। ଏହି ଫାଇଲରେ ଉଲ୍ଲେଖ ଥିଲା ଯେ ଉପରୋକ୍ତ କମ୍ପାନୀ ପଲି ଭିନାଇଲ କ୍ଳୋରିଡ ଉତ୍ପାଦନ କରେ ଏବଂ ପ୍ରତିବର୍ଷ ୧୫,୦୦୦ ରୁ ୨୦,୦୦୦ ଟନ ବର୍ଜ୍ୟବସ୍ତୁ ବାହାରକୁ ଛାଡ଼ିଥାଏ।

ଗ୍ରାମରେ ଥିବା ସରକାରୀ ଅଧିକାରୀ ମାନେ କୌଣସି ପ୍ରମାଣ ନଥିବାରୁ ୱାଙ୍ଗଙ୍କ କଥା ନଶୁଣିବା ପରେ ସେ Daily Mail ସହ କଥା ହୋଇ କହିଥିଲେ,

ମୁଁ ଜାଣିଥିଲି ଯେ ମୁଁ ସଠିକ ପଥରେ ରହିଛି କିନ୍ତୁ ଅପର ପକ୍ଷ କେଉଁ ଆଇନ ଭଙ୍ଗ କରୁଛି ଏବଂ ଏ ନେଇ କୌଣସି ପ୍ରମାଣ ଅଛି କି ନାହିଁ ତାହା ମୁଁ ଜାଣିନଥିଲି।

ୱାଙ୍ଗ ଏହାର ଲଗାମ ନିଜ ହାତକୁ ନେବାର ନିଷ୍ପତ୍ତି ନେଲେ। ସେ ନିଜେ ଆଇନ ଅଧ୍ୟୟନ କରିବା ଆରମ୍ଭ କଲେ। ସେ ନିଜେ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ କିନ୍ତୁ ନିଜେ ବିଶ୍ଵାସ କରୁଥିବା ଏକ କାରଣ ପାଇଁ ଲଢିବା ପାଇଁ ସେ ୧୬ ବର୍ଷ ନିଜେ ନିଜେ ଆଇନ ପଢି ନିଜକୁ ଆଇନର ରାସ୍ତାରେ ଯାଇ ଏକ ଯୁଧ୍ୟ ଲଢିବାକୁ ତୟାର କରିବାକୁ ଲାଗିଲେ। ଜଣେ ଓକିଲଙ୍କର ସାହାଯ୍ୟ ନେବା ଥିଲା ସବୁଠାରୁ ସହଜ ଉପାୟ କିନ୍ତୁ ୱାଙ୍ଗ ଙ୍କର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନଥିବାରୁ ସେ କଥା ପ୍ରଶ୍ନ ବାହାରେ ଥିଲା। ତାଙ୍କ ପାଖରେ ଆଇନ ବହି କିଣି ପଢିବା ମଧ୍ୟ ସମ୍ଭବ ନଥିଲା। ତେଣୁ ସେ ସ୍ଥାନୀୟ ଏକ ବହି ଦୋକାନକୁ ନିତି ଯାଇ ସେଠାରେ ବସି ବହି ପଢନ୍ତି ଏବଂ ଦରକାରୀ ତଥ୍ୟକୁ କାଗଜରେ ଟିପି ଆଣନ୍ତି। ପ୍ରତିଦିନ ଦୋକାନରେ ବସି ବହି ପଢିବା ପାଇଁ ସେ ବହି ଦୋକାନୀଙ୍କୁ ବ୍ୟାଗ ଭର୍ତ୍ତି ମକା ଦେଉଥିଲେ। ଧୀରେ ଧୀରେ ଆଇନଗତ ବିଦ୍ୟା ବଢିବା ସହ ସେ ନିଜ ପଡୋଶୀ ମାନଙ୍କୁ ମଧ୍ୟ ପ୍ରମାଣ ଏକାଠି କରିବା ପାଇଁ ଉଚିତ ପରାମର୍ଶ ଦେବା ଆରମ୍ଭ କଲେ।

୨୦୦୭ରେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଲା ଯେବେ ଏକ ଚାଇନିଜ ଆଇନ ଫାର୍ମ ୱାଙ୍ଗ ଏବଂ ତାଙ୍କ ପଡୋଶୀ ମାନଙ୍କୁ ତାଙ୍କର ଏହି ଲଢେଇରେ ସାହାଯ୍ୟ କରିବାକୁ ଆଗେଇ ଆସିଲା ଏବଂ କୋର୍ଟରେ ପିଟିସନ ଦାଖଲ କରିବାକୁ ମଧ୍ୟ ସାହାଯ୍ୟ କଲା। କିଛି ଅନିର୍ଦ୍ଧିଷ୍ଟ ଜଟିଳତା କାରଣରୁ କୋର୍ଟରେ ଏଇ ପିଟିସନ ନେଇ କାରବାର ୮ ବର୍ଷ ବିଳମ୍ବରେ ଆରମ୍ଭ ହେଲା। ୨୦୧୫ରେ କୋର୍ଟ କାର୍ଯ୍ୟ ଆରମ୍ଭ କଲା ଏବଂ ୱାଙ୍ଗ ଓ ତାଙ୍କର ପଡୋଶୀ ମାନେ ଏକାଠି କରିଥିବା ପ୍ରମାଣ ସହାୟତାରେ ସେମାନେ ପ୍ରଥମ ରାଉଣ୍ଡ ଜିତିଲେ।

କିକିହାରର ଅଙ୍ଗାଗ୍କ୍ଷି ଜିଲ୍ଲା କୋର୍ଟର ନିଷ୍ପତ୍ତି ଅନୁସାରେ କିହୁଆ ଗୃପ ୟୁଶୁଟୁନର ଗ୍ରାମବାସୀ ମାନଙ୍କୁ ୮୨୦,୦୦୦ ଚାଇନିଜ ୟୁଆନ (୯୬,୦୦୦ ବ୍ରିଟିଶ ପାଉଣ୍ଡ) ଅର୍ଥ କ୍ଷତିପୂରଣ ବାବଦରେ ଦେବ ବୋଲି ସ୍ଥିର ହେଇଛି। କିହୁଆ ଗୃପ ବର୍ତ୍ତମାନ ଏହି ଫଇସଲାର ବିରୋଧ କରି ଅପିଲ କରିଛି।

ଏଇ ଚାଇନିଜ ଚାଷୀଙ୍କ କାହାଣୀ ଏହା ପ୍ରମାଣ କରେ ଯେ ମନଧ୍ୟାନ ଦେଇ କୌଣସି ଏକ ଲକ୍ଷ୍ୟ ଦିଗରେ ଅଗ୍ରସର ହେଲେ ଏମିତି କିଛି ନାହିଁ ଯାହା ଅସମ୍ଭବ। ସମସ୍ତ ବାଧାବିଘ୍ନ ଧୀରେ ଧୀରେ ଅପସରି ଯିବେ। ୱାଙ୍ଗ ନିଜର ଏଇ ସଂଘର୍ଷ ବିଷୟରେ କୁହନ୍ତି,

ଆମେ ନିଶ୍ଚୟ ଜିଣିବୁ। ଯଦି ହାରିଲୁ ମଧ୍ୟ ତେବେ ଲଢିବା ଛାଡ଼ିବୁ ନାହିଁ। 
Add to
Shares
2
Comments
Share This
Add to
Shares
2
Comments
Share
Report an issue
Authors

Related Tags